spot_img
Home Blog Page 1216

ନୂଆବର୍ଷରୁ କାର୍ଯ୍ୟକ୍ଷମ ହେବ ରାଜ୍ୟ ଆଇନ କମିଶନ

ଭୁବନେଶ୍ବର: ରାଜ୍ୟରେ ଥିବା ପୁରୁଣା ଓ ଅନାବଶ୍ୟକ ଆଇନ ହେବ ଉଚ୍ଛେଦ । ଆବଶ୍ୟକତା ଅନୁସାରେ ନୂଆ ଆଇନ ଆସିବ । ସରକାର ଗଠନ କରିଛନ୍ତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣାଙ୍ଗ ଆଇନ କମିଶନ । ୩ ବର୍ଷ ପାଇଁ କମିଶନ କାମ କରିବ । ନୂଆବର୍ଷରୁ ତୋଷାଳି ପ୍ଲାଜାରେ କମିଶନଙ୍କ କାର୍ଯ୍ୟାଳୟ କାମ କରିବ । ରାଜ୍ୟ ଆଇନଗୁଡ଼ିକୁ ତର୍ଜମା କରି ସରକାରଙ୍କୁ ବିଭିନ୍ନ ସୁପାରିସ କରିବ କମିଶନ ।

ନୂଆବର୍ଷରୁ କାର୍ଯ୍ୟକ୍ଷମ ହେବ ରାଜ୍ୟ ଆଇନ କମିଶନ । ପୁରୁଣା ଅନାବଶ୍ୟକ ଆଇନ ରଦ୍ଦ, ନୂଆ ଆଇନର ଆବଶ୍ୟକତା ଓ ଆଇନର କାର୍ଯ୍ୟକାରିତାରେ ଥିବା ପ୍ରତିବନ୍ଧକ ହଟାଇବାକୁ କମିଶନ ସରକାରଙ୍କୁ କରିବ ସୁପାରିଶ । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନରେ ଆଡଭୋକେଟ ଜେନେରାଲ, ଆଇନ ସଚିବ, ପୂର୍ବତନ ଏଜି ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର, ସୌରଚନ୍ଦ୍ର ମହାପାତ୍ର ସଦସ୍ୟ ରହିବେ । ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ କମିଶନଙ୍କ ସଚିବ ଭାବେ କାମ କରିବେ । କମିଶନ ରାଜ୍ୟରେ ଥିବା ବିଭିନ୍ନ ଆଇନର ତର୍ଜମା କରି ସରକାରଙ୍କୁ ପରାମର୍ଶ ଦେବେ । ଶୀଘ୍ର ଆଉ ଜଣେ ଅଭିଜ୍ଞଙ୍କୁ ନୂଆ ସଦସ୍ୟ ଭାବେ ନିଯୁକ୍ତି ମିଳିବ । ଦୀର୍ଘ ଦିନ ପରେ ଏକ ପୂର୍ଣ୍ଣାଙ୍ଗ କମିଶନ ଗଠନ ହୋଇଥିବାରୁ କାମ କରିବାର ସୁଯୋଗ ମିଳିବ ବୋଲି ଅଧ୍ୟକ୍ଷ କହିଛନ୍ତି ।

ଫୌଜଦାରୀ ଓ ଦେଓ୍ବାନୀ ମାମଲା ନେଇ ଅନେକ ଆଇନ ରହିଛି ଯାହାର ଏବେ ଆବଶ୍ଯକତା ନାହିଁ । ଅନେକ ଆଇନ ସମ୍ପୂର୍ଣ୍ଣ ହଜି ଗଲାଣି । କିଛି ଆଇନ ରହିଛି ଯାହା କାର୍ଯ୍ୟକାରୀ କରିବା କଷ୍ଟ । ଏମିତି ବି ଆଇନ ରହିଛି, ଯାହା ଅଧୀନରେ ବର୍ଷ ବର୍ଷ ଧରି କୌଣସି ମାମଲା ରୁଜୁ ହୋଇନାହିଁ । ସମୟ ସହ ତାଳ ଦେଇ ଏବେ କିଛି ନୂଆ ଆଇନର ଆବଶ୍ୟକତା ବି ରହିଛି । ଏସବୁର ତର୍ଜମା କରିବେ ଆଇନ କମିଶନ । ସରକାରଙ୍କ ନିଷ୍ପତ୍ତିକୁ ଆଇନଜୀବି ସ୍ବାଗତ କରିଥିବା ବେଳେ ଘରଭଡ଼ା ନିୟନ୍ତ୍ରଣ ଆଇନ, ପୁରୁଷ ସୁରକ୍ଷା ଆଇନ ଭଳି ନୂଆ ଆଇନ ସମୟର ଆବଶ୍ୟକତା ବୋଲି କହିଛନ୍ତି । ଏଥିସହ କମିଶନରେ ସାଇବର କ୍ରାଇମ, ଇକୋନୋମିକ ଅଫେନ୍ସ ଭଳି ମାମଲା ରୋକିବାକୁ ବିଭିନ୍ନ କ୍ଷେତ୍ରରୁ ଅଭିଜ୍ଞ ବ୍ୟକ୍ତିଙ୍କୁ ସାମିଲ କରିବାକୁ ଅପିଲ କରିଛନ୍ତି । ଆଇନର ସମୀକ୍ଷା, ଆଇନ ବାବଦରେ ସଚେତନତା, ସଠିକ କାର୍ଯ୍ୟକାରିତା ବାବଦରେ ଆଇନ କମିଶନ ସରକାରଙ୍କୁ ସୁପାରିଶ କରିବେ ।

