spot_img
Home Blog Page 124

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା, ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ଆଗାମୀ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି।

ମହିଳା ଏସିଆ କପ୍ ସେମିରେ ଭାରତ-ବାଂଲାଦେଶ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ଆଜି ମହିଳା ଏସିଆ କପ୍‌ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ। ଟିମ୍ ଇଣ୍ଡିଆ ଥାଇଲାଣ୍ଡ, ହଂକଂ ଓ ପାକିସ୍ତାନ ବିପକ୍ଷରେ ବୃହତ୍ ବିଜୟ ହାସଲ କରି ଗ୍ରୁପ୍-Aର ଶୀର୍ଷ ସ୍ଥାନରେ ରହି ସେମିଫାଇନାଲ୍ ଟିକେଟ୍ ହାସଲ କରିଛି। ଭାରତୀୟ ଟପ୍ ଅର୍ଡର ମଧ୍ୟ ଭଲ ଫର୍ମରେ ରହିଛି। ଶେଫାଳୀ ବର୍ମା ଓ ସ୍ମୃତି ମନ୍ଧାନାଙ୍କ ଯୋଡ଼ିଠାରୁ ଭଲ ପ୍ରଦର୍ଶନ ଆଶା କରୁଛନ୍ତି କ୍ରିକେଟ୍ ପ୍ରଶଂସକ। ଏହାସହ ଭାରତୀୟ ସ୍ପିନ୍ ଆଟାକ୍ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଆସୁଛି।

ଏଭଳି ସ୍ଥିତିରେ ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ହରମନପ୍ରୀତ କୌରଙ୍କ ଟିମ୍ ଇଣ୍ଡିଆ। ସେପଟେ ଗ୍ରୁପ୍-Bରେ ୩ଟି ମ୍ୟାଚ୍‌ରୁ ୨ଟିରେ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଛି ବାଂଲାଦେଶ। ଭାରତକୁ ଚକମା ଦେଇ ଫାଇନାଲ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ନିଜର ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ବାଂଲାଦେଶ ମହିଳା ଦଳ।

ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜରେ ପୁଣି ସ୍କୁଲ ଛୁଟି

ନନ୍ଦିଘୋଷ ବ୍ୟୁରୋ : ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆଇଏମଡି, ଭୁବନେଶ୍ୱର ପକ୍ଷରୁ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଏହି ପଦକ୍ଷେପ ନିଆଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ପ୍ରାଥମିକରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି। ରେଡ୍‌ ୱାର୍ଣ୍ଣିଂକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତି ଉପରେ ମଧ୍ୟ ନଜର ରଖାଯାଇଛି।

କଣ୍ଟାବାଞ୍ଜି ଫେନ୍ସି ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ନନ୍ଦିଘୋଷ ବ୍ୟୁରୋ :  କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫେନ୍ସି ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଦୋକାନରେ ଥିବା ବହୁ ସାମଗ୍ରୀ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

ଆମେରିକାରେ ବି ‘ରେବଡି କଲଚର’! ଭୋଟ ପରେ ୫ ହଜାର ଡଲାର ଦେବାକୁ ଟ୍ରମ୍ପଙ୍କ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷାରେ ଯାହାକୁ ‘ରେବଡି କଲଚର’ କୁହାଯାଏ, ଏବେ ଆମେରିକାରେ ମଧ୍ୟ ସେଭଳି ମାଗଣା ବଣ୍ଟନର ରାଜନୀତି ଚର୍ଚ୍ଚାରେ। ଆସନ୍ତା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଘୋଷଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଟ୍ରମ୍ପ କହିଛନ୍ତି, ଯଦି ରିପବ୍ଲିକାନ ପାର୍ଟି କଂଗ୍ରେସର ଉଭୟ ଗୃହରେ ବହୁମତ ହାସଲ କରେ, ତେବେ ଆମେରିକାର ପ୍ରତ୍ୟେକ ସାବାଳକ ନାଗରିକଙ୍କୁ ୫ ହଜାର ଡଲାର ଲେଖାଏଁ ଦିଆଯାଇପାରେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୫ ଲକ୍ଷ ଟଙ୍କା। ଏହି ଯୋଜନାକୁ ଟ୍ରମ୍ପ ‘ଟ୍ରମ୍ପ ଡିଭିଡେଣ୍ଡ’ ନାମ ଦେଇଛନ୍ତି। ତେବେ ଏତେ ବଡ଼ ରାଶି କେଉଁଠୁ ଆସିବ ଏବଂ ଏହାକୁ କିପରି ଦିଆଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅର୍ଥନୀତିଜ୍ଞଙ୍କ ମତରେ, ଏଭଳି ଯୋଜନା ଆର୍ଥିକ ଓ ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ।

