spot_img
Home Blog Page 1195

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଆଦିବାସୀ ମେଳା

ଭୁବନେଶ୍ବର: ରାମ ମନ୍ଦିର ପଛ ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା ।  ଆଦିବାସୀ ମେଳାର ବିଶେଷ ଆକର୍ଷଣ ରହିବ ଆଦିବାସୀଙ୍କ ଗାଁ, ହାଟ, କଳା ଓ ସଂସ୍କୃତିର ଷ୍ଟଲ, ଖାଦ୍ୟ କୋର୍ଟ । ଏହାସହ ଲାଇଭ ଡେମୋନଷ୍ଟ୍ରେସନ ଦେଖିବାକୁ ମିଳିବ । ଚଳିତବର୍ଷ ଆଦିବାସୀ ମେଳାରେ ୨୦ଟି ଆଦିବାସୀ କୁଡ଼ିଆ, ଆଦିବାସୀ ସାମଗ୍ରୀ ବିକ୍ରୟ ପାଇଁ ୧୪୭ଟି ଷ୍ଟଲ ରହିବ । ଏଥିସହିତ ଆଦିବାସୀ କଳା ସଂସ୍କୃତିର ଝଲକ ପାଇଁ ୪୦ଟି ଷ୍ଟଲ ରହିବ । ୧୫ ଟି ଷ୍ଟଲରେ ଲାଇଭ ଡେମୋନଷ୍ଟ୍ରେସନ କରାଯିବ ।

ବିର୍ସା ମୁଣ୍ଡାଙକ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ଵାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି । ପ୍ରତ୍ୟେକ ସଂଧ୍ୟାରେ ଆଦିବାସୀ ନୃତ୍ୟ ସଙ୍ଗୀତ ପ୍ରଦର୍ଶିତ ହେବ । ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଦିବାସୀ ମେଳାକୁ ଆଗୁଆ କରାଯାଇଛି ।

ଆଶା, ଆଶଙ୍କାରେ ପ୍ରିୟାଙ୍କ ଭାଗ୍ୟ: ୟେମେନରେ ମୃତ୍ୟୁଦଣ୍ଡ ନେଇ ବଢୁଛି ଆଶଙ୍କା

ନୂଆଦିଲ୍ଲୀ: କ’ଣ ହେବ ୟେମେନରେ ମୃତ୍ଯୁଦଣ୍ଡାଦେଶ ପାଇଥିବା କେରଳ ନର୍ସ ନିମିଷା ପ୍ରିୟାଙ୍କ ଭାଗ୍ୟ । ତଲାଲ ଆବଦୋ ମାହଦି ନାମକ ଜଣେ ୟେମେନ ନାଗରିକଙ୍କୁ ହତ୍ଯା ଅଭିଯୋଗରେ ଗିରଫ ହେବା ସହ ତାଙ୍କ ମୃତ୍ଯୁଦଣ୍ଡାଦେଶକୁ ୟେମେନ ରାଷ୍ଟ୍ରପତି ରାସଦ ଆଲିମି ମଞ୍ଜୁର କରିବା ପରେ ଏହାକୁ ନେଇ ବଢିଛି ଆଶଙ୍କା ।

ପ୍ରିୟାଙ୍କ ମୁକ୍ତି ଲାଗି କେବଳ ଭାରତ ନୁହେଁ, ଅନ୍ୟ ଦେଶ ବି ୟେମେନ ନିକଟରେ ଦାବି କରିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁର ପରେ ଏକ ମାସ ମଧ୍ଯରେ ମୃତ୍ଯୁଦଣ୍ଡ କାର୍ଯ୍ୟକାରୀ ହେବାକୁ ଯାଉଛି । ତଲାଲଙ୍କୁ ହତ୍ଯା କରିଥିବା ଅଭିଯୋଗରେ ୨୦୧୭ରୁ ଜେଲରେ ଅଛନ୍ତି ପ୍ରିୟା । ତାଙ୍କୁ ବଞ୍ଚାଇବା ଲାଗି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜୋରଦାର ଉଦ୍ଯମ ଚାଲିଛି । ପ୍ରିୟାଙ୍କ ମୁକ୍ତି ଲାଗି ୟେମେନ ରାଜଧାନୀ ସାନାକୁ ଯାଇଛନ୍ତି ତାଙ୍କ ମାଆ ୫୭ ବର୍ଷ ବୟସ୍କା ପ୍ରେମ କୁମାରୀ ।

ଗତ ୨୦୧୭ରେ ଏହି ହତ୍ଯା ଅଭିଯୋଗ ଆସିଥିବାବେଳେ ଏକ ନିମ୍ନକୋର୍ଟ ୨୦୨୦ ତାଙ୍କୁ ମୃତ୍ଯୁ ଦଣ୍ଡାଦେଶ ଦେଇଥିଲେ । ଏହା ବିରୋଧରେ ୟେମେନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରିବାର । ୨୦୨୩ରେ ମୃତ୍ଯୁ ଦଣ୍ଡାଦେଶକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । ଗତ ଡିସେମ୍ବର ୨୦୨୪ରେ ମୃତ୍ୟୁ ଦଣ୍ଡାଦେଶକୁ ମଞ୍ଜୁର କରିଥିଲେ ରାଷ୍ଟ୍ରପତି ।

ୟେମେନର ନିୟମ ଅନୁସାରେ ଯଦି ମୃତ ବ୍ଯକ୍ତିଙ୍କ ପରିବାର ଦୋଷୀଙ୍କୁ କ୍ଷମା ଦିଅନ୍ତି କିମ୍ବା ସେମାନେ ଦାବି କରିଥିବା ଅର୍ଥ କ୍ଷତିପୂରଣ ଆକାରରେ ମିଳେ ତେବେ ଦୋଷୀଙ୍କୁ ମୁକ୍ତ କରାଯାଇପାରେ । ଏହାସହ ଏହି ପ୍ରକ୍ରିୟାକୁ ସେମାନଙ୍କ ଆଦିବାସୀ ନେତା ବି ମଞ୍ଜୁରୀ ଦେବାର ଆବଶ୍ଯକତା ରହିଛି । ଏହି କ୍ଷତିପୂରଣ ଅର୍ଥକୁ କୁହାଯାଇଥାଏ ବ୍ଲଡ ମନି । ପ୍ରିୟାଙ୍କୁ ମୁକ୍ତ କରିବା ଲାଗ ଭାରତୀୟ ଦୂତାବାସ ପକ୍ଷରୁ ଅବଦୁଲ୍ଲା ଅମିର ନାମକ ଜଣେ ଓକିଲଙ୍କୁ ନିଯୁକ୍ତ କରାଯାଇଛି ।