କେନ୍ଦ୍ର ଅଧୀନସ୍ଥ ସ୍କୁଲରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ ବ୍ୟବସ୍ଥା ପରେ ବଢିଲା ରାଜ୍ୟ ସରକାରଙ୍କ ଅଡୁଆ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ନିୟମ କାର୍ଯ୍ୟକାରୀ କରିବା ନେଇ ଦ୍ବନ୍ଦ୍ବରେ ରାଜ୍ୟ ସରକାର । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଫେଲ୍ ବ୍ୟବସ୍ଥା ଫେରିବା ନିଷ୍ପତ୍ତି ନିଆଯାଇଛି । ତେବେ ଅନ୍ୟ ସ୍କୁଲ କ’ଣ କରିବେ ? ସେ ନେଇ ଏଯାଏଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି । କାରଣ କେନ୍ଦ୍ର ସରକାରଙ୍କ ସ୍କୁଲରେ ଯଦି ପିଲାଙ୍କ ପାଇଁ ଫେଲ୍ ବ୍ୟବସ୍ଥା ଲାଗୁ ହେବ ସେମାନଙ୍କ ବର୍ଷେ ନଷ୍ଟ ହେବ । ସେହି ସମାନ ପାଠ ପଢୁଥିବା ରାଜ୍ୟ ସରକାର ଅଧୀନରେ ଥିବା ସ୍କୁଲର ପିଲା କ’ଣ କରିବେ, ସେ ନେଇ ସସପେନ୍ସ ହଟୁନି । ସେପଟେ ସରକାର ପର୍ଯ୍ୟାପ୍ତ ସୁବିଧା ନଦେଇ ଶିକ୍ଷା ଅଧିକାର ଆଇନକୁ ଅବମାନନା କରି ପିଲାଙ୍କୁ ଫେଲ କରିବାକୁ ନିନ୍ଦା କରିଛି ଓଡ଼ିଶା ଅଭିଭାବକ ମହାସଂଘ ।

ରାଜ୍ୟ ସରକାରଙ୍କୁ ଟେନସନରେ ପକାଇଛି କେନ୍ଦ୍ର ସରକାରଙ୍କ ନିୟମ । ହେଲେ ଏପରି ନିୟମ ସିବିଏସଇ, ସରକାରୀ ବୋର୍ଡ ଓ ଆଇସିଏସଇରେ କେମିତି ଲାଗୁ କରାଯିବ, ସେ ନେଇ ଦ୍ବନ୍ଦ୍ବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କେନ୍ଦ୍ର ସରକାରଙ୍କ ସ୍କୁଲରେ ବି ସିବିଏସଇ ପାଠ୍ୟକ୍ରମ ରହିଛି । ଯଦି ସେଠି ପିଲା ଫେଲ୍ ହୋଇ ଗୋଟିଏ ଶ୍ରେଣୀରେ ପୁଣି ପଢିବେ ଅନ୍ୟ ସିବିଏସଇ ସ୍କୁଲଗୁଡ଼ିକରେ ବିବାଦ ବଢିବ । କାରଣ କୌଣସି ପିଲା କି ଅଭିଭାବକ ବର୍ଷେ ନଷ୍ଟ କରିବାକୁ ଚାହିଁବେ ନାହିଁ । ତେବେ ଯଦି କେବଳ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍କୁଲରେ ଫେଲ୍ ବ୍ୟବସ୍ଥା ରହିବ, ଅନ୍ୟ ସ୍କୁଲମାନଙ୍କ ସହ ଅସଙ୍ଗତି ରହିବ । ଏପରି ସ୍ଥିତିରେ କୌଣସି ନିଷ୍ପତ୍ତି ନେବା ସ୍ଥିତିରେ ନାହାନ୍ତି ରାଜ୍ୟ ସରକାର । ଫେଲ୍ ସପକ୍ଷରେ ରାଜ୍ୟ ସରକାର ଅଛନ୍ତି, ହେଲେ ଏହାକୁ ଲାଗୁ କରିବା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯେଉଁଥି ପାଇଁ ଏଯାଏଁ କେବଳ ତର୍ଜମା ଓ ଆଲୋଚନାରେ ରାଜ୍ୟ ସରକାର ସୀମିତ ରହିଛି ।

ସେପଟେ ଫେଲ୍ ବ୍ୟବସ୍ଥା ଲାଗୁ କରି ପିଲାମାନଙ୍କ ଶିକ୍ଷା ଅଧିକାରକୁ ରାଜ୍ୟ ସରକାର କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଏହାଦ୍ଵାରା  ଡ୍ରପ୍ ଆଉଟ୍ ସଂଖ୍ୟା ବଢିବ l ଶିଶୁ ଶ୍ରମିକ ଓ କନ୍ୟା ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ଖରାପ ପ୍ରଭାବ ପକାଇବ । ଫେଲ ହେବାରେ ସମ୍ପୂର୍ଣ୍ଣ ଦୋଷ କେବଳ ପିଲାର ନୁହେଁ । ଶିକ୍ଷା ଗ୍ରହଣ ପାଇଁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଥମେ ଦାୟୀ । କାରଣ ସ୍କୁଲରେ ଆବଶ୍ୟକ ଶିକ୍ଷକ, ଶିକ୍ଷାଦାନ ପ୍ରଣାଳୀ, ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାର ଯୋଗାଇ ନାହାନ୍ତି ।

