spot_img
Home Blog Page 1202

ଦୁନିଆକୁ ବିନାଶରୁ ବଞ୍ଚାଇବେ ଗୋ-ମାତା!  ବୈଜ୍ଞନିକମାନେ ବିକଶିତ କଲେ ଏକ ସ୍ବତନ୍ତ୍ର ଗାଈ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଆମର ବିଶ୍ବର ସ୍ଥିତି ବିଗିଡ଼ିବାରେ ଲାଗିଛି । ବିଶ୍ବର ଧ୍ବଂସକୁ ନେଇ ଅନେକ ସମୟରେ ନୂଆ ନୂଆ ଭବିଷ୍ୟବାଣୀ କରାଯାଇଥାଏ । କିଛି ଲୋକ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ମଧ୍ୟ କିଛି ଭୟଙ୍କର ଭବିଷ୍ୟବାଣୀ କରିଥାନ୍ତି । ବର୍ତ୍ତମାନ ସମୟରେ ଧରିତ୍ରୀ ବକ୍ଷରେ ଯେଉଁଭଳି ଭାବେ ଜଳବାୟୁ ପରିବର୍ତ୍ତନ ହେଉଛି, ଶତାଧିକ ବର୍ଷ ପରେ ଏଠାରେ ଜୀବନ ତିଷ୍ଠିବା ମୁସ୍କିଲ ହୋଇଯିବ । ତେବେ ଜଳବାୟୁର କ୍ଷତି ପାଇଁ ନାସାର ବେଜ୍ଞାନିକମାନେ ଗୋ-ମାତା ଅର୍ଥାତ ଗାଈକୁ ମଧ୍ୟ ଦାୟୀ କରିଥାନ୍ତି ।

ପ୍ରକୃତ କଥା ହେଉଛି, ଗାଈ ହାକୁଟି ମାରିବା ଫଳରେ ବିଷାକ୍ତ ମିଥେନ ଗ୍ୟାସ୍ ନିର୍ଗତ ହୋଇଥାଏ । ଏହା ଗ୍ରୀନହାଉସ ଅଟେ ଓ ଏହାଦ୍ବାରା ଧରିତ୍ରୀ କ୍ରମାଗତ ଭାବେ ଗରମ ହେବାରେ ଲାଗିଛି । ଏପରି ସ୍ଥିତିରେ ସ୍କଟଲାଣ୍ଡର ବୈଜ୍ଞାନିକମାନେ ଏପରି ଏକ ଗାଈ ବାଛୁରୀକୁ ବିକଶିତ କରିଛନ୍ତି, ଯେ କି ଦୁନିଆକୁ ବିନାଶରୁ ବଞ୍ଚାଇବାରେ ସହାୟକ ହେବ ବୋଲି କୁହାଯାଉଛି । ଏହି ବାଛୁରୀ ସାଧାରଣ ଗାଈଙ୍କ ଅପେକ୍ଷା କମ୍ ଗ୍ୟାସ ଛାଡ଼ିବ ଓ କମ୍ ଡକାର ମଧ୍ୟ ନେବ । ବୈଜ୍ଞାନିକମାନେ ଏହି ବାଛୁରୀର ନାମ ‘ହିଲଦା’ ରଖିଛନ୍ତି । ହିଲଦା ଦେଖିବାକୁ ଅନ୍ୟ ଗାଈ ପରି ହୋଇଥାଏ । ହିଲଦାକୁ ଏପରି ସଂଶୋଧିତ କରାଯାଇଛି କି,ସେ ଡକାର ନେବା ଓ ଶ୍ବାସ ରୋକିବା ଫଳରେ ହାନିକାରକ ଗ୍ରୀନହାଉସ ଗ୍ୟାସ ନିର୍ଗତ ହେବା ବନ୍ଦ ହୋଇଯିବ ।

ଆଇଭିଏଫ ଟେକନିକର ଉପଯୋଗ କରାଯାଇ ହିଲଦାର ଜନ୍ମ ହୋଇଛି, ଯେ କି କମ୍ ମିଥେନ ନିର୍ଗତ କରିବ । ସାଧାରଣ ଭାବେ ଗାଈମାନେ ଅତ୍ୟଧିକ ଗ୍ୟାସ ଉତ୍ପନ୍ନ କରିଥାନ୍ତି । ସେମାନଙ୍କର ହାକୁଟିରୁ ସୃଷ୍ଟି ହେଉଥିବା ମିଥେନ, କାର୍ବନ ଡାଇଅକ୍ସାଇଡ ତୁଳନାରେ ବାୟୁମଣ୍ଡଳକୁ ୨୮ ଗୁଣ ଅଧିକ ଗରମ କରିଥାଏ ।  ଦୁନିଆର ଗ୍ରୀନହାଉସ ଗ୍ୟାସ ନିଗର୍ମନର ୫ ପ୍ରତିଶତ ଗାଈ ଦ୍ବାରା ହୋଇଥାଏ । ସେଥିପାଇଁ ଗବେଷକମାନେ ସେହି ପ୍ରଭାବକୁ ହ୍ରାସ କରିବା ପାଇଁ ନୂଆ ତରିକା ସନ୍ଧାନରେ ଲାଗି ପଡ଼ିଥିଲେ । ସେଥିପାଇଁ ଶେଷରେ ସେମାନେ ହିଲଦାର ବିକଶିତ କରିବାରେ ସଫଳ ହୋଇଥିଲେ ।

୩୧ରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ପାଇଥିଲା ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା

ନନ୍ଦିଘୋଷ ବ୍ୟୁରୋ: ୩୧ ବର୍ଷରେ ପାଦ ଥାପିଲା ବୌଦ୍ଧ ଜିଲ୍ଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ୧୯୯୪ ମସିହା ଜାନୁୟାରୀ ୨ ତାରିଖରେ ଅଭିବକ୍ତ କନ୍ଧମାଳ ଜିଲ୍ଲାରୁ ଅଲଗା ହୋଇ ଗଠନ ହୋଇଥିଲା ସ୍ଵତନ୍ତ୍ର ବୌଦ୍ଧ ଜିଲ୍ଲା । ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ୩ଟି ବ୍ଲକକୁ ନେଇ ଗଠନ ହୋଇଥିବା ଏହି ଜିଲ୍ଲା ଗୋଟିଏ ଏନେସିରେ ହିଁ ସୀମିତ ରହିଛି । ଗତ ୩୦ ବର୍ଷ ଭିତରେ ଜିଲ୍ଲାରେ ଅନେକ ବିକାଶ ହୋଇଥିଲେ ବି ଆଜି ବି ଅନେକ ଅଞ୍ଚଳରେ ପହଞ୍ଚି ପାରିନି ସମସ୍ତ ସୁବିଧା । ଜିଲ୍ଲାରେ ହାତଗଣତି କିଛି କଲେଜ ରହିଥିବା ବେଳେ ସେଗୁଡିକ ଆଜିଯାଏଁ ସରକାରୀ କଲେଜର ମାନ୍ୟତା ପାଇପାରିନାହିଁ । କଲେଜରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପିଲାଙ୍କୁ ବାହାର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ କୋଠା ନିର୍ମାଣ ସରିଥିବା ବେଳେ ତାହା ଉଦଘାଟନ ହୋଇନାହିଁ । ସେହିପରି ଆଜିବି ଅନେକ ଅଞ୍ଚଳରେ ଗମନାଗମନ ସୁବିଧା ନଥିବାରୁ ଗାଁକୁ ପହଞ୍ଚି ପାରୁନି ଆମ୍ବୁଲାନ୍ସ । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପଶ୍ଚିମ ଓଡିଶାକୁ ଉତ୍ତର ଓଡିଶା ସହ ଯୋଡିବାରେ ବୌଦ୍ଧ ଜିଲ୍ଲା ପ୍ରମୁଖ ଭୁମିକା ବହନ କରେ । ବିଗତ ଦିନରେ ବିଜେଡି ସରକାରଙ୍କ ଉଦ୍ୟମରେ ଜିଲ୍ଲାର ଅନେକ ବିକାଶ ହୋଇଛି । ବୌଦ୍ଧର ୧୦୦ ବର୍ଷର ପୁରାତନ କୋର୍ଟ କୋଠାକୁ ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ ହୋଇଥିଲା । ଯାହା ଜିଲ୍ଲାର ଐତିହ୍ୟ ବହନ କରି ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ମହାନଦୀ କୂଳରେ ୭୩୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପକୁ ପୂର୍ବ ସରକାର ମଞ୍ଜୁର କରିଥିଲେ । କିନ୍ତୁ ବିଜେପି ସରକାର ସମୟରେ ସେହି ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଥିବା ନେଇ ଲୋକ ଅଭିଯୋଗ କରିଛନ୍ତି । ଏପଟେ ଜିଲ୍ଲାରେ କୃଷି ଭିତ୍ତିକ ଶିଳ୍ପ ଓ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ  ।

ସାନ ବୋହୂ ଓ ନାତିର ନିସ୍ତୁକ ମାଡ଼ରେ ୭୭ ବର୍ଷୀୟା ଶାଶୁ ଗୁରୁତର

କେନ୍ଦ୍ରାପଡା: ଘରୋଇ କଳହର ତୀବ୍ର ରୂପ । ସାନ ବୋହୁ ଓ ନାତିର ନିସ୍ତୁକ ମାଡ଼ରେ ୭୭ ବର୍ଷ ବୟସ୍କା ଶାଶୁ ଗୁରୁତର ।  ଗୁରୁତର ବୃଦ୍ଧାଙ୍କୁ ପାଟକୁରା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । କୁଦାନଗରୀ ଥାନା ତଳକୁସୁମା ଅନ୍ତର୍ଗତ ପୂଣ୍ଡିଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୃଦ୍ଧା ଲୋଚନା ଛାଟୋଇଙ୍କୁ ତାଙ୍କ ସାନବୋହୁ କାମିନୀ ଛାଟୋଇ ଓ ସାନ ନାତି ଚିରଞ୍ଜୀବ ଛାଟୋଇ ମିଶି ମାଡ଼ ମାରି ହାତ  ଓ ପିଠି ଜଖମ କରିଦେଇଛନ୍ତି । ବୃଦ୍ଧାଙ୍କ ହାତରେ ଗଭୀର ଆଘାତ ଲାଗିଛି । ବୃଦ୍ଧାଙ୍କ ବଡ଼ ନାତି ଆଦିତ୍ୟ ଅଟକାଇବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ କାମିନୀ ଓ ତାଙ୍କ ପୁଅ ଚିରଞ୍ଜୀବ । ଆହତ ବୃଦ୍ଧା ଲୋଚନା ଛାଟୋଇଙ୍କୁ ଗୁରୁତର ଅବସ୍ଥାରେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଡ଼ ନାତି ଆଦିତ୍ୟ ଛାଟୋଇ ଏ ନେଇ କୁଦାନଗରୀ ଥାନାରେ କାମିନୀ ଓ ଚିରଞ୍ଜୀବଙ୍କ ନାମରେ ଅଭିଯୋଗ କରିଛନ୍ତି । ସାନ ବୋହୂ ଓ ସାନ ନାତି  କିଛି ଦିନ ଘରେ ନଥିଲେ । ତାଲା ତାଙ୍କ ରୁମ ତାଲା ପଡ଼ିଥିବା ବେଳେ କିଛି ଦ୍ରବ୍ୟ ଚୋରି ହୋଇଥିବା ଦର୍ଶାଇ ସେ ଶାଶୂଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଘଟଣା ସମୟର ଭିଡିଓ ଭାଇରାଲ ହୋଇଛି ।

 

କିଏ ସେହି Mr. Fix it ଯିଏ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ହେବାକୁ ବ୍ୟାକୁଳ ?

ନନ୍ଦିଘୋଷ ବ୍ୟୁରୋ: ଟିମ୍ ଇଣ୍ଡିଆରେ ଚାଲିଛି କଣ? କାହିଁକି ଦଳ କଙ୍ଗାରୁ ମାଟିରେ ବାରମ୍ବାର ହାରୁଛି? ଦଳର ବରିଷ୍ଠ ଖେଳାଳିମାନେ କରୁଛନ୍ତି କଣ? କାହିଁକି ସେମାନଙ୍କର ବ୍ୟାଟ ଧିମେଇ ଯାଇଛି? ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ୨-୧ରେ ପଛୁଆ ରହିବା ପଛର କାରଣ କ’ଣ? ଏଭଳି ଅନେକ ପ୍ରଶ୍ନ ଏବେ ଭାରତୀୟ ଦଳର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହା ମଧ୍ୟରେ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କରିଛନ୍ତି ଏକ ବଡ଼ ଖୁଲାସା । ଟିମ୍ ଇଣ୍ଡିଆରେ ଯେ କିଛି ଗଡ଼ବଡ଼ ଚାଲିଛି, ଏହା ଗମ୍ଭୀରଙ୍କ ବୟାନରୁ ମିଳୁଛି ସ୍ପଷ୍ଟ ସଙ୍କେତ । ଡ୍ରେସିଂ ରୁମର ’ବିବାଦ’ ସାବର୍ଜନିକ ହେବା ଅନୁଚିତ ବୋଲି କହିଛନ୍ତି କୋଚ ।  ତେଣୁ ଡ୍ରେସିଂ ରୁମରେ କ’ଣ ବିବାଦ ହୋଇଥିଲା, ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ ।

ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆକୁ ପରାଜୟ ଆଶଙ୍କା ଘାରିବାରେ ଲାଗିଛି । ଏହା ମଧ୍ୟରେ ଡ୍ରେସିଂ ରୁମର ମାହୋଲ ଠିକ୍ ନଥିବାର ମିଳିଛି ଆଭାସ । ଟେଷ୍ଟ କ୍ରିକେଟରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ମାହୋଲ ହୋଇଉଠିଛି ସରଗରମ୍ । ସିଡନୀ ଟେଷ୍ଟ ପରେ ରୋହିତ ନେଇପାରନ୍ତି ବଡ଼ ନିଷ୍ପତ୍ତି । ଟିମ୍ ଇଣ୍ଡିଆର ଜଣେ ଖେଳାଳି ଅଧିନାୟକ ହେବା ପାଇଁ ନିଜର ନାମ ପ୍ରସ୍ତାବ ରଖିଛନ୍ତି । ଏନେଇ ସାମ୍ନାକୁ ଆସିଛି କିଛି ରିପୋର୍ଟ ।

ତେବେ ଅଧିନାୟକ ହେବାକୁ ଚାହୁଁଥିବା ଏହି ଖେଳାଳିଙ୍କ ନାମ ରିପୋର୍ଟର ଖୁଲାସା କରାଯାଇ ନାହିଁ । ସେ ଜଣେ ସିନିୟର ଖେଳାଳି ବୋଲି କୁହାଯାଇଛି । ଟିମକୁ ବର୍ତ୍ତମାନର ସ୍ଥିତିରୁ ସୁଧାରିବାକୁ ସେ ନିଜକୁ ‘Mr. Fix It’ ବୋଲି ମଧ୍ୟ କହିଛନ୍ତି । କୌଣସି ଯୁବ ଖେଳାଳି ଅଧିନାୟକ ପଦ ସମ୍ଭାଳିବା ଠିକ୍ ହେବ ନାହିଁ । କାରଣ ସେମାନଙ୍କ ନିକଟରେ ଏକ ଲମ୍ବା ରାସ୍ତା ପଡ଼ିଛି ବୋଲି ଏହି ଖେଳାଳି ଜଣଙ୍କ ମଧ୍ୟ କହିଛନ୍ତି ।  ଯଶସ୍ବୀ ଜୟସ୍ବାଲ, ନୀତୀଶ ରେଡ୍ଡୀ, ଓ୍ବାଶିଂଟନ ସୁନ୍ଦର, ହର୍ଷିତ ରାଣା, ଆକାଶ ଦୀପ, ମହମ୍ମଦ ସିରାଜ ବହୁତ ଯୁବ ଖେଳାଳି । ଅନ୍ତର୍ଜାତୀୟ କ୍ରିକେଟରେ ସେମାନଙ୍କର ଯଥେଷ୍ଟ ଅଭିଜ୍ଞତା ହୋଇନାହିଁ । ତେଣୁ ସେମାନେ ଟିମ୍ ଇଣ୍ଡିଆର ଦାୟିତ୍ବ ସମ୍ଭାଳିବାକୁ କେବେ ବି ଭାବିବେ ନାହିଁ । ସିରିୟର ଖେଳାଳିଙ୍କ ମଧ୍ୟରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଯଶପ୍ରୀତ ବୁମ୍ରା, ରବୀନ୍ଦ୍ର ଜାଡେଜା ଓ ଋଷଭ ପନ୍ତ ଆସୁଛନ୍ତି ।

