spot_img
Home Blog Page 1236

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡିରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ପ୍ରକ୍ରିୟା । ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ । ଗତକାଲି ଏନେଇ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ସେ କହିଛନ୍ତି, କାମ ସନ୍ତୋଷ ଜନକ ଭାବେ ଚାଲିଛି । ପରୀକ୍ଷା ମୂଳକ ଭାବେ ୩୦ ଓ ୩୧ ତାରିଖରେ ଧାଡି ଦର୍ଶନ ହେବ । ଆଉ ଏକ ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟା ଆସିବ । ସାତ ପାହାଚ ଦ୍ୱାର ଦେଇ ପ୍ରବେଶ, ଘଣ୍ଟି ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ୱାରରେ ମହିଳା ଓ ବରିଷ୍ଠ ନାଗରିକ ବାହାରିବେ । ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ ।

ସମ୍ବଲପୁରରେ ସକାଳ ଓ ନନ୍ଦିଘୋଷ ଟିଭିର ମିନି ମାରାଥନ

ସମ୍ବଲପୁର: ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ସମ୍ବଲପୁରରେ ଆରମ୍ଭ ହୋଇଛି ମିନି ମାରାଥନ । ସକାଳର ଚତୁର୍ଥ ସ୍ଵନକ୍ଷତ୍ର ଅବସରରେ ଏହି ମାରାଥନ ଆୟୋଜିତ ହୋଇଯାଇଛି ।

ମାରାଥନ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟରୁ ଆରମ୍ଭ ହୋଇ ଫର୍. ସି ଗ୍ରାଉଣ୍ଡରେ ପହଞ୍ଚିଛି । ଏକ ସୁସ୍ଥ ପରିବେଶ ଓ ସୁସ୍ଥ ଶରୀରର ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ଏହି ମିନି ମାରାଥନରେ ଶହ ଶହ ଛାତ୍ର ଛାତ୍ରୀ, ସହରବାସୀ ସାମିଲ ହୋଇଛନ୍ତି ।

ବାବା ଗୋରଖନାଥଙ୍କ ହୁଣ୍ଡିରୁ ବାହାରିଲା ୩୮ ଲକ୍ଷରୁ ଅଧିକ ଟଙ୍କା

ଜଗତସିଂହପୁର: ଖୋଲିଲା ପ୍ରଭୁ ଗୋରେଖନାଥ ମନ୍ଦିର ହୁଣ୍ଡି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଗୋରେଖନାଥ ପୀଠର ୭ଟି ହୁଣ୍ଡି ଖୋଲାଯାଇଛି । ଗତ ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି । ଏଥିରୁ ମୋ ୩୮ ଲକ୍ଷ ୪୦ ହଜାର ୩୯୫ ଟଙ୍କା ଆୟ ହୋଇଥିବା ଜଣାଯାଇଛି ।

ଗଣତି ସମୟରେ ତିର୍ତ୍ତୋଲ ତହସିଲଦାର, ଦେବୋତ୍ତର ଆୟୋକ୍ତ, ମନ୍ଦିର ପ୍ରଶାସନ, ଜିଲ୍ଲାର କେତେକ ଅଧିକାରୀ, ପୋଲିସ, ମନ୍ଦିରର କର୍ମକର୍ତ୍ତା ଏବଂ କେରେକେରା ଗାଁ ଲୋକଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । କଡା ସୁରକ୍ଷା ବଳୟ ଭିତରେ ହୁଣ୍ଡି ଖୋଲାଯାଇ ଗଣତି ପ୍ରକ୍ରିୟା କରାଯାଇଥିଲା ।

