spot_img
Home Blog Page 12

ବହଳଦା ଘଟଣାରେ ଗିରଫ ୩୪ ଆଦିବାସୀଙ୍କୁ ତୁରନ୍ତ ଖଲାସ ଦାବି…

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଆଜି ବନ୍ଦ ଡାକରା। ବହଳଦା ଘଟଣାରେ ଗିରଫ ହୋଇଥିବା ୩୪ ଜଣ ଆଦିବାସୀଙ୍କୁ ତୁରନ୍ତ ଖଲାସ ଦାବିରେ ‘ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ’ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ବିଜେଡି, କଂଗ୍ରେସ, ଜେଏମ୍ଏମ୍ ଏବଂ ବିଭିନ୍ନ ଆଦିବାସୀ ସଂଗଠନ ସମର୍ଥନ ଜଣାଇଛନ୍ତି। ପୋଲିସ ଗ୍ରାମବାସୀଙ୍କୁ ମାଡ଼ ମାରିବା ସହ ଥାନାରେ ଯେଉଁଭଳି ଭାବେ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା,ତାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଭାବରେ ରାଇରଙ୍ଗପୁର ଉପଖଣ୍ଡ ରେ ଯାନବାହନ ଚଳାଚଳ, ଦୋକାନ ବଜାର ସବୁ ବନ୍ଦ ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ରାଇରଙ୍ଗପୁର ଅତିରିକ୍ତ ଏସପି କହିଛନ୍ତି।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ୨ ମୃତ

ଲମତାପୁଟ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ଘଟିଛି ଅଘଟଣ । କାରଟି ନନ୍ଦପୁରରୁ ପାଡୁଆ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇପଡିଥିଲେ । ଖବର ପାଇ ନନ୍ଦପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଗୋଲୁର ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି ବୋଲି ଜଣାପଡିଛି ।

ନିଆଁ ଲାଗି ଜଳିଗଲା ୧୦ ବଖରାରୁ ଅଧିକ ଘର

ଯାଜପୁର : ଯାଜପୁର ପାଣିକୋଇଲି ଥାନା ବଡ଼ତ୍ରିଲୋଚନପୁର ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୦ ବଖରାରୁ ଅଧିକ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବାକୁ ଯାଇ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗତ ବିଳମ୍ବିତ ରାତିରେ ବଡ଼ତ୍ରିଲୋଚନପୁର ଗାଁର ପରମାନନ୍ଦ ପଣ୍ଡାଙ୍କ ଘରେ କୌଣସି କାରଣରୁ ହଠାତ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଚାହୁଁଚାହୁଁ ଏହା ନିକଟରେ ଥିବା ଅନ୍ୟ ମାନଙ୍କ ଘରକୁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ଦେଖି ଗ୍ରାମବାସୀ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ।

ୟୁଏଇକୁ ୭ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି କରିବ ଆମେରିକା

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆ ଯୁଦ୍ଧ ମଧ୍ୟରେ ସହଯୋଗୀ ରାଷ୍ଟ୍ରଙ୍କ ଲାଗି ହାତ ଖୋଲା କଲା ଆମେରିକା। ସଂଯୁକ୍ତ ଆରବ ଏମିରେଟସକୁ ୭ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ବିକ୍ରି ପ୍ରସ୍ତାବକୁ ମଞ୍ଜୁର କରିଛି ଆମେରିକା। ଆମେରିକାର ଏହି ନିଷ୍ପତ୍ତି ଯୋଗୁ ୟୁଏଇ ପାଟ୍ରିଅଟ ପିଏସି-୩ ମିସାଇଲ ସିଷ୍ଟମ ଓ CH-47 ଚିନୁକ ହେଲିକପ୍ଟର ପାଇବ। ୟୁଏଇକୁ ସାମରିକ ବଳରେ ଶକ୍ତିଶାଳୀ କରିବା ଲାଗି ଆମେରିକା ଚାହିଁଛି। ଗତ କିଛି ଦିନ ଧରି ୟୁଏଇର ପ୍ରମୁଖ ଅଞ୍ଚଳଗୁଡିକୁ ଇରାନ ଟାର୍ଗେଟ କରିଆସୁଛି। ଏହାର ପର୍ଯ୍ୟଟନ ଅର୍ଥନୀତିକୁ ଧୂଳିସାତ କରିବା ଲାଗି ଇରାନ ପଣ କରିଛି। ସେପଟେ ସାଉଦିଆରବ, କତାର ଓ କୁଏତର ବହୁ ଶକ୍ତିଶଳ ଉପରେ ପୁଣି ଇରାନ ହମଲା କରିଛି। ତେଣେ ଯୁଦ୍ଧ ଲାଗି ପେଣ୍ଟାଗନ ଆଉ ୨୦୦ ବିଲିୟନ ଡଲାର ଅତିରିକ୍ତ ସହାୟତା ଚାହିଁଛି। ସେପଟେ କତାର କହିଛି ଇରାନ ହମଲାରେ ଯେତିକି କ୍ଷତି ଘଟିଛି ତାହାକୁ ମରାମତି କରିବା ଲାଗି ଲାଗିପାରେ ୫ ବର୍ଷ।