ଫେଲ୍ ଉଚ୍ଛେଦ ସହ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ଯୋଗୁଁ ପିଲାମାନଙ୍କ ସ୍କୁଲ ପ୍ରତି ଆଗ୍ରହ ବଢିଛି । ଏବେ ଦେଖିବାକୁ ମିଳିଲାଣି ଯେ ଦରଦାମ ବୃଦ୍ଧି ଯୋଗୁଁ ଅନେକ ସ୍କୁଲରେ ଠିକ୍ ଭାବେ ମଧ୍ୟାନ୍ନ ଭୋଜନ ମିଳୁନି । ଯଦି ପୁଣି ଫେଲ୍ ବ୍ୟବସ୍ଥା ଫେରିବ, ଶିକ୍ଷା ଗ୍ରହଣରୁ ପିଲାମାନେ ମୁହଁ ଫେରାଇବା ଆଶଂକା ରହିଛି ।

ଆଉ ୬ ମାସ ନୁହେଁ ବର୍ଷକୁ ୯ ମାସ ହେବ ଖରା, ଗରମ

ଭୁବନେଶ୍ବର: ଏଣିକି ୬ ମାସ ନୁହେଁ, ବର୍ଷକୁ ୯ ମାସ ହେବ ଖରା, ଗରମ । ବିଶ୍ବ ତାପାୟନ ଦେଢ଼ ଡିଗ୍ରି ସୀମା ପାର କରିଛି । ୨୦୨୪ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ । ଏହି ବର୍ଷରେ ୪୧ ଦିନ ଅଧିକ ହୋଇଛି ଖରାଦିନ । ବିଶ୍ବ ତାପାୟନ ବୃଦ୍ଧି ନେଇ ଏଭଳି ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ଇଉରୋପର ପରିବେଶ ସଂସ୍ଥା କୋପରନିକସ୍ । ବୈଜ୍ଞାନିକଙ୍କ ଆଶଙ୍କା ଜୈବ ଇନ୍ଧନ ଗାଡ଼ି, କୋଇଲା ବ୍ୟବହାର ହ୍ରାସ ନକଲେ ଜୀବନ ବଞ୍ଚିବା ପାଇଁ ଅମ୍ଲଜାନ ବି ଅଭାବ ପଡ଼ିବ ।

ଖରାଦିନେ ତାତି, ବର୍ଷାରେ ଗୁଳଗୁଳି, ହଜିଗଲାଣି ଶୀତ । ତାତି ଓ ଗରମରୁ ନାହିଁ ନିସ୍ତାର । ବଢୁଛି ସିନା ନିୟନ୍ତ୍ରଣକୁ ଆସୁନି । ବିଶ୍ବ ତାପାୟନ ଯେପରି ବଢି ଚାଲିଛି । ଏଣିକି ଖରାଗରମ ୬ ମାସ ବଦଳରେ ହୋଇପାରେ ୯ ମାସ । ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ବୈଜ୍ଞାନିକ ଓ ପରିବେଶବିତ୍ । ସେପଟେ ଇଉରୋପର କୋପରନିକସ୍ ପରିବେଶ ସଂସ୍ଥା ରିପୋର୍ଟରେ କୁହାଯାଇଛି  ୨୦୨୪ ବର୍ଷ ହେଉଛି ସବୁଠୁ ଉତ୍ତପ୍ତ ବର୍ଷ । ୭୬ ବର୍ଷ ପୂର୍ବରୁ ଡେଇଁଗଲା ୨୦୧୫ ପ୍ୟାରିସ୍ ତାପମାତ୍ରା କଣ୍ଟ । ଏବର୍ଷ ୩୬୫ ଦିନ ଭିତରେ ଯେତିକି ଦିନ ଗରମ ଅବଧି ରହିବା କଥା ତାଠୁ ଅଧିକ ୪୧ ଦିନ ଅଧିକ ହୋଇଛି । ତାତିରେ ୪ ହଜାର ଲୋକଙ୍କ ପ୍ରାଣ ଯାଇଛି । ଅନେକ ଲୋକ ହୋଇଛନ୍ତି ବିସ୍ଥାପିତ । ଖାଲି ସେତିକି ନୁହେଁ, ତାତି ବଢିବା ସହିତ ବିଶ୍ବ ତାପାୟନ ମଧ୍ୟ ଦେଢ଼ ଡିଗ୍ରି ସୀମା ପାର କରିଛି । ଯାହାକି ଶିଳ୍ପ ବିପ୍ଲବର ପୂର୍ବ ସ୍ଥିତିକୁ ଦର୍ଶାଇଛି । ବୈଜ୍ଞାନିକ ସତର୍କ କଲେଣି, ଶକ୍ତି ଉତ୍ପାଦନ, ପରିବହନ ପାଇଁ ଜୀବାଶ୍ମ ଇନ୍ଧନ ବିଶେଷ କରି କୋଇଲା, ପେଟ୍ରୋଲିୟମ୍ ଉତ୍ପାଦର ବ୍ୟବହାର ଯଦି ହ୍ରାସ ନ କରାଯାଏ ତା’ହେଲେ, ପୃଥିବୀରେ ଜୀବନ ଧାରଣ କରିବା ଅସମ୍ଭବ ହୋଇପଡ଼ିବ । ରିପୋର୍ଟ ଅନୁଯାୟୀ, ଏପରି ଜାରି ରହିଲେ ୨୦୪୦-୫୦ ବେଳକୁ ବିଶ୍ବ ତାପାୟନ ୨ ଡିଗ୍ରୀ ସେଲ୍ସିୟସରୁ ଅଧିକ ହୋଇଯିବ ।

ତାପମାତ୍ରା ବଢିବା ସହିତ ବାୟୁମଣ୍ଡଳରେ ଅମ୍ଲଜାନ ପରିମାଣ ମଧ୍ୟ ହ୍ରାସ ପାଉଛି । ସହରାଞ୍ଚଳରେ ଅମ୍ଲଜାନ ସଂକଟ ଏବେଠୁ ଅନୁଭୁତ ହେଲାଣି । ତା’ ସହିତ ବାୟୁମଣ୍ଡଳରେ ପି.ଏମ୍ ୨.୫ କଣିକା ମାତ୍ରା ଏତେ ହେଲାଣି ଘର ଭିତରେ ବି ସ୍ବଚ୍ଛ ବାୟୁ ଚଳପ୍ରଚଳ କରୁନି । ବେପରୁଆ ଭାବେ କୋଠାବାଡ଼ି ନିର୍ମାଣ ବାୟୁ ପ୍ରଦୂଷଣକୁ ଆହୁରି ୩ ଗୁଣ ବଢାଇ ଦେଇଛି । କୋଇଲାରୁ ନିର୍ଗତ କାର୍ବନ କଣିକା, ପେଟ୍ରୋଲ-ଡିଜେଲ ଦ୍ବାରା ଚାଳିତ ଗାଡ଼ିରୁ ନିର୍ଗତ କାର୍ବନ ମନୋକସାଇଡ୍ ବାୟୁମଣ୍ଡଳକୁ ବିଷାକ୍ତ କରିଦେଲାଣି । ସବୁଜ ଗୃହ ବାଷ୍ପ ବୃଦ୍ଧି ଯୋଗୁଁ ଓଜନ୍ ସ୍ତରରେ ହ୍ରାସ ଘଟୁଛି । ଫଳରେ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ଏବେ ଲୋକଙ୍କ ଦେହରେ ପଡ଼ି ନାନାଦି ରୋଗ ସୃଷ୍ଟି କଲାଣି ।

ଚଳିତବର୍ଷ ହେଉଛି ଏଲ୍-ନିନୋର ବର୍ଷ । ଏବେ ଲା-ନିନୋ ଆରମ୍ଭ ହୋଇଥିଲେ ବି ଶୀତଋତୁରେ ବି ଗରମ ଅନୁଭୁତ ହେଉଛି । ପ୍ୟାରିସ ଚୁକ୍ତିନାମାରେ ଥିଲା ବିଶ୍ବର ସବୁ ରାଷ୍ଟ୍ର ଏକବିଂଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ବିଶ୍ବ ତାପାୟନକୁ ଦେଢ଼ ଡିଗ୍ରୀ ସେଲସିୟସ ଭିତରେ ସୀମିତ ରଖିବେ । ଯାହାକି ଏହି ବର୍ଷ ସେ ସୀମା ପାର୍ କରିସାରିଛି । ଗରମ ସବୁବେଳେ ଅନୁଭୁତ ହେଉଥିବାରୁ ଘରେ ଆଉ ଏୟାର କଣ୍ଡିସନ୍ କାମ କରୁନି । କାରଣ ଏବର ଏସି ମେସିନ୍ ୫୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ ନିୟନ୍ତ୍ରଣ କଲା ଭଳି ସକ୍ଷମ । ଏସି ବ୍ୟବହାର ନକଲେ ଘର ଭିତରେ ରହିବା ଦୁର୍ବିସହ ହେଉଥିବା ସାଧାରଣ ଲୋକେ ପ୍ରକାଶ କରିଛନ୍ତି ।

ଖରାଗରମକୁ ମୁକାବିଲା କରିବା ଅର୍ଥ ଅଧକରୁ ଅଧିକ ସବୁଜ ବନାନୀ ସୃ୍ଷ୍ଟି କରିବା । ଯେପରି ଭାବେ ସହରୀକରଣ କରାଯାଉଛି ତାହା ଯଦି ଆଗାମୀ ଦିନରେ ପରିବେଶ ଅନୁକୂଳ ନ ହୁଏ ତା’ହେଲେ ଆଉ ସେଦିନ ଦୂର ନୁହେଁ, ଲୋକେ ଅମ୍ଲଜାନ ଥଳି ମୁହଁରେ ଲଗାଇ ବାହାରକୁ ବାହାରିବେ ।

ସରକାର ଶୁଣୁନାହାନ୍ତି, ୨୦୨୫ରେ ବି ଦରଦାମ କମିବା ଆଶ କ୍ଷୀଣ

ଭୁବନେଶ୍ବର: ସମସ୍ତଙ୍କ ମନେରେ ଗୋଟିଏ ପ୍ରଶ୍ନ, କେବେ ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି ? ଆଗକୁ ନୂଆବର୍ଷ । ହେଲେ ଲୋକଙ୍କ ମନରେ ନାହିଁ ଉତ୍ସାହ । କାରଣ ସରକାରଙ୍କ ଅପାରଗତାରୁ ଦରଦାମ ଲୋକଙ୍କ ପକେଟ କରୁଛି ଖାଲି । ଆଜି ବି ଆଳୁ ପିଆଜ ପରି ସମସ୍ଯାରେ ମୁକ୍ତି ପାଇପାରୁ ନାହାନ୍ତି ଲୋକେ । ପଶ୍ଚିମବଙ୍ଗରୁ ଏଯାଏଁ ସ୍ୱଭାବିକ ଭାବେ ଆଳୁ ଆମଦାନି ହେଉ ନଥିବାବେଳେ ୟୁପି ଆଳୁ ଖାଉଟିଙ୍କ ଚାହିଦା ମେଣ୍ଟାଉଛି । ତଥାପି ୪୦ରୁ ଖସୁନି ଦର ।

ହାତରେ ଆଉ ଦିନି ତିନିଟି । ୨୦୨୪ ଯିବ ଓ ୨୦୨୫ ଆସିବ । ହେଲେ ପ୍ରତିବର୍ଷ ପରି ଚଳିତ ନୂଆବର୍ଷକୁ ସ୍ବାଗତ କରିବାକୁ ଲୋକଙ୍କ ମନରେ ନାହିଁ ଉତ୍ସାହ । କାରଣ ଦର ବୃଦ୍ଧିରେ କଲବଲ ହେଉଛନ୍ତି ଖାଉଟି । ୨୦୨୪ର ଅଧାମାସ କନ୍ଦାଇଲା । ହେଲେ ସମସ୍ୟା ହୋଇପାରିନି ସମସ୍ୟା । ୨୦୨୫ରେ ମଧ୍ଯ ସ୍ଥିତି ସୁଧୁରିବ ନାହିଁ ବୋଲି ପୂର୍ବାନୁମାନ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ବଭାବିକ ହୋଇ ନଥିବାବେଳେ ଗ୍ରାହକଙ୍କ ଚାହିଦା ମେଣ୍ଟାଉଛି ୟୁପି ଆଳୁ । ହେଲେ ଖୁଚୁରା ବ୍ଯବସାୟୀ ମନଇଛା ରେଟ୍ କରୁଥିବାରୁ ୪୦ ଟଙ୍କା ତଳକୁ ଖସୁନି ଆଳୁ ଦର । ତେଣୁ ଗ୍ରାହକଙ୍କ ପାଇଁ କିଛି ଭଲ ହେବ ବୋଲି ଆଶା ନାହିଁ ବୋଲି ଆଗୁଆ ପୂର୍ବାନୁମାନ କରିଛି ବ୍ୟବସାୟୀ ମହାସଂଘ । ଏହାସହ କୌଣସି ପ୍ରସଙ୍ଗରେ ସରକାର ସହଯୋଗ କରୁ ନଥିବା ସଂଘ ଅଭିଯୋଗ କରିଛି । ସେପଟେ ୨୪ର ତିକ୍ତ ଅନୁଭୁତିରୁ ମୁକୁଳିବାକୁ କ୍ଷୁଦ୍ର ବ୍ୟବସାୟୀ ବି ଚାହୁଁଥିବା କହିଛନ୍ତି ।

ଦରଦାମ ବୃଦ୍ଧି, ଆଳୁ ସଙ୍କଟ ଯୋଗୁଁ ଲଗାତର ଯୁଝି ହେଉଥିବା ସାଧାରଣ ଲୋକେ ସରକାରଙ୍କ ଉପରୁ ସବୁ ଆଶା ହରାଇ ସାରିଲେଣି । ଓଡ଼ିଶାରେ କ୍ରିୟାଶୀଳ ସରକାର ନୁହେଁ, ଏବେ ପାସିଭ ସରକାର ଚାଲିଛି କହି ବର୍ଷିଛି ସିଟିଜେନସ ଫୋରମ । ନୂଆ ସରକାରରେ ୭ ମାସ ହେଲାଣି । ସରକାରଙ୍କ କାର୍ଯ୍ୟ ଲୋକେ ଦେଖିସାରିଲେଣି । ରାଜ୍ୟରେ କୃଷିକ୍ଷେତ୍ର ଦୁର୍ବଳ ହେଲାଣି । କୃଷକ କ୍ଷତିଗ୍ରସ୍ତ ହେଲେଣି । ଆଉ ଉତ୍ପାଦନ ବୃଦ୍ଧି ନେଇ ବି ସମ୍ଭାବନା ଦେଖାଯାଉନାହିଁ । ବିକାଶମୂଳକ କାର୍ଯ୍ୟ ଯେଉଁଠି ସେଇଠି ରହିବା ବଦଳରେ ତଳକୁ ଖସିଲାଣି । ଯାହା ଫଳରେ ନୂଆବର୍ଷରେ ସବୁ ବର୍ଗର ଲୋକେ ରାସ୍ତାକୁ ଓହ୍ଲାଇବେ ଓ ଏକ ରାଷ୍ଟ୍ର ବିପ୍ଳବ ହୋଇପାରେ ବୋଲି ଆଶଂକା ପ୍ରକଟ କରିଛି ସିଟିଜେନ ଫୋରମ ।

ରାଜ୍ୟରେ ଦରଦାମ ସ୍ଥିତି ଓ ସରକାରଙ୍କ ଆଭିମୁଖ୍ୟ ପ୍ରସଙ୍ଗରେ ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି ବ୍ୟବସାୟୀ ମହାସଂଘ । ଆସନ୍ତା ୬ ଓ ୭ ତାରିଖରେ ଦିଲ୍ଲୀରେ ବ୍ୟବସାୟୀ ମହାସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେବ । ଓଡ଼ିଶାର ବ୍ୟବସାୟିକ ସମସ୍ୟା, ଗ୍ରାହକଙ୍କ ସମସ୍ୟା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଆଲୋଚନା ହେବ । ଦକ୍ଷିଣ ଓଡ଼ିଶାର ବ୍ୟବସାୟୀଙ୍କୁ ନେଇ ଜାନୁୟାରୀ ୧୯ ତାରିଖରେ ମଧ୍ୟ ଭବାନୀପାଟଣାରେ ହେବ ସମାବେଶ । ଏସବୁ ମାଧ୍ୟମରେ ବିକଳ୍ପ ପନ୍ଥା ବାହାର କରିବାକୁ ଯୋଜନା କରାଯାଉଛି ବୋଲି କୁହାଯାଇଛି ।