୬ ଡକାୟତ ଗିରଫ: ଟଙ୍କା ସହ ସୁନା ଓ ବନ୍ଧୁକ ଜବତ

ଆଳି: ଡକାୟତି ଘଟଣାରେ ୭ ଅଭିଯୁକ୍ତ ଗିରଫ । ସେମାନଙ୍କ ପାଖରୁ ଡକାୟତି ହୋଇଥିବା ଟଙ୍କା, ସୁନା ସହ ବନ୍ଧୁକ ଜବତ । ଆଲି ପୋଲିସ ଏହି ଡକାୟତି ଗ୍ୟାଙ୍ଗୁ ଧରିଛି । ଚଳିତ ମାସ ୪ ତାରିଖ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଅଙ୍ଗାରଖ ଗାଁର ପ୍ରଭାକାର ପ୍ରଧାନଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ୭ ଜଣ ଦୁର୍ବୃତ୍ତ ଜୋର ଜବରଦସ୍ତ ଘର ଭିତରେ ପଶି ଲୁଟ କରିଥିଲେ । ଏପରି କି ପରିବାର ଲୋକେ ବାଧା ଦେବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ ।

ଏହି ଘଟଣାରେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ୱାଡ଼ ଓ ଆଳି ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ଦୁଇଟି ତେଲେଙ୍ଗାନା କଟୁରୀ, ୪୬ ହଜାର ଟଙ୍କା, ୩ଟି ବାଇକ, ୬ଟି ମୋବାଇଲ, ସୁନା ଓ ରୂପା ଜବତ କରଯାଇଛି l ଗିରଫ ଅଭିଯୁକ୍ତଙ୍କ ନାଁରେ ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଥାନାରେ ଡକାୟତି ମାମଲା ଥିବା ପୋଲିସ କହିଛି ।

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

ନବରଙ୍ଗପୁର: ନବରଙ୍ଗପୁର ସହରରେ ମର୍ମନ୍ତୁଦ ଦୁର୍ଘଟଣା । ସହର ଗ୍ଲେଜ ହୋଟେଲ ନିକଟରେ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଦୁଇ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଅମିତ ବାଘ ଏବଂ ତ୍ରିଲୋଚନ ଯାନୀ । ଅମିତଙ୍କ ଘର ବଡ଼ ଡାଇଭଟ୍ଟା ହୋଇଥିବା ବେଳେ ତ୍ରିଲୋଚନଙ୍କ ଘର ନବରଙ୍ଗପୁର ସହରରେ ।

ତ୍ରିଲୋଚନ ସହର ଉପକଣ୍ଠ କୋରାପୁଟ ଜିଲ୍ଲାର ଆଉଁଳି ସ୍ଥିତ ଏକ ଢ଼ାବାରେ କାମ କରନ୍ତି । କାମ ସରିବା ପରେ ସେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ବାଇକରେ ଆସୁଥିବା ଅମିତଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଦୁଇ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।

ମାରାଥନ ବେଳେ ଯୁବକଙ୍କୁ ଗୁଳିମାଡ଼

ରାଉରକେଲା: ଷ୍ଟିଲସିଟି ରାଉରକେଲାରେ ସକାଳୁ ସକାଳୁ ଫୁଟିଲା ଗୁଳି । ସେକ୍ଟର ୩ ଛକ ନିକଟରେ ଯୁବକକୁ ଗୁଳିମାଡ । ମାରାଥନ ଚାଲିଥିବା ସମୟରେ ଫାୟାରିଂ ହୋଇଛି । ତେବେ କିଏ ଓ କାହିଁକି ଏହି କାଣ୍ଡ ଭିଆଇଲା ତାହା ସ୍ପଷ୍ଟ ହୋଇନି ।

ଆହତ କର୍ମଚାରୀ ଜଣେ ରେଳବାଇ କର୍ମଚାରୀ ବୋଲି ଜଣାପଡ଼ିଛି । ଗୁଳିମାଡ଼ରେ ସେ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କ ପିଠି ପଛପଟେ ଗୁଳି ସାମାନ୍ୟ ବାଜିଛି । ଆହତ କର୍ମଚାରୀ ହେଲେ ସଲିଲ କୁମାର ସାହୁ । ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅଭିଯୋଗ ପାଇବା ପରେ ସେକ୍ଟର ତିନି ଥାନା ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଆହତ ଯୁବକଙ୍କୁ ସିଧା ଗୁଳିମାଡ ହୋଇ ନଥିବା ପୋଲିସ କହିଛି । CISF ରେଞ୍ଜ ଫାୟରିଂ କୋର୍ସ ସମୟରେ ସେହି ଗୁଳି ଆସି ଯୁବକଙ୍କ ଦେହରେ ବାଜିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ଘର ଅଗଣାରୁ ଟାଣି ନେଇ ମାରି ଦେଲା ହାତୀ, ବନ କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣ

ବଣାଇ: ବଣାଇ ଜକୈକଳା ଗାଁରେ ହାତୀ ଆତଙ୍କ । ଘର ଅଗଣା ଝାଡୁ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଟାଣି ନେଇ ମାରି ଦେଲା ହାତୀ । ମୃତକ ହେଲେ ଧରଣୀ ପାତ୍ର । ଆଜି ସକାଳୁ ଏହି ଅଘଟଣ ଘଟିଛି । ଧରଣୀ ଝାଡୁ କରୁଥିବା ବେଳେ ହାତୀ ତାଙ୍କୁ ଟାଣି ନେଇ କଚାଡି ଦେଇଥିଲା । ପରିବାର ଲୋକେ ଚିତ୍କାର କରିବାକରୁ ପାଖ ପଡ଼ୋଶୀ ଧାଇଁ ଆସିଥିଲେ । ଫଳରେ ହାତୀଟି ଘଟଣା ସ୍ଥଳରୁ ପଳାଇ ଥିଲା । ଗୁରୁତର ଅବସ୍ଥାରେ ଧରଣୀଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଞ୍ଚଳରେ ଏମିତି ଘଟଣା ବାରମ୍ବାର ଘଟିବା ସହ ଧନଜୀବନ କ୍ଷୟକ୍ଷତି ହେଉଛି । ଏଥିପାଇଁ ବନ ବିଭାଗକୁ ଅଞ୍ଚଳବାସୀ ଦାୟୀ କରିଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ବନ ବିଭାଗର ପାରା କର୍ମଚାରୀ ତପନ କୁମାର ନାଏକଙ୍କୁ ମାରପିଟ କରିଛନ୍ତି । ଏପରିକି ଉତ୍ତ୍ୟକ୍ତ ଲୋକେ ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ।

୩ଟି ଘର ଭାଙ୍ଗିଲା ଗୋଠ ଛଡ଼ା ହାତୀ

ସେହିପରି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଓ ମିରିଗିସିଙ୍ଗା ଗ୍ରାମରେ ହାତୀ ଆତଙ୍କ । ୩ଟି ଘର ଭାଙ୍ଗିଲା ଗୋଠଛଡା ଦନ୍ତାହାତୀ । କୋଦଗାଡିଆ ଗାଁର ବସନ୍ତ ନାଏକ ଏବଂ ଉଦୟ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଛି ଦନ୍ତା । ସେପଟେ ମିରିଗିସିଙ୍ଗା ଗାଁର ସୁନା ରାମ ମୁଣ୍ଡାଙ୍କ ଘର ଭାଙ୍ଗିଛି ଗୋଠ ଛଡ଼ା ଦନ୍ତା । ଆଜି ସକାଳ ପାଖାପାଖି ୫ଟାରେ ଉତ୍ପାତ ଜାରି ରଖିଥିବା ଗୋଠ ଛଡ଼ା ଦନ୍ତା ମିରିଗିସିଙ୍ଗା ଜଙ୍ଗଲ ପଟୁ ବାହାରି ପ୍ରଥମେ ମିରିଗିସିଙ୍ଗା ଗାଁର ସୁନା ରାମଙ୍କ ଘର ଭାଙ୍ଗିଥିବା ବେଳେ କୋଦଗାଡିଆ ଗାଁର ବସନ୍ତ ନାଏକ ଏବଂ ଉଦୟ ନାଏକଙ୍କ ଘର ଭାଙ୍ଗି ମିରିଗିସିଙ୍ଗା ଜଙ୍ଗଲ ଆଡେ ଚାଲିଯାଇଛି ।

ବଦଳିଲା ନିୟମ: ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ଓ୍ବେବ କାଷ୍ଟିଂ ଫୁଟେଜ ଦେଖି ହେବନି

ନୂଆଦିଲ୍ଲୀ: ନିର୍ବାଚନ ବେଳର ସିସିଟିଭି ରେକର୍ଡିଂ, ୱେବ କାଷ୍ଟିଂ ଫୁଟେଜ, ଭିଡିଓ ରେକର୍ଡିଂ ଆଉ ଦେଖି ପାରିବେନି ଲୋକେ । ଏ ସମ୍ପର୍କିତ ନିୟମବଦଳାଇଲେ କେନ୍ଦ୍ର ସରକାର । ଏସବୁର ଅପବ୍ୟବହାର ହେଉଥିବା କହି ନିୟମ ପରିବର୍ତ୍ତନ କରାଯାଇଛି । ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ଏହି ନିୟମ ବଦଳା ଯାଇଛି ।

ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନର ସ୍ଵଚ୍ଛତାରେ ଏହି ନିୟମ ପରିବର୍ତ୍ତନ ଆଞ୍ଚ ଆଣିବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି, ବୁଥ୍ ଭିତରର ସିସିଟିଭି କ୍ୟାମେରା ଫୁଟେଜର ଅପବ୍ୟବହାର କରାଯାଇପାରେ । ଫୁଟେଜ୍ ସାର୍ବଜନୀନ କରାଗଲା, କିଏ କାହାକୁ ଭୋଟ ଦେଲା ତାହା ଜଣାପଡ଼ି ଯିବାର ଆଶଙ୍କା ରହିଛି । ଆର୍ଟିଫିସିଆଲ୍ ଇଣ୍ଟିଲିଜେନସର ବ୍ୟବହାର କରି ଏହାକୁ ଭିନ୍ନ ରୂପ ବି ଦିଆଯାଇପାରେ ।

ଏହାପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ନିର୍ବାଚନ ପରିଚାଳନା ଆଇନ ୧୯୬୧ର ରୁଲ୍ ୯୩-୨ ଏ ରେ ପରିବର୍ତ୍ତନ କରିଛନ୍ତି । ସଂଶୋଧିତ ଆଇନ ଅନୁସାରେ ନୋମିନେସନ, ଏଜେଣ୍ଟ ନିଯୁକ୍ତି, ଫଳାଫଳ, ଆକାଉଣ୍ଟ ଷ୍ଟେଟମେଣ୍ଟ  ସାର୍ବଜନୀନ କରାଯାଇ ପାରିବ । କିନ୍ତୁ ସିସିଟିଭି ଫୁଟେଜ, ୱେବକାଷ୍ଟିଂ ଫୁଟେଜ, ଆଦର୍ଶ ଆଚରଣ ବିଧି ସମୟରେ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ଏଥିରୁ ବର୍ତ୍ତମାନ ବାଦ୍ ଦିଆଯାଇଛି ।

ପଞ୍ଜାବ ହରିୟାଣା ହାଇକୋର୍ଟରେ ଦାଏର ଏକ ମାମଲା ପରେ ଏହି ନିୟମ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ମାମଲା କରିଥିବା ଜଣେ ଓକିଲଙ୍କୁ ହରିୟାଣା ବିଧାନସଭା ନିର୍ବାଚନ ସଂପର୍କିତ ସବୁ ତଥ୍ୟ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କଂଗ୍ରେସର ଜୟରାମ ରମେଶ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ।

ମହାରାଷ୍ଟ୍ର ସରକାରରେ ମନ୍ତ୍ରିମଣ୍ଡଳ ବଣ୍ଟନ, ସିନ୍ଦେଙ୍କୁ ପୁଣି ଲଲିପପ୍

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନର ପ୍ରାୟ ୧୫ ଦିନର ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । କେତେ ମୂଲଚାଲ ଓ ପ୍ରେସର୍ ଟାକଟିସ୍ ପରେ ବି ସିନ୍ଦେଙ୍କୁ ମିଳିଲା ନାହିଁ ମନ ମୁତାବକ ବିଭାଗ । ସବୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ସେ ନିଜ ହାତରେ ରଖିଛନ୍ତି ଗୃହ, ଆଇନ, ଶକ୍ତି, ସାଧାରଣ ପ୍ରଶାସନ ବିଭାଗ ।