ସରିଆସିଲାଣି ଡେଡଲାଇନ, ଏଯାଏଁ ମଣ୍ଡିରୁ ଉଠୁନି ଧାନ…

ଧର୍ମଗଡ : ସରିଆସିଲାଣି ଡେଡଲାଇନ । ଏଯାଏଁ କିନ୍ତୁ ମଣ୍ଡିରୁ ଉଠିଲାନି ଧାନ । ବେଫିକର ମିଲର । ଖୋଲା ଆକାଶ ତଳେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ । କଳାହାଣ୍ଡି ଜିଲ୍ଲାରେ ଚରମ ସୀମାରେ ପହଞ୍ଚିଛି ମଣ୍ଡି ସମସ୍ୟା । ଧର୍ମଗଡ ବ୍ଲକ ନନ୍ଦ ଗାଁ ସମବାୟ ସମିତି ଅଧୀନରେ ଥିବା ବୋଡେନ ମଣ୍ଡିରେ ଲାଗି ରହିଛି ଅଚଳାବସ୍ଥା । ବୋଡ଼େନ ମଣ୍ଡିରେ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ୮୩୩ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୧୦ରୁ ଉର୍ଦ୍ଧ୍ଵ ଚାଷୀଙ୍କ ଧାନ ଏଯାଏଁ ଉଠିନାହିଁ । କାହାର ଟୋକନ ଲାପ୍ସ ହୋଇଗଲାଣି ତ କାହାର ନାଁକୁ ମାତ୍ର ଧାନ କିଣାଯାଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।
କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୯ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଥିଲା । ଏବେ ବିଭିନ୍ନ ମଣ୍ଡି ବନ୍ଦ ହୋଇଗଲାଣି । ହେଲେ ବିଭିନ୍ନ ମଣ୍ଡିରେ ଏବେ ବି ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ । ଖରା ବର୍ଷାକୁ ଖାତିର ନକରି ଚାଷୀ ବର୍ଷକର ଆହାରକୁ ଜଗି ବସୁଛନ୍ତି । ହେଲେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଲର ଆସୁ ନଥିବାରୁ ଧାନ ଉଠିପାରୁନାହିଁ ବୋଲି କହିଛନ୍ତି କ୍ରୟ ଅଧିକାରୀ । ଧାନ ବିକ୍ରିରୁ ବାଦ ପଡିଥିବା ଚାଷୀଙ୍କ ଧାନ କିଣିବେ ତ ସରକାର ?

ବୌଦ୍ଧ ମନମୁଣ୍ଡା ଓ କଣ୍ଟାମାଳ ରେଞ୍ଜରେ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ

କଣ୍ଟାମାଳ : ଯୁଆଡ଼େ ଦେଖିବେ ଖାଲି ଧୂଆଁ ଆଉ ଧୂଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ପଦା ହୋଇଗଲାଣି ମୂଲ୍ୟବାନ ଗଛ ଲତା । ଗାଁ ମୁହାଁ ଜୀବଜନ୍ତୁ । ନିଆଁ ଲିଭାଇ ପାରୁନି ବନବିଭାଗ । ଗ୍ରୀଷ୍ମ ଆରମ୍ଭରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଓ କଣ୍ଟାମାଳ ରେଞ୍ଜ ଅଧୀନରେ ଥିବା ଅନେକ ସ୍ଥାନରେ ନିଆଁ ଲାଗି ଜଙ୍ଗଲ ସହ ଚାଷ ଜମି ଧ୍ଵଂସ ହେବାକୁ ବସିଲାଣି । ସେପଟେ ଜଙ୍ଗଲ ନିକଟରେ ଥିବା ଲୋକେ ଭୟଭୀତ ହୋଇପଡିଛନ୍ତି । ଏଥିପ୍ରତି ବନବିଭାଗ ଦୃଷ୍ଟି ଦେଇ ନିଆଁ ଲିଭାଇବାକୁ ତତ୍ପର ହେବା ଜରୁରୀ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ବନ ସୁରକ୍ଷା କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ ବାବଦରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ଯେତେ ସଚେତନ କଲେ ମଧ୍ୟ ଫଳ ଶୂନ । କିଏ ମହୁଲ ଗୋଟାଇବା ପାଇଁ ଜଙ୍ଗଲରେ ନିଆଁ ଲଗାଉଛି ତ ଆଉ କିଏ ଚାଷ ପରେ ଜମିରେ ରହିଯାଇଥିବା ନଡ଼ାରେ ନିଆଁ ଲଗାଇ ଦେଉଛି । ଅନ୍ୟପଟେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରୁଛନ୍ତି ବୋଲି କହିଛନ୍ତି ଅତିରିକ୍ତ ବନଖଣ୍ଡ ଅଧିକାରୀ l ନିଆଁ ଯୋଗୁ ତାପମାତ୍ରା ବୃଦ୍ଧି ପାଇବା ସହ ପରିବେଶ ପ୍ରଦୂଷିତ ହେଉଛି । ଜଙ୍ଗଲ ନିଆଁରୁ ଲୋକଙ୍କୁ କେବେ ତ୍ରାହି ମିଳୁଛି ? ବନବିଭାଗ କେବେ ନିଆଁକୁ ଆୟତ୍ତ କରିବାରେ ସଫଳ ହେଉଛି ? ତାକୁ ହିଁ ଅପେକ୍ଷା ।

ରାଜରାସ୍ତାରେ ପାଚିକା, ତୃତୀୟ ଦିନରେ ଜାରି ରହିଛି ଆନ୍ଦୋଳନ

ଭୁବନେଶ୍ବର : ରାଜରାସ୍ତାରେ ପାଚିକା । ତୃତୀୟ ଦିନରେ ଜାରି ରହିଛି ଆନ୍ଦୋଳନ । ସନ୍ଧ୍ୟା ସୁଦ୍ଧା ସରକାର ଆଲୋଚନାକୁ ନଆସିଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଲା ପାଚକ ପାଚିକା ରାଜ୍ୟ ସଙ୍ଘ । ୭ ଦଫା ଦାବି ସହ ବକେୟା ୩ ମାସର ଦରମା ପ୍ରଦାନ ଦାବିରେ ଲୋୟର ପିଏମଜିରେ ସରକାର ଙ୍କ ବିରୁଦ୍ଧରେ ଗର୍ଜିଲେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ରାଜ୍ୟ ସଙ୍ଘ l ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ଏହି ସଙ୍ଘର ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଂଯୋଜନା ରେ ଏହି ଆନ୍ଦୋଳନରେ ହଜାର ହଜାର ପାଚକ ପାଚିକା ଦିନରେ ଖରା ଓ ରାତିରେ କାକରରେ ଶୋଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପାଚକ ପାଚିକାଙ୍କୁ ପରିଚୟ ପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ 462 ଟଙ୍କା ହିସାବ ରେ ମାସିକ 13 ହଜାର 860 ଟଙ୍କା ପ୍ରଦାନ, 60 ବର୍ଷ ପରେ ପରିବାର ରୁ ଜଣଙ୍କୁ ସେହି ପଦବୀରେ ଥଇଥାନ କରିବା ଓ ବର୍ଷରେ 10 ମାସ ବଦଳରେ 12 ମାସର ଦରମା ସହ ମାଆ ମାନଙ୍କୁ ସାମାଜିକ ସ୍ୱୀକୃତି ପ୍ରଦାନ ଆଦି 7 ଦଫା ଦାବି ନେଇ ଏହି ଆନ୍ଦୋଳନ ଜାରି ରହିଛି ।