ଟ୍ରମ୍ପଙ୍କ ଏହି ଘୋଷଣାକୁ ଆସନ୍ତା ମିଡ୍‌ଟର୍ମ ନିର୍ବାଚନ ସହ ଯୋଡ଼ି ଦେଖାଯାଉଛି। ଆମେରିକାରେ ଦରଦାମ ବୃଦ୍ଧି ଓ ଇରାନ ଯୁଦ୍ଧକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଥିବା ଦାବି କରାଯାଉଛି। ଏଭଳି ପରିସ୍ଥିତିରେ ରିପବ୍ଲିକାନ ପାର୍ଟିର ନିର୍ବାଚନୀ ସ୍ଥିତିକୁ ନେଇ ଟ୍ରମ୍ପ ଚିନ୍ତିତ ଥିବା ଚର୍ଚ୍ଚା ହେଉଛି। ନଭେମ୍ବରରେ ହେବାକୁ ଥିବା ମିଡ୍‌ଟର୍ମ ନିର୍ବାଚନରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ୪୩୫ ଆସନ ଏବଂ ସିନେଟ୍‌ର ୧୦୦ ଆସନ ପାଇଁ ନିର୍ବାଚନ ହେବ। ବିଭିନ୍ନ ଆକଳନରେ ଡେମୋକ୍ରାଟିକ ପାର୍ଟି ହାଉସ୍‌ ଓ ସିନେଟ୍‌ରେ ଭଲ ପ୍ରଦର୍ଶନ କରିପାରେ ବୋଲି କୁହାଯାଉଛି।

ଏହି ପରିପ୍ରେକ୍ଷୀରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟ୍ରମ୍ପଙ୍କ ‘ଟ୍ରମ୍ପ ଡିଭିଡେଣ୍ଡ’ ଘୋଷଣାକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି। ଆମେରିକା ପରି ପୁଞ୍ଜିବାଦୀ ଦେଶରେ ନିର୍ବାଚନକୁ କେନ୍ଦ୍ର କରି ଏଭଳି ବଡ଼ ଆକାରର ନଗଦ ବଣ୍ଟନ ଘୋଷଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭାରତରେ ମଧ୍ୟ ନିର୍ବାଚନ ସମୟରେ ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଓ ମାଗଣା ଯୋଜନା ଘୋଷଣାକୁ ନେଇ ‘ରେବଡି କଲଚର’ ଉପରେ ଦୀର୍ଘଦିନ ଧରି ଚର୍ଚ୍ଚା ହୋଇଆସୁଛି।

