spot_img
Home Blog Page 1264

ଆଜି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠ ଆଶ୍ରମ: ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ

ଭୁବନେଶ୍ବର: ଆଜି ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠ ଆଶ୍ରମ । ଗତକାଲି ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ଆଜି ୧୨ ଟା ସୁଦ୍ଧା ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ଆଶ୍ରମ କର୍ତ୍ତୃପକ୍ଷ କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ ଆଜି ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ଦିଲ୍ଲୀ ଭୋଟ: ଆଜି ନାମାଙ୍କନର ଶେଷ ଦିନ

ନୂଆଦିଲ୍ଲୀ: ଆଜି ହେଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଅର୍ଥାତ ଯେଉଁମାନେ ଏ ପର୍ଯ୍ୟନ୍ତ ନାମାଙ୍କନ ଭରି ନାହାନ୍ତି, ସେମାନଙ୍କ ପାଇଁ ସମୟ କେବଳ ଆଜି ହିଁ ଅଛି। ଅବଶ୍ୟ ବିଜେପି, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟିର ପ୍ରମୁଖ ପ୍ରାର୍ଥୀମାନେ ନାମାଙ୍କନ ଭରିଲେଣି। ଗତକାଲି ଆପ୍ ର ମନୀଷ ସିସୋଦିଆ, କଂଗ୍ରେସର ସନ୍ଦୀପ ଦୀକ୍ଷିତ ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହେଉଛି ୨୦ ତାରିଖ। ତା ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ନିର୍ବାଚନ ଫେବୃଆରୀ ୫ରେ ହେବ । ଫେବୃଆରୀ ୮ ତାରିଖରେ ହେବ ଭୋଟ୍ ଗଣତି। ସେପଟେ ଜୋରସୋରରେ ଚାଲିଛି କ୍ୟାମ୍ପେନ। ବିଜେପି, କଂଗ୍ରେସ ଓ ଆପ୍ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଛନ୍ତି।

ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା: ୩ ଜଣ ଶ୍ରମିକ ନିଖୋଜ

ରାଜଗାଙ୍ଗପୁର: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ ଦୁର୍ଘଟଣା । ପାୱାର ପ୍ଲାଣ୍ଟର ବଏଲରକୁ କୋଇଲା ଯୋଗାଉଥିବା ହପର ଭୁଶୁଡି ପଡିବା ଫଳରେ ଅଘଟଣ ଘଟିଛି। ଏଥିରେ ୩ ଜଣ ଶ୍ରମିକ ନିଖୋଜ ଥିବା କୁହାଯାଇଛି। ସେମାନେ ହେଲେ ରଞ୍ଜିତ ଭୋଳ, ସୁଶାନ୍ତ ରାଉତ ଓ ଦଶରଥ ପାତ୍ର। ତେବେ ପ୍ରକୃତରେ କେତେ ଶ୍ରମିକ ଚାପି ହୋଇରହିଛନ୍ତି ତାହାର ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଅଗ୍ନିଶମ ବିଭାଗର ୪ଟି ଗାଡି ସହ ୪ଟି ଆମ୍ବୁଲାନ୍ସ କାରଖାନା ଭିତରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ କାରଖାନା ଆଗରେ ଜମା ହୋଇ ରହିଥିଲେ । ଖବର ପାଇ ସ୍ଥାନୀୟ ତହସିଲଦାର, ସୁନ୍ଦରଗଡ଼ ଏସପି, ରାଜଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