ଇରାନ ସହିତ ଯୁଦ୍ଧ ମଧ୍ୟରେ ବୃଦ୍ଧି ପାଉଛି ଆମେରିକାର ଋଣ

ନନ୍ଦିଘୋଷ ବ୍ୟୁରୋ : ଗତ ମାସରେ ଇସ୍ରାଏଲ ସହିତ ମିଶି ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲା। ଆକ୍ରମଣକୁ ମାତ୍ର କିଛି ସପ୍ତାହ ବିତିଛି, କିନ୍ତୁ ଆମେରିକାର ଆର୍ଥିକ କ୍ଷତି କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶ୍ୱର ସବୁଠାରୁ ଧନୀ ଦେଶ ମଧ୍ୟ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରେ ଏବଂ ବୁଧବାର ସୁଦ୍ଧା ଏହାର ମୋଟ ଜାତୀୟ ଋଣ ରେକର୍ଡ ୩୯ ଟ୍ରିଲିୟନ ଡଲାରରେ ପହଞ୍ଚିଛି।

ଏହି ସଂଖ୍ୟା ସେତେବେଳେ ଆସିଛି ଯେତେବେଳେ ଟ୍ରମ୍ପ ପ୍ରଶାସନ ଆମେରିକାର ଅର୍ଥନୀତିକୁ ପୁନଃ ସୁଧାରିବା ପାଇଁ କାମ କରୁଛି, ଏକ ପ୍ରମୁଖ ଟିକସ ଆଇନ ପାସ କରୁଛି, ପ୍ରତିରକ୍ଷା ଖର୍ଚ୍ଚ ଏବଂ ପ୍ରବାସନକୁ କଡ଼ାକଡ଼ି କରୁଛି ଏବଂ ଏହାର ଋଣ ହ୍ରାସ କରିବାକୁ ଚେଷ୍ଟା କରୁଛି। ଟ୍ରମ୍ପ ତାଙ୍କ ନିର୍ବାଚନ ପ୍ରଚାର ସମୟରେ ଆମେରିକାର ଋଣ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେରିକାର ମୋଟ ଋଣ ଭାରତର ମୋଟ ଅର୍ଥନୀତି ଅପେକ୍ଷା ୧୦ ଗୁଣ ଅଧିକ।

ସରକାରୀ ଉତ୍ତରଦାୟିତ୍ୱ କାର୍ଯ୍ୟାଳୟ ଆମେରିକୀୟମାନଙ୍କ ଉପରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସରକାରୀ ଋଣର କିଛି କାରଣ ଉଲ୍ଲେଖ କରିଛି, ଯେଉଁଥିରେ ମର୍ଟଗେଜ୍ ଏବଂ କାର ଭଳି ଜିନିଷ ଉପରେ ଉଚ୍ଚ ସୁଧ ହାର, ନିବେଶ ପାଇଁ କମ୍ ଟଙ୍କା ପାଇଁ କମ ମଜୁରୀ ଏବଂ ସାମଗ୍ରୀ ଏବଂ ସେବା ପାଇଁ ଅଧିକ ମୂଲ୍ୟ ଅନ୍ତର୍ଭୁକ୍ତ। ସନ୍ତୁଳିତ ବଜେଟ୍ ପ୍ରବକ୍ତାମାନେ ଚେତାବନୀ ଦେଇଛନ୍ତି ଯେ ଅଧିକ ଋଣ ନେବା ଏବଂ ଅଧିକ ସୁଧ ଦେବାର ଏହି ଦୀର୍ଘକାଳୀନ ଧାରା ଆମେରିକୀୟମାନଙ୍କୁ ଲାଭଦାୟକ କରିବ ନାହିଁ। ଭବିଷ୍ୟତରେ ସେମାନେ ଆହୁରି କଠିନ ଆର୍ଥିକ ନିଷ୍ପତ୍ତିର ସମ୍ମୁଖୀନ ହୋଇପାରନ୍ତି।

“ଆମକୁ ଏହି ଚିନ୍ତାଜନକ ଅଭିବୃଦ୍ଧି ହାର ଏବଂ ଏହା ପରବର୍ତ୍ତୀ ପିଢ଼ି ଉପରେ ପକାଇବ ପ୍ରଚୁର ଆର୍ଥିକ ବୋଝକୁ ଚିହ୍ନିବାକୁ ପଡିବ,” ଆମେରିକାର ଦୀର୍ଘକାଳୀନ ଆର୍ଥିକ ଚ୍ୟାଲେଞ୍ଜ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଥିବା ଏକ ଅଣଲାଭକାରୀ ସଂଗଠନ ପିଟର ଜି. ପିଟରସନ ଫାଉଣ୍ଡେସନର ଅଧ୍ୟକ୍ଷ ଏବଂ ସିଇଓ ମାଇକେଲ ପିଟରସନ ଏକ ବିବୃତ୍ତିରେ କହିଛନ୍ତି। ଏହା ଆମେରିକା ପାଇଁ ଚିନ୍ତାର ବିଷୟ। ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ରାଷ୍ଟ୍ରପତିଙ୍କ ଅଧୀନରେ ସଂଘୀୟ ଋଣ ଯଥେଷ୍ଟ ବୃଦ୍ଧି ପାଇଛି।