ବର୍ଷା ଦେଇଗଲା ଅସରନ୍ତି ଦୁଃଖ: ୪ ଦିନରେ ଆଖି ବୁଜିଲେଣି ୬ ଚାଷୀ

ଭୁବନେଶ୍ବର: ଅଦିନିଆ ବର୍ଷା ଛାରଖାର କରିଦେଲା ସବୁ କିଛି । ବର୍ଷା ପାଣିରେ ଧୋଇଗଲା ଅମଳ ହେବାକୁ ଥିବା ଫସଲ । ଆଉ ଏହି ଦୁଃଖକୁ ସହି ନପାରି ରାଜ୍ୟରେ ୪ ଦିନ ମଧ୍ୟରେ ୬ ଜଣ ଚାଷୀ ଆଖି ବୁଜିଲେଣି । କେନ୍ଦ୍ରାପଡ଼ା ଡେରାବିଶ ବିଶକ ଗାଁର ଦୈତାରୀ ନାୟକ ଫସଲ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି । ସେପଟେ ପାଣିରେ ଭାସୁଥିବା ଫସଲ ଦେଖି ବିଲରେ ହିଁ ଟଳି ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ଏକଡାଳିଆ ଗାଁର ଚାଷୀ ମେଘନାଦ ଦଳବେହେରା ଏବଂ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ।

ପ୍ରତିଦିନ ଚାଷୀ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଉଜୁଡା କ୍ଷେତକୁ ଦେଖି କେଉଁଠି ଚାଷୀ ହୃଦଘାତରେ ପାଣ ହରାଉଛନ୍ତି ତ ଆଉ କେଉଁଠି ପିଷ ପିଇ ଦେଉଛନ୍ତି । ଆଜି ଏମିତି ତିନିଟି ଘଟଣା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳରେ ପୁଣି ଘଟିଛି ହୃଦୟକୁ ଥରାଇ ଦେବାଭଳି ଘଟଣା । ବିଶକ ଗାଁର ଦୈତାରୀ ନାୟକ ଫସଲ କ୍ଷୟକ୍ଷତି ଯୋଗୁଁ ଆତ୍ମହତ୍ୟାର ବାଟ ବାଛି ନେଇଥିବା ଅଭିଯୋଗ ହୋଇଛି । ଘର ଭିତରେ କବାଟ କିଳି ବିଷ ପିଇ ଦୈତାରୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।

ସେପଟେ ପାଣିରେ ବୁଡିଥିବା ଫସଲ ଦେଖି ବିଲରେ ହିଁ ଟଳି ପଡିଛନ୍ତି ଖୋର୍ଦ୍ଧା ଜିଲ୍ଲା ଏକଡାଳିଆ ଗାଁର ଚାଷୀ ମେଘନାଦ ଦଳବେହେରା । ମେଘନାଦ ଅମଳ ପାଇଁ ଜମିରେ ଧାନ କାଟି ପକାଇଥିବା ବେଳେ ବର୍ଷାରୁ ବ୍ୟାପକ କ୍ଷତି ଘଟିଥିଲା । ଏହାକୁ ଦେଖି ସମ୍ଭାଳି ପାରି ନଥିଲେ ମେଘନାଦ । ବର୍ଷା ପାଣିରେ କଟାଧାନ ବୁଡ଼ି ରହିଥିବା ଦେଖି ହଠାତ ଅଚେତ ହୋଇ ପଡ଼ି ଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଣପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯାଜପୁରରେ ମଧ୍ୟ ସମାନ ଘଟଣା ଘଟିଛି । ବିଞ୍ଝାରପୁର ବ୍ଲକ ମଣିତାପୁର ଗାଁର ମଣିରାମ ମହାନ୍ତି ବିଲରେ ଉଜୁଡା ଫସଲ ଦେଇ ଆଖି ବୁଜିଛନ୍ତି । ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଚାଷ କରିଥିଲେ । ଅଦିନିଆ ବର୍ଷାରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଉଜୁଡା କ୍ଷେତକୁ ଦେଖି ତାଙ୍କ ପ୍ରାଣବାୟୁ ଉଡିଯାଇଥିବା ପରିବାର ଲୋକ କହିଛନ୍ତି ।

ଗତ ଗୁରୁବାର ମଧ୍ୟ ଗଞ୍ଜାମ ଜିଲ୍ଲା ବଡମାଧପୁର ପଞ୍ଚାୟତ ବରଙ୍ଗ ଗାଁରେ ଘଟିଥିଲା ଚାଷୀ ଆତ୍ମହତ୍ୟା । ଏଠି ପ୍ରାଣ ହାରିଥିବା ଜଣେ ଭାଗ ଚାଷୀ ବନମାଳୀ ପେଣ୍ଠେଇ । ସରକାରଙ୍କ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ବିଳମ୍ବ ପଦକ୍ଷେପ ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହୋଇଛି । ମଣ୍ଡି ଅବ୍ୟବସ୍ଥା ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ଏବେ ଅଦିନିଆ ବର୍ଷା ଦେଇଯାଇଛି ଅସରନ୍ତି ଦୁଃଖ । ନିର୍ବାଚନ ବେଳେ ବିଜେପି ସରକାରଙ୍କ ମାଳ ମାଳ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି ।