ହର୍ମୁଜ୍‌ରେ ଆମେରିକାର ଅଣ୍ଡରୱାଟର ଡ୍ରୋନ୍ ଜବତ କଲା ଇରାନ

ନନ୍ଦିଘୋଷ ବ୍ୟୁରୋ : ହର୍ମୁଜ୍ ପ୍ରଣାଳୀରେ ଆମେରିକାର ଏକ ଅତ୍ୟାଧୁନିକ ମାନବବିହୀନ ଅଣ୍ଡରୱାଟର ଯାନକୁ ଜବତ କରିଥିବା ଦାବି କରିଛି ଇରାନ। ଇରାନ ନୌସେନାର କହିବା ଅନୁସାରେ, ଗୁପ୍ତଚର ଅଭିଯାନ ଜରିଆରେ ଆମେରିକାର ‘ଡାଇଭ୍-ଏଲଡି’ ନାମକ ଅଣ୍ଡରୱାଟର ଡ୍ରୋନ୍‌କୁ ଜବତ କରାଯାଇଛି। ଏହା ବିଶ୍ୱର ଅତ୍ୟାଧୁନିକ ସବ୍-ସର୍ଫେସ୍ ଭେହିକଲ୍ ପ୍ରଯୁକ୍ତିରେ ନିର୍ମିତ ବୋଲି ଇରାନ ଦାବି କରିବା ସହ ଏହାର ଭିଡିଓ ମଧ୍ୟ ଜାରି କରିଛି। ଏହା ସହିତ, ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର MQ-9 ରିପର୍ ଡ୍ରୋନ୍‌କୁ ମଧ୍ୟ ନିଜ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଖସାଇଥିବା ଦାବି କରିଛି ଇରାନୀ ବିପ୍ଳବୀ ଗାର୍ଡ (IRGC)। ତେବେ ଇରାନର ଦାବିକୁ ନେଇ ଆମେରିକା ପକ୍ଷରୁ ଭିନ୍ନ ତଥ୍ୟ ଦିଆଯାଇଛି। ଆମେରିକାର କହିବା ଅନୁସାରେ, ଅଣ୍ଡରୱାଟର ଡ୍ରୋନ୍‌ଟି ସମୁଦ୍ର ଜଳର ସର୍ଭେ କରୁଥିବା ସମୟରେ ଖରାପ ହୋଇଯାଇଥିଲା। ଇରାନ ଜବତ କରିଥିବା ଡ୍ରୋନ୍‌ଟି ସେହି ଯାନ କି ନୁହେଁ, ସେନେଇ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।

ଆମେରିକା ଏହା ମଧ୍ୟ କହିଛି ଯେ, ଜବତ ହୋଇଥିବା ଯାନଟି ଏକ ପୁରୁଣା ମଡେଲ୍ ଏବଂ ଏଥିରେ କୌଣସି ସମ୍ବେଦନଶୀଳ ତଥ୍ୟ, ଗୁପ୍ତ ସୋନାର କିମ୍ବା ରାଡାର ଉପକରଣ ନାହିଁ। ବର୍ତ୍ତମାନ ଆମେରିକା ମାନବବିହୀନ ନୌସେନା ବ୍ୟବସ୍ଥାରେ ବ୍ୟାପକ ନିବେଶ କରୁଛି। ସମୁଦ୍ରର ବିଶାଳ ଅଞ୍ଚଳ ଉପରେ ନଜର ରଖିବା, ଗୁପ୍ତଚର ତଥ୍ୟ ସଂଗ୍ରହ କରିବା ସହ ଶତ୍ରୁ ଜାହାଜ ଓ ବୁଡ଼ାଜାହାଜକୁ ଟ୍ରାକ୍ କରିବାରେ ଏଭଳି ମାନବବିହୀନ ଯାନ ବ୍ୟବହାର କରାଯାଉଛି।

ଇରାନର ଦାବି ଅନୁସାରେ, ‘ଡାଇଭ୍-ଏଲଡି’ ଥରକେ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି କାମ କରିପାରେ। ଏହା ପ୍ରାୟ ୬ ହଜାର ମିଟର ବା ୧୯ ହଜାର ୭୦୦ ଫୁଟ୍ ଗଭୀରତା ପର୍ଯ୍ୟନ୍ତ ଯାଇପାରିବ। ପ୍ରତ୍ୟେକ ଡାଇଭ୍-ଏଲଡିର ମୂଲ୍ୟ ପ୍ରାୟ ୨.୫ ନିୟୁତ ଡଲାର ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିବାର ଆଶଙ୍କା ଦେଖାଦେଇଛି।