ମୁକ୍ତି ବାବଦରେ ଭାରତ ସରକାର ୪୦ ହଜାର ଡଲାରର ବ୍ଯବସ୍ଥା କରିଛନ୍ତି । ହେଲେ ମାହିଦଙ୍କ ପରିବାର ପ୍ରାୟ ୪ ଲକ୍ଷ ଡଲାର ଦାବି କରୁଥିବା ସୂଚନା ମିଳିଛି । ଏହି ପରିମାଣ ଭାରତୀୟ ମୁଦ୍ରାରେ ହେବ ପ୍ରାୟ ୩ କୋଟି ୩୪ ଲକ୍ଷ ଟଙ୍କା । ସେପଟେ ସେଭ୍ ନିମିସା ପ୍ରିୟା ଇଣ୍ଟରନ୍ଯାସନାଲ ଆକ୍ସନ କାଉନସିଲ ପକ୍ଷରୁ ମଧ୍ଯ ପ୍ରିୟାଙ୍କ ମୁକ୍ତି ଲାଗି ଅଭିଯାନ ଜାରି ରହିଛି । ତେଣେ ପ୍ରିୟାଙ୍କ ମୁକ୍ତି ଲାଗି ଆଗେଇ ଆସିଛି ଇରାନ । ୟେମେନ ରାଜଧାନୀ ସାନା ସମେତ ଅନ୍ଯାନ୍ୟ ଅଞ୍ଚଳକୁ କାବୁ କରି ରଖିଛନ୍ତି ହୌଥି ବିଦ୍ରୋହୀ । ଭାରତ ସହ ସମ୍ପର୍କ ବୃଦ୍ଧି ଲକ୍ଷ୍ଯ ରଖି ପ୍ରିୟାଙ୍କ ମୁକ୍ତି ଲାଗି ଆଗଭର ହୋଇଛି ଇରାନ ।

ଭାରତ-ବାଂଲାଦେଶ ମଧ୍ୟରେ ୧୮୫ ମତ୍ସ୍ୟଜୀବୀ ଅଦଳବଦଳ

ନୂଆଦିଲ୍ଲୀ: ବାଂଲାଦେଶ ହିଂସା ଓ ସେଠାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନେଇ ଭାରତ ସହ ସମ୍ପର୍କ ବିଗିଡିଛି । ଏହାରି ଭିତିରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି । ଆଜି ଦୁଇ ଦେଶ ମଧ୍ଯରେ ୧୮୫ ଜଣ ମତ୍ସ୍ୟଜୀବୀଙ୍କୁ ଅଦଳବଦଳ କରାଯିବ । ଏନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ ।

ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଅତିକ୍ରମ କରିଥିବାରୁ କେତେକ ଭାରତୀୟ ନାଗରିକଙ୍କୁ ବାଂଲାଦେଶ କର୍ତ୍ତୃପକ୍ଷ ଗିରଫ କରିଥିଲେ । ସେହିପରି କେତେକ ବାଂଲାଦେଶୀ ଧୀବରଙ୍କୁ ଭାରତ ଗିରଫ କରିଛି । ଦୁଇ ଦେଶ ମଧ୍ଯରେ ହୋଇଥିବା ବୁଝାମଣା ଅନୁସାରେ ୯୫ ଜଣ ଭାରତୀୟଙ୍କୁ ତଟରକ୍ଷୀ ବାହିନୀ ହାତରେ ଅର୍ପଣ କରିବେ ବାଂଲାଦେଶ କର୍ତ୍ତୃପକ୍ଷ । ସେହିପରି ୯୦ ଜଣ ବାଂଲାଦେଶୀ ଧୀବରଙ୍କୁ ମୁକ୍ତ କରିବ ଭାରତ । ଦୁଇ ଦେଶର ତଟରକ୍ଷୀ ବାହିନୀ ଜରିଆରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଏହି ଅଦଳବଦଳ ପ୍ରକ୍ରିୟା ସୁରୁଖୁରୁରେ ହେବ ବୋଲି କହିଥିଲେ ବାଂଲାଦେଶର ଅନ୍ତରୀଣ ସରକାରର ବୈଦେଶିକ ବ୍ୟାପାର ବିଭାଗ ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନ । ଗତ ଡିସେମ୍ବରରେ ବାଂଲାଦେଶକୁ ଭାରତର ବୈଦେଶିକ ସଚିବ ବିକ୍ରମ ମିଶରିଙ୍କ ଗସ୍ତ ପରେ ଏହା ହେଉଛି ଦୁଇ ଦେଶ ମଧ୍ଯରେ ଏକ ଉଲ୍ଲେଖନୀୟ ସମ୍ପର୍କର ନିଦର୍ଶନ । ବିଭିନ୍ନ ସମୟରେ ବାଂଲାଦେଶର ୯୦ ଜଣ ନାଗରିକଙ୍କୁ ଗିରଫ କରିଛି ଭାରତ । ସେମାନେ ବର୍ତ୍ତମାନ ବିଭିନ୍ନ ଜେଲରେ ଅଛନ୍ତି ।

ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା

ଭୁବନେଶ୍ବର: ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ବିଭିନ୍ନ ମଠ ମହନ୍ତଙ୍କ ସହ ଆଲୋଚନା ପରେ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ ।

ମଠ ସଂସ୍କୃତି ବଞ୍ଚାଇ ରଖିବା ଓ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା । ମଠର ଅଧିକାର ଏବଂ ନୀତି ନିୟମ ଯେମିତି ଥିଲା ସେମିତି ରହିବ । ବୈଠକରେ ଏଣ୍ଡାମେଣ୍ଟ କମିଶନ, ଆଇନ ସଚିବ ଉପସ୍ଥିତ ଥିଲେ । ୩୦ ବର୍ଷ ହେବ ମଠ ବିଜେସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇଯାଇଛି । କିନ୍ତୁ ମଠ ପାଇଁ ଏଣ୍ଡାମେଣ୍ଟ ଆକ୍ଟ ଏବଂ ମନ୍ଦିର ପାଇଁ ଅଲଗା ଆକ୍ଟ ଅଛି । ତେଣୁ ଶୀଘ୍ର ମଠ ପରିଚାଳନା ମଠକୁ ଫେରାଇବାକୁ ମହନ୍ତମାନେ ଦାବି କରିଛନ୍ତି ।

