spot_img
Home Blog Page 1173

ରଘୁବର ବିଜେପିରେ ଥିଲେ, ବିଜେପିକୁ ଗଲେ: ପଞ୍ଚାନନ କାନୁନଗୋ

ଭୁବନେଶ୍ବର: ଓଡ଼ିଶା ରାଜ୍ୟପାଳ ଦପରୁ ଇସ୍ତଫା ଦେଇ ପୁଣି ବିଜେପିରେ ମିଶିଥିବା ରଘୁବର ଦାସଙ୍କୁ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋଙ୍କ ସମାଲୋଚନା । କହିଲେ, ରଘୁବର ଦାସ ତ ବିଜେପିରେ ଥିଲେ, ବିଜେପିକୁ ଗଲେ । ନିଜ ବୋହୂଙ୍କୁ ବିଜେପିରୁ ନିର୍ବାଚନ ଲଢେଇ ପ୍ରଚାର ବି କଲେ । ଓଡ଼ିଶା ଆସିଥିଲେ ବିଜେପି କାମ ପାଇଁ କରିବାକୁ । ବିଜେପିକୁ ଯିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ । ହେଲେ, ଏହା ସମ୍ବିଧାନ ପାଇଁ ଶୁଭଙ୍କର ନୁହେଁ । ରାଜ୍ୟପାଳ ବିଜେପି ସରକାରଙ୍କ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗରେ ସତ୍ୟତା ରହିଛି ।

ସେହିପରି ସିପିଆଇ ନେତା ନାରାୟଣ ରେଡ୍ଡି ମଧ୍ୟ ରଘୁବର ଦାସଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଦୁର୍ନୀତିରେ ଛନ୍ଦି ହୋଇଥିଲେ ରଘୁବର ଦାସ । ପରାଜୟ ପରେ ତାଙ୍କୁ ଓଡ଼ିଶା ରାଜ୍ୟପାଳ କରାଗଲା । ତାଙ୍କ ପୁଅ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରିଲେ, ହେଲେ ଗିରଫ କରାଗଲାନି । ନିଜ ବୋହୂ ପାଇଁ ନିର୍ବାଚନ ପ୍ରଚାର ବି କଲେ । ଏବେ ପୁଣି ବିଜେପିରେ ମିଶିଲେ । ଏମାନେ ନିଜ ପଦର ସାଧୁତା ରଖି ନାହାନ୍ତି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।

କାର୍ଯ୍ୟକାଳ ସରିବା ପୂର୍ବରୁ କାହିଁକି ରଘୁବରଙ୍କୁ ବିଦା କରାଗଲା: ଅରୁଣ ସାହୁ

ନୟାଗଡ଼: ପୂର୍ବତନ ରାଜ୍ୟପାଳ ଓ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅରୁଣ ସାହୁ । କାର୍ଯ୍ୟକାଳ ପୂରିବା ପୂର୍ବରୁ ରଘୁବରଙ୍କୁ କାହିଁକି ବିଦା କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅରୁଣ ।

୩୦ଟି ଜିଲ୍ଲା ବୁଲି ସେ ଲୋକଙ୍କ କେଉଁ ଅଭିଯୋଗ ଶୁଣିଥିଲେ ? ଅଭିଯୋଗ ଶୁଣିଥିଲେ ନା ବିଜେପି ପାଇଁ ପ୍ରଚାର କରୁଥିଲେ ? କଣ ଅଭିଯୋଗ ଶୁଣିଥିଲେ ପ୍ରଶ୍ନ କରିଛନ୍ତି । ଏହାସହ ପୂର୍ବତନ ରାଜ୍ୟପାଳ ଶୁଣିଥିବା ଅଭିଯୋଗର ତାଲିକା ସରକାର ପ୍ରକାଶ କରିବା ସହ ତାହାର ସମାଧାନ କରନ୍ତୁ ବୋଲି ଅରୁଣ ଦାବି କରିଛନ୍ତି ।

