spot_img
Home Blog Page 1261

ବିଜେପି ଆଇଟି ସେଲର ବିକୃତ ମାନସିକତା, ନବୀନଙ୍କ ଅରୁଚିକର ଫଟୋ ପ୍ରସାରଣକୁ ସବୁଠି ନିନ୍ଦା

ଭୁବନେଶ୍ବର : ସରକାରକୁ ଆସିବା ପରେ ମଧ୍ୟ ବିଜେପି ଆଇଟି ସେଲ ଅରୁଚିକର ସମାଲୋଚନା ରାସ୍ତାରୁ ପଛକୁ ହଟୁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାକୁ ଯାଇ ରାଜନୀତିର ସବୁ ସଂଜ୍ଞା ଓ ସୌଜନ୍ୟତାକୁ ଭୁଲିଯାଇଛି ବିଜେପି ଆଇଟି ସେଲ । ରାଜ୍ୟରେ ଆଳୁ ସଙ୍କଟକୁ ସମାଧାନ କରିବାରେ ବର୍ତ୍ତମାନ ବିଜେପି ସରକାର ଓ ଏହାର ଯୋଗାଣ ମନ୍ତ୍ରୀ ଫେଲ, ଏକଥା ଘରେ ଘରେ ଲୋକେ କହିଲେଣି । ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ନବୀନ ପଟ୍ଟନାୟକଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି ବିଜେପି ଆଇଟି ସେଲ । ଦଳର ଅଫିସିଆଲ ସୋସିଆଲ ମିଡିଆ ପେଜରେ ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି କଦର୍ଥ କରି ଚିତ୍ରିତ କରାଯାଇଛି ତାକୁ କୌଣସି ବୁଦ୍ଧିଜୀବୀ ଗ୍ରହଣ କରିପାରୁନାହାଁନ୍ତି । ରାଜନୀତିରେ ଆରୋପ ପ୍ରତ୍ୟାରୋପ କିଛି ନୂଆ ନୁହେଁ । କିନ୍ତୁ ଆରୋପ କରିବାକୁ ଯାଇ ସୌଜନ୍ୟତାର ସୀମା ଲଂଘିବା ଏକ ଜାତୀୟ ଦଳକୁ ଶୋଭାପାଉନି ବୋଲି ଅଭିଯୋଗ ହେଉଛି । ବରିଷ୍ଠ ରାଜନେତା ସୁରେଶ ରାଉତରାୟ ମଧ୍ୟ ବିଜେପି ଆଇଟି ସେଲର ଏଭଳି ହୀନ ଉଦ୍ୟମକୁ କଡା ସମାଲୋଚନା କରିଛନ୍ତି । ନବୀନ ପଟ୍ଟନାୟକ ହିମାଳୟ ସଦୃଶ । ବିଜେପି ନବୀନଙ୍କୁ ଭୟ କରି ସୋସିଆଲ ମିଡିଆରେ ଏଭଳି କୁତ୍ସାରଟନା କରୁଛନ୍ତି । ଓଡିଶା ପ୍ରତି ନବୀନ ପଟ୍ଟନାୟକଙ୍କ ଅବଦାନ ଅନେକ । ବିଜେପି ୬ ମାସ ହେଲା ସରକାରକୁ ଆସିଛି, କିଛି କରିପାରୁନି । ତେଣୁ ନବୀନଙ୍କ ପ୍ରତି ଭୟଭୀତ ହୋଇପଡିଛନ୍ତି । ଏମିତି ବି ଏଥର ବିଜେଡି ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ପାଇନି ସତ, କିନ୍ତୁ ଗତ ନିର୍ବାଚନରେ ତିନି ଦଳର ଭୋଟକୁ ଦେଖିଲେ ବିଜେଡି ବିଜେପି ଠାରୁ ଅଧିକ ଭୋଟ ପାଇଥିଲା । ଆଉ ବିଜେପି ସରକାର ଆସିବାକୁ ୬ମାସ ଆସିନି, ହେଲେ ସୋସିଆଲ ମିଡିଆରେ ନବୀନଙ୍କ ଯେଉଁ କ୍ରେଜ ରହୁଛି ସେଥିରୁ ଜଣାପଡୁଛି ଯେ, ଆଜିର ଦିନରେ ଯଦି ପୁଣି ଥରେ ଭୋଟ ହୁଏ ତେବେ ନବୀନ ପଟ୍ଟନାୟକ ଶତ ପ୍ରତିଶତ ଭୋଟ ପାଇବେ । ଏଭଳି ସ୍ଥିତିରେ ନବୀନଙ୍କୁ ଶାଳୀନତାର ସୀମା ଲଂଘି ଯେଉଁଭଳି ସମାଲୋଚନା କରାଯାଉଛି ତାହାକୁ ସାଧାରଣ ଲୋକେ ଗ୍ରହଣ କରିପାରୁନାହାଁନ୍ତି ।