ସେପଟେ ଏହାର କଡ଼ା ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ୭ ମାସ ପରେ ବି ରାଜ୍ଯ ସରକାର ପୁରୁଣା ସରକାରଙ୍କୁ ଦୋଷ ଦେଉଛି । ତେଣୁ ଦୋଷଦର୍ଶୀ ବଦଳରେ ଦୂରଦର୍ଶୀ ହେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମଠ ପାଇଁ କ’ଣ ଆଇନ ଆଣୁଛନ୍ତି ଆଗ ଆଣନ୍ତୁ । ମଠ ମନ୍ଦିର ବିକାଶ ସହ ସଂସ୍କୃତି ରକ୍ଷା କରିବାକୁ ବିଜେଡି ସରକାରରେ ବହୁ ପ୍ରୟାସ କରାଯାଇଛି । ୨୪ ବର୍ଷ ଶାସନରେ ସେମାନେ ଆମ ସହ ୯ ବର୍ଷ ଥିଲେ ବୋଲି କଟାକ୍ଷ କରିଛନ୍ତି ଦେବୀ ।

ଜୁନରୁ ଇପିଏଫ ସଦସ୍ୟଙ୍କୁ ମିଳିବ ଏଟିଏମ, ଟଙ୍କା ଉଠାଇବା ହେବ ସହଜ

ନୂଆଦିଲ୍ଲୀ: ଏଣିକି ଇପିଏଫରୁ ଟଙ୍କା ଉଠାଣ ହେବ ସହଜ । ଯେ କୌଣସି ବ୍ୟାଙ୍କ ଏଟିଏମରୁ ଇପିଏଫ ହିତାଧିକାରୀ ଉଠାଇ ପାରିବେ ଟଙ୍କା । ନୂଆବର୍ଷରୁ ସାରାଦେଶରେ ଲାଗୁ ହୋଇଛି EPFO 3.0 । ନୂଆ ବ୍ୟବସ୍ଥା ଯୋଗୁଁ ଉପକୃତ ହେବେ ୭ କୋଟି ଇପିଏଫ୍ଓ ସଦସ୍ୟ । ଆସନ୍ତା ଜୁନ୍ ମାସରୁ ସଦସ୍ୟମାନଙ୍କୁ ଯୋଗାଇ ଦିଆଯିବ ଇପିଏଫ୍ଓ ଏଟିଏମ୍ କାର୍ଡ । ଏହି ଏଟିଏମ୍ କାର୍ଡ ଜରିଆରେ ଯେ କୌଣସି ରାଷ୍ଟ୍ରାୟତ୍ତ, ଘରୋଇ ଓ ସମବାୟ ବ୍ୟାଙ୍କ ଏଟିଏମରୁ ଜମା ରାଶିର ୫୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଣ କରିହେବ । ଯାହାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ଝିଅ ବାହାଘର ହେଉ କି ଡାକ୍ତରଖାନା ପାଇଁ ଟଙ୍କା । ଜରୁରୀ ସମୟରେ ଆଉ ଯିବାକୁ ପଡ଼ିବନି ଇପିଏଫ କାର୍ଯ୍ୟାଳୟ । ଇପିଏଫ ଅଫିସ ଆଗରେ ଆଉ ଧାଡ଼ିରେ ଠିଆ ହେବାକୁ ପଡ଼ିବନି । ଏଣିକି ଇପିଏଫ୍ ଏଟିଏମ୍ କାର୍ଡ ଜରିଆରେ ଯେ କୌଣସି ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ଟଙ୍କା ଉଠାଇ ପାରିବେ ଇପିଏଫ୍ଓ ସଦସ୍ୟ । ନୂଆବର୍ଷରୁ ଭାରତ ସରକାର ନୂଆ ବ୍ୟବସ୍ଥା ଲାଗୁ କରିବା ପରେ EPFO 3.0 ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇଛି ।

କେମିତି ହେବ ଟଙ୍କା ଉଠାଣ ?

ଇପିଏଫ୍ ସଦସ୍ୟ ବା ଯାହାର ୧୨ ସଂଖ୍ୟା ବିଶିଷ୍ଟ UAN ବା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସକ୍ରିୟ ରହିଛି । ସେହି ସଦସ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଣ କରିପାରିବେ । ସଦସ୍ୟଙ୍କ ଆକାଉଣ୍ଟରେ ଥିବା ଜମାରାଶିର ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ । ଏଥିପାଇଁ କୌଣସି ପ୍ରୋଭିଡେଣ୍ଡ ଫଣ୍ଡ କାର୍ଯ୍ୟାଳୟର ଅନୁମତି ନେବାକୁ ପଡ଼ିବନି । ଆସନ୍ତା ଜୁନ୍ ମାସରେ ଇପିଏଫଓ ସଦସ୍ୟଙ୍କୁ ସ୍ବତନ୍ତ୍ର ଇପିଏଫ୍ ଏଟିଏମ୍ କାର୍ଡ ସୁରକ୍ଷା ବ୍ୟବସ୍ଥା ସହିତ ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ।

ନୂଆବ୍ୟବସ୍ଥା ଅନୁଯାୟୀ କୌଣସି ଇପିଏଫ ସଦସ୍ୟଙ୍କ ପ୍ରାଣହାନୀ ଘଟିଲେ ସେ କ୍ଷେତ୍ରରେ ସେମାନଙ୍କ ଆଇନଗତ ଉତ୍ତାରାଧିକାରୀଙ୍କ ମଧ୍ୟ ଆଉ ଇପିଏଫ୍ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି । ଏଥିପାଇଁ EPFO 3.0 ବ୍ୟବସ୍ଥା ଅନୁଯାୟୀ ନୂଆ କରି ଏମ୍ପ୍ଲଇଜ୍ ଡିପୋଜିଟ୍ ଲିଙ୍କଡ ଇନ୍ସୁରାନ୍ସ୍ EDLI ସ୍କିମ୍ ଲାଗୁ କରାଯାଇଛି । ଏଥିରେ ମୃତ ସଦସ୍ଯଙ୍କ ଉତ୍ତରାଧିକାରୀ ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ଏଟିଏମ୍ ଜରିଆରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ । ଏବେ ପ୍ରୋଭିଡେଣ୍ଡ ଫଣ୍ଡ୍ ସଦସ୍ୟଙ୍କୁ ଟଙ୍କା ଉଠାଣ ପାଇଁ ଅନଲାଇରେ ଦାବିପତ୍ର ଦେବା ପରେ ଟଙ୍କା ପାଇବା ପାଇଁ ୭ରୁ ୧୦ ଦିନ ଲାଗୁଛି । ସଭ୍ୟଙ୍କ ଦେହାନ୍ତ ପରେ ସମ୍ପୂର୍ଣ୍ଣ ପେନସନ ଅର୍ଥ ଉତ୍ତରାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ । ତ୍ବରିତ ବେଗରେ ଇପିଏଫ୍ ମାମଲା ସମାଧାନ କରିବା ପାଇଁ ସାରା ଦେଶରେ CPPS ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏହି ବ୍ୟବସ୍ଥା ବଳରେ ଜଣେ ଇପିଏଫ୍ ସଦସ୍ୟ ତାଙ୍କ ଆକାଉଣ୍ଟରୁ ଦେଶର ଯେ କୌଣସି ବ୍ୟାଙ୍କ, ଶାଖା ଓ ଯେ କୌଣସି ଅଞ୍ଚଳରୁ ଟଙ୍କା ଉଠାଇପାରିବେ ।

ଇପିଏଫ୍ ବ୍ୟବସ୍ଥାରେ ସୁଧାରକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଏଥିପାଇଁ ଜଣେ ସଦସ୍ୟ ତାର ଠିକଣା ଓ ସମ୍ପୂର୍ଣ୍ଣ କେଓ୍ବାଇସି ଅନଲାଇନ୍ ଜରିଆରେ ନିଜର ୟୁଏଏନ୍ ନମ୍ବର ଦ୍ବାରା ଲଗ୍ ଇନ୍ କରି ଅପଡେଟ୍ କରିବା ଆବଶ୍ୟକ ।

ଟାସ୍କ ଫୋର୍ସରେ ନାହାନ୍ତି କୋରାପୁଟ ସାଂସଦ କି ରାୟଗଡ଼ାରୁ ପ୍ରତିନିଧି, ପ୍ରଥମ ବୈଠକରୁ ବିବାଦ

ଭୁବନେଶ୍ବର: ଦକ୍ଷିଣ ଓଡ଼ିଶା ପରିଷଦ ପାଇଁ ଗଠିତ ଟାସ୍କ ଫୋର୍ସରେ ନାହାନ୍ତି କୋରାପୁଟ ସାଂସଦ । ରାୟଗଡ଼ା ଜିଲ୍ଲାରୁ କୌଣସି ବିଧାୟକ ମଧ୍ୟ ନାହାନ୍ତି । ଟାସ୍କ ଫୋର୍ସର ପ୍ରଥମ ବୈଠକରେ ଏନେଇ ସୃଷ୍ଟି ହୋଇଛି ବିବାଦ । କେବଳ ରାଜନୀତି ପାଇଁ ଏପରି ଘୋଷଣାକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଅଧିକ ଜନସଂଖ୍ୟା ସହିତ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ସାମଗ୍ରୀକ ବିକାଶ ପାଇଁ ସରକାର ହଜାରେ କୋଟି ଦେବାକୁ ଦାବି କରିଛି ବିଜେଡି । ପ୍ରଥମ ଟାସ୍କ ଫୋର୍ସ ବୈଠକରେ ପରିଷଦର ରୂପରେଖ ନେଇ ଆଲୋଚନା ହୋଇଛି । ଏଥିରେ ୭ଟି ଜିଲ୍ଲା ରଖିବାକୁ ନିଷ୍ପତ୍ତି ହୋଇଛି ।

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପୂର୍ବରୁ କେଁ । ସମସ୍ତଙ୍କୁ ସମାନ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଗମନାଗମନ, ନିଯୁକ୍ତି ଉପରେ ବିଜେଡି ଦେଇଛି ଗୁରୁତ୍ବ । ସରକାର ବର୍ଷକୁ ହଜାରେ କୋଟି ଦେବାକୁ ବିଜେଡି ଦାବି କରିଛି ।

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ହୋଇଥିବା ଟାସ୍କ ଫୋର୍ସର ପ୍ରଥମ ବୈଠକରେ ବିବାଦ ଜଳଜଳ ଦିଶୁଛି । କୋରାପୁଟ ସାଂସଦ ଓ ରାୟଗଡ଼ାର କୌଣସି ବିଧାୟକ ନ ରହିବାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି । କେବଳ ରାଜନୀତି ନକରି ସମାଗ୍ରୀକ ବିକାଶକୁ ଗୁରୁତ୍ବ ଦେବାକୁ ପଡ଼ିବ । ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରିବାକୁ ବୈଠକରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଦକ୍ଷିଣ ଓଡ଼ିଶାରେ ଗମନାଗମନ, ନିଯୁକ୍ତି, ଶିଳ୍ପ ଉପରେ ଗୁରୁତ୍ବ ଦେବାକୁ ବିଜେଡି ଦାବି କରିଛି ।

୭ ଜିଲ୍ଲାକୁ ନେଇ ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ । ସେହି ସବୁ ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର । ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତ କରାଯାଇଛି । ପରିଷଦରେ ସବୁ ଦଳର ବିଧାୟକ ଓ ସାଂସଦଙ୍କୁ ସାମିଲ କରିବା ସହ ଦାବି ଅନୁସାରେ ଏକ ବୈଧାନିକ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ଗଜପତି ଜିଲ୍ଲା ଅନୁନ୍ନତ ହୋଇଥିବାରୁ ମୋବାଇଲ ଓ ବ୍ୟାଙ୍କିଙ୍ଗ ନେଟଓ୍ବର୍କ ସୁଦୃଢ଼ କରିବା ସହ ସମ ଅନୁପାତରେ ସରକାର ବିକାଶ ପାଇଁ ନଜର ଦେବାକୁ ବିଜେଡି ବିଧାୟକ ରୁପେଶ ପାଣିଗ୍ରାହୀ କହିଛନ୍ତି । ଦକ୍ଷିଣ ଓଡ଼ିଶାର ବିକାଶରେ ଏହି ପରିଷଦ ସହାୟକ ହେବ ବୋଲି କହିଛନ୍ତି ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ଡିସେମ୍ବର ୩ରେ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ରୂପରେଖ ପ୍ରସ୍ତୁତ କରିବାକୁ ଟାସ୍କଫୋର୍ସ ଗଠନ କରିଥିଲେ । ପ୍ରଥମ ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସର ସାଂସଦ ଓ ବିଧାୟକମାନେ ଯୋଗ ଦେଇଛନ୍ତି। ଶୀଘ୍ର ଟାସ୍କ ଫୋର୍ସ ସରକାରଙ୍କୁ ରିପୋର୍ଟ ଦେବ ।

ଭାଗଚାଷୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା, ତାତିଲେ ବିରୋଧୀ

ଭୁବନେଶ୍ବର: ଅଦିନିଆ ବର୍ଷାରେ ହୋଇଥିବା ଫସଲହାନୀ ବାବଦକୁ କ୍ଷତିପୂରଣ ଭାଗଚାଷୀଙ୍କୁ ମିଳିବ ନାହିଁ । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସମସ୍ତ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଛନ୍ତି । ଭାଗଚାଷୀଙ୍କୁ ସରକାର ମାରିଦେବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସରକାର ପ୍ରତିଶ୍ରୁତି ଦେଇ ଭାଗଚାଷୀଙ୍କ ସହିତ ପ୍ରତାରଣା କରୁଛି ବୋଲି ବିଜେଡି କହିଛି । ଆଇନରେ ସଂଶୋଧନ କରି ସରକାର ତୁରନ୍ତ ଭାଗଚାଷୀଙ୍କୁ କ୍ଷତିପୂରଣ ନ ଦେଲେ ବାମ ଦଳ ଓ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବକୁ ଦେଇଛନ୍ତି ଚେତାବନୀ । ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନଥିବା ବାହାନା କରୁଛି ବିଜେପି ।

ଭାଗଚାଷୀଙ୍କୁ ସରକାର କରୁଛନ୍ତି ହତାଦର। ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ସରକାରଙ୍କ ନିଷ୍ପତ୍ତିକୁ ସବୁ ଦଳର କଡ଼ା ସମାଲୋଚନା । ଭାଗଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇବାକୁ ଚେତବନୀ ଦେଇଛି ବାମଦଳ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରି ଫସଲହାନୀର କ୍ଷତିପୂରଣ ଘୋଷଣା କରିଛନ୍ତି ସରକାର । ହେଲେ ଏଥିରୁ ବାଦ୍ ପଡ଼ିଛନ୍ତି ଭାଗଚାଷୀ । ସରକାରଙ୍କ ଏପରି ନିଷ୍ପତ୍ତି ପରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିବା ଭାଗଚାଷୀ ହତାଶ । ଏମାନଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ସରକାରଙ୍କ ନାସ୍ତିବାଣୀ ପରେ ସମସ୍ତ ବିରୋଧୀ ଦଳ ତିତିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ଭାଗଚାଷୀଙ୍କ କଥା କିଛି ନଶୁଣିଲେ ବାମଦଳ ଓ କୃଷକ ସଙ୍ଗଠନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରତିଶ୍ରୁତି ଦେଇ ଏବେ ଭାଗଚାଷୀଙ୍କ କଥା ନ ବୁଝିବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି ।

ଭାଗଚାଷୀଙ୍କ କଥା ସରକାର ବୁଝିବା ଦରକାର କହିଛି କଂଗ୍ରେସ । ଆଇନ ନାହିଁ ବୋଲି ଯଦି ସରକାର କହୁଛନ୍ତି, ତା’ହେଲେ ସରକାର ନୂଆ ଆଇନ ଆଣନ୍ତୁ । ଭାଗଚାଷୀ, ନାମମାତ୍ର ଚାଷୀ ବି ବିପର୍ଯ୍ୟୟର ଶିକାର ହେଉଛନ୍ତି । ସେମାନଙ୍କ କଥା ସରକାର ତୁରନ୍ତ ବୁଝନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ଭାଗଚାଷୀଙ୍କୁ ମାରି ଦେବାକୁ ସରକାର ଯୋଜନା କରୁଛନ୍ତି । ବିପର୍ଯ୍ୟୟ ବେଳେ ସରକାର ତାଙ୍କ ହାତ ଛାଡ଼ି ଦେଇଛନ୍ତି । ଏହାଦ୍ୱାରା ଭାଗଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ସରକାର କହିବେ ପ୍ରେମଜନିତ ହତ୍ୟା । ସରକାର ତୁରନ୍ତ ଭାଗଚାଷୀଙ୍କୁ ଅଦିନିଆ ବର୍ଷା ଫସଲହାନି ଜନିତ କ୍ଷତିପୂରଣ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ହେଲେ ବିଜେପି ଭାଗଚାଷୀଙ୍କ ପାଇଁ ଆଇନ ନଥିବାର ବାହାନା ନେଇଛି ।

୧୬ ଜିଲ୍ଲାରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ ଏସଡିଆରଏଫ ଫଣ୍ଡରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ଘୋଷଣା କରିଥିବା ବେଳେ ଭାଗଚାଷୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି ।

ନୀତୀଶ କୁମାରଙ୍କୁ ନେଇ ଚିନ୍ତାରେ ଏନଡିଏ: ଓଡ଼ିଶାରେ ବି ପ୍ରଭାବ, ତେଜିଲା ରାଜନୈତିକ ବୟାନବାଜି

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଜାତୀୟ ରାଜନୀତିରେ ନୂଆ ସମୀକରଣ । ନୀତୀଶ ଏନଡିଏ ହାତ ଛାଡ଼ି ପୁଣି ଇଣ୍ଡିଆ ମେଣ୍ଟ ମୁହାଁ ହୋଇଥିବା ନେଇ ଜାତୀୟ ସ୍ତରରେ ଚାଲିଛି ଚର୍ଚ୍ଚା । ଆଉ ଏହା ଓଡ଼ିଶା ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି । ଦେଶରେ ଶୀଘ୍ର ବିଜେପି ସରକାର ପତନ ହେବ ବୋଲି କଂଗ୍ରେସ ଆକଳନ କରିବା ସହ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି କହିଛନ୍ତି । ଦେଶର ରାଜନୀତି ଉପରେ ବିଜେଡିର ନଜର ରହିଛି ବୋଲି ଦଳୀୟ ନେତା କହିଛନ୍ତି । ଅନ୍ୟପଟେ ଓଡ଼ିଶାରେ ସରକାରର କିଛି ହେବ ନାହିଁ ବୋଲି ଦଳ ପାଲଟା ଜବାବ ଦେଇଛି ବିଜେପି ।