ସେ ଆହୁରି କହିଛନ୍ତି, ତାଙ୍କ ପୁଅ ମାଡ଼ ମାରିଲେ, ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି । ଏବେ ତାଙ୍କ ପୁଅଙ୍କୁ ଡାକି ପୋଲିସ ପଚରା ଉଚୁରା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ଅରୁଣ । ରଘୁବର ଦାସଙ୍କୁ ନିର୍ବାଚନର କିଛି ମାସ ଆଗରୁ ଅକ୍ଟୋବର ୨୦୨୩ରେ ଓଡ଼ିଶାର ରାଜ୍ୟାପାଳ ଭାବେ ନିଯୁକ୍ତ କରାଯାଇଥିଲା । ଭୋଟର ଠିକ୍ ଆଗରୁ ସେ ସାରା ରାଜ୍ୟ ବୁଲିଥିଲେ । ଲୋକଙ୍କଠାରୁ ଅଭିଯୋଗ ଶୁଣିଥିଲେ ବୋଲି କୁହାଯାଇଥିଲା । ହେଲେ ଗତ ଡିସେମ୍ଵରରେ ତାଙ୍କୁ ପଦରୁ ହଟାଇଥିଲେ କେନ୍ଦ୍ର ସରକାର । କିଛି ଦିନ ତଳେ ସେ ପୁଣି ବିଜେପିରେ ସକ୍ରିୟ ଭାବେ ଯୋଗ ଦେଇଛନ୍ତି । ଯାହାକୁ ନେଇ ସମାଲୋଚନା କରିଛନ୍ତି ଅରୁଣ ।

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

କନ୍ଧମାଳ: ଫିରିଙ୍ଗିଆ ଥାନା ଟେଲାପାଲି ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା । ବାଇକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଗତକାଲି ସନ୍ଧ୍ୟାରେ ଫିରିଙ୍ଗିଆ ଥାନା ଟେଲାପାଲି ଗାଁରେ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗ୍ରାମର ଗୋପାଳ ରଣା । ଡିମିରିଗୁଡ଼ା ଗ୍ରାମର ରୁଦ୍ର ଦିଗାଲ ଏବଂ ଅନ୍ୟ ଜଣେ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ଟେଲାପାଲିଠାରେ ବାଇକଟି ଭାରସାମ୍ୟ ହରାଇ ଗୋପାଳ ରଣାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଲୋକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଫିରିଙ୍ଗିଆ ଥାନା ପୋଲିସ ପହଞ୍ଚି ଦୁଇ ବାଇକ ଆରୋହୀଙ୍କୁ  ଗିରଫ କରି ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ କ୍ଷତିପୂରଣ ଦାବିରେ ରାଜରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ ।

ଗ୍ରୁପ ଲୋନ୍ ନାଁରେ ମହିଳାଙ୍କଠାରୁ ୪୦ ଲକ୍ଷ ଠକେଇ

ଗଞ୍ଜାମ: ମହିଳା ଗୋଷ୍ଠୀଙ୍କୁ ଲୋନ୍ କରାଇ ଦେବା ଆଶା ଦେଖାଇ ୪୦ ଲକ୍ଷରୁ ଅଧିକ ଟଙ୍କାର ଠକେଇ । ୩୦ରୁ ଅଧିକ ମହିଳା ହୋଇଛନ୍ତି ଠକେଇର ଶିକାର । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରାବଳି ଗାଁରେ । ଗ୍ରୁପ ଲୋନ ନାମରେ ମହିଳାଙ୍କଠାରୁ ଟଙ୍କା ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି ।