ସେପଟେ ବିଜେପି ଆଇଟି ସେଲ ପକ୍ଷରୁ ନବୀନଙ୍କ ଫଟୋକୁ ବିକୃତ କରି ପ୍ରସାରଣ କରାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ବିଜେଡିର ସମସ୍ତ ସାତ ଜଣ ସାଂସଦ ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠୁ ଆରମ୍ଭ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ୟାଗ କରି କହିଛନ୍ତି ଯେ, ସାଢେ ଚାରି କୋଟି ଓଡିଆଙ୍କ ଜନମାନସର ନେତା ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ବିଜେପି ଓଡିଶା ରାଜ୍ୟ ଶାଖା ହୀନ ମାନସିକତାର ପରିଚୟ ଦେଇଛି । ସଭ୍ୟ ସମାଜରେ ଏହା କେବେ ଗ୍ରହଣୀୟ ନୁହେଁ । ଗତ ନିର୍ବାଚନର ଭୋଟ ହାର ଦେଖିଲେ ବିଜେପି ଠାରୁ ବିଜେଡି ଅଧିକ ଭୋଟ ପାଇଛି । ସଂଖ୍ୟା ଗଣିତରେ ବିଜେପି ସରକାରକୁ ଆସିଛି । ସରକାରକୁ ଆସିବା ପରେ ବିଜେପିର ଏହି ଅହଂକାର ସବୁ ମହଲରେ ନନ୍ଦିତ ହୋଇଛି । ଏଭଳି ହୀନକାର୍ଯ୍ୟରୁ କ୍ଷାନ୍ତ ହେବା ପାଇଁ ମଧ୍ୟ ସାଂସଦମାନେ କହିଛନ୍ତି । ସେହିଭଳି ବିଜେଡି ଦଳ ଭିତରେ ମଧ୍ୟ ଘଟଣାକୁ ତିବ୍ର ନିନ୍ଦା କରାଯାଇଛି । ବିଜେଡି ନେତାମାନେ ଟ୍ବିଟ କରି କ୍ଷୋଭ ପ୍ରକାଶ କରିବା ସହ ଏହା ବିଜେପିର ଏକ ହୀନକାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ଆଳୁ ସମସ୍ୟା ଚଳିତ ସରକାର ସମାଧାନ କରିବାରେ ବିଫଳ ହୋଇଛି । ନିଜ ବିଫଳତାକୁ ଲୁଚାଇବାକୁ ଯଦି ନବୀନଙ୍କ ଉପରେ ବିଜେପି ଦୋଷ ଲଦିବାକୁ ଚାହୁଁଛି ତାହେଲେ ତାକୁ ସୌଜନ୍ୟ ଢଙ୍ଗରେ କରାଯାଇପାରିଥାନ୍ତା । କିନ୍ତୁ ଦେଶର ଜଣେ ତୁଙ୍ଗ ନେତାଙ୍କ ଫଟୋକୁ ଯେଉଁଭଳି ବିକୃତ କରି କୁହାଯାଇଛି ତାହା ଅସଭ୍ୟତା ଛଡା ଆଉ କିଛି ନୁହେଁ । ବିଜେପିର ଶପଥ ଗ୍ରହଣ ସମାରୋହକୁ ନିଜେ ନବୀନ ଯାଇ ପହଁଚିଥିଲେ । ଏହା ନବୀନଙ୍କ ଉତୁଙ୍ଗ ଉଦାରତାର ନିଦର୍ଶନ ଥିଲା । କିନ୍ତୁ ବିଜେପି ତାର ଅର୍ଥ ବୁଝିପାରିଲା ନାହିଁ ବୋଲି ସାଂସଦମାନେ କହିଛନ୍ତି ।

ରାଜ୍ୟରେ ଘରବାଡ଼ି କିସମ ଆଂଶିକ ପ୍ଲଟ ବିକ୍ରିକୁ ନେଇ ଥମୁନି ଦ୍ବନ୍ଦ

ଭୁବନେଶ୍ବର : ପାର୍ଟ ପ୍ଲଟ ରେଜିଷ୍ଟ୍ରସନକୁ ନେଇ ଅଡ଼ୁଆରେ ସରକାର। ବେଆଇନ ରେଜିଷ୍ଟ୍ରସନ କରିଥିବା ଅଧିକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।ଭିଜିଲାନ୍ସ ଚଢାଉ ଖୋଲିଦେଲା ରେଜିଷ୍ଟ୍ରାର ଅଫିସ ଗୁମର। ଆଇନ ନବଦଳାଇ ଏବେ ଥିବା ଆଇନକୁ କାର୍ଯ୍ୟକାରୀ କରିବାକୁ ଆକ୍ଟିଭିଷ୍ଟଙ୍କ ମତ। ମନ୍ତ୍ରୀ କହିଲେ ସବୁ ଦିଗ ପ୍ରତି ତର୍ଜମା ହେଉଛି, ଯାହା ଭଲ ହେବ ତାହା କରାଯିବ। ଏବେକାର ଆଇନ ଅନୁସାରେ ଅନୁମୋଦିତ ନକ୍ସା ବିନା ଘରବାଡ଼ି ଜମିର ପାର୍ଟ ପ୍ଲଟ ବିକ୍ରି ସମ୍ଭବ ନୁହେଁ। ହେଲେ ରାଜ୍ୟ ସାରା ଆଇନକୁ ଦଳିମକଚି ଟେବୁଲ ତଳ କାରବାରରେ ଚାଲିଛି ପାର୍ଟ ପ୍ଲଟ ବିକ୍ରି। ଭୁବନେଶ୍ବର ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ ପରେ ଫିଟିଛି ଗୁମର। ବେଆଇନ କାରବାରର ତଦନ୍ତ କରୁଛି ରାଜସ୍ବ ବିଭାଗ। କେତେ ପ୍ଲଟ ପଞ୍ଜୀକରଣ ହୋଇଛି, କେତେ ପ୍ଲଟ ପାଇଁ ଅନୁମୋଦନ ମିଳିଛି, ତାର ରିପୋର୍ଟ ପ୍ରସ୍ତୁତ ହେଉଛି। ଜଣେ ଜଣେ ଅଧିକାରୀ ୪ ହଜାରରୁ ଅଧିକ ପ୍ଲଟ ପଞ୍ଜୀକରଣ କରିଥିବା ଜଣାପଡିଛି। ଏସବୁର ତର୍ଜମା କରାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।  ଯିଏ ବେଆଇନ କାମ କରିଥିବେ, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କ୍ରେତାଙ୍କ ସୁବିଧା ପାଇଁ ପାର୍ଟ ପ୍ଲଟ ବିକ୍ରି ବେଳେ ସଂପୃକ୍ତ ପ୍ଲଟର ଲେଆଉଟ ବା ନକ୍ସା ଜରୁରୀ। ନହେଲେ ଜମି ଖଣ୍ଡେ କିଣିବା ପରେ ରାସ୍ତା, ବିଜୁଳି, ପାଣି ପାଇଁ କ୍ରେତା ଅନେକ ହଇରାଣ ହେବେ। ପଞ୍ଜୀକରଣ ପୂର୍ବରୁ ଏହି ନକ୍ସାକୁ ବିଡ଼ିଏ, ସିଡ଼ିଏ ଭଳି ଡ଼େଭେଲପମେଣ୍ଟ ଅଥରିଟି ଅନୁମୋଦିତ କରିବା ଦରକାର। ହେଲେ ମାନବସମ୍ବଳ ଓ ଭିତ୍ତିଭୂମି ଅଭାବରୁ ଅହେତୁକ ବିଳମ୍ବ ହେଉଛି। ଆଇନ ବଦଳାଇବା ଚକ୍କରରେ ନପଡ଼ି ଏହାକୁ କିପରି ତ୍ବରାନିତ କରାଯିବ ତା ଉପରେ ସରକାର ଧ୍ୟାନ ଦେବାକୁ ଦାବି ହୋଇଛି। ସେପଟେ ରାଜସ୍ଵ ମନ୍ତ୍ରୀ କହିଛନ୍ତି, ନଗର ଉନ୍ନୟନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ବୈଠକ ବସିଛି। ସବୁ ଦିଗ ପ୍ରତି ତର୍ଜମା କରାଯାଉଛି। ଆଇନ ସଂଶୋଧନ ନ କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରାଯିବ। ଯଦି ଆବଶ୍ୟକ ପଡ଼େ ଆଇନରେ ସଂଶୋଧନ କରାଯିବ। ଦରକାର ପଡ଼ିଲେ ଅଧ୍ୟାଦେଶ ଜରିଆରେ ଡ଼େଭେଲପମେଣ୍ଟ ଆକ୍ଟ ଓ ରେରା ଆକ୍ଟରେ ସଂଶୋଧନ କରାଯିବ । ଗତ ତିନି ବର୍ଷରେ କେତେ ପାର୍ଟ ପ୍ଲଟ ବିକ୍ରୀ ହୋଇଛି ତାର ତଥ୍ୟ ଆଇଜିଆରଙ୍କୁ ମାଗିଛି ରାଜସ୍ବ ବିଭାଗ। କେବଳ ଭୁବନେଶ୍ବର ଅଧିନ ୪ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ପ୍ରାୟ ୨୦ ହଜାର ପ୍ଲଟ ବିକ୍ରୀ ହୋଇଥିବା ଜଣାପଡ଼ିଛି।