ଜାତୀୟ ରାଜନୀତିରେ ନୀତୀଶଙ୍କୁ ନେଇ ଥମୁନି ଚର୍ଚ୍ଚା । ପୁଣି ଦଳ ବଦଳ କରିପାରନ୍ତି ପଲଟୁରାମ ନୀତୀଶ କୁମାର । ଏନଡିଏ ହାତ ଛାଡି ଇଣ୍ଡିଆ ମେଣ୍ଟର ହୋଇ ପାରନ୍ତି ଗେହ୍ଲା ପୁଅ । ବେଶ କିଛି ଦିନ ହେବ ଜାତୀୟସ୍ତରରେ ଏହି ଚର୍ଚ୍ଚା ଥମିବାର ନା ନେଉନାହିଁ । ଯାହା ଦେଶରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି କରିବାକୁ ବାଟ ଫିଟାଉଛି । ଏହି ଚର୍ଚ୍ଚା ଭିତରେ ଓଡିଶା ରାଜନୀତି ଉଷ୍ମ ହୋଇଛି । ନୀତୀଶଙ୍କ ଅସନ୍ତୋଷ କଂଗ୍ରେସକୁ ଉତ୍ସାହିତ କରିଛି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଆକଳନ କରିଛନ୍ତି, ଶୀଘ୍ର ଦେଶରେ ବିଜେପି ସରକାରର ପତନ ହେବ । ନୀତୀଶ କୁମାର ଏନଡିଏ ଛାଡି ଇଣ୍ଡିଆ ମେଣ୍ଟରେ ସାମିଲ ହେବେ । ଏହା ପ୍ରଭାବରେ ଦେଶରେ ବିଜେପି ସରକାର ଭାଙ୍ଗିବ । ଓଡ଼ିଶାରେ ବି ଏହାର ପ୍ରଭାବ ପଡ଼ିବ ବୋଲି ପୂର୍ବତନ ପିସିସି ସଭାପତି ଜୟଦେବ କହିଛନ୍ତି । ଆଉ ସେ ସମୟ ପାଖେଇ ଆସିଲାଣି ବୋଲି ଜୟଦେବ ଯୁକ୍ତି ବାଢ଼ିଛନ୍ତି ।

ଅନ୍ୟପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଜାତୀୟ ରାଜନୀତି ଅସ୍ଥିରତା ଆଡ଼କୁ ଯାଉଛି । ଯାହା ଉପରେ ବିଜେଡି ନଜର ରଖିଛି । ବିଜେଡି ଆଞ୍ଚଳିକ ଦଳ ଭାବେ ରାଜ୍ୟ ସ୍ବାର୍ଥ ଓ ଲୋକଙ୍କ ସ୍ୱର ସାଜି କାମ କରୁଛି । ଅନ୍ୟପଟେ ନୀତୀଶ ଚର୍ଚ୍ଚା ଭିତରେ ବିଭିନ୍ନ ପ୍ରସଂଗକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଥିବାରୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ବିଜେପି ସରକାର ଲୋକଙ୍କ ବିଶ୍ବାସ ଜିଣିଛି l ପୂରା ୫ ବର୍ଷ ଶାସନରେ ରହିବ ।

ନୀତୀଶ ଏନଡିଏ ଛାଡ଼ିବା ଚର୍ଚ୍ଚା ଯେତେ ଜୋରଦାର ହେଉଛି ଓଡିଶାରେ ରାଜନୈତିକ ବୟାନବାଜି ସେତେ ବଢ଼ିବାରେ ଲାଗିଛି । ରାଜନୈତିକ ସମୀକ୍ଷକ କେ. ରବି କହିଛନ୍ତି, ଏନଡିଏ ସରକାର ଦୁଇ ପାର୍ଶ୍ବ ହେଉଛନ୍ତି ନୀତୀଶ ଓ ଚନ୍ଦ୍ରବାବୁ ନାଇଡୁ । ବର୍ତ୍ତମାନ ଯାହା ନୀତୀଶଙ୍କୁ ନେଇ ପ୍ରାରମ୍ଭିକ ଚର୍ଚ୍ଚା ହେଉଛି ତାହା ଆଗକୁ ଆହୁରି ସ୍ପଷ୍ଟ ହେବ । ବିହାର ନିର୍ବାଚନକୁ ନେଇ ନୀତୀଶ ଆଗକୁ କ’ଣ ନିଷ୍ପତ୍ତି ନେବେ ଓ କ’ଣ ସମୀକରଣ ଦେଶର ରାଜନୀତିରେ ହେବ ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ହେଲେ ଦେଶରେ ଏନଡିଏ ମେଣ୍ଟ ଉପରେ ପ୍ରଭାବ ପଡ଼ିଲେ ଓଡ଼ିଶାରେ ତାହାର ପ୍ରଭାବ ରହିବ ବୋଲି ସମୀକ୍ଷକ କହିଛନ୍ତି ।

ନୂଆବର୍ଷ ଆରମ୍ଭରୁ ନୀତୀଶ ଚର୍ଚ୍ଚା ବିଜେପି ଓ ଏନଡିଏ ମେଣ୍ଟର ଚିନ୍ତା ବଢ଼ାଇଛି । ନୀତୀଶଙ୍କୁ ନେଇ ସଂକଟରେ ଏନଡିଏ ମେଣ୍ଟ ଥିବା ବେଳେ ଇଣ୍ଡିଆ ମେଣ୍ଟ ନୂଆ ସମୀକରଣ ପାଇଁ ଅଣ୍ଟା ଭିଡିଛି । ଯାହା ଆଗାମୀ ଦିନରେ ଦେଶ ଓ ଓଡିଶା ରାଜନୀତିର ଗତିକୁ ପ୍ରଭାବିତ କରିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି ।

