spot_img
Home Blog Page 1237

ପୁରୁଣା କାର କିଣାବିକା ଉପରେ ବଢ଼ିଲା ୬ ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ଜିନ୍ ଥେରାପିରେ ଲାଗିବ ନାହିଁ କୌଣସି ପ୍ରକାର ଜିଏସଟି । ସେହିପରି ପୁରୁଣା ଇଭି କିଣାରେ ମଧ୍ୟ ଲାଗିବନି ଜିଏସଟି । କିନ୍ତୁ ପୁରୁଣା କାର କିଣାବିକାରେ ବଢ଼ିଲା ଜିଏସଟି । ପୂର୍ବରୁ ୧୨ ପ୍ରତିଶତ ଲାଗୁଥିବା ବେଳେ ଏବେ ଏହାକ ବୃଦ୍ଧି କରାଯାଇ ୧୮ ପ୍ରତିଶତ କରିଦିଆଯାଇଛି । ରାଜସ୍ଥାନ ଜୈସଲମେରରେ ହୋଇଥିବା ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ କେନ୍ତ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଫୋର୍ଟିଫାଏଡ୍ ରାଇସରେ ଜିଏସଟିକୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲରେ ଲାଗିବ ନାହିଁ ଆଇଜିଏସଟି । ଏହା ଦ୍ଵାରା ରପ୍ତାନୀ ବୃଦ୍ଧି ହୋଇପାରିବ । ଇ-କମର୍ସ ଜରିଆରେ ଫୁଡ୍ ଡେଲିଭରି ଉପରେ କିନ୍ତୁ ଜିଏସଟି ଲଗାଯିବ କି ନାହିଁ, ତାହା ନିଷ୍ପତ୍ତି ନିଆଯାଇ ନାହିଁ ।

ସେହିପରି କେତେକ ରାଜ୍ୟ ପ୍ରସ୍ତାବ ଦେଇଥିଲେ ଏଭିଏନ୍ ଟର୍ବାଇନ ଫୁଏଲକୁ ଜିଏସଟି ପରିସରଭୁକ୍ତ କରାଯାଉ । କିନ୍ତୁ ଏହାକୁ ନେଇ ସହମତି ହୋଇପାରିନାହିଁ । କେତେକ ରାଜ୍ୟ ବିରୋଧ କରିବାରୁ ନିଷ୍ପତ୍ତି ନିଆଯାଇ ପାରିନାହିଁ । ସ୍ଵାସ୍ଥ୍ୟବୀମା ଉପରେ ମଧ୍ୟ ନିଷ୍ପତ୍ତି ନେବାକୁ ଆହୁରି ଆଲୋଚନା ଦରକାର ଓ ଆଇଆରଡିଏର ମତାମତକୁ ଅପେକ୍ଷା କରାଯାଇଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

୫୦ ପ୍ରତିଶତରୁ ଅଧିକ ଫ୍ଲାଏ ଆସ୍ ଥିବା ଏସିସିରେ ଲାଗିବ ୧୨ ପ୍ରତିଶତ ଜିଏସଟି, କୌଣସି ଚାଷୀଠାରୁ ଗୋଳମରିଚ ପାଇଁ ଜିଏସଟି ନିଆଯିବ ନାହିଁ । ସେହିପରି ଋଣକୁ ନେଇ ବ୍ୟାଙ୍କ ଓ ଏନବିଏଫସି ଦ୍ଵାରା ଜରିମାନା କରାଗଲେ, ସେହି ଜରିମାନା ଉପରେ ଜିଏସଟି ଲାଗିବ ନାହିଁ ନିଷ୍ପତ୍ତି ହୋଇଛି ।

ଶ୍ରୀମନ୍ଦିରରେ ବିଶୃଙ୍ଖଳା, ଦୁଇ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିରରେ ବିଶୃଙ୍ଖଳା ପାଇଁ ଦୁଇ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ । ସେମାନେ ହେଲେ ମୁଖ ପଖାଳ ସେବକ ମଦନ ମୋହନ ଖୁଣ୍ଟିଆ ଏବଂ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ଆଇନ୍ ୨୧-କ ଧାରା ଅନୁସାରେ ଉଭୟଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ସେନେଇ ମତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି । ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଏହି କୈଫିୟତ ଦାଖଲ କରିବାକୁ କୁହାଯିବା ସହ ଧାର୍ଯ୍ୟ ସମୟ ଭିତରେ ଏହା ହସ୍ତଗତ ନହେଲେ, କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

ଗତ ୧୬ ତାରିଖରେ ମୁକ୍ତିମଣ୍ଡପ ସାମ୍ନାରେ ଅବକାଶ ପାଦୁକା ବଣ୍ଟନକୁ ନେଇ ଉଭୟ ସେବକ ପରସ୍ପରକୁ ଗାଳିଗୁଳଜ କରିବା ସହ ମାରପିଟ୍ କରି ରକ୍ତାକ୍ତ କରିଥିଲେ । ଯାହା ଶ୍ରୀମନ୍ଦିର ଗାରିମା ଓ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିଲା । ତେଣୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ ସେନେଇ ଉତ୍ତର ଦେବାକୁ ନୋଟିସରେ କୁହାଯାଇଛି ।

ୟୁଏନରେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ବିଶ୍ବ ଧ୍ୟାନ ଦିବସ

ନୂଆଦିଲ୍ଲୀ: ଗୁରୁଦେବ୍ ଶ୍ରୀ ଶ୍ରୀ ରବି ଶଙ୍କରଙ୍କର ଯୁଏନଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ବିଶ୍ୱ ଧ୍ୟାନ ଦିବସ । ବିଷୟ ବସ୍ତୁ ଥିଲା ‘ବିଶ୍ୱ ଶାନ୍ତି ଓ ସମନ୍ୱୟ ପାଇଁ ଧ୍ୟାନ’ । ଯୁକ୍ତରାଷ୍ଟ୍ରରେ ଭାରତର ପରମାଣୁ ମିଶନ୍ ଦ୍ୱାରା ଏହି ଐତିହାସିକ ଅବସରରେ ପ୍ରଥମ ବିଶ୍ୱ ଧ୍ୟାନ ଦିବସ ପାଳିତ ହୋଇଯାଇଛି । ସମାରୋହରେ ଏକାଧିକ ପ୍ରମୁଖ ନେତାମାନେ ଉଦବୋଧନ ଦେଇଥିଲେ । ଯୁକ୍ତରାଷ୍ଟ୍ର ସାଧାରଣ ସଭାର ପ୍ରଧାନ ଫିଲେମନ୍ ଯାଙ୍ଗ, ଭାରତର ପରମାଣୁ ପ୍ରତିନିଧି ପାର୍ବତନେନୀ ହରିଶ୍, ଯୁକ୍ତରାଷ୍ଟ୍ର ଉପ ସଚିବ ଅତୁଲ୍ ଖାରେ, ଶ୍ରୀଲଙ୍କାର ପରମାଣୁ ମିଶନ୍ କର୍ମବାହୀ ସୁଗୀଶ୍ୱର ଗୁଣରତ୍ନ, ନେପାଳର ପରମାଣୁ ପ୍ରତିନିଧି ଲୋକ ବହାଦୁର ଥାପା ଭଳି ବହୁ ପ୍ରମୁଖ ବ୍ୟକ୍ତି ସାମିଲ ହୋଇଥିଲେ ।