WPL ୨୦୨୫ର ଶିଡ୍ୟୁଲ ଘୋଷଣା: ଫେବୃଆରୀ ୧୪ରେ ଖେଳାଯିବ ପ୍ରଥମ ମ୍ୟାଚ

ମହିଳା ପ୍ରିମିୟର ଲିଗ (WPL)ର ନୂଆ ସିଜିନ ପାଇଁ ଗଣତି ଆରମ୍ଭ ହୋଇଯାଇଛି । WPLକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରତୀକ୍ଷାର ଅନ୍ତ ଘଟିଛି । ଆସନ୍ତା ମାସ ୧୪ ତାରିଖରେ WPLର ପ୍ରଥମ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟସ ମଧ୍ୟରେ ପରସ୍ପରକୁ ଭେଟିବେ । ୫ଟି ଟିମ୍ ଅଂଶଗ୍ରହଣ କରୁଥିବା ଏହି ଲିଗରେ ପୁଣି ଥରେ ଜୋରଦାର ଅକ୍ସନ ଦେଖିବାକୁ ମିଳିବ । WPL ୨୦୨୫କୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶିଡ୍ୟୁଲ ଘୋଷଣା କରିଛି ।

ଫେବୃଆରୀ ୧୪ରୁ ଆରମ୍ଭ ହୋଇ ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ । ଏଥର ବିସିସିଆଇ ୪ଟି ଭେନ୍ୟୁରେ ମୁକାବିଲା ଆୟୋଜନ ନେଇ ନିଷ୍ପତ୍ତି ଗ୍ରହଣ କରିଛି । ଲିଗର ପ୍ରଥମ ସିଜିନରେର କେବଳ ଦୁଇଟି ଅଲଗା ଅଲଗା ଗ୍ରାଉଣ୍ଡରେ ମ୍ୟାଚ ଖେଳାଯାଇଥିଲା । ଏହି ଲିଗର ବିସ୍ତାର ଲକ୍ଷ୍ୟରେ ବିସିସିଆଇ ୨ ବଦଳରେ ୪ଟି ଭେନ୍ୟୁରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଲକ୍ଷ୍ନୌ, ମୁମ୍ବାଇ, ବଦୋଦରା ଓ ବେଙ୍ଗାଲୁରୁରେ ୩୦ ଦିନରେ ୨୨ଟି ମ୍ୟାଚ ଖେଳାଯିବ ।

ଯନ୍ତ୍ର ଦ୍ବାରା ହେବ ମାନସିକ ରୋଗର ଚିକିତ୍ସା: ଭାରତୀୟ ବୈଜ୍ଞାନିକମାନେ ବିକଶିତ କଲେ ମଡର୍ଣ୍ଣ ଡିଭାଇସ୍

ଆଜିର ସମୟରେ ଅଧିକାଂଶ ଲୋକ ମାନସିକ ଚାପ ବା ଅବସାଦ ଦେଇ ଗତି କରୁଛନ୍ତି । ଏହି ଚାପ ଏମିତି ମଣିଷକୁ ଏମିତି ଗ୍ରାସ କଲାଣି ଯେ, ଛୋଟ ଛୋଟ କଥାକୁ ନେଇ ଲୋକମାନେ ବିରକ୍ତ ହେଉଥିବା ଦେଖାଯାଉଛି ।  ଏହାର ଭୟଙ୍କର ପରିଣାମ ମଧ୍ୟ ମଣିଷ ଭୋଗୁଛି । ଏହି କାରଣରୁ ଅନେକ ସମୟରେ ଲୋକଙ୍କର ମାନସିକ ସ୍ଥିତି ବିଗିଡ଼ି ଯାଉଥିବା ଦେଖାଯାଉଛି । ଲୋକଙ୍କର ଷ୍ଟ୍ରେସ କମ୍ କରିବା ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାରର ଗବେଷଣା ଜାରି ରଖିଛନ୍ତି । ଏହା ମଧ୍ୟରେ ବୈଜ୍ଞାନିକମାନେ ଚାପକୁ ଖୋଜିବା ପାଇଁ ଏକ ଡିଭାଇସ ବିକଶିତ କରିଛନ୍ତି । ଏହି ଡିଭାଇସ ପିନ୍ଧିଲେ ଚାପକୁ ଖୋଜିବା ସମ୍ଭବ ହୋଇପାରେ । ଏହି ମଡର୍ଣ୍ଣ ଓ ସ୍ମାର୍ଟ ଓ୍ବାଚେବଲ ଡିଭାଇସ ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ସୂଚନା ପ୍ରଦାନ କରିବ । ଏହାଛଡ଼ା ଏହି ଟେକନିକ ରୋବୋଟିକ ସିଷ୍ଟମରେ ମଧ୍ୟ ଉନ୍ନତି ଆଣିପାରେ ।