‘ପ୍ରଚାର ସର୍ବସ୍ଵ ରାଜ୍ୟ ସରକାର, କେବଳ ଭାଷଣବାଜିରେ ଗଲାଣି ପ୍ରଥମ ୬ ମାସ’

ଭୁବନେଶ୍ବର : ଭାଷଣବାଜି ଭିତରେ ମୋହନ ସରକାରକୁ  ୬ମାସ ପୁରିଛି । ସଫଳତା ଅପେକ୍ଷା ବିଫଳତାର ଲମ୍ବା ତାଲିକା ଜଳଜଳ କରି ଦିଶୁଛି ଶାସନ ବ୍ୟବସ୍ଥାରେ। ନିର୍ବାଚନୀ ପ୍ରତିଶୃ୍ତି ବି ପାଣିର ଗାର ସାଜିଛି ।  ଓଡ଼ିଶା ବିକାଶକୁ ଆଗେଇନେବାରେ ଡ଼ବଲ ଇଂଜିନ ସରକାର ଲାଇନ ଯୁକ୍ତ  ହୋଇଛି । ନିର୍ବାଚନୀ ପ୍ରତିଶୃ୍ତି ବି ପାଣିର ଗାର ସାଜିଛି  । ମା ମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ମଣ୍ଡିରେ ଚାଷୀ କାନ୍ଦୁଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଥିବା ବେଳେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଓଡ଼ିଶାବାସୀ ହନ୍ତସନ୍ତ , ୬ମାସ ସଫଳତାର ବାହାସ୍ପୋଟ ମାରୁଛି ଶାସକ ଦଳ ।  ରାଜ୍ୟରେ ପ୍ରଥମ ଥର ଲାଗି ବିଜେପି ସରକାର ଗଠନ କରିବାର ୬ ମାସ ପରେ ଏପରି ମାଳମାଳ ବିଫଳତାକୁ ସାମ୍ନାକୁ ଆଣି ସରକାରଙ୍କ ଉପରେ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ । ବିଜେପି ସରକାର ଭାଷଣବାଜିରେ ଚାଲିଥିବା ବରିଷ୍ଠ ବିଜେଡ଼ି ନେତା ଭୂପିନ୍ଦର ସିଂହ ଓ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଅଭିଯୋଗ କରିଛନ୍ତି । ବିଜେଡ଼ି କହିଛି ଯେ ରାଜଧର୍ମ ପାଳନ କରିବାରେ ବିଫଳ ହୋଇଛି ରାଜ୍ୟର ବିଜେପି ସରକାର । ଫଳରେ ଚାଷୀମାନେ ଆଜି କାନ୍ଦୁଛନ୍ତି ଓ ଓଡ଼ିଶାରେ ବିକାଶମୂଳକ କାର୍ଯ୍ୟକ୍ରମ ଠପ ହୋଇଯାଇଛି । ଅନ୍ୟପଟେ କଂଗ୍ରେସ କହିଛି କୁଆଡ଼େ ଗଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୃତି । କାହାକିଁ ଭତ୍ତା ୩୫୦୦ ଟଙ୍କା,  ୨ ବର୍ଷରେ ମହିଳାଙ୍କୁ ୫୦ ହଜାର ଟଙ୍କା, ମାଗଣା ବିଜୁଳି ସହ ଓଡ଼ିଆ ଅସ୍ମିତା ନାରା ଆଜି ଚୁଲିଛି ଯାଇଛି ।