ଗୁରୁଦେବ ଧ୍ୟାନକୁ ବିଶ୍ୱ ଶାନ୍ତି ଓ ସମ୍ମିଳନର ପ୍ରଭାବଶାଳୀ ଉପକରଣ ଭାବେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ‘ଏକ ଶାନ୍ତ ଓ ସନ୍ତୁଷ୍ଟ ମନ ସହଜରେ ଅନେକଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିପାରେ‘। ସମ୍ପୂର୍ଣ୍ଣ ସାମାଜିକ ସୁସ୍ଥତା, ସମ୍ମିଳନ ଓ ଆତ୍ମିକ ବୃଦ୍ଧି ପାଇଁ ସମସ୍ତଙ୍କୁ ଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ଧ୍ୟାନ ପ୍ରତ୍ୟେକ ଘର, ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଯାହା ଆଧୁନିକ ସମୟର ଆହ୍ୱାନ । ଏହା ଚିନ୍ତା, ପରିବାରିକ ହିଂସା ଓ ବଦଅଭ୍ୟାସ ପରିହାର କରିବାକୁ ଏକ ଉପକରଣ ଭାବରେ ସାହାଯ୍ୟ କରେ । ଏହା ଧର୍ମ, ଭୌଗଳିକ ସୀମା ଓ ବୟସରୁ ଊର୍ଦ୍ଧ୍ବରେ ସାର୍ବଭୌମ ଭାବରେ ଉପଯୋଗୀ ।  ଯଦି ପ୍ରତ୍ୟେକ ଦେଶର ଲୋକମାନେ ସେମାନଙ୍କର ଭାବନାଗତ ବ୍ୟବସ୍ଥାପନା ଓ ଶାନ୍ତି ବିକାଶ ଲାଗି ସେମାନଙ୍କର ଶିକ୍ଷାକୁ ଅଗ୍ରସର କରିବେ, ସେଥିରେ ବିଶ୍ୱ ଏକ ଶ୍ରେଷ୍ଠ ସ୍ଥାନରେ ପହଞ୍ଚିବ ବୋଲି କହିଥିଲେ ।

ସମାରୋହରେ ସାମିଲ ହୋଇ ବିଶିଷ୍ଠ ବ୍ୟକ୍ତି ସାମିଲ ହୋଇ ସେମାନଙ୍କ ମତାମତ ଦେଇଥିଲେ । ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ସମ୍ପାଦକ ରାଜକୁମାର୍ ହିରାଣୀ କହିଥିଲେ, ଏହି ପ୍ରାଚୀନ ଅଭିଯାନର ପରିବର୍ତ୍ତନଶୀଳ ଶକ୍ତିକୁ ଯୁକ୍ତରାଷ୍ଟ୍ର ସ୍ୱୀକୃତି ଦେଇ ୨୧ ଡିସେମ୍ବରକୁ ବିଶ୍ୱ ଧ୍ୟାନ ଦିବସ ଭାବରେ ଘୋଷଣା କରିଛି । ଗୁରୁଦେବଙ୍କ ବ୍ୟତୀତ କିଏ ଏହାର ନେତୃତ୍ୱ  ନେବା ପାଇଁ ସର୍ବୋତ୍ତମ ବ୍ୟକ୍ତି ।

ଅଭିନେତ୍ରୀ ଓ ଲୋକସଭା ସଦସ୍ୟା ହେମା ମାଲିନୀ କହିଛନ୍ତି, ଭାରତଙ୍କ ପାଇଁ ଏହା ଗର୍ବର ବିଷୟ । ଯୁକ୍ତରାଷ୍ଟ୍ର ୨୧ ଡିସେମ୍ବରକୁ ବିଶ୍ୱ ଧ୍ୟାନ ଦିବସ ଘୋଷଣା କରିଛି । ଧ୍ୟାନ ଆମକୁ ଅସୀମ ଶାନ୍ତି ଦିଏ, ସବୁ ଥର ଏହାକୁ ଅଭ୍ୟାସ କରିବାକୁ ସୁପାରିଶ କରିଥାଏ । ବ୍ରିଟିଶ୍ ରାପ୍ପର ଜୁବି ଧ୍ୟାନର ପ୍ରମୁଖତା ଓ ଆବଶ୍ୟକତାକୁ ନେଇ କହିଥିଲେ, ଯେତେବେଳେ ସଂଘର୍ଷ ଓ ଅସ୍ଥିରତାର ସମୟ ଆସେ ସେ ସମୟରେ ଧ୍ୟାନ ହେଉଛି ମନରେ ସ୍ଥିରତା ଆଣିବାର ସାଧାରଣ ପଥ । ତାଙ୍କର ସମସ୍ତ ପ୍ରଶଂସକଙ୍କୁ ବିଶ୍ୱ ଧ୍ୟାନ ଦିବସ ଗୁରୁଦେବଙ୍କ ସହିତ ପାଳନ କରିବାକୁ ସେ ଅନୁରୋଧ କରିଥିଲେ ।