BSF, CRPF ଓ CISFରେ ଚାକିରି କଲେ କେତେ ଦରମା ଦରମା ମିଳିବ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟଙ୍କ ଇଚ୍ଛା ଥାଏ ସେନାରେ ଯୋଗ ଦେଇ ଦେଶରେ ସେବା କରିବା ପାଇଁ । ସେନାରେ ସୁଯୋଗ ନମିଳିଲେ BSF, CRPF ଓ CISF ପରି ସୁରକ୍ଷା ବାହିନୀରେ କାର୍ଯ୍ୟ କରିବାର ସୁଯୋଗ ମିଳିବ । କିନ୍ତୁ ସମସ୍ତଙ୍କୁ ଏହି ସୁଯୋଗ ମିଳେ ନାହିଁ । ଆପଣ ବି ସେନାରେ ଯୋଗ ଦେଇ ଦେଶର ସେବା କରିବାକୁ ଚାହୁଁଛନ୍ତି କି ? ତେବେ ଏହା ବିଷୟରେ ଆପଣ ଜାଣିବା ନିହାତି ଜରୁରୀ । ଆସନ୍ତୁ ସେନାରେ ଯୋଗ ଦେବାକୁ ହେଲେ ଆପଣଙ୍କୁ କ’ଣ କରିବାକୁ ପଡ଼ିବ, କେତେ ଦରମା ପାଇବେ ସେ ସମ୍ପର୍କରେ ।

BSFରେ ଦରମା

ବିଏସ୍ଏଫ୍ କନଷ୍ଟେବଲ୍ ଜିଡି ଦରମା ମାସକୁ ୨୧ ହଜାର୭୦୦ରୁ ୬୯ ହଜାର ୧୦୦ ଟଙ୍କା ମଧ୍ୟରେ ରହିଥାଏ । ତେବେ ଦରମା ଗ୍ରେଡ୍ ଉପରେ ନିର୍ଭର କରେ । ଆପଣଙ୍କ ଗ୍ରେଡ୍ ଅନୁସାରେ ଦରମା ମିଳିବ । ଦରମା ସହିତ ଡିଏ, ଏଚଆରଏ ଭତ୍ତା (HRA), ପରିବହନ ଭତ୍ତା ସହିତ ଅନେକ ସୁବିଧା ଉପଲବ୍ଧ ରହିଥାଏ । ସବ୍-ଇନ୍ସପେକ୍ଟର ପଦ ପାଇଁ ଦରମା ୩୫ ହଜାର ୪୦୦ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା ମଧ୍ୟରେ ହୋଇଥାଏ ।

CRPFରେ ଦରମା

CRPFରେ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କୁ ବେତନ ସ୍ତର-୧୦ ଅଧୀନରେ ୭୮ ହଜାର ୮୦୦ରୁ ୨ ଲକ୍ଷ ୯ ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବରିଷ୍ଠତା ଅନୁଯାୟୀ ଏଠାରେ ଦରମା ବୃଦ୍ଧି ହୁଏ । ଏହା ବ୍ୟତୀତ ସେମାନେ DA, HRA, ପରିବହନ ଭତ୍ତା, ରାସନ ଓ ଚିକିତ୍ସା ସୁବିଧା ମଧ୍ୟ ପାଇଥାନ୍ତି । ସବ୍-ଇନ୍ସପେକ୍ଟରଙ୍କୁ ବେତନ ସ୍ତର 6 ଅଧୀନରେ ୩୫ ହଜାର୪୦୦ ରୁ ୧ ଲକ୍ଷ ୧୨ ହଜାର ୪୦୦ ଟଙ୍କା ଦରମା ପ୍ରଦାନ କରାଯାଇଥାଏ । CRPF ହେଡ କନଷ୍ଟେବଲଙ୍କ ପଦବୀ ବେତନ ସ୍ତର-୦୩ ରେ ରଖାଯାଇଛି । ଯେଉଁଥିରେ ଦରମା ମାସିକ ୨୧ ହଜାର ୭୦୦ ରୁ ୬୯ ହଜାର ୧୦୦ ଟଙ୍କା ମଧ୍ୟରେ ରହିଛି ।

CISFରେ ଦରମା

CISFରେ କନଷ୍ଟେବଳଙ୍କ ପେ’ ସ୍କେଲ ମାସକୁ ୨୧ ହଜାର ୭୦୦ରୁ ୬୯ ହଜାର ୧୦୦ ଟଙ୍କା ରହିଥାଏ । ଏହା ପେ’ ମ୍ୟାଟ୍ରିକ୍ସର ସ୍ତର ୩ରେ ଆସିଥାଏ । ଏଠାରେ ହେଡ କନଷ୍ଟେବଲଙ୍କ ପେ’ ସ୍କେଲ ମାସକୁ ୨୫ ହଜାର ୫୦୦ ରୁ ୮୧ ହଜାର ୧୦୦ ଟଙ୍କା, ସବ ଇନ୍ସପେକ୍ଟରଙ୍କ ବେସିକ୍ ସାଲେରି ୩୫ ହଜାର ୪୦୦, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବେସିକ୍ ଦରମା ୫୬ ହଜାର ୧୦୦ ଟଙ୍କା । ଦରମା ବ୍ୟତୀତ, ସମସ୍ତଙ୍କୁ DA, HRA, ପରିବହନ ଭତ୍ତା ଇତ୍ୟାଦି ମିଳିଥାଏ ।

BSF, CISF ଏବଂ CRPFରେ ଯୋଗ ଦେବାକୁ ଯୋଗ୍ୟତା କ’ଣ ?

BSF, CISF ଓ CRPFରେ ନିଯୁକ୍ତି ପାଇବାକୁ ପ୍ରାର୍ଥୀମାନେ ଶାରୀରିକ ଏବଂ ଶିକ୍ଷାଗତ ଯୋଗ୍ୟତା ପୂରଣ କରିବା ଆବଶ୍ୟକ । ଜଣେ କନଷ୍ଟେବଳ ହେବାକୁ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ବୟସ ୧୮ ବର୍ଷରୁ ଅଧିକ ଓ ୨୩ ବର୍ଷରୁ କମ ହୋଇଥିବ । ସେତିକି ନୁହେଁ, ଶାରୀରିକ ପରୀକ୍ଷାରେ ୫ କିମି ଦୂରତାକୁ ୨୪ ମିନିଟରେ ପାର କରିବାକୁ ପଡିବ । ଏହା ବ୍ୟତୀତ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା ଦେଇ ଏଥିରେ ସଫଳ ହେଲେ ସେନାର ଏହି ସବୁ ଉଇଙ୍ଗରେ ସାମିଲ ହୋଇପାରିବେ ।

ସିଡନୀ ଟେଷ୍ଟରେ ଭାରତର ପଲା ଭାରି: ୨୦୦ ରନ୍ ଟାର୍ଗେଟ ଦେଲେ କଙ୍ଗାରୁ ହାରିବ, ସାମ୍ନାକୁ ଆସିଲା ଏକ୍ସପର୍ଟଙ୍କ ମତାମତ