ଆମେରିକାର ଋଣରେ ସମ୍ପ୍ରତି ବୃଦ୍ଧିର ମୁଖ୍ୟ କାରଣ ହେଉଛି ଯୁଦ୍ଧ, COVID-19 ମହାମାରୀ ସମୟରେ ବିପୁଳ ଖର୍ଚ୍ଚ ଏବଂ ଗୁରୁତ୍ୱପୂର୍ଣ୍ଣ ଟିକସ ହ୍ରାସ। ପାଞ୍ଚ ମାସ ପୂର୍ବେ, ଆମେରିକାର ଋଣ ୩୮ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା, ଯାହା ମାତ୍ର ଦୁଇ ମାସ ପୂର୍ବେ ୩୭ ଟ୍ରିଲିୟନ ଡଲାର ଥିଲା।

ପିଟରସନ୍ ଦାବି କରନ୍ତି, “ବର୍ତ୍ତମାନର ଅଭିବୃଦ୍ଧି ହାରରେ, ଏହି ବର୍ଷର ନିର୍ବାଚନ ପୂର୍ବରୁ ଆମର ଜାତୀୟ ଋଣ ଆଶ୍ଚର୍ଯ୍ୟଜନକ ଭାବରେ ୪୦ ଟ୍ରିଲିୟନ ଡଲାରରେ ପହଞ୍ଚିବ।” ସେ ଆହୁରି ମଧ୍ୟ କହିଛନ୍ତି, “କୌଣସି ଠୋସ୍ ଯୋଜନା ବିନା ଦ୍ରୁତ ଗତିରେ ଟ୍ରିଲିୟନ ଡଲାର ଋଣ ନେବା ହେଉଛି ‘ଅସ୍ଥାୟୀତା’ର ପରିଭାଷା।”

ହ୍ୱାଇଟ୍ ହାଉସର ଅର୍ଥନୈତିକ ପରାମର୍ଶଦାତା କେଭିନ୍ ହାସେଟ୍ ସମ୍ପ୍ରତି ଆକଳନ କରିଛନ୍ତି ଯେ ଇରାନ ସହିତ ଚାଲିଥିବା ଯୁଦ୍ଧ ପାଇଁ ଆମେରିକାକୁ ଏପର୍ଯ୍ୟନ୍ତ ୧୨ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ଏହି ଯୁଦ୍ଧ କେବେ ଶେଷ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ତଥାପି, ହ୍ୱାଇଟ୍ ହାଉସର ମୁଖପାତ୍ର କୁଶ ଦେଶାଇ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସଂଘୀୟ ନିଅଣ୍ଟ ହ୍ରାସ କରିବାକୁ ଇଙ୍ଗିତ କରିଛନ୍ତି।

ଆମେରିକାର ଟ୍ରେଜେରୀ ବିଭାଗର ଆର୍ଥିକ ତଥ୍ୟ ୱେବସାଇଟ୍ ଅନୁଯାୟୀ, ୨୦୨୫ ଆର୍ଥିକ ବର୍ଷରେ ମୋଟ ସରକାରୀ ଖର୍ଚ୍ଚ ୭.୦୧ ଟ୍ରିଲିୟନ ଡଲାର ଥିଲା, ଯେତେବେଳେ ରାଜସ୍ୱ ମାତ୍ର ୫.୨୩ ଟ୍ରିଲିୟନ ଡଲାର ଥିଲା। ଏହା ଫଳରେ ଆମେରିକାର ନିଅଣ୍ଟ ୧.୭୮ ଟ୍ରିଲିୟନ ଡଲାର ହୋଇଥିଲା, ଯଦିଓ ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୧ ବିଲିୟନ ଡଲାର କମ୍।

ସେୟାର ବଜାରରେ ଅସ୍ଥିରତା ! ଚିନ୍ତାରେ ନିବେଶକ…

ନନ୍ଦିଘୋଷ ବ୍ୟୁରୋ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି। ପୁଣି ଷ୍ଟକ ମାର୍କେଟରେ ବ୍ଲଡ ବାଥ। ସେନସେକ୍ସ ଖସିଛି ୧୮୦୦ ପଏଣ୍ଟ। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ସହ ଏଚଡିଏଫସି ବ୍ୟାଙ୍କର ଅନସେଟେଲଡ ଇନଭେଷ୍ଟର୍ସ ପ୍ରସଙ୍ଗରେ ଷ୍ଟକମାର୍କେଟରେ ଏହି ଘାଟା ପହଞ୍ଚିଛି। ପୂର୍ବାହ୍ନରେ ସେନସେକ୍ସ ୧୮୪୭ ପଏଣ୍ଟ ହ୍ରାସ ପାଇ ହୋଇଥିଲା ୭୪ ହଜାର ୮୫୬। ସେହିପରି ନିଫଟି ୫୬୬ ପଏଣ୍ଟ ହ୍ରାସ ପାଇ ହୋଇଥିଲା ୨୩ ହଜାର ୨୧୧। ଏହି ଘାଟା ଯୋଗୁ ନିବେଶକ ହରାଇଛନ୍ତି ୬ ଲକ୍ଷ କୋଟି ଟଙ୍କା। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ବ୍ୟାରେଲ ପିଛା ୧୧୧ ଡଲାରରୁ ଅଧିକ ହେବା ପରେ ଏହାର ପ୍ରଭାବ ପଡଛି ଷ୍ଟକ ମାର୍କେଟ ଉପରେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ବହୁଳ ଭାବେ ଭାରତ ଉପରେ ପଡିଥାଏ। ମୁଦ୍ରାସ୍ଫୀତି ବୃଦ୍ଧି, ମୁଦ୍ରା ମୂଲ୍ୟ ହ୍ରାସ ପରି ସମସ୍ୟା ଦେଖାଦେଇଥାଏ।

ଇସ୍ରାଏଲ ଓ ଉପସାଗରୀୟ ଅଞ୍ଚଳରେ ଥିବା ସାମରିକ ଘାଟି ଉପରେ ପ୍ରଚଣ୍ଡ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ରକ୍ତମୁଖା ଇରାନ l ବଦଲା ନେବାକୁ ଜାରି ରଖିଛି ଲଢେଇ l ଇରାନର ଜାତୀୟ ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନୀ ଓ ଜଣେ ଶୀର୍ଷ କମାଣ୍ଡର ଗୋଲାମରେଜା ସୋଲେମାନିଙ୍କୁ ହତ୍ୟା କରାଯିବା ପରେ ତେହେରାନ ପକ୍ଷରୁ ଭୀଷଣ ପ୍ରତିଶୋଧ ଆରମ୍ଭ ହୋଇଛି। ଇରାନ ଏହାକୁ କେବଳ ସାମରିକ କ୍ଷତି ଭାବେ ନୁହେଁ, ବରଂ ନିଜର ଅସ୍ତିତ୍ୱ ଉପରେ ଏକ ବଡ଼ ବିପଦ ବୋଲି ଗ୍ରହଣ କରିଛି । ଇରାନ ବିଶ୍ୱର ସବୁଠାରୁ ବଡ଼ ଏଲ୍‌ଏନ୍‌ଜି ହବ୍ ମଧ୍ୟରୁ ଅନ୍ୟତମ କତାରର ରାସ ଲାଫାନ ଶିଳ୍ପାଞ୍ଚଳ ଉପରେ ଏକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହି ଆକ୍ରମଣରେ ଗ୍ୟାସ୍ ପ୍ଲାଣ୍ଟ୍‌ରେ ନିଆଁ ଲାଗିଯାଇ ବ୍ୟାପକ କ୍ଷତି ହୋଇଛି । ଯାହା ଫଳରେ କତାରକୁ ଅସ୍ଥାୟୀ ଭାବରେ ଏଲ୍‌ଏନ୍‌ଜି ଉତ୍ପାଦନ ବନ୍ଦ କରିବାକୁ ପଡିଛି । ଇସ୍ରାଏଲ ଓ ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟି ଓ ସମ୍ପତ୍ତି ଉପରେ ଆଜି ଏକସଙ୍ଗେ ଆକ୍ରମଣ କରି ଇରାନ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେବାକୁ ଚେଷ୍ଟା କରିଛି। ତେବେ ଉପସାଗରୀୟ ରାଷ୍ଟ୍ରମଧ୍ୟରୁ ସଂଯୁକ୍ତ ଆରବ ଏମିରେଟ୍ସକୁ ସବୁଠାରୁ ଅଧିକ ଟାର୍ଗେଟ କରିଛି ଇରାନ l ଦୁବାଇ, ଆବୁଧାବି, ଅଜମାନ, ସାରଜା ଆଦି ସମସ୍ତ ମେଗାସିଟିରେ ପହଞ୍ଚିଛି ବ୍ୟାପକ କ୍ଷତି l ସବୁଠାରେ ଏୟାର ଡିଫେନ୍ସ ସିଷ୍ଟମ ଆକ୍ଟିଭ ରହିଥିବାବେଳେ ଲଜିଷ୍ଟିକରୁ ପର୍ଯ୍ୟଟନ, ଅର୍ଥନୀତିରୁ ଶିଳ୍ପ ସବୁକିଛି ଗଭୀର ପ୍ରଭାବିତ ହୋଇଛି l ଇରାନ ଅତ୍ୟାଧୁନିକ ଖୋରମଶାହର-୪ ବାଲିଷ୍ଟିକ୍ ମିସାଇଲ୍ ଓ ସାହେଦ-୨୩୮ ଟର୍ବୋଜେଟ୍ ଡ୍ରୋନ୍ ସାହାଯ୍ୟରେ ଇସ୍ରାଏଲ ଉପରେ ଭୀଷଣ ଆକ୍ରମଣ କରିଛି । ତେଲ୍ ଅଭିଭ୍ର ରାମାତ୍ ଗାନ୍ ଅଞ୍ଚଳରେ ଏକ ପ୍ରମୁଖ ରେଳ ଜଙ୍କସନ୍ ନିକଟରେ ମିସାଇଲ ମାଡ଼ ହେବାରୁ ଦୁଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଫେବ୍ରୁଆରୀ 28ରୁ ମାର୍ଚ୍ଚ 15 ଯାଏ ୟୁଏଇ ଉପରକୁ ଇରାନ 298ଟି ବାଲିଷ୍ଟିକ ମିସାଇଲ, 15ଟି କୃଜ ମିସାଇଲ, 1600ରୁ ଅଧିକ ଡ୍ରୋନ ମାଡ କରିଥିବା ସୂଚନା ମିଳିଛି l ଅନ୍ୟପକ୍ଷରେ ଇସ୍ରାଏଲ ହେଜବୁଲ୍ଲା ବିରୋଧରେ ଆଇରନ୍ ପ୍ରେସର ଅଭିଯାନକୁ ଆହୁରି ଜୋରଦାର କରିଛି । ବେରୁତର କେନ୍ଦ୍ରସ୍ଥଳରେ ଥିବା ଏକ ୨୨ ମହଲା ବ୍ୟବସାୟିକ ଆବାସିକ କୋଠାକୁ ଇସ୍ରାଏଲ୍ର ଯୁଦ୍ଧବିମାନ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଛି । ସେପଟେ ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ । ବଙ୍କର-ବଷ୍ଟର ବୋମା ମାଡ଼ରେ ଧ୍ୱଂସ ହେଲା ମିସାଇଲ୍ ଘାଟି । ୫ହଜାର ପାଉଣ୍ଡର ବଙ୍କର-ବଷ୍ଟର ବୋମା ମାଡ଼ ଯୋଗୁଁ ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର ହୋଇଛି । ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ପେଟ୍ରୋଲ-ଡିଜେଲ ଦର ବଢ଼ିବାର ଆଶଙ୍କା ଦେଖାଦେଇଛି । ୨୦ ଦିନରେ ପହଞ୍ଚିଛି ଏହି ମହାଯୁଦ୍ଧ । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୨୪ଶହ ଲୋକଙ୍କ ମୃତ୍ୟୁ ହେଲାଣି । ସେପଟେ ଯୁଦ୍ଧ ପାଇଁ କୁଏଦର ଗ୍ରାଣ୍ଡ ମସଜିଦରେ ସାମୁହିକ ନମାଜ ପାଠ ବାତିଲ କରାଯାଇଛି । ଇଦପାଇଁ ସାମୁହିକ ନମାଜପାଠ ନକରିବାକୁ କୁହାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ଉପସାଗରୀୟ ଦେଶରୁ ଫେରିଲେଣି ୨ ଲକ୍ଷ ୬୦ ହଜାରରୁ ଅଧିକ ଭାରତୀୟ ।