ବିଶ୍ୱ ଧ୍ୟାନ ଦିବସ ଉପଲକ୍ଷରେ, ସମ୍ପୂର୍ଣ୍ଣ ବିଶ୍ୱ ଧ୍ୟାନରେ ଏକତ୍ରିତ ହେଲା । ଆଷ୍ଟ୍ରେଲିଆରୁ ଆରମ୍ଭ ହୋଇ, ବିଶ୍ୱ ଧ୍ୟାନ ଲହରି ବିଶ୍ୱ ସାରା ପ୍ରସାରିତ ହେଲା । ଏହା ୧୦୦ଟି ସ୍ଥାନକୁ ପ୍ରଭାବିତ କରିଛି । ଯୁକ୍ତରାଷ୍ଟ୍ରର ଉଦଘାଟନ ସମାରୋହ ପରେ, ମାଲେସିଆ ଓ ଲାଓସରେ ଆର୍ଟ ଅଫ୍ ଲିଭିଂ ଧ୍ୟାନ ପ୍ରୋଗ୍ରାମ୍ ଆୟୋଜିତ ହୋଇଥିଲା । ଭାରତର ସ୍କୁଲ, କର୍ପୋରେଟ୍, ମାଧ୍ୟମ ସଂସ୍ଥା, କୃଷି ସମିତିଗୁଡିକ ଓ ଜେଲ୍ ସମୂହ ସେଥିରେ ଯୋଗ ଦେଇଥିଲେ ।

ତୀବ୍ର ହେଲାଣି ବିଜେପିରେ ଅନ୍ତଃକନ୍ଦଳ, କଟକ ସଦର ବିଧାୟକଙ୍କ ଉପରେ ବର୍ଷିଲେ ଦିଲୀପ

କଟକ: ବିଜେପିରେ ବଢୁଛି ଅନ୍ତଃକନ୍ଦଳ । ପୁରୁଣା କର୍ମୀ ଓ ନେତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ । ଜୟନାରାୟଣ ମିଶ୍ରଙ୍କ ପରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଲୀପ ମଲ୍ଲିକ । ସିଧାସଳଖ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ସେ କରିଛନ୍ତି ଟାର୍ଗେଟ । ପୁରୁଖା ନେତା ଓ କର୍ମୀଙ୍କୁ ବିଧାୟକ ଅଣଦେଖା ଓ ଅବହେଳା କରୁଥିବାର ଅଭିଯୋଗ କରିଛନ୍ତି ଦିଲୀପ ।

ବିଜେପି ସରକାରର ମାତ୍ର ୬ ମାସରେ ଭିତରେ ଦଳରେ ଭୟଙ୍କର ହେଲାଣି ଅସନ୍ତୋଷ ନିଆଁ । ସମ୍ବଲପୁରରୁ କଟକ ଯାଏଁ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଲାଣି । କେଉଁଠି ବରିଷ୍ଠ ନେତାଙ୍କୁ କୋଣଠେସା କରି ଦିଆଯାଇଛି ତ ଆଉ କେଉଁ ଦଳୀୟ କର୍ମୀଙ୍କୁ ଅଲୋଡ଼ା କରି ଦିଆଗଲାଣି । କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ସିଧା ନିଶାନା କରି ଅସନ୍ତୋଷ ପ୍ରକାଶ କରିଛନ୍ତି ଦଳର ବରିଷ୍ଠ ନେତା ଦିଲୀପ ମଲ୍ଲିକ । ସେ କହିଛନ୍ତି, ବିଧାୟକ ସଂଗଠନ କ’ଣ ଜାଣିନାହାନ୍ତି, ବିଜେପିକୁ ବୁଝି ନାହାନ୍ତି । ସୋସିଆଲ ମିଡ଼ିଆରେ ଦିଲୀପ ଅଭିଯୋଗ କରିଛନ୍ତି, ୧୫ ବର୍ଷ ଧରି ପ୍ରତିକୂଳ ପରିସ୍ଥିତିରେ ସଂଗଠନକୁ ମଜଭୁତ କରିଥିବା ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରାଯାଉଛି । ଏହା ବ୍ୟଥିତ କରିଥିବା କହିଛନ୍ତି ଦିଲୀପ । ସେ ନିଜର ଦଳର ବିଧାୟକ ପ୍ରକାଶ ସେଠୀଙ୍କୁ ନୂଆ ବୋହୂ କହି କଟାକ୍ଷ କରିବାକୁ ବି ପଛାଇ ନାହାନ୍ତି ।

ଆଗରୁ ଦଳ ବିରୋଧରେ ବର୍ଷିଥିଲେ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ର । ଦଳରେ ତାଙ୍କୁ କୋଣଠେସା କରାଯାଇଛି ବୋଲି କରିଥିଲେ ଅଭିଯୋଗ । ଏବେ ବର୍ଷିଛନ୍ତି ଦିଲୀପ । ଏହା ପରେ ସରକାରୀ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ମାନିଛନ୍ତି, ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି, ଏହାର ସମାଧାନ କରାଯିବ । ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି ଚେତାଇ ଦେଇଛନ୍ତି, କର୍ମୀଙ୍କୁ ଅଣଦେଖା କରିବା ବିଜେପିକୁ ଆଗାମୀ ଦିନରେ ମହଙ୍ଗା ପଡ଼ିବ । ନେତୃତ୍ବ ନେଉଥିବା ବରିଷ୍ଠ ନେତା ସତର୍କ ହେବା ଆବଶ୍ୟକ ।

ବିଜେପିରେ ଦିନକୁ ଦିନ ଅସନ୍ତୋଷର ନିଆଁ ଭୟଙ୍କର ରୂପ ନେବାରେ ଲାଗଛି । ଅଧା ଗଢା ମନ୍ତ୍ରୀ ପରିଷଦ, ଏଯାଏଁ ନିଗମ ବଣ୍ଟନ ନ ହେବାରୁ ଏହା ସ୍ପଷ୍ଟ ଜଣାପଡ଼ୁଛି । ରାଜ୍ୟସ୍ତରର ଏହି କଳି ଦିଲ୍ଲୀ ବିଜେପିକୁ ଚିନ୍ତାରେ ପକାଇଲାଣି ।

ନରସିଂହଙ୍କ ଅଭିଯୋଗ ସତ: ମଣ୍ଡିରେ ଓଜନ ମେସିନରେ ହେଉଛି ଠକେଇ

ବଲାଙ୍ଗୀର: ସତ ହେଲା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଭିଯୋଗ । ବଲାଙ୍ଗୀର ଜିଲ୍ଲାରେ ମଣ୍ଡିରେ ଓଜନ ମେସିନରେ ଠକେଇ ହେଉଥିବା ସତ ପଦାକୁ ଆସିଲା । ରାଜ୍ୟ ସରକାର ଚାଷୀଙ୍କୁ କିପରି ଲୁଟ୍ କରୁଛନ୍ତି ସେ ନେଇ ଗତ ୨ ଦିନ ତଳେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗୁରୁତର ଅଭିଯୋଗ ଆଣିଥିଲେ । ଏବେ ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଧରା ପଡ଼ିଛି କିପରି ଭାବେ କଟନୀ ଛଟନୀ ସହ ଓଜନରେ ହେଉଛି ଲୁଟ୍ ।