ଗାଁର ଅଶୋକ କୁମାର ସାହୁ ନାମକ ବ୍ୟକ୍ତି ମହିଳାମାନଙ୍କୁ ବିଭିନ୍ନ ଫାଇନାନ୍ସ କମ୍ପାନୀଠାରୁ ଋଣ କରାଇ ଦେଉଥିଲେ । ମହିଳାମାନଙ୍କ ବିଶ୍ଵାସ ଭାଜନ ହେବା ପରେ ୩୦ଜଣ ମହିଳାଙ୍କ ନାମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ସେମାନଙ୍କଠାରୁ ଜାଲି ଦସ୍ତଖଲ ନେଇଥିଲେ । ଏହାପରେ ମହିଳାଙ୍କ ନାଁରେ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଋଣ କରି ଫେରାର ହୋଇଯାଇଛନ୍ତି ।

ଫାଇନାନ୍ସ କର୍ମଚାରୀ ଟଙ୍କା ଆଦାୟ ପାଇଁ ମହିଳାଙ୍କ ଘରେ ପହଞ୍ଚିବା ପରେ ଠକେଇ କଥା ପଦାକୁ ଆସିଥିଲା । ଠକାମୀର ଶିକାର ପରେ ମହିଳାମାନେ ଅଭିଯୁକ୍ତ ଘରେ ତାଲା ପକାଇବା ସହିତ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ଏହି ଠକେଇରେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ହାତ ରହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।

ଏନକାଉଣ୍ଟରରେ ତିନି ମାଓବାଦୀଙ୍କ ମୃତ୍ୟୁ

ବିଜାପୁର: ଏନକାଉଣ୍ଟରରେ ତିନି ମାଓବାଦୀ ନିହତ । ଛତିଶଗଡ଼ରେ ହୋଇଛି ଏହି ଏନକାଉଣ୍ଟର । ଛତିଶଗଡ଼ ବିଜାପୁରର ମଦ୍ଦେଡ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀଙ୍କ ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରୁ ମାଓବାଦୀମାନେ ବ୍ୟବହାର କରୁଥିବା ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ସୁରକ୍ଷାକର୍ମୀ ପୂରା ଅଞ୍ଚଳକୁ ଘେରାବନ୍ଦି କରି କମ୍ବିଂ ଅପରେଶନ ଜାରି ରଖିଛନ୍ତି ।

ମାଲକାନଗିରି ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଠାବ

ମାଲକାନଗିରି: ଜଙ୍ଗଲରେ ଥିବା ମାଓବାଦୀଙ୍କ କ୍ୟାମ୍ପ ଠାବ । ଏମଭି ୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଜଙ୍ଗଲରେ ଡିଭିଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଏହି ଡମ୍ପକୁ ଠାବ କରାଯାଇଛି । cବତ ସାମଗ୍ରୀରେ ଗୋଟିଏ SLR ବନ୍ଧୁକ, SLR ମାଗାଜିନ, ଚାରିଟି ଚାର୍ଜର, ୫୦ଟି SLR ଗୁଳି ସହ ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ରହିଛି । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀମାନେ ଏହି ସବୁ ବିସ୍ଫୋରକ ସାମଗ୍ରୀ ଜଙ୍ଗଲ ଭିତରେ ଲୁଚେଇ ରଖିଥିଲେ ବୋଲି ମାଲକାନଗିରି ଏସପି ବିବେକାନନ୍ଦ ଶର୍ମା କହିଛନ୍ତି ।