୬ମାସର ବିଜେପି ଶାସନରେ ବିକାଶ ସଂପୂଣ୍ଣ ଠପ ହୋଇଥିବା ବେଳେ  ରାଜ୍ୟକୁ ଅନାହର ମୃତ୍ୟୁ ଫେରିଛି । ଖାଦ୍ୟ ଅଭାବରୁ ଲୋକେ ଆମ୍ବ ଟାକୁଆ ଖାଇ ମୃତ୍ୟୂ ହୋଇଛନ୍ତି । ମହାନଦୀ, ପୋଲାଭରମ, ଶିଶୁ ବିକ୍ରୀ , ଆଦିବାସୀଙ୍କୁ ଅବହେଳା ଓ ନାରୀ ନିର୍ଯ୍ୟାତନାକୁ ବିଜେପି ମନ୍ତ୍ରୀଙ୍କ ବିଫଳତାର ବଡ଼ ନିଦର୍ଶନ ସାମ୍ନାକୁ ଆସିଛି । ମୋହନ ସରକାରଂକ ୬ମାସ ନେଇ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କାଟାକ୍ଷ କରି କହିଛନ୍ତି ଯେ  ୬ମାସରେ ପିଲାମାନେ ତାଙ୍କର  ପ୍ରୋଗେସ ରିପୋର୍ଟ ଦିଅନ୍ତି l ହେଲେ ଏ ସରକାର କିନ୍ତୁ କେବଳ ବୟାନବାଜିରେ ସୀମିତ ରହିଛି । ଅନ୍ୟପଟେ  ବିଜେପି ସରକାରକୁ ନେଇ ବିରୋଧୀଙ୍କ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେପି । ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ ବିଜେପି ଯାହା ପ୍ରତିଶ୍ରୃତି ଦେଇଛି ତାହାକୁ ପାଳନ କରିଛି । ବିଜେଡ଼ି କିନ୍ତୁ ବିଜେପି ଜବାବକୁ ଗ୍ରହଣ କରିନାହିଁ ।

୬ମାସର ବିଜେପି ସରକାର ୨୧ ଟି ଯୋଜନାର ନାଁ ପରିବର୍ତ୍ତନ କରିଛନ୍ତି। ବିଧାନସଭାକୁ ଭୟ କରି ଅଧାରୁ ଗୃହକୁ ବନ୍ଦ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିକାଶମୂଳକ କାମ ଅପେକ୍ଷା ରଙ୍ଗ ବଦଳାଇବା ଓ  ଯୋଜନାର ନାଁ ପରିବର୍ତ୍ତନ କରିବାରେ ସରକାର ପ୍ରାଥମିକତା ଦେଇଛନ୍ତି  ସରକାର । ଡ଼ବଲ ଇଂଜିନ ସରକାରରେ ଓଡ଼ିଶା ତାର ପ୍ରାପ୍ୟ ପାଇବକି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ  ପୂର୍ବତନ ରେଳବାଇ  ସଙ୍କୋଚିତ ହୋଇଛି  । ସରକାରଙ୍କ କଥା ଓ କାମରେ ତାଳମେଳ ରହୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ବଦଳି ଆଦେଶକୁ ମାନୁନାହାନ୍ତି କି ସରକାରୀ ଅଧିକାରୀ ?

ଭୁବନେଶ୍ବର : ରେଡ କରିଡରକୁ ସରକାରଙ୍କ ନାଲିଆଖି । ୭୨ ଘଣ୍ଟାରେ ବଦଳି ସ୍ଥାନରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇଲା ରାଜସ୍ବ ବିଭାଗ  । ଅଫିସରଙ୍କୁ ସାଧାରଣ ପ୍ରଶାସନ ବିଭାଗ ବି ଦେଖାଇଥିଲା ଭୟ । ବଦଳି ରଦ୍ଦ ପାଇଁ ଚାପ ପକାଗଲେ ହେବ କାର୍ଯ୍ୟାନୁଷ୍ଠାନ ଧମକ । ରାଜ୍ୟ ବିଜେପି ସରକାରରେ ଅଫିସରଙ୍କ ମଧ୍ୟରେ ଏଭଳି ଭୟ ସୃଷ୍ଟି କରାଯାଉଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗର ବଦଳି ଆଦେଶକୁ କେତେକ ଅଧିକାରୀ ମାନୁନଥିବା ଅଭିଯୋଗ ହୋଇଛି । ଅକ୍ଟୋବର ୨୯ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ୨୩ ଜଣିଆ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି ଆଦେଶ ଜାରି କଲା । ହେଲେ କେତେକ ବିଭାଗରେ ଏକ ପ୍ରକାର ଗାଦି ମାଡ଼ି ବସିଥିବା ଅଧିକାରୀ ଏ ପର୍ଯ୍ୟନ୍ତ ନୂଆ ଅଫିସରେ ଯୋଗ ଦେଇନାହାନ୍ତି । ନିୟମ ରହିଛି ଗୋଟିଏ ବିଭାଗରେ ଜଣେ ଅଧିକାରୀ ୩ ବର୍ଷ ରହିପାରିବେ । ୬ରୁ ୭ ବର୍ଷ ରହିଥିବା ଅଧିକାରୀ ଆସନ ଛାଡ଼ିବାକୁ କୁନ୍ଥକୁନ୍ଥ । ସେପଟେ ରାଜସ୍ବ ବିଭାଗ ଅଧୀନରେ ଥିବା ଜୁନିଅର କ୍ଲାସ୍ ଓ୍ବାନ୍ ଓଏଏସ୍ ଅଧିକାରୀଙ୍କ ବଦଳି ଆଦେଶ କାର୍ଯ୍ୟକାରୀ କରିଛି ରାଜସ୍ବ ବିଭାଗ । ଏକାସଙ୍ଗେ ପ୍ରାୟ ୨୦୦ ଅଧିକାରୀଙ୍କୁ ଗତମାସ ୨୬ ତାରିଖରେ ରିଲିଭ୍ କରି ଡିସେମ୍ବର ୧୦ ତାରିଖ ସୁଦ୍ଧା ନୂଆ ପଦବିରେ ଯୋଗଦେବାକୁ ଦିଆଗଲା ଡେଡ୍ ଲାଇନ । ବଦଳି ଆଦେଶ ନ ମାନିଲେ ସମ୍ପୃକ୍ତ ଅଧିକାରୀ ନିଲମ୍ବିତ ହେଲେ ବୋଲି ଧରାଯିବ । ରାଜସ୍ବ ବିଭାଗର ଏହି ଛାଟରେ ଜଣେ ଅଧିକାରୀଙ୍କୁ ଛାଡ଼ି ବାକି ସମସ୍ତେ ଯୋଗଦେଇଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ସରକାରୀ ବାବୁଙ୍କ ବଦଳି ଆଦେଶ କାର୍ଯ୍ୟକାରୀ ହେବ । କୌଣସି ପ୍ରକାରେ ରାଜନୈତିକ ଚାପ ପ୍ରୟୋଗ କରି ବଦଳି ଆଦେଶରେ ଏପଟସେପଟ କରିବାକୁ ଚେଷ୍ଟା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଛି ଦିନ ତଳେ ନିଜେ ମୁଖ୍ୟ ଶାସନ ସଚିବ ଏପରି ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯାହାକୁ ନେଇ ରାଜ୍ୟ ସାରା ହଟଚମଟ ସୃଷ୍ଟି ହେଲା । ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାଧାରଣ ପ୍ରଶାସନ ବିଭାଗ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ହେଉଛନ୍ତି ବିଭାଗୀୟ ସଚିବ । ହେଲେ ରାଜସ୍ବ ବିଭାଗ ପରି ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ସବୁ ଢିଲାପଣ ଦେଖିବାକୁ ମିଳୁଛି । ଯାହାକୁ ନେଇ ତାଜୁବ ହୋଇଛନ୍ତି ବିଶେଷଜ୍ଞ । ଏହି ପ୍ରସଙ୍ଗକୁ ନେଇ ଏବେ ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ଅଧିକାରୀଙ୍କ ଭିତରେ କମ୍ପନ ସୃଷ୍ଟି କରିଛି । ରାଜସ୍ବ ବିଭାଗ ସୃଷ୍ଟି କରିଥିବା ଉଦାହରଣ ଅନ୍ୟ ବିଭାଗ ଅନୁକରଣ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ନବୀନଙ୍କ ଯୋଜନାର ଫିତା କାଟି ବାହାବା ନେବାରେ ବ୍ୟସ୍ତ ନୂଆ ସରକାର