ଗୁଡ଼ଭେଲା ବ୍ଲକ ରୁଷୁଡ଼ା ସମବାୟ ସମିତିରେ ଓଜନରେ ଠକାମୀକୁ ଧରିଛନ୍ତି ଚାଷୀ । ମଣ୍ଡିରେ ଚାଷୀଙ୍କ ଧାନ ଓଜନରେ ଠକେଇ ଦେଖି ବିରୋଧ କରିଥିଲେ ଚାଷୀ । ଯାହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଥରେ ଓଜନ କଲେ ଧାନ ପ୍ରାୟ ୨ କେଜି କମ ହେଉଛି । ପ୍ରତିବାଦ ପରେ ଓଜନ ମେସିନକୁ ପେକ୍ସ ପକ୍ଷରୁ ଲୁଚାଇ ଦିଆଯାଇଛି । ରୁଷୁଡ଼ା ଗାଁର ଚାଷୀ ରମାକାନ୍ତ ଭୋଇ ରୁଷୁଡ଼ା ସମବାୟ ସମିତିରେ ଧାନ ବିକ୍ରି ପାଇଁ ଓଜନ ସମୟରେ ଓଜନର ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ । ଚାଷୀ ଜଣଙ୍କ ନିଜ ଘର ଓଜନ ମେସିନକୁ ଆଣି ମଣ୍ଡିରେ ଧାନ ଓଜନ କରିଥିଲେ । ମଣ୍ଡିରେ ଥିବା ମେସିନ ଓ ତାଙ୍କର ମେସିନ ମଧ୍ୟରେ ଥରେ ଓଜନ କଲେ ପ୍ରାୟ ୨ କେଜି ଓଜନର ଫରକ ଦେଖାଯାଇଥିଲା । ଅନ୍ୟ ଚାଷୀମାନେ ହୋହାଲ୍ଲା ପରେ ଆରଏମସି କର୍ମଚାରୀ ଉପସ୍ଥିତ ରହି ୨ଟି ମେସିନରେ ମାପ କରାଇଥିଲେ । ପରେ ଆରଏମସି ପକ୍ଷରୁ ୪ଟି ଅନ୍ୟ ଓଜନ ମେସିନ ଦିଆଯାଇଥିଲା । ନୂଆ ମେସିନର ଓଜନ ଓ ଚାଷୀ ରମାକାନ୍ତ ଆଣିଥିବା ମେସିନ ପ୍ରାୟ ସମାନ ହୋଇଥିଲା । ଏନେଇ ପ୍ଯାକ୍ସ ସଂପାଦକ କାର୍ତ୍ତିକ ମଚ୍ଛିକ ଆରଏମସି ମେସିନ ଦେଇଥିବା କହି ନିଜ ଦୋଷ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି । ଚଳିତବର୍ଷ ମଣ୍ଡି ଖୋଳିବା ପରେ ଏହି ଓଜନ ମେସିନରେ ପ୍ରାୟ ୨୨ ଶହ କୁଇଣ୍ଟାଲ ଧାନ କିଣା ଗଲାଣି । ସେଥିରେ ମଧ୍ୟ ଓଜନରେ ବ୍ୟାପକ ଠକେଇ ହୋଇଥିବା ଅଭିଯୋଗ ହୋଇଛି I ପ୍ଯାକ୍ସର ଅସାଧୁ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି ଚାଷୀ ।

ଅଦିନିଆ ବର୍ଷାରେ ଭାଙ୍ଗି ଗଲାଣି ଅନ୍ନଦାତାଙ୍କ ଅଣ୍ଟା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା

ଭୁବନେଶ୍ବର: ଅଦିନିଆ ବର୍ଷା ଦୋହଲି ଦେଇଛି ଚାଷୀ ମନ । ଏମିତି ସ୍ଥିତିରେ ଚାଷକୁ ସୁରକ୍ଷା ଦେବାକୁ ସରକାର ପ୍ରସ୍ତୁତ ଥିଲେ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ମଣ୍ଡି ଅବ୍ୟବସ୍ଥା ଯୋଗୁଁ ବର୍ଷାରେ ଧାନ ନଷ୍ଟ ହେଲାଣି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ଧାନ କିଣା ବ୍ୟବସ୍ଥାକୁ ପଦାରେ ପକାଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ ସମବାୟ ମନ୍ତ୍ରୀଙ୍କ ଅଜବ ଯୁକ୍ତି, ଖରାରେ ଓଦା ଧାନ ଶୁଖିବା ପରେ ପୁଣି କିଣିବେ ରାଜ୍ୟ ସରକାର ।

ଅଦିନିଆ ବର୍ଷାରେ ଉପକୂଳ ଓଡ଼ିଶାରେ ଚାଷ କ୍ଷତିଗ୍ରସ୍ତ । ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ତେବେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଶ୍ନ କରିଛନ୍ତି ବିଜେଡି ଓ କଂଗ୍ରେସ । ସରକାର ବାରମ୍ବାର ଘୋଷଣା କରିଥିଲେ । ଏବେ ଗ୍ରାଉଣ୍ଡରେ କ’ଣ ଅବସ୍ଥା ନିଜେ ଯାଇ ଦେଖନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ହଜାର ହଜାର ଏକର ଧାନ ଚାଷ ବର୍ଷାରେ ନଷ୍ଟ ହେଉଛି । ଯେଉଁ ଚାଷୀର ଧାନ ଅମଳ ହୋଇଯାଇଛି ତା’ ପାଖରେ ଟୋକନ ନାହିଁ । ଯାହାର ଧାନ ଅମଳ ହୋଇନାହିଁ, ତାକୁ ଟୋକନ ଦିଆଯାଇଥିବା ବିଜେଡି ଅଭିଯୋଗ କରିଛି । ଚାଷୀ ଅମଳ ଧାନକୁ ସାଇତିବାକୁ ଜାଗା ଖୋଜୁଛି । ବର୍ଷା ପାଣି ମଣ୍ଡିରେ ପଶି ଧାନ ନଷ୍ଟ କରି ଦେଲାଣି । ଅନେକ ଧାନ ଟ୍ରକ୍ ମଣ୍ଡିକୁ ନଯାଇ ସିଧା ମିଲକୁ ଯାଉଛି । ଏହାଦ୍ବାରା କେମିତି ଚାଷୀଙ୍କ ବିକାଶ ହେବ ବୋଲି ପ୍ରଶ୍ନ କରିଛି ବିଜେଡି । ଅଦିନିଆ ବର୍ଷା ଯୋଗୁଁ ଧାନର ରଙ୍ଗ ବଦଳିବା ସହ ଏଫଏକ୍ୟୁ ମାନକୁ ପ୍ରଭାବିତ କରିବ । ଯାହାଦ୍ବାରା ଚାଷୀ କ୍ଷତି ସହିବେ । ଚାଷୀ ବାଧ୍ୟ ହୋଇ ଦଲାଲଙ୍କୁ ଧାନ ବିକ୍ରି କରି ଶୋଷଣର ଶିକାର ହେବେ । ସରକାରଙ୍କ ସବୁ ଘୋଷଣା ନିରର୍ଥକ ହୋଇଯାଇଛି । ଦଲାଲ ବି ସକ୍ରିୟ ଅଛନ୍ତି । ମଣ୍ଡିରେ କେମିତି ଚାଷୀଙ୍କ ଧାନ ସୁରକ୍ଷିତ ରହିବ, ସେ ଉପରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି ।