ସିଡନୀ: କ’ଣ ହେବ ସିଡନୀ ଟେଷ୍ଟର ଫଳାଫଳ ।  କିଏ ପିନ୍ଧିବ ବିଜୟ ମୁକୁଟ,  କମିନ୍ସ ବାହିନୀ ନା ବୁମ୍ରା ବାହିନୀ । ଏବେ ବି ୨-୧ରେ ସିରିଜରେ ପଛୁଆ ରହିଛି ଟିମ୍ ଇଣ୍ଡିଆ । ଅନ୍ତିମ ଟେଷ୍ଟରେ ଜିତି ସିରିଜକୁ ଡ୍ର କରିବା ପ୍ରୟାସରେ ଭାରତ । ଅନ୍ୟପଟେ ସିଡନୀ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି କଙ୍ଗାରୁ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୪୫ ରନରେ ଆଗୁଆ ରହିଛି । ୧୪୧ ରନରେ ଭାରତ ୬ଟି ଓ୍ବିକେଟ ହରାଇ ସାରିଛି । ତୃତୀୟ ଦିନ ଅଷ୍ଟ୍ରେଲିଆକୁ ଅଧିକ ଟାର୍ଗେଟ ଦେବାକୁ ପ୍ରୟାସ କରିବ ଭାରତ । ସିଡନୀ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟକୁ ନେଇ ଚର୍ଚ୍ଚା ଚାଲିଛି । ଭାରତ ଏହି ମ୍ୟାଚରେ ପରାଜିତ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚାଲିଛି ଆଲୋଚନା ।

ମାତ୍ର ଭାରତ ତା’ର ଗେମ୍ ପ୍ଲାନରେ ଅଟଳ ରହିଛି । ଭାରତ ଆଉ ୫୦ ରନ ସଂଗ୍ରହ କଲେ, ଆଣ୍ଠେଇ ପଡ଼ିବ କଙ୍ଗାରୁ । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ।  ଏବେ ବି ଭାରତର ପଲା ଭାରି ରହିଛି । ବିଜୟ ହାର ୫୫-୪୫ ରହିଛି । ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ।  ୨୦୦ ଟନର ଟାର୍ଗେଟ ଅଷ୍ଟ୍ରେଲିଆ ପାଇଁ ସହଜ ହେବନି । ଏପରି କହିଛନ୍ତି ଦୀପଦାସ ଗୁପ୍ତା ।  ଏହି ଟାର୍ଗେଟ ଦେଇ ପାରିଲେ ଭାରତ ଜିତିଯିବ । କାରଣ ସିଡନୀ ପିଚ୍ ବୋଲରଙ୍କୁ ସୁହାଇବ ବୋଲି ସେ କହିଛନ୍ତି । ମାତ୍ର ଦ୍ବିତୀୟ ଇନିଂସରେ ବୁମ୍ରା ଯଦି ବୋଲିଂ ନକରନ୍ତି ତେବ ଫଳାଫଳ ଭିନ୍ନ ହୋଇପାରେ । କାରଣ ପ୍ରଥମ ଇନିଂସରେ ବୁମ୍ରା ମାତ୍ର ୧୦ ଓଭର ବୋଲିଂ କରିଥିଲେ ଓ ୨ଟି ଓ୍ବିକେଟ ନେଇଥିଲେ । ଲଞ୍ଚ ପରେ ବୁମ୍ରା କେବଳ ଗୋଟିଏ ଓଭର ବୋଲିଂ କରିଥିଲେ । କଙ୍ଗାରୁକୁ ଚକମା ଦେବା ପାଇଁ ବୁମ୍ରା କି ରଣନୀତି ପ୍ରସ୍ତୁତ କରୁଛନ୍ତି, ତା’ ଉପରେ ଏବେ ସଭିଙ୍କ ନଜର ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୩ୟ ଦିନରେ ଭାରତକୁ ଶୀଘ୍ର ଅଲଆଉଟ କରିବାକୁ ପ୍ରୟାସ କରିବ । ଭାରତ ଯଦି ୨୫୦ ରନର ଟାର୍ଗେଟ ଦିଏ, ତେବେ ଅଷ୍ଟ୍ରେଲିଆ ତାହାକୁ ଚେଜ କରିଦେବ ବୋଲି କୁହାଯାଉଛି । କାରଣ ସିଡନୀ ଗ୍ରାଉଣ୍ଡରେ ସର୍ବାଧିକ ରନ ଚେଜ ଅଷ୍ଟ୍ରେଲିଆ ନାମରେ ରହିଛି, ଯେ କି ୨୮୭ ରନ୍ ଚେଜ୍ କରିଥିଲା । ସିଡନୀ ଗ୍ରାଉଣ୍ଡରେ ଭାରତ ଶେଷ ଥର ପାଇଁ ୧୯୭୮ରେ ବିଜୟ ହାସଲ କରିଥିଲା । ଏହି ଗ୍ରାଉଣ୍ଡରେ ଭାରତ ମୋଟ ୧୩ଟି ମ୍ୟାଚ ଖେଳିଛି । ସେଥିମଧ୍ୟରୁ ଭାରତ କେବଳ ଗୋଟିଏ ମ୍ୟାଚ ଜିତିଛି ଓ ୫ଟି ହାରିଛି । ସିଡନୀରେ ଭାରତ ୭ଟି ମ୍ୟାଚ ଡ୍ର କରିଛି । ତେଣୁ ଭାରତର ପୂର୍ବ ରେକର୍ଡ ମୁତାବକ, ସିଡନୀ ଟେଷ୍ଟ ଡ୍ର ରହିବାର ସମ୍ଭାବନା ଅଧିକ । ଭାରତ ଏବେ ସିରିଜରେ ପଛୁଆ ରହିଛି । ତେଣୁ ଅନ୍ତିମ ଟେଷ୍ଟକୁ ଅତିକମରେ ଡ୍ର କରାଇ ପାରିଲେ ଭ୍ରମଣକାରୀ ଦଳର ସମ୍ମାନ ରହିପାରନ୍ତା । ତେଣୁ ଜାନୁଆରୀ ୫ରେ ସିଡନୀରେ  ଭାରତ କଣ କମାଲ କରୁଛି, ତା’ ଉପରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ରହିଛି ନଜର ।