ଅନ୍ୟପକ୍ଷରେ ରୋହିତ ଏବେ ଟେଷ୍ଟ କ୍ୟାପ୍ଟେନ ଥିବାବେଳେ ବିରାଟ ପୁନର୍ବାର ଦାୟିତ୍ବ ନେବା ସପକ୍ଷରେ ଯାଇ ନ ପାରନ୍ତି । କାରଣ ଅତୀତରେ ସେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଥିଲେ । ବୁମ୍ରା ଏବେ ଟେଷ୍ଟରେ ଉପ-ଅଧିନାୟକ । ରାହୁଲ ଓ ପନ୍ତଙ୍କର ଆଇପିଏଲରେ ଅଧିନାୟକ ଭାବେ ଅଭିଜ୍ଞତା ରହିଛି । ଜାଡେଜା ମଧ୍ୟ ଚେନ୍ନାଇ ପାଇଁ କିଛି ମ୍ୟାଚରେ କ୍ୟାପ୍ଟେନ ଦାୟିତ୍ବ ସମ୍ଭାଳିଥିଲେ । ଏଭଳି ସ୍ଥିତିରେ କ୍ରିକେଟର ବଡ଼ ଫର୍ମାଟ ପାଇଁ ବୁମ୍ରା ହୋଇପାରନ୍ତି ପ୍ରଥମ ପସନ୍ଦ । ବୁମ୍ରାଙ୍କ ନେତୃତ୍ବରେ ଭାରତ ପର୍ଥ ଟେଷ୍ଟ ଜିତିଥିଲା । ତେଣୁ ରୋହିତଙ୍କ ସ୍ଥାନ ନେବା ପାଇଁ ବୁମ୍ରା ହିଁ ଏକନମ୍ବର କ୍ୟାଣ୍ଡିଡେଟ ।  ରାହୁଲ ଓ ପନ୍ତ ଭାଇସ-କ୍ୟାପ୍ଟେନ ପାଇଁ ଦାବିଦାର ହୋଇପାରନ୍ତି ।

ଡ୍ରେସିଂ ରୁମ ସଚ୍ଚୋଟ ଲୋକଙ୍କ ହାତରେ ରହିଲେ ଭାରତୀୟ କ୍ରିକେଟ ସୁରକ୍ଷିତ ରହିବ, ଏପରି କହିଛନ୍ତି କୋଚ ଗମ୍ଭୀର । ଡ୍ରେସିଂ ରୁମର ଆଲୋଚନା ଡ୍ରେସିଂ ରୁମରେ ହିଁ ରହିବା ଉଚିତ ବୋଲି ସେ କହିଛନ୍ତି । ଟିମ୍ ଇଣ୍ଡିଆର ଦୁଇ ଜଣ ଖେଳାଳି ଅଧିନାୟକ ପଦ ପାଇଁ ଆଶାୟୀ ଥିବା ଏକ ରିପୋର୍ଟରେ କୁହାଯାଇଛି । ଅଷ୍ଟ୍ରେଲିଆ ମାଟିରେ କିଛି ଖାସ୍ କରିପାରିବେ ବୋଲି ଏହି ଦୁଇ ଖେଳାଳି କରିଛନ୍ତି ବଡ଼ ଦାବି । ତେବେ ରିପୋର୍ଟକୁ ବିଶ୍ବାସକୁ ନେବା ସହଜ କଥା ନୁହେଁ । ସିଡିନ ଟେଷ୍ଟ ପରେ ପୂରା ମାମଲାର ସତ୍ୟାସତ୍ୟ ସାମ୍ନାକୁ ଆସିପାରେ ।

ଗାଡ଼ିର ଚାଲାଣ ବାରମ୍ବାର କଟିଲେ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଯିବ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଯାନବାହାନର ଚଳାଚଳ ବଢ଼ିବା କାରଣରୁ ରାସ୍ତାଘାଟରେ ଦୁର୍ଘଟଣା ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଦୁର୍ଘଟଣାକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନିୟମିତ ବ୍ୟବଧାନରେ ଲୋକଙ୍କୁ ସଚେତନ କରାଯାଇଥାଏ । ଟ୍ରାଫିକ ନିୟମ ଉଲ୍ଲଂଘନ କାରଣରୁ ଲୋକଙ୍କର ଚାଲାଣ କଟାଯାଇ ଫାଇନ୍ ଆଦାୟ କରାଯାଇଥାଏ । ତେବେ ଅନେକ ଲୋକଙ୍କର ଟ୍ରାଫିକ୍ ଚାଲାଣ କଟିଲେ ମଧ୍ୟ ସେମାନେ ବାରମ୍ବାର ଏଭଳି ଭୁଲ୍ କରିଥାନ୍ତି । ତେଣୁ ଏଭଳି ନିୟମ ଖିଲାପକାରୀଙ୍କ ପାଇଁ ଲାଗୁ କରାଯାଇଛି ଏକ ବଡ଼ ନିୟମ ।