ଅଦିନିଆ ବର୍ଷାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ନଥିବା ପରି ସନ୍ଦେହ ଉପୁଜିଛି । ହେଲେ ସମବାୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପାଇଁ ଓକିଲାତି କରିବାକୁ ଯାଇ ଅବାନ୍ତର ଯୁକ୍ତି ରଖିଛନ୍ତି । ବର୍ଷାରେ ଧାନ ନଷ୍ଟ ହେଲାଣି । ହେଲେ ସମବାୟ ମନ୍ତ୍ରୀ କହୁଛନ୍ତି ଖରାରେ ଧାନ ଶୁଖିବା ପରେ ପୁଣି ଗ୍ରହଣ କରିବ ସମବାୟ ବିଭାଗ । ଏହି ବିଚିତ୍ର ଯୁକ୍ତିକୁ କଟାକ୍ଷ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ପାଖରେ ବୋଧେ କିଛି ମନ୍ତ୍ର ଅଛି ବୋଲି ଖରାରେ ଶୁଖାଇ ଧାନ ଠିକ ହେବା କଥା କହୁଛନ୍ତି । ବର୍ଷାରେ ଧାନ ନଷ୍ଟ ହେଉଛି । ଏଥିପାଇଁ ବିପର୍ଯ୍ୟସ୍ତ ମଣ୍ଡି ବ୍ୟବସ୍ଥାକୁ କଂଗ୍ରେସ ଟାର୍ଗେଟ କରିଛି । ଧାନ ରଖିବା ଲାଗି ଗୋଦାମ ଅଛି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସରକାର ବାହସ୍ଫୋଟ ନ ମାରି ଚାଷୀଙ୍କୁ ସୁରକ୍ଷା ଦେବାକୁ କଂଗ୍ରେସ ଦାବି କରିଛି ।

ରାଜ୍ୟବାସୀଙ୍କ ଉପରେ ପଡ଼ିବ ଆଉ ଏକ ଚଡ଼କ; ୨୦୨୫ରୁ ବଢ଼ିବ ବିଜୁଳି ଦର !

ଭୁବନେଶ୍ବର: ଆସନ୍ତା ଏପ୍ରିଲ ମାସରୁ ବଢିପାରେ ବିଜୁଳି ଦର । ଆସନ୍ତା ଆର୍ଥିକବର୍ଷରୁ ବିଜୁଳି ଦର ବଢାଇବାକୁ ଗ୍ରୀଡକୋ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ, ଓଇଆରସି ପାଖରେ ସୁପାରିଶ କରିଛି । ଏହାକୁ ଓଇଆରସି ଓ ରାଜ୍ୟ ସରକାର ଗ୍ରହଣ କଲେ ବିଜୁଳି ୟୁନିଟ ପିଛା ୫୪ ପଇସା ବଢିପାରେ । ଗ୍ରୀଡ଼କୋର ବିଜୁଳି ଦର ସୁପାରିଶକୁ ବେଆଇନ, ଅଯୌକ୍ତିକ ଓ ଜନ ବିରୋଧୀ କହି ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି କହିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଏହାକୁ ନେଇ ବିଜେଡି କହିଛି, ଦରବୃଦ୍ଧିରେ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ ବିଜୁଳି ଦର ବୃଦ୍ଧି ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ସଦୃଶ ହେବ । ଆସନ୍ତାବର୍ଷରୁ ବିଜୁଳି ଦର ବୃଦ୍ଧି ନେଇ ଓଇଆରସି ପାଖରେ ଚାଲିଛି ଶୁଣାଣି ।

ଏପ୍ରିଲ ୨୦୨୫ରୁ ବଢିପାରେ ବିଜୁଳି ଦର । ୟୁନିଟ ପିଛା ୫୪ ପଇସା ବଢାଇବାକୁ ସୁପାରିଶ କରିଛି ଗ୍ରୀଡ଼କୋ । ବିଜୁଳି ଦର ବଢିଲେ ବ୍ୟାପକ ଆନ୍ଦୋଳନ କରିବାକୁ ଉପଭୋକ୍ତା ମହାସଂଘ ଚେତାବନୀ ଦେଇଛି । ଏମିତି ତ ଦରବୃଦ୍ଧିରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।  ବିଜୁଳି ଦର ବଢିଲେ ତାହା ବେଡ଼ି ଉପରେ କୋରଡ଼ା ମାଡ଼ ହେବ ବୋଲି ବିଜେଡି ମତ ଦେଇଛି । ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ, ଓଇଆରସି ପାଖରେ ଆରମ୍ଭ ହୋଇଛି ଶୁଣାଣି । ଆସନ୍ତା ଆର୍ଥିକ ବର୍ଷରୁ ବିଜୁଳି ଦର ଧାର୍ଯ୍ୟ ପୂର୍ବରୁ ବିଭିନ୍ନ କମ୍ପାନୀ ଓଇଆରସିଙ୍କ ପାଖରେ ପକ୍ଷ ରଖୁଛନ୍ତି । ଗ୍ରୀଡ଼କୋର ଯୁକ୍ତି ଅନୁସାରେ ବିଜୁଳି କିଣାବିକା ଓ ଆନୁଷଙ୍ଗିକ ଖର୍ଚ୍ଚକୁ ଦେଖିଲେ ବିଜୁଳି ଦର ସ୍ଲାବ ବଢାଇବାକୁ ପଡ଼ିବ । ୨୦୨୫-୨୬ରେ ରାଜ୍ୟରେ ମୋଟ ୩୮ ହଜାର ୮୧୪ ୟୁନିଟ ବିଜୁଳି ବିକ୍ରି କରିବାକୁ ଯୋଜନା ଥିବା ବେଳେ ଏଥିପାଇଁ ୧୫ ହଜାର ୩୪୭ କୋଟି ଟଙ୍କା ଆବଶ୍ୟକ । ଗ୍ରୀଡକୋର ଏଭଳି ଯୁକ୍ତିକୁ ଦୃଢ ବିରୋଧ କରିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ।