ହୁତି ଉପରେ ଆକ୍ରମଣ କରିପାରେ ପାକିସ୍ତାନ, ବଢ଼ିଲା ଯୁଦ୍ଧ ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ :  ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଇରାନ ଯୁଦ୍ଧ ଏବେ ଆହୁରି ଭୟଙ୍କର ରୂପ ନେଇପାରେ। ଯୁଦ୍ଧରେ ପାକିସ୍ତାନ ସାମିଲ ହେବାର ଆଶଙ୍କା ଦେଖାଦେଇଛି। ଇରାନର ସହଯୋଗୀ ହୁତି ଉପରେ ପାକିସ୍ତାନ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପରି ହେଲେ ଯୁଦ୍ଧ ଅନ୍ୟ ଅଞ୍ଚଳକୁ ବ୍ୟାପିବା ସହ ମଧ୍ୟପ୍ରାଚ୍ୟର ସ୍ଥିତି ଆହୁରି ଜଟିଳ ହୋଇପାରେ। ସାଉଦି ଆରବ ଉପରେ ହୁତି ପକ୍ଷରୁ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ ପରେ ଏହି ଆଶଙ୍କା ବଢ଼ିଛି। ଏହି ଆକ୍ରମଣରେ ୭୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ମକ୍କା ପ୍ରତିରକ୍ଷା ଚୁକ୍ତି ଯୋଗୁଁ ମଧ୍ୟ ପାକିସ୍ତାନ ହୁତି ବିରୋଧରେ ସାମରିକ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ତୁର୍କୀ, ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଅନୁସାରେ, ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ସାମୂହିକ ଆକ୍ରମଣ ଭାବେ ବିବେଚନା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ମିଳିତ ଭାବେ ପ୍ରତିଆକ୍ରମଣ କରାଯାଇପାରିବ। ଏହି ପରିସ୍ଥିତିରେ ୟେମେନରେ ଥିବା ହୁତି ଘାଟିକୁ ଟାର୍ଗେଟ କରି ପାକିସ୍ତାନ ଖୁବଶୀଘ୍ର ଏୟାରଷ୍ଟ୍ରାଇକ୍ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସାଉଦି ଆରବ ଉପରେ ହୁତି ଆକ୍ରମଣ ପରେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ୟେମେନର ସଂଘର୍ଷ ଯଦି ସାଉଦି ଆରବକୁ ପ୍ରଭାବିତ କରେ, ତେବେ ମକ୍କା ଚୁକ୍ତିର ସାମୂହିକ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ହୋଇପାରେ। ଏହାକୁ ନେଇ ଇରାନ-ହୁତି ସଂଘର୍ଷରେ ପାକିସ୍ତାନର ସିଧାସଳଖ ହସ୍ତକ୍ଷେପ ନେଇ ଆଶଙ୍କା ବଢ଼ିଛି। ଯଦି ପାକିସ୍ତାନ ହୁତି ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ କରେ, ତେବେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଆହୁରି ବ୍ୟାପକ ହେବାର ସମ୍ଭାବନା ରହିଛି

ବୈବାହିକ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ବୈବାହିକ ଦୁଷ୍କର୍ମ ବା ମାରିଟାଲ୍ ରେପ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି ସୁପ୍ରିମକୋର୍ଟ। ବିବାହ ପରେ ସ୍ୱାମୀଙ୍କ ଦ୍ୱାରା ସ୍ତ୍ରୀଙ୍କ ଉପରେ ଯୌନ ହିଂସା ହେଲେ, ବର୍ତ୍ତମାନର ଆଇନ ଅନୁସାରେ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଚାଲିପାରିବ କି ନାହିଁ, ତାହା ଉପରେ କୋର୍ଟ ବିଚାର କରୁଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଥମେ କର୍ଣ୍ଣାଟକ ହାଇକୋର୍ଟର ଏକ ରାୟ ସମ୍ପର୍କିତ ଆବେଦନର ଶୁଣାଣି କରୁଛନ୍ତି। ଏହି ମାମଲାରେ ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରାୟ ‘ସେକ୍ସ ସ୍ଲେଭ୍’ ଭଳି ବ୍ୟବହାର କରିଥିବା ଅଭିଯୋଗ ରହିଛି। କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଦୁଷ୍କର୍ମ ଆଇନ ଅନୁସାରେ ଅଭିଯୋଗ ଚାଲୁ ରଖିବାକୁ ଅନୁମତି ଦେଇଥିଲେ।

ଏହା ସହିତ ବୈବାହିକ ଦୁଷ୍କର୍ମ ସମ୍ପର୍କିତ ଆଇନର ସାମ୍ବିଧାନିକ ବୈଧତା ମଧ୍ୟ ସୁପ୍ରିମକୋର୍ଟ ଯାଞ୍ଚ କରିବେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହିଁ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ କହିଛନ୍ତି, ବିବାହ ହେବା ମାତ୍ରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତା ବା ସ୍ୱାୟତ୍ତତା ଶେଷ ହୋଇଯାଏ ନାହିଁ। ବିବାହିତ ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ କୋର୍ଟ ସଚେତନ ଥିବା ସେ କହିଛନ୍ତି। ତେବେ ଏହା ଏକ ଦଣ୍ଡବିଧାନ ସମ୍ପର୍କିତ ଆଇନ ହୋଇଥିବାରୁ, ଏଥିରେ ଥିବା ବୈବାହିକ ଦୁଷ୍କର୍ମ ବ୍ୟତିକ୍ରମ ଅସାମ୍ବିଧାନିକ କିମ୍ବା ସ୍ପଷ୍ଟ ଭାବେ ଅନ୍ୟାୟପୂର୍ଣ୍ଣ କି ନାହିଁ, ପ୍ରଥମେ ତାହା ଯାଞ୍ଚ କରିବାକୁ ପଡ଼ିବ ବୋଲି ଜଷ୍ଟିସ୍ ବାଗଚୀ କହିଛନ୍ତି।

କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବୈବାହିକ ଦୁଷ୍କର୍ମ ବ୍ୟତିକ୍ରମର ଅର୍ଥ ଏନୁହେଁ ଯେ ସ୍ୱାମୀ ଯୌନ ହିଂସା କଲେ ସମସ୍ତ ପ୍ରକାର ଅପରାଧିକ ଦାୟିତ୍ୱରୁ ମୁକ୍ତ ହୋଇଯିବେ। ଯୌନ ହିଂସା ଯୋଗୁଁ ଗୁରୁତର ଆଘାତ କିମ୍ବା ମୃତ୍ୟୁ ଘଟିଲେ, ଅନ୍ୟ ଅପରାଧିକ ଆଇନ ଅନୁସାରେ ମାମଲା ହୋଇପାରେ। ଆସନ୍ତା ତିନି ସପ୍ତାହ ପରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

ବିଚିତ୍ରପୁରରୁ ୫ ଓରାଙ୍ଗଉଟାନ ଉଦ୍ଧାର, ଜୋରଦାର ତଦନ୍ତ

ନନ୍ଦିଘୋଷ ବ୍ୟୁରୋ :  ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଜାରି ରହିଛି। ଅନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହରେ ସ୍ପେଶାଲ ଟାସ୍କ ଫୋର୍ସ ଜୋରଦାର ତଦନ୍ତ ଚଳାଇଛି। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ସିସିଟିଭି ଫୁଟେଜରେ ପ୍ରାୟ ୧୨ ମିନିଟ୍ ବ୍ୟବଧାନରେ ଏକ କଳା ଥାର୍ ସ୍ପଟ ନିକଟକୁ ଯାଆସ କରୁଥିବା ଦେଖାଯାଇଛି। ଏହି ଗାଡ଼ିରେ ମାଫିଆମାନେ ଓରାଙ୍ଗଉଟାନଗୁଡ଼ିକୁ ଆଣି ଜଙ୍ଗଲ ନିକଟରେ ଛାଡ଼ି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗର ନିୟମିତ ପାଟ୍ରୋଲିଂ ଅଭାବରୁ ଏଭଳି ଚୋରାଚାଲାଣ ବଢ଼ୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଭାର ସ୍ପେଶାଲ ଟାସ୍କ ଫୋର୍ସ ନେବା ପରେ ୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସର୍ଜମିନ ଯାଞ୍ଚ ଆରମ୍ଭ କରିଛି। ଟୋଲଗେଟ୍ ସିସିଟିଭି, ହ୍ୟୁମାନ୍ ଇଣ୍ଟେଲିଜେନ୍ସ, ସମ୍ଭାବ୍ୟ ସ୍ମଗଲିଂ ରୁଟ୍ ଏବଂ ଏହା ସହ ଜଡ଼ିତ କ୍ରାଇମ୍ ସିଣ୍ଡିକେଟ୍ ସମ୍ପର୍କରେ ତଦନ୍ତକୁ ବ୍ୟାପକ କରିଛି ଏସ୍‌ଟିଏଫ୍।

ସେପଟେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୫ଟି ଓରାଙ୍ଗଉଟାନ ପହଞ୍ଚିବା ପରେ ସେମାନଙ୍କୁ ଏକ ମାସ ପାଇଁ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ବନ ବିଭାଗ ଏବଂ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସ୍ୱତନ୍ତ୍ର ତଦାରଖ ପାଇଁ ୩ଟି ସିଫ୍ଟରେ ଡାକ୍ତର ଓ କେୟାରଟେକରଙ୍କୁ ନିୟୋଜିତ କରାଯାଇଛି। କ୍ୱାରେଣ୍ଟାଇନ୍ ଗୃହରେ ମାସ୍କ, ଗ୍ଲୋଭ୍ସ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ୨୦୧୯ ମସିହା ମେ’ ୨୯ ତାରିଖରେ ନନ୍ଦନକାନନରେ ଥିବା ଓରାଙ୍ଗଉଟାନ ‘ବିନ୍ନି’ର ମୃତ୍ୟୁ ହୋଇଥିଲା। ଦୀର୍ଘ ୭ ବର୍ଷ ପରେ ପୁଣି ୫ଟି ବିରଳ ପ୍ରଜାତିର ଓରାଙ୍ଗଉଟାନ ନନ୍ଦନକାନନରେ ପହଞ୍ଚିବା ପରେ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ବାସୁଦେବପୁରରେ ବଡ଼ ଅଗ୍ନିକାଣ୍ଡ, ଜଳିଗଲା ୩ ଦୋକାନ

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଅଟଳ ବିହାରୀ କଲେଜ ରୋଡ୍‌ର ହାଟସାଗର ଛକରେ ଥିବା ୩ଟି ଦୋକାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଘର ଡିଜାଇନ ସାମଗ୍ରୀ ଦୋକାନ, ଇଲେକ୍ଟ୍ରିକ ସାମଗ୍ରୀ ଦୋକାନ ଓ ପାର୍ଟସ୍‌ ଦୋକାନ ନିଆଁରେ ପୋଡ଼ି ପାଉଁଶ ହୋଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସୂଚନା ପାଇ ଦୋକାନ ଖୋଲିବା ବେଳକୁ ହୁହୁ ହୋଇ ଜଳୁଥିଲା ନିଆଁ। ଖବର ପାଇ ବାସୁଦେବପୁର ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅନୁମାନ କରାଯାଉଛି।

ଅନ୍ୟପଟେ, ବାସୁଦେବପୁର କାଳୀମନ୍ଦିର ଛକରେ ଥିବା ସାଇସେବା ପାଥୋଲୋଜିରେ ମଧ୍ୟ ସକାଳୁ ଅଗ୍ନିକାଣ୍ଡ ଘଟିଛି। ଦୋକାନ ଖୋଲି ବାହାରକୁ ଯାଇଥିବା ବେଳେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ ପାଥୋଲୋଜିର ଆସବାବପତ୍ର ଜଳିଯାଇଛି।