ସୂଚନା ମୁତାବକ, ଯେଉଁମାନଙ୍କର ବାରମ୍ବାର ଟ୍ରାଫିକ ଚାଲାଣ କଟୁଥିବ, ଏଣିକି ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରି ଦିଆଯିବ ।  ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏଭଳି କଠୋର ନିୟମ ଲାଗୁ କରିଛନ୍ତି ।  ସଡ଼କ ସୁରକ୍ଷା ପରିଷଦର ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପ୍ରୟାଗରାଜ ମହାକୁମ୍ଭ ପାଇଁ ଯାତାୟାତ ବ୍ୟବସ୍ଥା ଉପରେ ଜୋର ଦିଆଯାଇଥିଲା ।  ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ବୈଠକ ଆୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହିତ ସଡ଼କ ସୁରକ୍ଷା ପାଇଁ ଓଭରଲୋଡିଂ ହୋର୍ଡିଂସ, ଇ-ରିକ୍ସା ଓ ନାବାଳକଙ୍କ ଡ୍ରାଇଭିଂ ଉପରେ ରୋକ, କ୍ରେନ ସେବା, ରୋଡ଼ ସେଫଟୀ ପାର୍କକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଅନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ମୃତ ଚାଷୀଙ୍କୁ ସହାୟ ହେଲେ ବିଜେଡି ସୁପ୍ରିମୋ ନବୀନ, ବିଧାୟକଙ୍କ ଜରିଆରେ ଦେଲେ ୧ଲକ୍ଷ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ମୃତ ଚାଷୀଙ୍କ ପରିବାରକୁ ସହାୟତା ଘୋଷଣା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ମୃତ ଚାଷୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ସ୍ଥାନୀୟ ବିଜେଡି ବିଧାୟକ ସାରଦା ଜେନାଙ୍କ ଜରିଆରେ ପରିବାରକୁ ଦିଆଗଲା ୧ଲକ୍ଷ ଟଙ୍କା। ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଣା ଗାଁର ମୃତ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଏହି ସହାୟତା ଅର୍ଥ ପ୍ରଦାନ କରାଯାଇଛି। ବାଲିକୁଦା ଏରସମା ବିଜେଡି ବିଧାୟକ ସାରଦା ଜେନା ମୃତକଙ୍କ ପରିବାରକୁ ଭେଟି ଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲଗାଣ ବର୍ଷା ଓ ଲଘୁଚାପଜନିତ ବର୍ଷାରେ ସୁନାର ଫସଲ ନଷ୍ଟ ହେବା ପରେ ଚାଷୀ କୃତିବାସ ଋଣ ଶୁଝିବା ଚିନ୍ତାରେ ବେକରେ ରଶି ଲଗାଇ ଗତ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ। ଏହି ଖବର ଶୁଣି ଦୁଃଖ ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମଙ୍ଗଳବାର ବାଲିକୁଦା ବ୍ଲକ ଅଞ୍ଚଳ ଗସ୍ତ ସମୟରେ ମୃତ ଚାଷୀଙ୍କ ଘରକୁ ଯାଇ ପରିବାରକୁ ସମବେଦନା ଜଣାଇଥିଲେ ବିଜେଡି ସୁପ୍ରିମୋ ନବୀନ । ସେପଟେ ସହାୟତା ପାଇ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୃତ ଚାଷୀଙ୍କ ପରିବାର ।

ସିଡନୀ ଟେଷ୍ଟରୁ ବାଦ୍ ପଡ଼ିବେ ରୋହିତ ଶର୍ମା? ବୁମ୍ରା ସମ୍ଭାଳି ପାରନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ବ

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀ ୩ରୁ ବର୍ଡର-ଗାଭାସ୍କର ଟ୍ରଫି (BGT)ର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭ୍ରମଣକାରୀ ଦଳ ଏବେ ୨-୧ରେ ପଛୁଆ ରହିଥିବାରୁ ସିରିଜ୍ ଡ୍ର କରିବାକୁ ଭାରତ ପ୍ରାଣପଣେ ଉଦ୍ୟମ କରିବ । ସିଡନୀ ଟେଷ୍ଟରେ ଆକାଶ ଦୀପ ଖେଳିବେ ନାହିଁ ବୋଲି ଟିମ୍ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ସ୍ପଷ୍ଟ କରିଥିଲେ । ଏହା ମଧ୍ୟରେ ପୁଣି ଜଣେ ଖେଳାଳି ପ୍ଲେଇଂ-୧୧ରୁ ବାଦ୍ ପଡ଼ି ପାରନ୍ତି । ଅନ୍ତିମ ଟେଷ୍ଟରୁ ରୋହିତ ଶର୍ମା ବାଦ୍ ପଡ଼ିପାରନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି । ଏଭଳି ସ୍ଥିତିରେ ରୋହିତଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା ଅଧିନାୟକ ଭାର ସମ୍ଭାଳି ପାରନ୍ତି ।