ପୁରୀ: ନିଗମାନନ୍ଦ ସମ୍ମିଳନୀରେ ଦୁଇ ଭକ୍ତଙ୍କ ମୃତ୍ୟୁ

ପୁରୀ: ପୁରୀରେ ଚାଲିଥିବା ନିଗମାନନ୍ଦ ସମ୍ମିଳନୀରେ ଅଘଟଣ । ସମ୍ମିଳନୀ ଚାଲିଥିବା ବେଳେ ଚାଲିଗଲା ଦୁଇ ଭକ୍ତଙ୍କ ଜୀବନ । ସମ୍ମିଳନୀ ସମୟରେ ଦୁଇ ଜଣ ଭକ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସେମାନଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତରୁ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଶବ ଜବତ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଆଜି ସମ୍ମିଳନୀ ଚାଲିଥିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ଦୁଇ ଭକ୍ତ ଅସୁସ୍ଥ ହୋଇ ପଡିଥିଲେ । ମୃତ ଦୁଇ ଭକ୍ତଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗ ମେଦିନିପୁରର ହୋଇଥିବା ବେଳେ ଅନ୍ୟ ଜଣେ କଟକର ବୋଲି ଜଣାପଡ଼ିଛି । ଅତ୍ୟଧିକ ଭକ୍ତଙ୍କ ସମାଗମ ଯୋଗୁଁ ଅଣନିଶ୍ଵାସୀ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ରାଜଧାନୀରେ ସିରିଜ ଦୁର୍ଘଟଣା, ଦୁର୍ଘଟଣା ଘଟାଇ ଥିବା ଗାଡି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଜାଭିଅର ଛକରେ ସିରିଜ ଦୁର୍ଘଟଣା । ୪ଟି ଗାଡିକୁ ଧକ୍କା ଦେଲା ଏକ କାର୍ । ଜାଭିଅର ଛକ ହାତିଆଶୁଣି ରାସ୍ତା ସାଲିଆସାହି ନିକଟରେ ଦୁର୍ଘଟଣା ଘଟିଛି ।

ଜାଭିଅର ଛକ ଆଡୁ କାରଟି ଦ୍ରୁତ ଗତିରେ ଆସି ରାସ୍ତା କଡରେ ଛିଡା ହୋଇଥିବା ୪ଟି ଗାଡିକୁ ଧକ୍କା ଦେଇଛି । ପ୍ରଥମେ କାରଟି ଏକ ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା । ଏହାପରେ ଏକ ଡାଲା ଅଟୋ ଓ ପରେ ପରେ ଏକ ପାସେଞ୍ଜର ଅଟୋ ଓ ଅନ୍ୟ ଏକ ଅଟୋକୁ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇ ଥିବା କାରଟିକୁ ଭଙ୍ଗା ରୁଜା କରିଛନ୍ତି । ଏପରିକି ଦୁର୍ଘଟଣା ଖବର ପାଇ ସେଠାରେ ପହଞ୍ଚି ଥିବା ପୋଲିସ ବି ଉତ୍ତ୍ୟକ୍ତ ଲୋକଙ୍କ ପାଖରୁ ରକ୍ଷା ପାଇ ନଥିଲେ । ଉତ୍ତ୍ୟକ୍ତ ଲୋକେ ପିସିଆର ଭ୍ୟାନକୁ ଘେରିଯିବା ସହ ବାଟ ଛାଡି ନଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଉତ୍ତ୍ରଜନା ଲାଗି ରହିଛି । ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ପୋଲିସ ଉଦ୍ୟମ ଚଲାଇଛି ।

କେବଳ ଗୋଟିଏ ଲାଇନ କହି ଛାଇଗଲେ ଭାଇଜାନ…

ନନ୍ଦିଘୋଷ ବ୍ୟୁରୋ:  କେବଳ ଗୋଟିଏ ଲାଇନ କହି ଦର୍ଶକଙ୍କ ମନ ଜିତିଲେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । ନିଜର ରିଲ ଓ ରିଅଲ ଲାଇଫ କୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ଼ର ଜାନ ଭାଇଜାନ ସଲମାନ ଖାନ୍ ।  ପ୍ରତିବର୍ଷ ସଲମାନ ବିଭିନ୍ନ ଆକ୍ସନ ଅନ୍ଦାଜରେ ଆସି ନିଜ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ  ଦେଇଥାନ୍ତି । ତେବେ ୨୦୨୫ ରେ ମଧ୍ୟ ସଲମାନଙ୍କର ଏକ ଫୁଲ ଆକ୍ସନ ଆଧାରିତ ସିନେମା ଆସୁଛି । ଫିଲ୍ମଟିର ନାଁ ହେଉଛି ‘ସିକନ୍ଦର’ । ତେବେ ଆଜି ରିଲିଜ ହୋଇଛି ଫିଲ୍ମଟିର ଟିଜର । ୧ ମିନିଟ ୪୨ ସେକେଣ୍ଡର ଆସିଥିବା ଏହି ଟିଜର ମାତ୍ର କିଛି ଘଣ୍ଟା ରେ ମିଳିୟନ ଭିୟୁଜ କ୍ରସ କରିସାରିଲାଣି ।  ଟିଜରର ଏଣ୍ଟ୍ରିରେ ସଲମାନଙ୍କର ଏକ ଜବରଦସ୍ତ ଏଣ୍ଟ୍ରି ହୋଇଛି ଯାହା ତାଙ୍କ ଫ୍ୟାନ୍ସଙ୍କ କ୍ରେଜ କୁ ବଢାଇଦେଇଛି ।  ଆାଉ ପୁରା ଟିଜରରେ ସଲମାନ କେବଳ ଗୋଟିଏ ହିଁ ଲାଇନ କହିଛନ୍ତି । ଆଉ ଏହି ଗୋଟିଏ ଲାଇନ ରେ ମଧ୍ୟ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କଣିପାରିଛନ୍ତି । ସେ ଗୋଟିଏ ଲାଇନରେ ସେ କହିଛନ୍ତି “ସୁନା ହେ କି ବହତ୍ ସାରେ ଲୋକ ମେରେ ପିଛେ ପଡ଼େ ହୁଏ ହେ, ବାସ ମେରେ ମୁଡ଼ନେ କାହି ଦେର ହେ” । ଆଉ ଏହି ଲାଇନ ପରେ ତାଙ୍କର ସ୍ବାଗ୍ ଦେଖିବାକୁମିଳିଥିଲା । ହାତରେ ରାଇଫଲ ଧରି ଶତ୍ରୁ ମାନଙ୍କୁ ନିଜ ଆକ୍ସନ ଅନ୍ଦାସରେ ଫାଇଟିଂ କରୁଥିବାର ଏକ ସିନ୍ ରହିଛି । ସୂଚନା ମୁତାବକ ମେକର୍ସ ମାନେ ଫିଲ୍ମଟିର ଟିଜର  ୨୭ ଡ଼ିସେମ୍ବର ସକାଳ ୧୧.୦୭ ରେ ରିଲିଜ କରିବାର ପୂର୍ବ ପ୍ରସ୍ତୁତି କରିଥିଲେ କିନ୍ତୁ ଯେହେତୁ ୨୬ ଡ଼ିସେମ୍ବର ଦିନ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ପରଲୋକ ହୋଇଗଲା ସେଥିପାଇଁ ତାଙ୍କୁ ସମ୍ମାନ ଜଣାଇ ଏହାର ତାରିଖ ଓ ସମୟ ବଦଳାଗଲା ।  ଆଉ ବର୍ତ୍ତମାନ ଟିଜର ରିଲିଜ ହେବା ପରେ ଫିଲ୍ମକୁ ନେଇ ବେଶ୍  ଖୁସି ଅଛନ୍ତି ଦର୍ଶକ ।