ଭୁବନେଶ୍ବର : ରଙ୍ଗ ବଦଳା ସରକାର, ନାଁ ବଦଳା ସରକାର । ଗତ ୬ ମାସରୁ ଏହି କଟାକ୍ଷ ଦେଇ ଗତି କରୁଥିବା ମୋହନ ସରକାରଙ୍କ ସହ ଆଉ ଏକ ନାଁ ଯୋଡ଼ି ହେଲା । ତାହା ହେଉଛି ପୁରୁଣା ଯୋଜନାର ଫିତା କଟା ସରକାର । ଏହି ୬ ମାସ ଭିତରେ ନବୀନ ପଟ୍ଟନାୟକ ସରକାର ସମୟର ଯୋଜନାକୁ ପୁଣି ଥରେ କରିବା ନେଇ ମୋହନ ସରକାର ବିରୋଧରେ ଅନେକ ଦୃଷ୍ଟାନ୍ତ ରହିଛି । ଏବେ ଆଉ ପାଦେ ଆଗକୁ ଯାଇ କେବଳ ଫିତା କାଟିବାରେ ବ୍ୟସ୍ତ ଅଛନ୍ତି ମୋହନ ସରକାର । ଆଜି ନିଯୁକ୍ତି ମେଳା ଜରିଆରେ ସାସ୍ଥ୍ୟ ବିଭାଗର ୮୫ ଜଣ ହୋମିଓପାଥି ମେଡିକାଲ୍ ଅଫିସର୍ ଓ ୨୩୯ ଜଣ ରେଡିଓଗ୍ରାଫର୍ ସମେତ ଉଚ୍ଚ ଶିକ୍ଷା ବିଭାଗର ୫୨ ଜଣ ନବ ନିଯୁକ୍ତ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ନିଯୁକ୍ତି ମେଳାରେ ନିଜ ସରକାରର ନିଯୁକ୍ତି ନୀତିକୁ ଭୁରି ଭୁରି ପ୍ରଶଂସା କରି ଚାଲିଲେ ମୋହନ । ହେଲେ ଯେଉଁ ପରୀକ୍ଷା ଦେଇ ଏହି ୩୭୬ ଜଣ ନିଯୁକ୍ତି ପାଇଲେ, ତାହା ବିଜ୍ଞାପନ ଗତ ବର୍ଷ ପ୍ରକାଶ ପାଇଥିଲା । ମୋହନ ସରକାର କେବଳ ଫଳ ପ୍ରକାଶ କରି ନିଯୁକ୍ତିପତ୍ର ବାଣ୍ଟିଲେ । ସେହିପରି ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ସହିତ ଡାଲମିଆ ଭାରତ ଓ ପୁଲେଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ଏକ ବିଶ୍ବସ୍ତରୀୟ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁସାରେ, ଫେବୃଆରୀ ୨୦୧୯ ମସିହାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ ପରିସରରେ ତିନି ଏକର ଜମି ଯୋଗାଇ ଦେଇଥିଲେ । ଏହି ସେଣ୍ଟର ନିର୍ମାଣ କରିବା ପାଇଁ ଡାଲମିଆ ଭାରତ ତରଫରୁ ୫୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଅଟକଳ ହୋଇଥିଲା । କାମ ସରିଥିଲା । କେବଳ ଗତକାଲି ଏହାର ଉଦଘାଟନ କଲେ ମୋହନ ସରକାର । ନବୀନ ଯାହା କରିଥିଲେ, ତାହାର ଆଜି ଫିତା କାଟି ମୋହନ ସରକାର ଅଯଥା ବାହା ବାହା ନେଉଥିବା ବିଜେଡି ଅଭିଯୋଗ କରିଛି ।

ସେପଟେ ବିତଣ୍ଡା ଯୁକ୍ତି କରିଛନ୍ତି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହାକୁ ନବୀନ ସରକାର ଆରମ୍ଭ କରିଥାଇ ପାରନ୍ତି । କିନ୍ତୁ ଧର୍ମପଦର ବି ଆବଶ୍ଯକତା ରହିଛି କହି ଅଯଥା ଯୁକ୍ତି ବାଢିଛନ୍ତି କ୍ରୀଡା ମନ୍ତ୍ରୀ । କ୍ରୀଡ଼ା ମନ୍ତ୍ରୀଙ୍କ ଏପରି ପିଲାଳିଆମିକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଲୋକେ ଜାଣିଛନ୍ତି ନବୀନ ବିକାଶ କରିଛନ୍ତି । ହେଲେ ସେହି ବିକାଶର ପ୍ରଶଂସା ସାଉଣ୍ଟୁଛନ୍ତି ମୋହନ ସରକାର ବୋଲି କହି କ୍ରୀଡ଼ା ମନ୍ତ୍ରୀଙ୍କୁ ବୁଦ୍ଧିଜୀବୀମାନେ କଡ଼ା ଜବାବ ଦେଇଛନ୍ତି ।