BGT ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହା ସକାଳ ୫ଟାରୁ ଆରମ୍ଭ ହେବ । ତେବେ ଏହି ମୁକାବିଲାରେ ଭାରତୀୟ ଟେଷ୍ଟ ଅଧିନାୟକଙ୍କୁ ବାହାରେ ବସିବାକୁ ପଡ଼ିପାରେ । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମ୍ରା କ୍ୟାପ୍ଟେନସିପ କରିବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ଶୁବମନ ଗିଲ ପ୍ଲେଇ-୧୧କୁ ଫେରିବା ପାଇଁ ପ୍ରସ୍ତୁତ ଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏଭଳି ସ୍ଥିତିରେ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ମ୍ୟାଚରେ ଓପନିଂ କରିପାରନ୍ତି । କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କୁ ରୋହିତ ନିଜ ନିଷ୍ପତ୍ତି ବାବଦରେ ଅବଗତ କରିସାରିଥିବା କୁହାଯାଉଛି । ଏହାକୁ ନେଇ କୋଚ ଓ ଚୟନ କମିଟି ଅଧ୍ୟକ୍ଷ ସହମତି ପ୍ରଦାନ କରିଥିବା କୁହାଯାଉଛି ।

ଓଡ଼ିଶାର ପ୍ରଜ୍ଞାପନ ମେଢ ମଡେଲକୁ ଖାରଜ କଲା କେନ୍ଦ୍ର,ପୁଣି ହତାଶ ହେଲା ଓଡ଼ିଶା

ନନ୍ଦିଘୋଷ ବ୍ୟୁରୋ: ପୁଣି ଓଡ଼ିଶା ହତାଶ । ଡବଲ ଇଞ୍ଜିନ ସରକାର ସତ୍ତ୍ବେ ଓଡ଼ିଆ ଅସ୍ମିତା ଅଣଦେଖା । ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡିବ ନାହିଁ ଓଡିଶାର ପ୍ରଜ୍ଞାପନ ମେଢ । ଓଡିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରିଦେଇଛି କେନ୍ଦ୍ର । ଏଥର ଓଡିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା । ହେଲେ ତାକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର । ଚଳିତବର୍ଷ ୧୫ଟି ରାଜ୍ୟର ପ୍ରଜ୍ଞାପନ ମେଢ ଜାନୁଆରୀ ୨୬ ପରେଡରେ ସାମିଲ ହେବ । ୧୫ଟି ରାଜ୍ୟ ମଧ୍ୟରେ ଓଡିଶା ନାହିଁ । ଏହାସହ ୧୧ଟି ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରାଳୟର ମଡେଲ ମଧ୍ୟ ପରେଡରେ ସାମିଲ ହେବ ।