ଦୁଇ ବର୍ଷ ହେଲା ରାଜ୍ୟରେ ବିଜୁଳି ଦର ବଢି ନାହିଁ । ହେଲେ ଏଥର ନୂଆ ସରକାରର ପ୍ରଥମ ବର୍ଷରେ ବିଜୁଳି ଦର ବଢିବା ନେଇ ଅନୁମାନ କରାଯାଉଛି । ଓଏଚପିସି, ଓପିଜିସି ଭଳି ବିଦ୍ୟୁତ ଉତ୍ପାଦନ କମ୍ପାନୀରୁ ବିଜୁଳି କିଣିବା ପରେ ଗ୍ରୀଡକୋ ବିଦ୍ୟୁତ ପରିବହନ କମ୍ପାନୀ ଓପିଟିସିଏଲ୍ ଓ ଏସଏଲଡିସି ଜରିଆରେ ଟାଟା ଭଳି ବିଦ୍ୟୁତ ବିତରଣ କମ୍ପାନୀ ପାଖରେ ପହଞ୍ଚାଇଥାଏ । ଗ୍ରୀଡକୋର ସୁପାରିଶ ପରେ ଉତ୍ପାଦନ, ପରିବହନ ଓ ବିତରଣ କରୁଥିବା କମ୍ପାନୀ ମଧ୍ୟ ସେମାନଙ୍କ ପକ୍ଷ ଓଇଆରସି ପାଖରେ ରଖିବେ । ଗ୍ରୀଡକୋର ଯୁକ୍ତିକୁ ସରକାର ଓ ଓଇଆରସି ଗ୍ରହଣ କଲେ ବିଜୁଳି ଦର ୟୁନିଟ ପିଛା ୫୦ ପଇସାରୁ ଅଧିକ ବଢିବା ନିଶ୍ଚିତ ବୋଲି କୁହାଯାଉଛି ।

ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୧ ରୁ ୫୦ ୟୁନିଟ ପାଇଁ ୨ ଟଙ୍କା ୯୦ ପଇସା, ୫୧ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ ପାଇଁ ୬ ଟଙ୍କା ୧୦ ପଇସା ରହିଛି ।

ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ, ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ‘ବଜାର’

ଭୁବନେଶ୍ବର: ଦରଦାମ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଲ ହୋଇଥିବା ବେଳେ ଏବେ ବଜାର ଉପରୁ ବି ନିୟନ୍ତ୍ରଣ ହରାଇଛନ୍ତି । ଆଳୁ ସମସ୍ୟା ବ୍ୟାପକ ହେଉଥିବା ବେଳେ ଏହାର ସମାଧାନ କରିବା ତ ଦୂରର କଥା ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ସମାନତା ରକ୍ଷା କରିବାରେ ମଧ୍ୟ ସରକାର ବିଫଳ । ମନଇଚ୍ଛା ଦରରେ ବିକ୍ରି ହେଉଛି ଆଳୁ । ଯାହାକୁ ନେଇ ସାଧାରଣ ଲୋକଙ୍କ ସମେତ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟ ଅସନ୍ତୋଷ ଝାଡିଛନ୍ତି । ଏକ ସ୍ୱତନ୍ତ୍ର ପଲିସି ଆଣିବା ସହ ବଜାର ଦର ଉପରେ ନିୟନ୍ତ୍ରଣ ଆଣିବାକୁ ଦାବି ଜୋର ଧରିଛି ।

ଆଳୁ କେଉଁଠି ୪୦ ଟଙ୍କାରେ ବିକ୍ରି ହେଉଛି ତ ଆଉ କେଉଁଠି ୪୫ ଓ ଆଉ କେଉଁଠି ୫୦ ଟଙ୍କାରେ ବିକ୍ରି ହେଉଛି । ବାଇଗଣ ୪୦ରୁ ୫୦, ବିନ୍ସ ୫୦ରୁ ୬୦, ପିଆଜ ୪୦ରୁ ୬୦ ଟଙ୍କା ପ୍ରତି କେଜି ଦର ରହିଛି । ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଓ ପନିପରିବାର ଦର ଏବେ ଉପରମୁହାଁ । ଯିଏ ଯେଉଁଠି ପାରିଲା ମନଇଚ୍ଛା ଦରରେ ବିକଛନ୍ତି । ଆଳୁ ସଂକଟର ସମାଧାନ କରିବାରେ ବିଫଳ ରାଜ୍ୟ ସରକାର ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ସମାନତା ଆଣିପାରିନାହାନ୍ତି । ବଜାରରେ ଏବେ ପରିବା ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହେଉଥିଲେ ମଧ୍ୟ କ୍ଷୁଦ୍ର ବ୍ୟବସାୟୀ ତାଙ୍କ ଇଚ୍ଛା ମୁତାବକ ଦରରେ ବିକ୍ରି କରୁଛନ୍ତି । ବଜାର ଦର ଉପରେ ଯୋଗାଣ ବିଭାଗର ଆଦୌ ନିୟନ୍ତ୍ରଣ ନାହିଁ, ବରଂ ବର୍ଦ୍ଧିତ ଦରଦାମକୁ ନେଇ ଲୋକଙ୍କୁ ଅଭ୍ୟସ୍ତ କରି ଦିଆଯାଇଛି । ଏହାକୁ ନେଇ ସାଧାରଣ ଗ୍ରାହକ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ।

ବଜାରରେ ବଡ଼ ବ୍ୟବସାୟୀ ଠିକ ଦରରେ ପନିପରିବା ବିକୁଥିବା କହିବା ସହ ଆଳୁ ଦର କିନ୍ତୁ ଉଚ୍ଚା ରହିଥିବା କହିଛନ୍ତି । କ୍ଷୁଦ୍ର ବ୍ୟବସାୟୀମାନେ ମନଇଚ୍ଛା ଦରରେ ଆଳୁ, ପିଆଜ, ରସୁଣ, ଅଦା ଓ ପନିପରିବା ବିକ୍ରି କରୁଛନ୍ତି । ଯାହା ଉପରେ ସରକାର ନିୟନ୍ତ୍ରଣ ରଖିବା ଦରକାର ବୋଲି କୁହାଯାଇଛି । ସେପଟେ ରାଜ୍ୟ ବ୍ୟବସାୟୀ ମହାସଂଘ ମଧ୍ୟ ଗ୍ରାହକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମାର୍କେଟ ପଲିସି ଆଣିବା ସହ ବଜାର ଉପରେ ନଜର ରଖିବାକୁ ଦାବି କରିଛନ୍ତି । ଏହି ଦାୟିତ୍ୱ ସରକାରଙ୍କର ତାହା କ’ଣ ସରକାରଙ୍କୁ ଶିଖାଇବାକୁ ପଡିବ କି ବୋଲି ପ୍ରଶ୍ନ କରିଛି ମହାସଂଘ ।