୩ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ୩ ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କଲା ମାଲାକାନଗିରି ପୋଲିସ । ସମସ୍ତେ ଆନ୍ଧ୍ର ଓଡିଶା ବର୍ଡର ସାଉଥ ଜୋର୍ଣ୍ଣାଲ କମିଟି ମିଲେଟ୍ରି ପ୍ଲାଟୁନର ଥିଲେ ସଦସ୍ୟ ।

ମାଲକାନଗିରି ପୋଲିସ ଓ ଡିଭିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ମାଓବାଦୀମାନେ ହେଲେ ସ୍ଵପ୍ନା, ବବିତା ଏବଂ ସୁନିତା । ତିନି ମହିଳା ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ।

ବର୍ଷା ପାଣିରେ ଭାସୁଥିବା ଫସଲ ଦେଖି ଆଖି ବୁଜିଲେ ଆଉ ଜଣେ ଚାଷୀ

ଖୋର୍ଦ୍ଧା: ଯାଜପୁର ପରେ ଖୋର୍ଦ୍ଧାରେ ଉଜୁଡା ଚାଷକୁ ଦେଖି ଚାଲିଗଲା ଚାଷୀଙ୍କ ଜୀବନ । ବାଣପୁରରୁ ଆସିଛି ଏମିତି ହୃଦୟ ବିଦାରକ ଖବର । ପାଣିରେ ବୁଡିଥିବା ଫସଲ ଦେଖି ବିଲରେ ଟଳି ପଡ଼ିଲେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଚାଷୀ । ମୃତ ଚାଷୀ ହେଲେ କୁମାରାଙ୍ଗ ପଞ୍ଚାୟତ ଏକଡାଳିଆ ଗାଁର ମେଘନାଦ ଦଳବେହେରା ।

ଅଭିଯୋଗ ଅନୁସାରେ, ବିଲରେ ଧାନ ପାଚି ସାରିଥିଲା । ତାକୁ କାଟି ଜମିରେ ପକାଇଥିଲେ ମେଘନାଦ । ହେଲେ ଉଠାଇ ଘରକୁ ଆଣିବା ପୂର୍ବରୁ ଆରମ୍ଭ ହୋଇଗଲା ଅଦିନିଆ ଲଗାଣ ବର୍ଷା । ଫଳରେ ଆଉ ଅମଳ ଧାନ ବିଲରୁ ଘରକୁ ଆଣି ପାରିଲେନି । ସୋମବାର ଦିନ ଯାଇ ଦେଖିଥିଲେ ବିଲରେ ଆଣ୍ଠୁଏ ପାଣି ଆଉ ସେଥିରେ ଭାସୁଛି ଧାନ । ଯାହାକୁ ଦେଖି ସେହିଠାରେ ସଜ୍ଞାହୀନ ହୋଇ ପଡ଼ିଯାଇଥିଲେ ମେଘଦାନ । ତାଙ୍କୁ ତୁରନ୍ତ ଉଦ୍ଧାର କରି ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଉଜୁଡା ଫସଲ ଦେଖି ମନରେ ହତାଶ ଭାବ ଜାତ ହେବା ସହ ଦୁଃଖରେ ମ୍ରିୟମାଣ ହୋଇ ହୃଦଘାତରେ ମେଘନାଦଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ତହସିଲଦାରଙ୍କୁ ଯୋଗାଯୋଗ କରିବାରେ, ତଦନ୍ତ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ତେବେ କେବଳ କୁମାରାଙ୍ଗ ନୁହେଁ । ଗାଲୁଆ, ନନ୍ଦପୁର, ନରେନ୍ଦ୍ରପୁର ଓ ବିଷ୍ଣୁଡ଼ିହ ପଞ୍ଚାୟତରେ ମଧ୍ୟ ଅଦିନିଆ ବର୍ଷାରେ ବ୍ୟାପକ ଭାବେ ଫସଲହାନି ଘଟିଛି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଲକୁ ଯାଇଥିବା ବେଳେ ଉଜୁଡା କ୍ଷେତ ଦେଖି ହୃଦଘାତରେ ମଣିତାପୁର ଗାଁର ମଣିରାମ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।