ମହାନଦୀ ପ୍ରସଙ୍ଗ: ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ପ୍ରସଙ୍ଗରେ ଓଡିଶାବାସୀଙ୍କୁ ବଡ ଧୋକା ଦେଇଛି ବିଜେପି । ଟ୍ରିପଲ୍ ଇଞ୍ଜିନ ସରକାର ଯଦି ଚାହିଁବେ ତେବେ ମହାନଦୀରେ ବିବାଦ ରହିବନି । ଟ୍ରିପଲ୍ ଇଞ୍ଜିନ ସରକାର ଟ୍ରିବ୍ୟୁନାଲକୁ ବାଦ୍ ଦେଇ ସମସ୍ୟାର ସମାଧାନ କରିବା ଦରକାର । ଯଦି ବିଜେପି ସରକାର ତାହା ନ କରେ ତେବେ ତାହା ହେବ ଓଡ଼ିଶାବାସୀଙ୍କୁ ବିଜେପିର ସବୁଠାରୁ ବଡ଼ ଧୋକା ବୋଲି ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପଟ୍ଟନାୟକ । ମହାନଦୀ ହେଉଛି ଓଡିଶାର ଜୀବନରେଖା । ଓଡ଼ିଶା ବଞ୍ଚିବା ପାଇଁ ମହାନଦୀ ଦରକାର । ମହାନଦୀ ଟ୍ରିବ୍ୟୁନାଲ ଏ ବିବାଦରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ମହାନଦୀରେ ଆବଶ୍ୟକ ମୁତାବକ ପାଣି ଆସିବା ଦରକାର ବୋଲି ଜୋର ଦେଇଛନ୍ତି ଅମର । ସେପଟେ ମହାନଦୀ ଜଳ ବିବାଦ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଯାଏଁ ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ପ୍ରସଙ୍ଗରେ ବୈଠକ କଲେ ନାହିଁ । ମାର୍ଚ୍ଚ ମାସକୁ ଓଡ଼ିଶାରେ ଭୟଙ୍କର ଜଳ ସଂକଟ ଦେଖାଦେବ । ସରକାର ଏବେଠାରୁ ପଦକ୍ଷେପ ନେବା ଆବଶ୍ୟକ । କେବଳ ଭାଷଣ ଦେଲେ ଚଳିବନି ବୋଲି ସମାଲୋଚନା କରିଛନ୍ତି ବିଜୟ ।

ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ । ଉପଯୁକ୍ତ ତଦନ୍ତ ସହ ନିର୍ଦ୍ଦିଷ୍ଟ ସମୟରେ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚାଷୀଙ୍କୁ ପାଣିପାଗ ନେଇ ମଧ୍ୟ ସମୟ ପୂର୍ବରୁ ସଚେତନ କରିବାକୁ ନବୀନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏକ ଚିଠି ଲେଖି ନବୀନ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଦୁଃଖ ଜଣାଇଛନ୍ତି । ଗତ ଡିସେମ୍ବର ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ନବୀନ ଗଂଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ଅଦିନିଆ ବର୍ଷାରେ ପ୍ରଭାବିତ ହୋଇଥିବା ଚାଷୀଙ୍କୁ ଭେଟିଥିଲେ । ଅମଳ ପୂର୍ବରୁ ବର୍ଷା ସବୁ ଫସଲ ଉଜାଡି ଦେଇଥିବାରୁ ଚାଷୀ ପରିବାର ମନସ୍ତାପ ମଧ୍ୟରେ ଅଛନ୍ତି । ଗସ୍ତ ସମୟରେ ନବୀନଙ୍କୁ ଚାଷୀମାନେ ତାଙ୍କ କଷ୍ଟ ଓ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇଥିଲେ । ଏପରିକି ସରକାର ଚାଷୀଙ୍କୁ ବର୍ଷା ପୂର୍ବରୁ କୌଣସି ମାର୍ଗଦର୍ଶିକା ଜାରି କରିନଥିଲେ । ଫସଲ ନଷ୍ଟ ପାଇଁ ଚାଷୀମାନେ ଯେପରି ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି । ସେ ନିଜ ମଧ୍ୟ ଜଗତସିଂହପୁର ବାଲିକୁଦା ବ୍ଲକର ଆତ୍ମହତ୍ୟା କରିଥିବା ଚାଷୀ କୃତ୍ତିବାସ ସ୍ବାଇଁଙ୍କ ପରିବାରକୁ ଭେଟିଥିଲେ ନବୀନ । ବର୍ଷାରେ ହୋଇଥିବା କ୍ଷତି ଚାଷୀଙ୍କ ଆତ୍ମବିଶ୍ବାସକୁ ଦୋହଲାଇଦେଇଛି । ତେଣୁ ସେମାନଙ୍କ ଆତ୍ମବିଶ୍ବାସକୁ ଫେରାଇ ଆଣିବାକୁ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି । ଭୌଗୋଳିକ ଅବସ୍ଥିତି ଯୋଗୁଁ ଓଡିଶା ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି । ଯେଉଁଥିପାଇଁ ବିଜେଡି ବାରମ୍ବାର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରିଆସୁଥିଲା । ଏହି ମାନ୍ୟତା ମିଳିଥିଲେ ଓଡିଶାର ଚାଷୀଙ୍କୁ ଅତିରିକ୍ତ ସହାୟତା ମିଳିପାରିଥାନ୍ତା ବୋଲି ନବୀନ କହିଛନ୍ତି ।