ସରକାର ନା ଦରଦାମ ନିୟନ୍ତ୍ରଣ କରିବାକୁ କିଛି ଉଦ୍ୟମ କରୁଛନ୍ତି ନା ଆଳୁ ସଙ୍କଟ ସମାଧାନ ପାଇଁ ଆଗ୍ରହ ଦେଖାଉଛନ୍ତି । ଜନତାଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ସରକାରଙ୍କ ରହିଛି ଉଦାସୀନ ମନୋଭାବ । ଏହାକୁ ନେଇ ତୃଣମୂଳ ସ୍ତରରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଡିଏଭି ୟୁନାଇଟେଡ ଫେଷ୍ଟିଭାଲରେ ନବୀନ; ସ୍କୁଲର ଶିକ୍ଷାଦାନ ପଦ୍ଧତିକୁ କଲେ ପ୍ରଶଂସା

ଭୁବନେଶ୍ବର: ଭୁବନେଶ୍ୱରରେ ଷଷ୍ଠ ଡିଏଭି ୟୁନାଇଟେଡ ଫେଷ୍ଟିଭାଲ ଆରମ୍ଭ ହୋଇଛି । ଏଥର ଥିମ ରହିଛି ‘ରାଇଜିଙ୍ଗ ଓଡିଶା’ । ଦୁଇ ଦିନିଆ କାର୍ଯ୍ୟକ୍ରମର ଆଜି ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ବହୁତ ଖୁସି ବୋଲି କହିବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୱାମୀ ଦୟାନନ୍ଦ ସ୍ବରସ୍ବତୀ, ଲାଲ ଲାଜପତ ରାୟ ଓ ମହାତ୍ମା ହଂସରାଜଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ଅବସରରେ ଡିଏଭି ସ୍କୁଲର ଶିକ୍ଷାଦାନ ପଦ୍ଧତିକୁ ନବୀନ ପ୍ରଶଂସା କରିଥିଲେ ।

ଅନ୍ତର୍ଜାତୀୟ କ୍ଷେତ୍ରରେ ଅନେକ ଉଚ୍ଚ ପଦବୀରେ ଡିଏଭି ଆଲମୁନିଙ୍କ ନାମ ରହିଛି । ଭୁବନେଶ୍ୱର ଏହି ଭଳି ମେଗା ଇଭେଣ୍ଟ ଆୟୋଜନ କରିଥିବାରୁ ଆଞ୍ଚଳିକ ନିର୍ଦ୍ଦେଶକ କେ.ସି. ଶତପଥୀଙ୍କୁ ପ୍ରଶଂସା କରିଥିଲେ ନବୀନ । ସେହିଭଳି ଅଲ ଇଣ୍ଡିଆ ଡିଏଭିର ସଭାପତି ପୁନମ ସୁରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ନବୀନଙ୍କ ୨୪ ବର୍ଷ ଶାସନ କାଳରେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ଭିତ୍ତିଭୂମି ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ଅବଦାନ ରହିଛି ବୋଲି ସେ କହିଥିଲେ ।

ନବୀନଙ୍କୁ ଦେଖିବାକୁ କ୍ରେଜ୍

ନବୀନଙ୍କୁ ଦେଖି କାନ୍ଦି ପକାଇଲ ମହିଳା

କାର୍ଯ୍ୟକ୍ରମରେ ନବୀନଙ୍କୁ ଦେଖିବା ପାଇଁ ଛୋଟ ବଡ଼ ସଭିଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ଓ ଆଲମୁନି ତାଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଆଜିର କାର୍ଯ୍ୟକ୍ରମରେ ହଜାରେ ଆଲମୁନି ଉପସ୍ଥିତ ଥିଲେ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଲିଉଡ ଓ ବଲିଉଡର ଅନେକ କଳାକାର ଯୋଗଦେବେ । ଆଜି ବଲିଉଡର ହାସ୍ୟ ଅଭିନେତା ସୁନିଲ ଗ୍ରୋଭର ଯୋଗ ଦେଇ ସଭିଙ୍କୁ ହସାଇ ହସାଇ ବେଦମ କରିଥିଲେ । ଅନ୍ୟପଟେ କଟକର ଜଣେ ମହିଳା ନବୀନ ପଟ୍ଟନାୟକଙ୍କୁ ଦେଖି ତାଙ୍କ ଲୁହକୁ ରୋକି ପାରି ନଥିଲେ । ନବୀନ ପଟ୍ଟନାୟକ ଆସିବାରୁ ଯିବା ପର୍ଯ୍ୟନ୍ତ ସେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କୁ ସଶକ୍ତ କରିବା କ୍ଷେତ୍ରରେ ନବୀନ ପଟ୍ଟନାୟକ ବଡ଼ ଅବଦାନ ରହିଛି । ସେ ହାରି କି ମଧ୍ୟ କୋଟି ଓଡ଼ିଆଙ୍କ ହୃଦୟ ଜିତିଛନ୍ତି ବୋଲି ସଭିଏଁ କହିଥିଲେ ।