କ୍ଷମତାକୁ ଆସିବା ଦିନଠାରୁ ଏପରି ଅନେକ ନବୀନ ଯୋଜନାର କପି ପେଷ୍ଟ କରି ଚାଲିଛନ୍ତି ମୋହନ ସରକାର । ୨୦ ହଜାର କନିଷ୍ଠ ଶିକ୍ଷକ ସ୍କିମାଟିକ୍ ଓ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ କ୍ୟାବିନେଟ ମୋହର ମାରିଥିଲେ ମୋହନ । ହେଲେ ନବୀନ ସରକାର ସମୟରୁ ହିଁ ଏହି ପରୀକ୍ଷା ସରି ଫଳାଫଳ ବାହାରିବା ସହ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପଦ୍ମ ବିଜେତାମାନଙ୍କୁ ସହାୟତା କଥା କହିଲେ ମୋହନ ସରକାର । ହେଲେ ତାହା ନବୀନ କରି ସାରିଥିଲେ । ଋତୁସ୍ରାବ ଛୁଟି ପାଇଁ ନବୀନ ଦେଇଥିଲେ ୧୦ ଦିନ ଛୁଟି । ମୋହନ କିଛି ନୂଆ ନ କରି କେବଳ ଏହାକୁ ଦୁଇ ଦିନ ବୃଦ୍ଧି କରି ଦେଲେ ।

ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ୟା ମାମଲା : ଗିରଫ ହେଲା ଅଭିଯୁକ୍ତ ସ୍ବାମୀ

ବଣାଇଁ : ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାକୁ ୪୮ ଘଣ୍ଟା ନୁପୁରୁଣୁ ରହସ୍ୟ ଉପରୁ ପରଦା ହଟାଇଲା ପୋଲିସ । ପରକୀୟା ପ୍ରିତୀ ପାଇଁ ସଇତାନ ସ୍ବାମୀ ହିଁ ଘଟାଇଥିଲା ନାରକୀୟ କାଣ୍ଡ । ପ୍ରମାଣ ନଷ୍ଟ ପାଇଁ ଲୁଟର ନାଟକ ରଚିଥିଲା । ହେଲେ ଘନ ଘନ ଜେରା ପରେ ସତ ମାନିଲା ଅଭିଯୁକ୍ତ ଦେବେନ ବେହେରା । ହତ୍ୟାରେ ସହଯୋଗ କରିଥିଲା  ସମ୍ପର୍କୀୟ ଜ୍ବାଇଁ ପୋଲିସ ଏଏସଆଇ ସତ୍ୟନାରାୟଣ ବେହେରା । ସତ୍ୟନାରାୟଣର ସର୍ଭିସ ରିଭଲଭରରୁ ହିଁ ଗୁଳି ମାରି କରାଯାଇଥିଲା ହତ୍ୟା । ବନ୍ଧୁକ ଯୋଗାଇବା ଅଭିଯୋଗରେ ତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କିଭଳି କରିଥିଲା ହତ୍ୟା, କିଭଳି ହତ୍ୟାକାଣ୍ଡକୁ  ଦେଇଥିଲା ସଫଳ ରୂପ । ସେ ସମସ୍ତ ଘଟଣାର ଡେମୋ ଦେଖାଇଛି ଅଭିଯୁକ୍ତ ଦେବେନ ବେହେରା। ର୍ପୂବରୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ମୃତ ସୀମାମୟୀଙ୍କ ବାପା ଘର ଲୋକ । ଜ୍ବାଇଁଙ୍କ ପରକୀୟା ପ୍ରୀତି ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସୀମାଙ୍କ ମାଆ କହିଥିଲେ । ତାଙ୍କ କହିବା କଥା ଗତ ଫେବୃଆରୀରେ ସୀମାମୟୀଙ୍କର ଦେବେନଙ୍କ ସହ ବାହାଘର ହୋଇଥିଲା । ବାହାଘର ପୁର୍ବରୁ ସମସ୍ତ ନିୟମ ଅନୁଯାୟୀ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧର କିଛି ଦିନ ପରେ ସୀମାମୟୀଙ୍କ ପରିବାରକୁ ଜଣେ ଯୁବତୀ ଫୋନ କରି ଦେବେନ ସହ ବିବାହ ନ କରିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ସେତେବେଳେ ଦେବେନଙ୍କୁ କୁହାଯାଇଥିଲେ ମଧ୍ୟ ସେ ଏହାକୁ ଏଡାଇ ଦେଇଥିଲେ । ସେହି ଯୁବତୀ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ଏବେବି ଦେବେନଙ୍କ ସହ ସେହି ଝିଅର ସମ୍ପର୍କ ଅଛି ବୋଲି କହିଛନ୍ତି ସୀମାମୟୀଙ୍କ ମାଆ । ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟାପରେ ନାକଟ ପ୍ଲଟ୍ ରଚିଥିଲେ ଦେବନ୍ ।  ଲୁଟ ପାଇଁ ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା କହିଥିଲେ ସ୍ବାମୀ । ନିଜ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ କବାଟ ବାଡେଇଥିଲେ ।  ସୀମାମୟୀ କବାଟ ଖୋଲି ବାହାରକୁ ଆସିବାରୁ ଦୃର୍ବୁତ୍ତ ମାନେ ସୁନା ଅଳଙ୍କାର ଲୁଟିବା ପରେ ଗୁଳିକରି ହତ୍ୟା କରିଥିବା ମୃତ ମହିଳାଙ୍କ ସ୍ଵାମୀ ଓ ଶାଶୂଘର ଲୋକେ କହିଥିଲେ । ସୀମାମୟୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ ।