ବେଙ୍ଗାଲୁରୁର ଜବାହରଲାଲ ନେହରୁ ଉନ୍ନତ ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର (JNCASR))ର ବୈଜ୍ଞାନିକମାନେ ପିନ୍ଧିବା ଯୋଗ୍ୟ ସ୍ମାର୍ଟ ସ୍ବାସ୍ଥ୍ୟ ଡିଭାଇସ ବିକଶିତ କରିଛନ୍ତି । ଏହା ମାଧ୍ୟମରେ ଚାପର ସ୍ତରକୁ ଚିହ୍ନଟ କରାଯାଇପାରେ । ବୈଜ୍ଞାନିକମାନେ ସିଲଭର ଓ୍ବେୟାରର ଉପଯୋଗ କରି ମଡର୍ଣ୍ଣ ଡିଭାଇସ ପ୍ରସ୍ତୁତ କରିଛନ୍ତି । ଏହା ଚାପକୁ ବୁଝିବା ସହ ବଡିରେ ହେଉଥିବା ଯନ୍ତ୍ରଣାର ମଧ୍ୟ ସନ୍ଧାନ ପାଇ ପାରିବ । ବାହ୍ୟ ସେନ୍ସର ବା ସେଟଅପ ବିନା ଲୋକଙ୍କ ଚାପକୁ ଚିହ୍ନଟ କରିବା ପାଇଁ ଏହି ଟେକନିକ ଅନୁକୂଳ ଅଟେ । ଏହା ଉନ୍ନତ ହେଲଥ ମନିଟରିଂ ସିଷ୍ଟମକୁ ବିକଶିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ ।

ଏହି ଟେକ୍ନୋଲୋଜି ସ୍ବାସ୍ଥ୍ୟର ସ୍ଥିତି ଓ ଚାପକୁ ଚିହ୍ନଟ କରିବା ପାଇଁ ଉପଯୋଗୀ ଅଟେ । ଏହି ଟେକ୍ନୋଲୋଜି ସ୍ବାସ୍ଥ୍ୟର ସ୍ଥିତି ଓ ଚାପକୁ ଚିହ୍ନଟ କରିବା ପାଇଁ ଉପଯୋଗୀ ଅଟେ । ଶରୀରରେ ବର୍ତ୍ତମାନ ଚାପର ସ୍ତର କେତେ ରହିଛି ଓ ଆପଣଙ୍କ ଶରୀରର ସ୍ଥିତି କିପରି ରହିଛି, ସମୟ ପୂର୍ବରୁ ତାହା ଜଣାପଡ଼ିଯିବ । ଏଥିସହିତ ବ୍ୟକ୍ତିଙ୍କ ହିଷ୍ଟ୍ରି ବୁଝିବାରେ ମଧ୍ୟ ଏହି ଟେକ୍ନେଲାଜି ଡାକ୍ତରଙ୍କୁ ସହୟତା ପ୍ରଦାନ କରିବ । ଆଜିର ସମୟରେ ଚାପ କାରଣରୁ ମଣିଷ ଅନେକ ଭୟଙ୍କର ରୋଗର ଶିକାର ହେଉଛି । ତେଣୁ ଚାପର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରିବା ଓ ତା’ର ପ୍ରଭାବକୁ କମ୍ କରିବାରେ ଏହି ଟେକନିକ୍ ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଏହା ହାଇ ବିପି, ହୃଦ ରୋଗ, ମୋଟାପା ଓ ଚାପ ସୃଷ୍ଟି କରୁଥିବା ହରମୋନ୍ସକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହୟକ ହେବ ।

ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଲା ବିଜେଡି: ଦରବୃଦ୍ଧି, ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଅସହନୀୟ

ଭୁବନେଶ୍ବର: ସମ୍ବଲପୁରରେ ବିଜେଡିର ଯୁଦ୍ଧଂଦେହୀ ଡାକରା । ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ବିଶାଳ ଗଣ ବିକ୍ଷୋଭ । ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରେ ଭୁଆଁ ବୁଲାଇଛି ଡବଲ ଇଞ୍ଜିନ୍ ସରକାର । ପ୍ରତାରଣା ପାଲଟିଛି ନିର୍ବାଚନୀ ପ୍ରତିଶ୍ରୁତି । ଦରବୃଦ୍ଧିରେ ଅତିଷ୍ଟ ଜନତା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରତାରଣା, ମାଗଣାରେ ୩ଶହ ୟୁନିଟ ବିଦ୍ୟୁତ୍ ଧୁଆଁବାଣ, କାନ୍ଦୁଛନ୍ତି ରାଜ୍ୟର ଚାଷୀ । ତେଣୁ ଏହାର ପ୍ରତିବାଦରେ ଆଜି ମୈଦାନକୁ ଓହ୍ଲାଇଛି ବିଜେଡି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳର ନେତା କର୍ମୀଙ୍କ ସହ ହଜାର ହଜାର ଜିଲ୍ଲାବାସୀ l

ସମ୍ବଲପୁର ସହରରେ ଅନେକ ସମସ୍ୟା ଥିଲେ ସୁଦ୍ଧା ବିଧାୟକ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ରୋହିତ ପୂଜାରୀ । ବିଧାୟକ ଜୟ ନାରାୟଣ ମିଶ୍ର କଳା ଚଷମା ପିନ୍ଧି ସହରର ସମସ୍ୟା ଦେଖିପାରୁ ନାହାଁନ୍ତି ବୋଲି ସେ କଟାକ୍ଷ କରିଛନ୍ତି । ଏହି ଜନ ଆନ୍ଦୋଳନରେ ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ, ପୂର୍ବତନ ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରେଙ୍ଗାଲି ବିଜେଡି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗଦେଇଥିଲେ । ତେବେ ଏହା କେବଳ ଟ୍ରେଲର, ଆଗାମୀ ଦିନରେ ରାଜ୍ଯ ସରକାର ଠୋସ ପଦକ୍ଷେପ ନନେଲେ ପ୍ରକୃତ ଫିଲ୍ମ ଦେଖିବେ ବୋଲି ନେତା ଓ କର୍ମୀ ଚେତାବନୀ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଗଳାରେ ପେସା କଣ୍ଟା: ଆଦିବାସୀଙ୍କ ପାଇଁ କେବେ ଲାଗୁ ହେବ ପେସା ଆଇନ, କୁଆଡ଼େ ଗଲା ପୂର୍ବ ପ୍ରତିଶ୍ରୁତି….

ଭୁବନେଶ୍ବର: କ୍ଷମତା ପାଇଁ ଆଦିବାସୀଙ୍କୁ ଦେଖାଇଥିଲେ ଲଲିପପ୍ । ଏବେ ବ୍ୟାକ ଫୁଟରେ ସରକାର । ଭୁଲିଗଲେ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାରେ ପେସା ଆଇନ୍ ଲାଗୁ କରିବା କଥା । କୁଆଡ଼େ ଗଲା ବିଧାନସଭାରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକଙ୍କ ପ୍ରତିଶ୍ରୁତି ? ରାଜ୍ୟରେ କେବେ ଲାଗୁ ହେବ ଆଦିବାସୀଙ୍କ ପାଇଁ ପଞ୍ଚାୟତ ଏକ୍ସଟେନ୍ସନ୍ ଟୁ ସିଡ୍ୟୁଲଡ୍ ଏରିଆ ଆଇନ ୧୯୯୬ ବା ପେସା ଆଇନ । ଖୋଦ ପଞ୍ଚାୟତିରାଜ ବିଭାଗ ସୂତ୍ରରୁ ଜଣାପଡ଼ିଛି ପେସା ପ୍ରତିଶ୍ରୁତି ବିଜେପି ସରକାର ପାଇଁ ବୁମେରାଂ ହେବାକୁ ଯାଉଛି । ଦେଖନ୍ତୁ ବିଜେପିର ୨୦୨୪ ନିର୍ବାଚନ ପ୍ରତିଶ୍ରୁତି । ସ୍ପଷ୍ଟ ଲେଖା ଅଛି କ୍ଷମତାକୁ ଆସିଲେ ପେସା ଲାଗୁ କରିବେ ।