ଭଲ ନାହିଁ ଦେଶର ଅର୍ଥନୀତି: ନଭେମ୍ବରରେ ସବୁ ରେକର୍ଡ ଭାଙ୍ଗିଲା ବାଣିଜ୍ୟ ନିଅଣ୍ଟ

ଭୁବନେଶ୍ବର: ଡଲାର ତୁଳନାରେ ଦିନକୁ ଦିନ ଦୁର୍ବଳ ହେଉଛି ଟଙ୍କା । କମୁଛି ରପ୍ତାନୀ, ବଢୁଛି ଆମଦାନୀ । ନଭେମ୍ବରରେ ସବୁ ରେକର୍ଡ ଭାଙ୍ଗିଛି ବାଣିଜ୍ୟ ନିଅଣ୍ଟ । କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ କହୁଛି, ଗତମାସରେ ବାଣିଜ୍ଯ ନିଅଣ୍ଟ ୩୭.୮ ବିଲିୟନ ଡଲାର ଅର୍ଥାତ ୩ ଲକ୍ଷ ୧୪ ହଜାର ୫ ଶହ କୋଟି ଛୁଇଁଛି । ଏପରି ଚାଲିଲେ ଦେଶର  ଅର୍ଥନୀତି ଆହୁରି ଦୁର୍ଦ୍ଦିନକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଦେଶରେ ରପ୍ତାନୀ କମୁଛି । ସୁନା, ତୈଳ, ଔଷଧ ଆମଦାନୀ ଯୋଗୁଁ ବାଣିଜ୍ୟ ନିଅଣ୍ଟ ସବୁ ରେକର୍ଡ ପାର କରିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୫ ଟଙ୍କା ପାର୍ କଲାଣି । ଯାହାକି ଗତ ୧୦ ମାସ ଭିତରେ ସର୍ବାଧିକ । ଆଗକୁ ଟଙ୍କାର ମୂଲ୍ୟ ଆଡୁରି ଦୁର୍ବଳ ହେବାର ଆଶଙ୍କା ରହିଛି । ୨୦୨୪ ଏପ୍ରିଲରୁ ନଭେମ୍ବର ଭିତରେ ଦେଶର ରପ୍ତାନୀ ହାର ୨.୨ ପ୍ରତିଶତ ରହିଛି ଯାହାକି ୨୪ ଲକ୍ଷ ୧୪ ହଜାର କୋଟି । ଅନ୍ୟପଟେ ଆମଦାନୀ ପରିମାଣ ୪ ଗୁଣ ବଢି ୮.୩ ପ୍ରତିଶତରେ ପହଞ୍ଚିଛି ।

୮ ମାସ ଭିତରେ ଭାରତର ସୁନା, ତୈଳ ଆମଦାନୀ ପରିମାଣ ୪୧ ଲକ୍ଷ ୩୧ ହଜାର କୋଟି ହୋଇଛି । ସବୁଠୁ ସୁନା ଆମଦାନୀ ନେଇ ଭାରତକୁ ଅଧିକ ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ିଛି । ଯାହାକି ବାଣିଜ୍ୟ ଅସନ୍ତୁଳନକୁ ଆହୁରି ବଢାଇ ଦେଇଛି । ପୂର୍ବତନ ଅର୍ଥମନ୍ତ୍ରୀଙ୍କ ଆଶଙ୍କା ଏପରି ଚାଲିଲେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହେବ । କେନ୍ଦ୍ର ସରକାରଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିବ । ଯାହାକି ଘରୋଇ ଉତ୍ପାଦକୁ ଆହୁରି ପ୍ରଭାବିତ କରିବ । ଦରଦାମ ଆକାଶଛୁଆଁ ହୋଇଥିବାରୁ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସୁନି । ବାଣିଜ୍ୟ ନିଅଣ୍ଟ ବଢିଲେ ଦରଦାମ ଆଉ ନିୟନ୍ତ୍ରଣକୁ ଆସିବନି । ଏସବୁ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତିର କୁପରିଣତି । ଏହି କଥାକୁ ଶିଳ୍ପ ସଂଘ ଅନୁଭବ କରୁଥିଲେ ବି ସିଧା ସିଧା କେନ୍ଦ୍ର ସରକାରଙ୍କ ବିରୋଧରେ କହିବାକୁ ଥ ଥ ମ ମ ହୋଇଛି ।

ବିଶ୍ବରେ ଶିଳ୍ପ ଉତ୍ପାଦ ରପ୍ତାନୀରେ ଭାରତ ନବମ ସ୍ଥାନରେ ରହିଥିବାବେଳେ ସେବା ରପ୍ତାନୀରେ ଷଷ୍ଠ ସ୍ଥାନରେ ରହିଛି । ବିଶ୍ବରେ ମାନ୍ଦାବସ୍ଥା ଚାଲିଛି ସତ । ହେଲେ ଜାପାନ, ଦକ୍ଷିଣ କୋରିଆ ଓ ଚୀନ ତୁଳନାରେ ଭାରତର ରପ୍ତାନୀ ବହୁତ କମ୍ । ଯେପର୍ଯ୍ୟନ୍ତ ରପ୍ତାନୀ ବୃଦ୍ଧି ନ ହେବ ସେ ପର୍ଯ୍ୟନ୍ତ ଭାରତର ବାଣିଜ୍ୟ ନିଅଣ୍ଟ ସମୁତୁଲ ହେବନି ।

ଭାରତ ପ୍ରତିରକ୍ଷା ରପ୍ତାନୀ ଉଲ୍ଲେଖନୀୟ ରହିଛି । କିନ୍ତୁ ନୂଆ ଉଦ୍ଭାବନ ଓ ଗୁଣାତ୍ମକ ଉତ୍ପାଦନରେ ଅନ୍ୟ ଦେଶ ତୁଳନାରେ ଭାରତ ସେତେଟା ପ୍ରତିଯୋଗିତାମୂଳକ ହୋଇପାରିନି । ଏବେ ଦେଶର ଜିଡିପି ତୁଳନାରେ ବାଣିଜ୍ୟ ନିଅଣ୍ଟ ୧ ପ୍ରତିଶତ ରହିଛି । ଆଗକୁ ବାଣିଜ୍ୟ ନିଅଣ୍ଟ ଯଦି ଆହୁରି ବଢିବ ତା’ହେଲେ ଜିଡିପିର ୧.୪ ପ୍ରତିଶତକୁ ବାଣିଜ୍ୟ ନିଅଣ୍ଟ ଛୁଇଁବ ବୋଲି ଅର୍ଥନୀତି ସମୀକ୍ଷକ ମତ ଦେଇଛନ୍ତି ।

ବାଣିଜ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ନଭେମ୍ବରରେ ବୈଦ୍ଯୁତିକ ସାମଗ୍ରୀ ଆମଦାନୀ ୧୭.୪ ପ୍ରତିଶତ, ପେଟ୍ରୋଲିୟମ୍ ଉତ୍ପାଦ ୭.୯ ପ୍ରତିଶତ, ବୈଦ୍ଯୁତିକ ମେସିନାରୀ ୧୨.୮ ପ୍ରତିଶତ, କେମିକାଲ୍ସ ୬.୫ ପ୍ରତିଶତ ଓ ଖାଇବା ତେଲ ୮୭.୮ ପ୍ରତିଶତ ଭାରତ ବିଦେଶରୁ ଆମଦାନୀ କରିଛି ।