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ହାଇଦ୍ରାବାଦ : ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ତେଲଙ୍ଗାନା ହାଇକୋର୍ଟ ଅଲ୍ଲୁଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ତଳ କୋର୍ଟ ଅଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ଏକ ସିନେମା ହଲରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ ଚାଲିଥିଲା। ଏହି ସମୟରେ ଶୋ’ ଦେଖିବାକୁ ବହୁ ଦର୍ଶକ ଭିଡ଼ ଜମାଇଥିଲେ। ତେବେ ଶୋ’ ଆରମ୍ଭ ହେବା ପୂର୍ବରୁ ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚିଥିଲେ। ଅଲ୍ଲୁଙ୍କୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ହଠାତ ଠେଲାପେଲା ହେବାରୁ ଦଳାଚକଟା ଘଟିଥିଲା। ଏଥିରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ପୋଲିସ ଅଲ୍ଲୁଙ୍କୁ ଗିରଫ କରିଥିଲା ।

ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ନିଷ୍ପତ୍ତି, ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି ନିଷ୍ପତ୍ତି । ଦ୍ବିତୀୟ ଭୋଗ ମଣ୍ଡପ ପରେ ୫ଘଣ୍ଟା ପର୍ଯ୍ୟନ୍ତ ମରାମତି ପାଇଁ ସମୟ ଧାର୍ଯ୍ୟ । ସ୍ୱତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ପ୍ରସ୍ତୁତ । ଗତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରତ୍ନ ଭଣ୍ଡାର ମରାମତି ନେଇ ଆଲୋଚନା କରାଯାଇଛି । ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି ଲକ୍ଷ୍ୟ ରଖାଯାଇଥିବାବେଳେ ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗ ଦର୍ଶିକା ଅନୁସାରେ କାର୍ଯ୍ୟ କରାଯିବାକୁ ନିଷ୍ପତି ହୋଇଛି । ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁ ବାହାର କାଠରୁ ଶ୍ରୀଜିୟୁଙ୍କୁ ଦର୍ଶନ କରିପାରିବେ । ଏ ନେଇ ସ୍ବତନ୍ତ୍ର ବୈଠକ କରାଯାଇଥିବାବେଳେ ମରାମତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲପାଳ ମତ ରଖିଛନ୍ତି ।

ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ ମୁତୟନ କରାଯିବ । ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ,ସେବାୟତଙ୍କ ମାର୍ଗ ଦର୍ଶିକା ଅନୁସାରେ ଯାଞ୍ଚ କରାଯିବ । ଭକ୍ତ ମାନେ ଯେଉଁଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି । ଅନ୍ୟପଟେ ମରାମତି କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ସେବାୟତଙ୍କ ପକ୍ଷରୁ ଯୋଗାଇ ଦିଆଯିବା ନେଇ ମତ ପ୍ରକାଶ ପାଇଛି । ମରାମତି ପରେ ରତ୍ନ ଭଣ୍ଡାରର ଗଣତି ମଣତି ଶୀଘ୍ର ଶେଷ କରିବାକୁ କୁହାଯାଇଛି । ଶ୍ରୀ ମନ୍ଦିର ଦ୍ୱାର ପିଠା ନୀତି ଠାରୁ ଦ୍ୱାର ବନ୍ଦ ନୀତି ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି ଶୃଙ୍ଖଳିତ ଭାବେ କରାଯାଇପାରିଲେ ଭଣ୍ଡାର ଘର ମରାମତି ପାଇଁ ଆବଶ୍ୟକୀୟ ସମୟ ମିଳିପାରିବ ବୋଲି ଆଶାବ୍ୟକ୍ତ କରାଯାଇଛି ।

ଆପଣ ଅନଲାଇନ ଗେମ ଖେଳୁଛନ୍ତି କି ? ତେବେ ହୋଇଯାନ୍ତୁ ସାବଧାନ

ଭୁବନେଶ୍ବର : ଆପଣ ଅନଲାଇନ ଗେମ ଖେଳୁଛନ୍ତି କି ? ୨୪ ଘଣ୍ଟା ଫୋନ ଧରି ବସୁଛନ୍ତି କି ? ତେବେ ଆଜିଠାରୁ ହୋଇଯାନ୍ତୁ ସାବଧାନ । ମଜା ବଦଳରେ ମିଳିପାରେ ସାଙ୍ଘାତିକ ସଜ୍ଜା । ଭୁବନେଶ୍ୱର ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଭଡା ଘରେ ଚାଲିଥିବା ଗେମିଙ୍ଗ ଆପ୍ କଲ୍ ସେଣ୍ଟର ପ୍ରସଙ୍ଗରେ ଅଟକ ଥିବା ଚାରିଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସମସ୍ତେ ରାଜ୍ୟ ବାହାରୁ ଆସି ଭୁବନେଶ୍ୱରରେ ଡେରା ପକାଇଥିଲେ । ସହର ଉପକଣ୍ଠରେ ଥିବା ଆପାର୍ଟମେଣ୍ଟକୁ ସେଫ ପ୍ଲେସ ଭାବେ ବାଛିଥିଲେ । ସାଇବର ଠକଙ୍କ ମାଷ୍ଟରମାଇଣ୍ଡ ଥିଲା ଜଣେ ବିଟେକ୍ ଛାତ୍ର । ଭଲକରି ଦେଖନ୍ତୁ ଏହି ଆପାର୍ଟମେଣ୍ଟରେ ଗଛିତ ଥିବା ଏହି ମୋବାଇଲ ଗୁଡିକୁ । କେବଳ ସେତିକି ନୁହେଁ, ଚଢାଉ ବେଳେ ୨ ଟି ଡେସ୍କଟପ ସହ ଗୋଟେ ଲାପଟପ, ୨୦ ଟି ମୋବାଇଲ ଫୋନ୍, ୪ ପାସପୋର୍ଟ ସହ ପୁଳାପୁଳା ସିମ କାର୍ଡ ଜବତ କରିଛି ପୋଲିସ । ଦୀର୍ଘ ୬ ମାସ ହେଲା ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିଲା ଏହି ଅପରାଧୀଙ୍କ  ସାଇବର କ୍ରାଇମ୍ ସିଣ୍ଡିକେଟ । ସାଇବର ଠକଙ୍କ ଲିଙ୍କ ଦୁବାଇକୁ ଜଣାପଡିବା ପରେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ସ୍ପେଶାଲ ଟିମ ।

କେବଳ ଗେମିଙ୍ଗ ଆପ ନୁହଁ, ବିଭିନ୍ନ ଆଳରେ ଟଙ୍କା ଲୁଟି ନେଉଛନ୍ତି ଠକ। ବିଧାନସଭା ତଥ୍ୟ ମୁତାବକ ୩ ବର୍ଷରେ ୧୨୫ କୋଟି ଓଡିଶାରୁ ଲୁଟିନେଲେଣି ଲୁଟେରା । ୬ ହଜାର ୩୬୮ ଟି ମାମଲା ବଳରେ ୧୩୮୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ସାଇବର କ୍ରାଇମ କୋଡିନେସନ ସେଣ୍ଟର ତଥ୍ୟ ମୁତାବକ  ୨୦୨୪ ମସିହା ଜାନୁଆରୀ ୧ ରୁ ସେପ୍ଟେମ୍ବର ଶେଷ ସୁଦ୍ଧା ସାରା ଦେଶରୁ ୧୧ ହଜାର ୩ ଶହ ୩୩ କୋଟି ଟଙ୍କା ହରାଇଛନ୍ତି ଲୋକେ।  ଷ୍ଟକ ଟ୍ରେଡିଂ ରେ ସର୍ବାଧିକ ୪ ହଜାର ୬୩୬ କୋଟି ଟଙ୍କା ଗୋଲ କରିଦେଇଛନ୍ତି ଅଦୃଶ୍ୟ ଠକ । ଫିଜିକାଲ କ୍ରାଇମ ଠାରୁ ଏବେ ସାଇବର କ୍ରାଇମ ବଢୁଛି । ଏଣୁ ଇଜି ମନି ପାଇବା ଆଶାରେ ଭୁଲ ନକରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ସେପଟେ ଗେମିଙ୍ଗ ଜରିଆରେ ଠକେଇ ଘଟଣାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତନାଘନା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ବ୍ରହ୍ମପୁର ସହରରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ

ବ୍ରହ୍ମପୁର : ବ୍ରହ୍ମପୁରବାସୀଙ୍କ ହଜିଗଲାଣି ନିଦ । ମଶାଙ୍କ ପାଇଁ ସମସ୍ୟାରେ ଜୀବନ । ବାହାରେ ତ ଦୂରର କଥା ଘର ଭିତରେ ବି ରହିବା ହୋଇ ପଡିଛି ମୁଶକିଲ । ମଶାରି ଟାଙ୍ଗିଲେ ମଧ୍ୟ ମଶାଙ୍କ ଠାରୁ ମୁକ୍ତି ମିଳୁନି । ସହରରେ ଦିନକୁ ଦିନ ମଶାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ହେଲେ ମହାନଗର ନିଗମ ଅଧିକାରୀ ମାନେ ନିରଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ମହାନଗର ନିଗମରେ ଏକ ବଡ଼ ଟିଫା ମେସିନ୍ ଅଛି। କିନ୍ତୁ ବିଭିନ୍ନ ବାହାନରେ ତାକୁ ବ୍ୟବହାର କରାଯାଉ ନାହିଁ। ସେହିଭଳି ହାତ ମେସିନ୍ ମଧ୍ଯ କିଣାଯାଇଛି । ହେଲେ ସେଗୁଡିକର ବ୍ୟବହାର ହେଉନାହିଁ ।  ଫଳରେ ମଶା ବଂଶ ବୃଦ୍ଧି ପାଉଛି। ସହରବାସୀ ମାଲେରିଆ ଏବଂ ଡେଙ୍ଗୁ ଆକ୍ରାନ୍ତ ହେବା ଆଶଙ୍କାରେ ଦିନ କାଟୁଛନ୍ତି।

ବ୍ରହ୍ମପୁର ସହର ପାଇଁ ଏକ ଟିଫା ମେସିନ୍ ୨୦୧୯ରେ କିଣାଯାଇଥିଲା। କିଛିଦିନ ଏହି ଟିଫା ମେସିନ୍ ସହରସାରା ବୁଲୁଥିଲା । କିନ୍ତୁ ଏଥିରେ ବ୍ୟବହାର ହେଉ ଥିେବା ସ୍ଵତନ୍ତ୍ର ତେଲ ନାହିଁ ।  ସହର ରେ ୪୨ଟି ୱାର୍ଡ ପାଇଁ ଗୋଟିଏ ମେସିନ୍ ନିଅଣ୍ଟ ହେଉଛି। ଏଡାଛଡ଼ା ୪୦ଟି ଛୋଟଛୋଟ ହ୍ୟାଣ୍ଡ ପମ୍ପିଙ୍ଗ ମିସିନ୍ ମଧ୍ୟ କିଣା ଯାଇଛି  । ହେଲେ ସେଗୁଡ଼ିକ ଏବେ କେଉଁଠି ତାର କୌଣସି ଖବର ନାହିଁ। ଦିନକୁ ଦିନ ମଶାଙ୍କ ସାନ୍ଦ୍ରତା ବଢ଼ିବାରେ ଲାଗିଛି। କେବଳ ଏତିକି ନୁହଁ, ନାଳ ନର୍ଦ୍ଦମା ଗୁଡ଼ିକ ମଧ୍ୟ ନିୟମିତ ସଫା କରାଯାଉନଥିବା ଅଭିଯୋଗ ହୋଇଛି ।  ଯାହା ମଶା ବଂଶ ବୃଦ୍ଧିରେ ସହାୟକ ହେଉଛି। ମହାନଗର ନିଗମର ଏଭଳି ଅପରାଗତା ଯୋଗୁ ସହରବାସୀ ନାହିଁ ନଥୁବା ଅସୁବିଧା ଭୋଗୁଛନ୍ତି।