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏଥିରେ ବିଭିନ୍ନ ଦେଶର ନେତାମାନେ ସାମିଲ ହେବେ । ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ବୋଲି ଜଣାପଡ଼ିଛି । ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଟ୍ରମ୍ପ ଭେନ୍ସ ଉଦଘାଟନ ସମିତି ଭାରତ ସରକାରଙ୍କୁ ନିମନ୍ତ୍ରଣ କରିଥିଲା । ଯାହାର ଉତ୍ତରରେ ଜୟଶଙ୍କର ଭାରତ ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ ବୟାନ ଜାରି କରି କୁହାଯାଇଛି । ଏହାସହ ଟ୍ରମ୍ପ ପ୍ରଶାସନକୁ ବିଦେଶ ମନ୍ତ୍ରୀ ଭେଟି ପାରନ୍ତି ବୋଲି ଜଣାପଡିଛି ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ ଆହୁରି କୁହାଯାଇଛି, ଆମେରିକା ପ୍ରଶାସନ ସହ ଜୟଶଙ୍କର ଆଲୋଚନା କରିବା ସହ ଶପଥ ଗ୍ରହଣ ଉତ୍ସବକୁ ଆସିଥିବା ଅନ୍ୟ ମିତ୍ରରାଷ୍ଟ୍ରର ନେତାଙ୍କୁ ମଧ୍ୟ ଭେଟିବେ ।

ସୂଚନାଯୋଗ୍ୟ, ୨୦ ଜାନୁଆରୀରେ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବାକୁ ଯାଉଛନ୍ତି । ଶପଥ ପରେ ସେ ଆମେରିକାର ୪୭ ତମ ରାଷ୍ଟ୍ରପତି ହେବେ । ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଏକାଧିକ ଭାରତୀୟ ବଂଶୋଦ୍ଭବ ବଡ଼ ଦାୟିତ୍ବରେ ରହିବ ବୋଲି ଜଣାପଡ଼ିଛି । ୨୦ ଜାନୁଆରୀ ମଧ୍ୟାହ୍ନ ୧୨ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ଶପଥ ଗ୍ରହଣ ସହ ପରେଡ ଓ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିବ ।

ସୋରିଷ ତେଲ ପାଇଁ ଛାଡ଼ପତ୍ର ପର୍ଯ୍ୟନ୍ତ ଗଲା କଥା

ଆଗ୍ରା: ପତିପତ୍ନୀ ମଧ୍ୟରେ ଝଗଡ଼ା । ତାହା ପୁଣି ସୋରିଷ ତେଲ ପାଇଁ । ଝଗଡ଼ା ଏତେ ଉଗ୍ରରୁପ ନେଲା ଯେ, ଛାଡ଼ପତ୍ର ଯାଏଁ ଗଲା କଥା । ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ଝଗଡ଼ାର କାରଣ ଶୁଣି ତାଜୁବ । ପୋଲିସ ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇଲା । ସେଠାରେ ଦମ୍ପତିଙ୍କ କାଉଁସିଲିଂ ପରେ ମାମଲାରେ ସମାଧାନ ହୋଇଛି । ଏମିତି ଘଟଣା ଉତ୍ତର ପ୍ରଦେଶର ଆଗ୍ରାରୁ ଆସିଛି ।

ସୂଚନାଯୋଗ୍ୟ, ଆଗ୍ରାରେ ରହୁଥିବା ଏହି ଦମ୍ପତିଙ୍କ ବିବାହା ୨୦୨୦ରେ ହୋଇଥିଲା । ବାହାଘର ପରେ ସବୁ କିଛି ଠିକଠାକ ଚାଲିଥିଲା । ହେଲେ ୨୦୨୪ରୁ କିଛି ଏମିତି ଘଟିଲା, ଯାହା ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାକୁ ଲାଗିଲା । ଆଉ ଝଗଡ଼ାର କାରଣ ହେଲା ମହିଳାଙ୍କୁ ତାଙ୍କ ସ୍ବାମୀ ଖର୍ଚ୍ଚ ଦେଉ ନଥିଲେ । ମହିଳା କିଛି କିଣିବାକୁ ଟଙ୍କା ମାଗିଲେ ସ୍ବାମୀ ବାହାନା ବନାଇ ଦେଉଥିଲେ । ତେଣୁ ମହିଳା ଜଣଙ୍କ ଘର ଥିବା ସୋରିଷ ତେଲକୁ ନିଜ ବାପଘର ନେଇ ସେଠାରେ ବିକ୍ରି କରି ଦେଉଥିଲେ । ଏମିତି କିଛିଦିନ ଚାଲିବା ପରେ ଘଟଣା ସ୍ବାମୀ ଜାଣି ନେଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।