ଉପ ମୁଖ୍ଯମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ଅର୍ଥ ବିଭାଗ, ଅବକାରୀ ଓ ଯୋଜନା ବିଭାଗ । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ, ଗୃହ ନିର୍ମାଣ ଓ ପୂର୍ତ୍ତ  ବିଭାଗ ମିଳିଛି ।

ତେବେ ଗୃହ ବିଭାଗ ପାଇଁ ବହୁତ ଆଶାୟୀ ଥିଲେ ସିନ୍ଦେ । ଏଥିପାଇଁ ସେ ଆରମ୍ଭରୁ ଏକ ପ୍ରକାର ରୁଷି ଥିଲେ । ପ୍ରଥମେ ତ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ । ଆଉ ଏବେ ମନ ମୁତାବକ ବିଭାଗ ମଧ୍ୟ ତାଙ୍କୁ ମିଳିନାହିଁ । ତେବେ ସରକାରଙ୍କ ତରଫରୁ କୁହାଯାଇଛି, ବିଭାଗ ବଣ୍ଟନ ପରେ ସମସ୍ତେ ଖୁସି ଅଛନ୍ତି । ଏଥର ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ୨୮୮ ଆସନରୁ ୨୩୦ ଆସନ ଜିତିଛି । ମୁଖ୍ୟମନ୍ତ୍ରୀ ପଦ ପରି ବିଭାଗ ବଣ୍ଟନରେ ମଧ୍ୟ ବହୁତ ଛକାପଞ୍ଝା ହୋଇଥିଲା । ସେଥିପାଇଁ ଏତେ ଡେରିରେ ବିଭାଗ ବଣ୍ଟନ ହୋଇଛି । ଫଡନଭିସଙ୍କ ମନ୍ତ୍ରିମଣ୍ଡଳରେ ୩୬ ଜଣ କ୍ୟାବିନେଟ ଓ ୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ।

ଭୁଶୁଡ଼ିଲା ତିନି ମହଲା କୋଠା: ୭ରୁ ୮ ଜଣ ଫସି ରହିଥିବା ଆଶଙ୍କା

ମୋହାଲି: ପଞ୍ଜାବର ମୋହାଲିରେ ଭୁଶୁଡିଲା ୩ ମହଲା କୋଠା । ସେନା ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ । କୋଠାର ଭଗ୍ନାବାଶେଷ ଭିତରେ ୭ରୁ ୮ ଜଣ ଫସି ରହିଥିବା ଆଶଙ୍କା ।

ସୂଚନାଯୋଗ୍ୟ, ବେସମେଣ୍ଟରେ ଖନନ ସମୟରେ କୋଠା ଧସି ଯାଇଛି । ମୋହାଲିର ସୋହାନା ଅଞ୍ଚଳରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ସହ ଏନଡିଆରଏଫ, ଅଗ୍ନିଶମ ବାହିନୀ ଓ ପୋଲିସର ମିଳିତ ଟିମ ଲାଗିଛନ୍ତି । ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । କେଉଁ ପରିସ୍ଥିତିରେ ଅଘଟଣ ଚାଘଟିଛି ତାହାର ଚାଲିଛି ଯାଞ୍ଚ ।

ତେବେ କୋଠା ତଳେ କେତେ ଲୋକ ଫସି ରହିଛନ୍ତି ତାହା ସଠିକ ଭାବେ ଜଣାପଡିନାହିଁ । ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ଉଦ୍ଧାରକାର୍ଯ୍ୟ । ମାଟିତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ଲାଗି ସମସ୍ତ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ପ୍ରଶାସନିକ ଅଧିକାରୀ ।