ମୁଖ୍ୟମନ୍ତ୍ରୀ ହେବା ପରେ ସ୍ବାଧୀନତା ଦିବସ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେସା ପ୍ରତିଶ୍ରୁତି ଦେଲେ । ଗତବର୍ଷ ସେପ୍ଟେମ୍ବରରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଥିଲେ ରାଜ୍ୟ ସରକାର ଖୁବଶୀଘ୍ର ପେସା ଅଧିନିୟମ ବିଧାନସଭାରେ ଆଣିବେ । ହେଲେ ଏସବୁ ଏବେ ଧୂଆଁବାଣ ପରି ଜଣାପଡ଼ିଲାଣି । ଆଦିବାସୀଙ୍କ ହାତକୁ କ୍ଷମତା ଦିଆଯିବ । ଖଣି ଖାଦାନ ଭରା ଆଦିବାସୀ ଅଞ୍ଚଳରେ ସେମାନଙ୍କ ଗ୍ରାମସଭା ବିକାଶ ପାଇଁ ଯାହା ନକ୍ସା ପ୍ରସ୍ତୁତ କରିବ ତାକୁ ସରକାର କାର୍ଯ୍ୟକାରୀ କରିବେ । ୨୨ଟି ବିଷୟରେ ପଞ୍ଚାୟତକୁ କ୍ଷମତା ଦେବା ପାଇଁ ପେସା ଆଇନରେ ବ୍ୟବସ୍ଥା ରହିଛି । ଓଡ଼ିଶାରେ ୧୪ଟି ଅନୁସୂଚିତ ଜନଜାତି ଜିଲ୍ଲାରେ ଏହି ଆଇନ ଲାଗୁ ହେବ । ପେସା ଆଇନ ଲାଗୁ ହେଲେ ଗ୍ରାମସଭା ଯାହା ନିଷ୍ପତ୍ତି ନେବ ସରକାର ତାକୁ କାର୍ଯ୍ୟକାରୀ କରିବେ । ଯଦି ଏପରି ହୁଏ ତାହେଲେ ସରକାର ଯାହାକୁ ତାକୁ ଖଣି ଖାଦାନ ଓ ଆଦିବାସୀଙ୍କ ଜମି ହସ୍ତାନ୍ତର କରିପାରିବେ ନାହିଁ । ସରକାରଙ୍କ ଆଭିମୁଖ୍ୟ ଜାଣିବା ପରେ ଏବେ କଂଗ୍ରେସ କହିଛି, ଆସନ୍ତା ବଜେଟ୍ ଅଧିବେଶନରେ ପେସା ଆଇନ ଦାବିରେ ଗୃହକୁ ଅଚଳ କରାଯିବ ।

ଓଡ଼ିଶାରେ ପେସା ଆଇନ ଲାଗୁ କରିବା ନେଇ ଏ ସରକାରର ରାଜନୈତିକ ଇଚ୍ଛାଶକ୍ତି ନାହିଁ । ବିଶେଷଜ୍ଞଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ସଂପ୍ରଦାୟରୁ ପ୍ରତିନିଧିତ୍ବ କରି ବି ଆନ୍ତରିକତା ଦେଖାଇବା ଭଳି ଲାଗୁ ନାହିଁ । ରାଜ୍ୟରେ ଆଦିବାସୀ ବହୁଳ ଇଲାକାରେ ସବୁ ଖଣି ଖାଦାନ ରହିଛି । ଯଦି ପେସା ଆଇନ୍ ଲାଗୁ ହେବ ତାହେଲେ ଗ୍ରାମସଭା ଖଣି ଖାଦାନ ଖୋଳିବାକୁ କେବେ ବି ଅନୁମତି ଦେବନି କି ଜଙ୍ଗଲ ଓ ପରିବେଶ ମଞ୍ଜୁରି ମିଳିବନି । ଖଣି ମାଲିକଙ୍କ ଲବି ଏତେ ଜୋର ଯେ, ସରକାର ପେସା ଆଇନ ଲାଗୁ କରିବାକୁ ଚାହୁଁନାହାନ୍ତି । ଗତ ନଭେମ୍ବରରେ କେନ୍ଦୁଝରରେ ପୋସ୍କୋ ଓ ଜେଏସଡ୍ବ୍ଲୁର ମିଳିତ ଯୌଥ ଉଦ୍ୟୋଗରେ ବାର୍ଷିକ ୫ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଥିଲେ । ଆସନ୍ତା ଉତ୍କର୍ଷ ଓଡ଼ିଶା ବା ମେକ ଇନ୍- ଓଡ଼ିଶା କନକ୍ଲେଭରେ ଏ ନେଇ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଭିତରେ ଏମ୍ଓୟୁ ସ୍ବାକ୍ଷର ହେବାର ଅଛି । ଯଦି ପେସା ଆଇନ ଲାଗୁ ହୋଇଥାନ୍ତା, ତା ହେଲେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ହେବା କଷ୍ଟକର ବ୍ୟାପାର ହୋଇଥାନ୍ତା । ତେବେ ପେସା ଆଇନ୍ର ଦିଗକୁ ତର୍ଜମା କରାଯାଉଥିବା କହିଛନ୍ତି ବିଜେପି ନେତା ।

ଓଡିଶାର ଆଦିବାସୀଙ୍କ ବିଶ୍ବାସ ଜିତିବା ପାଇଁ ଇସ୍ତାହାରରେ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ ପେସା କଣ୍ଟା ସରକାରଙ୍କ ଗଳାରେ ଅଟକିଛି । ଶୁଣାଯାଉଛି ମୂଳ ପେସା ଆଇନକୁ ବଦଳାଇ ସରକାରଙ୍କୁ ସୁହାଇଲା ଭଳି ଆଉ ଗୋଟିଏ ଆଇନ ଆଣିବା ପାଇଁ ସରକାର ଚଳାଇଛନ୍ତି ମସୁଧା । ଯାହା ହେଲେ ବି ଡବଲ ଇଞ୍ଜିନ ସରକାରଙ୍କ ଆଦିବାସୀଙ୍କ ପ୍ରତି ଏଭଳି ଜୁମଲାବାତି ଆଗାମୀ ଦିନରେ ବିଜେପି ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଲାଲବାହିନୀକୁ ବଡ଼ ଝଟକା: ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ

ମାଲକାନଗିରି: ଛତିଶଗଡ଼ରେ ଲାଲବାହିନୀକୁ ବଡ଼ ଝଟକା। ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ନକ୍ସଲ ନିହତ । ବିଜାପୁର-ସୁକମା ସୀମାନ୍ତରେ ଏହି ଘଟଣା ଘଟିିଛି। ସେଠାରେ ଏବେ ବି ଅପରେସନ ଜାରି ରହିଛି। ନିଜେ ଆଇଜି ପି. ସୁନ୍ଦରରାଜ ଏହି ଅପରେସନର ମନିଟରିଂ କରୁଛନ୍ତି। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିଲେ। ଏହି ସମୟରେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ ।

ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ଶରତ ସାରସ୍ବତ ସମ୍ମାନ ପ୍ରଦାନ

କଟକ: ପ୍ରତ୍ୟେକ ମଣିଷ ଭିତରେ ଲୁଚି ରହିଛି ଏକ ସୃଜନଶୀଳତା । ଯେମିତି ଜଣେ ଶିଳ୍ପୀ ନିଜର କଳାପାରଦର୍ଶିତାକୁ ସାମ୍ନାକୁ ଆଣନ୍ତି, ସେମିତି ଜଣେ ଲେଖକ ନିଜର ସୃଷ୍ଟି ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜକୁ ବ୍ରତୀ କରିଥାଏ । କଟକ ବାଣୀପୀଠ ଶ୍ରୀରାମ ଚନ୍ଦ୍ର ଭବନ ପରିସରରେ ଶରତ ସାହିତ୍ୟ ଟ୍ରଷ୍ଟର ବିଂଶତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡା । ସାରସ୍ବତ ସାଧନା, ସାହିତ୍ୟ ଗବେଷଣ, ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିରବିଚ୍ଛିନ୍ନ ଭାବେ କାମ କରି ଆସୁଥିବା ଏହି ଅନୁଷ୍ଠାନର ପ୍ରତିଷ୍ଠା ଉତ୍ସବରେ ବହୁ ଜଣାଶୁଣା ସାହିତ୍ୟିକ, ଗବେଷକ, କବି, ପ୍ରାବନ୍ଧିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ଉତ୍ସବରେ ଜଣାଶୁଣା ସାରସ୍ବତ ସାଧିକା ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡା, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସାହିତ୍ୟିକ ବିଜୟାନନ୍ଦ ସିଂ, ସାହିତ୍ୟିକ ଇଞ୍ଜିନିୟର ନିଶିତ ରଞ୍ଜନ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସାହିତ୍ୟି କିଭଳି ବିଭିନ୍ନ ପରିସ୍ଥିତିରେ ଗତିକରି ପୁଣି ରୁଦ୍ଧିମନ୍ତ ହେଉଛି ସେ ସଂପର୍କରେ ଆଲୋକପାତ କରିଛନ୍ତି । ସାହିତ୍ୟି ରଚନା, ଗଳ୍ପ, କବିତା କିପରି ବିଭିନ୍ନ ସମୟରେ ସମାଜ ଓ ବ୍ୟକ୍ତିଗତ ଜୀବନ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇଥାଏ ତାହା ବଖାଣିଛନ୍ତି ପ୍ରଫେସର ଡକ୍ଟର ଗାୟତ୍ରୀବାଳା । ତାଙ୍କ ରଚିତ ଛୋଟ ଛୋଟ କବିତା ଓ ଗଳ୍ପ କିଭଳି ଜଣେ ଅଧ୍ୟାପିକାଙ୍କୁ ଜୀବନ ହାରିବା ନିଷ୍ପତ୍ତିରୁ ଫେରାଇ ଆଣିଥିଲା ଓ ଗୋଟିଏ ଗାଁର କିଛି ଲୋକଙ୍କୁ ନିଜର ପ୍ରବୃତି ବଦଳାଇବାକୁ ପ୍ରେରଣା ଦେଇଥିଲା ସେ କଥା ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ।

ଉତ୍ସବ ରେ ପ୍ରଫେସର ଡକ୍ଟର ଗାୟତ୍ରୀବାଳା ପଣ୍ଡାଙ୍କୁ ସାରସ୍ବତ ସାହିତ୍ୟ ସାଧାନା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ଅନୁଷ୍ଠାର ସର୍ବୋଚ୍ଚ ସମ୍ମାନ ଶରତ ସାରସ୍ବତ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଗବେଷକ ଡକ୍ଟର କମଳ ମାହୁନ୍ତଙ୍କୁ କଣ୍ଡୁରୀ ଚରଣ ସ୍ମୃତି ସମ୍ମାନ, ଡାକ୍ତର ସୁହାନୀ ଦାଶଙ୍କୁ ଡାକ୍ତର ନରେନ୍ଦ୍ର କୁମାର ସ୍ମୃତି ସମ୍ମାନ ଓ ଯୁବ କବି ଦେବାଶିଷ ମହାରଣାଙ୍କୁ ଶରତ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ଶରତ ସାହିତ୍ୟ ଟ୍ରଷ୍ଟର ମୁଖପତ୍ର ଶରତ ପ୍ରଭା ଉନ୍ମୋଚିତ ହୋଇଥିଲା।

ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର: ଉପକୃତ ହେବେ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ

ନୂଆଦିଲ୍ଲୀ: () ଅଷ୍ଟମ ବେତନ କମିଶନ ଗଠନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଏହାକୁ ଅନୁମୋଦନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏହା ଦ୍ଵାରା ଉପକୃତ ହେବେ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀ ଓ ପେନସନଭୋଗୀ। ବୈଷ୍ଣବ କହିଛନ୍ତି, ସମସ୍ତ ରାଜ୍ୟ ସରକାର ଓ ପିଏସୟୁ ସହିତ ଆଲୋଚନା ପରେ ଅଷ୍ଟମ ବେତନ କମିଶନ ଗଠନକୁ ମଂଜୁରୀ ଦିଆଯାଇଛି। ତେବେ ଏହି ବେତନ କମିଶନ କେବେ ଗଠନ କରାଯିବ, ସେ ସ୍ପଷ୍ଟ ଭାବେ ଉଲ୍ଲେଖ କରି ନାହାନ୍ତି। ସୂଚନା ଅନୁସାରେ ୨୦୨୬ରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ। ଏହା ଦ୍ଵାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ। ଏହା ଦ୍ଵାରା କେନ୍ଦ୍ର ବଜେଟ ବଢିବା ନିଶ୍ଚିତ। ସପ୍ତମ ବେତନ କମିଶନରେ ଯେଉଁ ସବୁ ସଂସ୍କାର ଅଣାଯାଇଥିଲା, ତାକୁ ଅଷ୍ଟମ ବେତନ କମିଶନରେ ପ୍ରତିଫଳିତ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ସପ୍ତମ ବେତନ କମିଶନ ଜାନୁଆରି ୨୦୧୬ରୁ ଲାଗୁ ହୋଇଥିଲା। ୨୦୨୫ ସୁଦ୍ଧା ଏହାର ସୁପାରିଶ ଶେଷ ହେବ। ଏହାର କାର୍ଯ୍ୟକାରୀତା ନେଇ କେନ୍ଦ୍ର ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି। ସୂଚନା ଅନୁସାରେ ଏଥର ମୂଳ ଦରମା ବା ବେସିକ ସେଲେରି ବୃଦ୍ଧି ହେବ। ସର୍ବନିମ୍ନ ଦରମା ୧୮ ହଜାର ହେବ ବୋଲି କୁହାଯାଉଛି। ସର୍ବାଧିକ ଦରମା ହେବ ୨ ଲକ୍ଷ ୫୦ ହଜାର। କ୍ୟାବିନେଟ ସଚିବ ଏହି ସର୍ବାଧିକ ଦରମା ପାଇବେ। ଗ୍ରାଚୁଇଟି ସିଲିଂ ୨୦ ଲକ୍ଷ ହେବ ବୋଲି ସୂଚନା ମିଳିଛି। HRA ରେ ମଧ୍ୟ ସଂସ୍କାର ଆସିବ। ଅଷ୍ଟମ ବେତନ କମିଶନରେ ସରକାରୀ କର୍ମଚାରୀଙ୍କ ଦରମା ବଢ଼ିବ। ସେମାନେ ଅଧିକ ଖର୍ଚ୍ଚ କରିବେ। ଏହା ଦ୍ଵାରା ଦେଶର ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। …