ବିବାଦ ଏତେ ବଢ଼ି ଯାଇଥିଲା ଯେ, ମହିଳା ତାଙ୍କ ବାପଘରକୁ ଚାଲିଯାଇଥିଲେ । ସେଠାରେ ଦୁଇମାସ ହେବ ସେ ରହୁଛନ୍ତି । ଆଉ ସେହିଠାରୁ ସେ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପରେ ପରିବାର ପରାମର୍ଶ କେନ୍ଦ୍ରକୁ ମାମଲା ଯାଇଥିଲା ।

ରାଜଧାନୀରେ ଜମିଲା ପଥୋତ୍ସବ

ଭୁବନେଶ୍ବର: ଜାଗମରା ନୂଆ ରୋଡରେ ଜମିଲା ପଥ ଉତ୍ସବ । ରାସ୍ତାରେ ଜମିଲା ନାଚ ଗୀତର ଆସର । ମେୟର ସୁଲୋଚନା ଦାସଙ୍କ ସମେତ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, କମିସନର ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ । ସେପଟେ ରାଜରାସ୍ତାରେ ଦେଖିବାକୁ ମିଳିଥିଲା କୁନି କୁନି ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ କଳାକୃତି ।

କିଛି ସମୟକୁ ଅପେକ୍ଷା: ସ୍ପେସ ଡକିଂରେ ଇତିହାସ ରଚିବ ଇସ୍ରୋ

ନୂଆଦିଲ୍ଲୀ: ସାରା ବିଶ୍ବର ନଜର ଏବେ ଇସ୍ରୋ ଉପରେ । ଯେକୌଣସି ସମୟରେ ସ୍ପେସ ଡକିଂ କ୍ଷେତ୍ରରେ ନିଜ ନାଁ ଲେଖିବାକୁ ଯାଉଛି ଇସ୍ରୋ । ଖୁବଶୀଘ୍ର ଇସ୍ରୋ ପକ୍ଷରୁ ଆସିବାରେ ବଡ଼ ଖବର । ସ୍ପେସ ଡକିଂ ପାଇଁ ଇସ୍ରୋର ରିହର୍ସାଲ ହୋଇ ଯାଇଛି । ଦୁଇ ଉପଗ୍ରହ ଓ ଅର୍ବିଟ ୩ ମିଟର ଦୂରତାକୁ ଆସିବା ପରେ ପୁଣି ନିଜ ନିଜ ସ୍ଥାନକୁ ଫେରିଯାଇଛନ୍ତି । ଆଜି ଫାଇନାଲ ଡକିଂ ହେବ । ଆଉ ଏହା ସଫଳ ହେବା ପରେ ଇସ୍ରୋ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ।

ଇସ୍ରୋର ଏହି ପ୍ରୟାସ ସଫଳ ହେବା ପରେ ସ୍ପେସ ଡକିଂ କରିବାରେ ଭାରତ ହେବ ବିଶ୍ବର ଚତୁର୍ଥ ଦେଶ । ଏହା ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଏହି ଉପଲବ୍ଧି ହାସଲ କରିଛନ୍ତି ।

ଇସ୍ରୋର ସ୍ପେସ ଡକିଂ ସଫଳ ହେଲେ ମହାକାଶ ଗବେଷଣାରେ ଭାରତ ଆଉ ଏକ ପାଦ ଆଗକୁ ଯିବ । ଏହାର ସଫଳତା ଭାରତ ପାଇଁ ବହୁତ ଗୁରୁତ୍ବ ବହନ କରେ । କାରଣ ଭାରତର ସ୍ପେସ ସେଣ୍ଟର ନିର୍ମାଣରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେହିପରି ଚନ୍ଦାୟାନ-୪ରେ ଏହା ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇବ ।