spot_img
Home Blog Page 1135

ସୁନା ଦୋକାନରେ ଲୁଟ୍ ଓ ଗୁଳିମାଡ଼ ଘଟଣାରେ ଆଉ ଜଣେ ଗିରଫ

ଯାଜପୁର: ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଦୋକାନରୁ ସୁନାଗହଣା ଲୁଟ ଓ ଗୁଳିମାଡ଼ ଘଟଣାରେ ଆଉ ଜଣେ ଗିରଫ । ରାଜ୍ୟ ବାହାରୁ ଅଭିଯୁକ୍ତଙ୍କୁ ଗିରଫ କଲା ଯାଜପୁର ପୋଲିସ । ତାଙ୍କ ପାଖରୁ ଗୋଟାଏ ବନ୍ଧୁକ, ୪ଟି ଜୀବନ୍ତ ଗୁଳି, ୨ଟି ମୋବାଇଲ ଓ କିଛି ସୁନା ଅଳଙ୍କାର ଜବତ କରାଯାଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ ।

ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇବା ସହ ତଦନ୍ତ ଜାରି ରଖିଥିବା ଯାଜପୁର ରୋଡ଼ ଏସଡିପିଓ କହିଛନ୍ତି । ପୂର୍ବରୁ ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇ ଜେଲରେ ଅଛନ୍ତି ।

ଗତ ଜାନୁଆରୀ ୪ ତାରିଖରେ ପଣ୍ଡା ଅଳଙ୍କାର ସୁନା ଦୋକାନ ନିକଟରେ ଘଟିଥିଲା ଅଘଟଣ । ସୁନା ଦୋକାନରୁ ଲୁଟ କରି ଫେରାର ହେବା ସମୟରେ ଗୁଳି ଚଳାଇଥିଲେ ଲୁଟେରା । ଫଳରେ ଲୁଟେରାଙ୍କ ଗୁଳିରେ ୨ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ୨ ଜଣ ଲୁଟେରାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ।

କଣାସରେ ବ୍ୟାପିଥିବା ହଇଜାକୁ ମହାମାରୀ ଘୋଷଣା କର: କଂଗ୍ରେସ

କଣାସ: ପୁରୀ ଜିଲ୍ଲା କଣାସ ବ୍ଲକରେ ବ୍ୟାପିଥିବା ହଇଜାକୁ ମହାମାରୀ ଘୋଷଣା କର । ଏମିତି ଦାବି କରିଛି କଂଗ୍ରେସ । ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗ୍ରାଉଣ୍ଡରୁ ଫେରି ସାମ୍ବାଦିକ ସମ୍ମିଳନୀ କରି ଏହି ଦାବି ରଖିଛି । ସେହିଭଳି ମୃତକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ଦଳ ଦାବି କରିଛି । ଏହାସହ ହଇଜା ପ୍ରଭାବିତଙ୍କ ସମସ୍ତଙ୍କ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବାକୁ ଦାବି କରିଛି ଦଳ ।

ଏହାସହ ଖାଲି ପଡିଥିବା ସମସ୍ତ ଡାକ୍ତରୀ ପଦବୀ ପୂରଣ କରିବାକୁ ମଧ୍ୟ ଦଳ ଦାବି କରିଛି । ସରକାର ଏହି ସମସ୍ୟାକୁ ନେଇ ବେପରୁଆ ମନୋଭାବ ପୋଷଣ କରୁଛନ୍ତି । ଦୋଷୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୬ ଅନୁଯାୟୀ ଗଡିଶାଗୋଦା ଥାନାରେ ମାମଲା ଦାଏର କରାଯାଇଛି । ହଇଜାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ଏକାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଦୟା ନଦୀ ଓ ଗଙ୍ଗୁଆ ନାଳ ମିଶିବା ପରେ ଜଳ ପ୍ରଦୂଷିତ ହୋଇଯାଇଛି । ଏହି ପାଣି ପିଇବା ଯୋଗ୍ୟ ହୋଇ ନଥିବା ବେଳେ କଣାସ ଓ ସତ୍ୟବାଦୀ ବ୍ଲକର ଲୋକମାନେ ଏହାକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରଭାବିତଙ୍କର ରକ୍ତ କିମ୍ବା ମଳ ନମୁନା ପରୀକ୍ଷା କରାଯାଇନାହିଁ । ତେଣୁ କଂଗ୍ରେସ ନିଜ ଉଦ୍ୟମରେ ଏହାର ପରୀକ୍ଷଣ କରିବ ବୋଲି କହିଛି ।

ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ସମ୍ପୂର୍ଣ୍ଣ ହେବାକୁ ୧୨ ସପ୍ତାହ ଲାଗିବ । ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେଡି ସାଙ୍ଗଠନିକ ନିର୍ବାଚନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ତୃଣମୂଳ ସ୍ତରର ଅଧିକାରୀ ନିଯୁକ୍ତି ହେବେ । ସେଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତାପ ଦେବଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦେଇଛନ୍ତି । ସେହି କ୍ରମେ ଦଳ ଆଗକୁ ବଢୁଛି ।

ପ୍ରତାପ ଦେବ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ନେତାଙ୍କ ସହ ଆଲୋଚନା ହୋଇଛି । ସବୁ ନେତାଙ୍କ ସହ ଆଲୋଚନା କରାଯିବ । ତୃଣମୂଳ ସ୍ତରରୁ ରାଜ୍ୟସ୍ତର ଯାଏଁ ନିର୍ବାଚନ ହେବ ବୋଲି କହିଛନ୍ତି ପ୍ରତାପ । ଅନ୍ୟପଟେ ଦଳରେ କିଛି ଗୋଷ୍ଠୀ କନ୍ଦଳ ନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ । ନେତା ଓ କର୍ମୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । କେଉଁ ଜିଲ୍ଲାରେ କେମିତି ସଂଗଠନ ଅଛି ? କ’ଣ ରଣନୀତି କରାଯିବ ତାହା ସ୍ଥିର କରାଯାଉଛି । ସେ ନେଇ ଆଲୋଚନା ଜାରି ରହିଛି । ପ୍ରତାପ ଦେବଙ୍କୁ ନିର୍ବାଚନୀ ଅଧିକାରୀ ନିଯୁକ୍ତି କରାଯାଇଛି । ଖୁବଶୀଘ୍ର ଜିଲ୍ଲା ସଭାପତି, ବ୍ଲକ ସଭାପତି, ପଞ୍ଚାୟତ ସଭାପତିଙ୍କ ନାଁ ଘୋଷଣା କରାଯିବ ।

ଠିକ ସମୟରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେପି ସବୁ କଥାରେ ୨୪ ବର୍ଷ କଥା ଶୁଣି ଶୁଣି କାନ ବଧିର ହୋଇଗଲାଣି l କେତେ ଆଉ ନିଜ ଦୋଷ ଲୁଚାଇ ବିଜେପି ପୂର୍ବ ସରକାର କଥା କହି ଲୋକଙ୍କୁ ଭୁଆଁ ବୁଲାଇବ ବୋଲି ସେ ପଚାରିଛନ୍ତି ।

ୱାକଫ ସଂକ୍ରାନ୍ତ ଜେପିସି ବୈଠକରେ ହୋହଲ୍ଲା, ୧୦ ସାଂସଦ ଦିନକ ପାଇଁ ସସପେଣ୍ଡ

ନୂଆଦିଲ୍ଲୀ: ୱାକଫ ବିଲକୁ ନେଇ ବସିଥିବା ଜେପିସି ବୈଠକରେ ହୋହଲ୍ଲା । ଦିଲ୍ଲୀରେ ବସିଥିବା ଏହି ବୈଠକରେ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ସାଂସଦମାନଙ୍କୁ ଦିନକ ପାଇଁ ସସପେଣ୍ଡ କରାଯାଇଛଇ ।

ନିଲମ୍ବିତ ହୋଇଥିବା ସାଂସଦମାନେ ହେଲେ କଲ୍ଯାଣ ବାନାର୍ଜୀ, ମହମ୍ମଦ ଜବାଦ, ଏ. ରାଜା, ଅସଦୁଦ୍ଦିନ ଓବେସୀ, ନାସିର ହୁସେନ, ମୋହିବୁଲ୍ଲା, ଏମ. ଅବଦୁଲ୍ଲା, ଅରବିନ୍ଦ ସାୱନ୍ତ, ନଦିମୁଲ ହକ ଏବଂ ଇମରାନ ମାସୁଦ । ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ ଏହି ସାଂସଦମାନେ । ପରେ ବୈଠକକୁ ସପ୍ତାହେ ଘୁଞ୍ଚାଇବା ଲାଗି ବିରୋଧୀ ଦଳର ସଦସ୍ଯମାନେ ଦାବି କରିଥିଲେ । ଯାହାକୁ ଗ୍ରହଣ କରାଯାଇ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳ ସାଂସଦଙ୍କ କହିବା କଥା ହେଲା ଜାନୁଆରୀ ୩୦ ଓ ୩୧ରେ ବୈଠକ ବସୁ । ମାତ୍ର ଏହି ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ । ବିଲର ବିଭିନ୍ନ ଧାରା ସମ୍ପର୍କରେ ଆଲୋଚନା ଲାଗି ତଥ୍ଯ ଯୋଗାଡ ପାଇଁ ଅଧିକ ସମୟ ମାଗିଥିଲେ ସଦସ୍ୟ । ହେଲେ ସେମାନଙ୍କ ଅନୁରୋଧକୁ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି। ।

ରାଜ୍ଯ ୱାକଫ ବୋର୍ଡ, ଏହାର ପଞ୍ଜିକରଣ, ୱାକଫ ସମ୍ପତ୍ତିର ସର୍ଭେ ଓ ଜବରଦଖଲ ହଟାଇବା ଲାଗି ଏହି ବିଲ୍ ଉଦ୍ଦିଷ୍ଟ ବୋଲି ସରକାର କହୁଥିବାବେଳେ ଏହା ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କହି ଆସୁଛନ୍ତି ବିରୋଧୀ । ୱାକଫ ବୋର୍ଡରେ ଅଣମୁସଲିମଙ୍କୁ ସ୍ଥାନ ଦେବା ପ୍ରସଙ୍ଗ ନେଇ ଜାରି ରହିଛି ଅସନ୍ତୋଷ ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା, ବିଚାର ପ୍ରକ୍ରିୟା ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ନନ୍ଦିଘୋଷ ବ୍ୟୁରୋ: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା। ବିଚାର ପ୍ରକ୍ରିୟା ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ। ୪ ସପ୍ତାହ ମଧ୍ୟରେ ମାମଲାର ବିଚାର ପ୍ରକ୍ରିୟା ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଚିସ ହୃଷିକେଶ ରାୟ ଓ ଜଷ୍ଟିସ ଏସ ଭି ଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ୬ ସପ୍ତାହ ପରେ ହେବ ବୋଲି ଜଣାପଡିଛି। ଏହି ମାମଲାରେ ଏବେ ବି ଆହୁରି ଦୁଇ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇ ନଥିବା ରାଜ୍ୟ ସରକାରଙ୍କ ଓକିଲ ଦର୍ଶାଇଥିଲେ।

ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଓଡିଶା ହାଇକୋର୍ଟ ଖାରଜ କରିଥିଲେ। ପିଏଚଡି ପାଇଁ ଥେସିସ ପ୍ରଦାନ କରିବା, ସାମ୍ବାଦିକ ଓ ଗଣଯୋଗାଯୋଗ ପରୀକ୍ଷାର ୪ର୍ଥ ସେମିଷ୍ଟାର ପାଇଁ ପରୀକ୍ଷା ଦେବା, ଶରୀର ଅସୁସ୍ଥ ଥିବା ପ୍ରଭୃତି କାରଣ ଦର୍ଶାଇ ସେ ଜାମିନ ଆବେଦନ କରୁଥିଲା । ହେଲେ ହାଇକୋର୍ଟ ଜାମିନ ଦେଇନଥିଲେ ।

୨୦୧୮ ଫେବୃଆରୀ ମାସ ୨୩ ତାରିଖ ଦିନ କୋରିଅରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ବଲାଙ୍ଗୀର ପାଟଣାଗଡରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେମାମଣି ସାହୁଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀ ରିମା ଗୁରୁତର ଆହତ ହୋଇଥିଲେ । ବଲାଙ୍ଗୀର ଜ୍ୟୋତି ବିକାଶ ମହାବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଥିବା ପୁଞ୍ଜିଲାଲ ସହିତ ମୃତକ ସୌମ୍ୟ ଶେଖରଙ୍କ ମାଆଙ୍କର ବିବାଦକୁ ନେଇ ଏହି ଅଘଟଣ ଘଟିଥିଲା ବୋଲି ଆଲୋଚନା ହୋଇଥିଲା। ସୌମ୍ୟଙ୍କ ମାଆ ସେହି କଲେଜରେ ଅଧ୍ୟକ୍ଷ ଥିଲେ।

ମହାରାଷ୍ଟ୍ର ନାଗପୁରରେ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ; ଚାଲିଛି ଉଦ୍ଧାର କାର୍ଯ୍ୟ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ନାଗପୁରରେ ଗୋଳାବାରୁଦ କାରଖାନାରେ ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ୫ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ଆଜି  ଭଣ୍ଡାରା ଜିଲ୍ଲା ଅନ୍ତର୍ଗତ ଜବାହାର ନଗରରେ ଥିବା କାରଖାନାରେ ଏହି ବିସ୍ଫୋରଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୫ କିଲୋମିଟର ଦୂରକୁ ଶୁଭିଥିଲା ବିସ୍ଫୋରଣର ଶବ୍ଦ।

ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସଞ୍ଜୟ କୋଲତେ। ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନା ଭିତରେ ଥିବା ଲୋକଙ୍କୁ ଉଦ୍ଧାର ଲାଗି ଚେଷ୍ଟା କରାଯାଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ବିଜେପି ଉପରେ ବର୍ଷିଛି ଆମ ଆଦମୀ ପାର୍ଟି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛି ଆମ ଆଦମୀ ପାର୍ଟି । ଆପ୍ କହିଛି, ୭ ମାସର ବିଜେପି ସରକାର ଓଡ଼ିଶାରେ ଗୋଟିଏ ମଧ୍ୟ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ନିର୍ବାଚନ ସମୟରେ ବିଜେପିର ସଂକଳ୍ପ ପତ୍ରକୁ ଜୁମଲା ପତ୍ର କହିଛି ଆମ ଆଦମୀ ପାର୍ଟି। ସୁଭଦ୍ରା ଯୋଜନାରେ ଦୁଇଟି କିସ୍ତିରେ ୫୦ ହଜାର ଟଙ୍କା କହି କେବଳ ୫ ହଜାର ଦେବାରେ ଅକ୍ଷମ ବିଜେପି । ଦିଲ୍ଲୀରେ ମହିଳାଙ୍କୁ ମାସିକ ଅଢେଇ ହଜାର ଦେବା କଥା କହିବା ବିଜେପିର ଠକ ମନୋବୃତ୍ତି ବୋଲି ଆପ କହିଛି । ଆୟୁଷ୍ମାନ ଯୋଜନା ଲାଗୁ କରିବାରେ ବିଫଳ ବିଜେପି ଦିଲ୍ଲୀରେ ପ୍ରଥମ କ୍ୟାବିନେଟର ଆୟୁଷ୍ମାନ ଯୋଜନା ଲାଗୁ କରିବା କଥା କହିବା ପ୍ରହେଳିକା ମାତ୍ର ।

୩୦୦ ୟୁନିଟ ମାଗଣା ବିଜୁଳି କହି ଓଡିଶାବାସୀଙ୍କୁ ଭଣ୍ଡେଇଥିବା ବେଳେ ଏବେ ଦିଲ୍ଲୀବାସୀଙ୍କୁ ଭଣ୍ଡାଉଛି । ବରିଷ୍ଠ ନାଗରିକଙ୍କୁ ୩ ହଜାର ଭତ୍ତା ଦେବା କହି ଠକୁଥିବା ବେଳେ ଦିଲ୍ଲୀରେ ଅଢେଇ ହଜାର ଭତ୍ତା ଦେବା ପ୍ରତିଶ୍ରୁତି ପାଣିର ଗାର ବୋଲି ଆପ୍ କହିଛି । ଓଡ଼ିଶାରେ ବନ୍ଦ ହୋଇଥିବା ୮ ହଜାର ସ୍କୁଲ ଖୋଲିବା ନେଇ ବିଜେପି ସରକାର କିଛି ପଦକ୍ଷେପ ନେଇନଥିବା ବେଳେ ଦିଲ୍ଲୀରେ ଶିକ୍ଷା କ୍ରାନ୍ତି କଥା କହିବା ଦିନରେ ଲଣ୍ଠନ ଦେଖାଇବା ଭଳି। ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ବାବଦରେ ବିଜେପି ସରକାର ନିରବ ରହିବା ତାଙ୍କ ପାରିବାପଣିଆକୁ ପଦାରେ ପକାଇଛି ବୋଲି କହିଛି ଆପ୍।

‘ମୋ ବାପା ବିଧାୟକ ଅଛନ୍ତି, ଏମିତି କେମିତି ଚାଲଣ କାଟିଦେବେ’

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲା ଖାନଙ୍କ ପୁଅର ବୁଲେଟ୍ କୁ ଜବତ କରିଛି ଦିଲ୍ଲୀ ପୋଲିସ । ସୂଚନା ଅନୁଯାୟୀ, ରଙ୍ଗ୍ ରୁଟ୍ ରେ ବାଇକ୍ ନେଇ ଯାଉଥିବା ବେଳେ ପୋଲିସ ଅଟକାଇଥିଲା। ଯୁବକଙ୍କୁ ଲାଇସେନ୍ସ ଏବଂ ଆରସି ମାଗିଥିଲା ପୋଲିସ । କିନ୍ତୁ ତାଙ୍କ ପାଖରେ ଲାଇସେନ୍ସ କି ଆରସି ନଥିଲା ଏବଂ ପୋଲିସକୁ କହିଥିଲେ ଯେ, ମୋ ବାପା ଜଣେ ବିଧାୟକ, ଏମିତି କେମିତି ଚାଲଣ କାଟିଦେବେ ବୋଲି ପୋଲିସ ସହ ଯୁକ୍ତି କରିଥିଲେ । ଏହାପରେ ପୋଲିସ ଗାଡିଟିକୁ ଜବତ କରିଥିଲା।

ପୋଲିସ ସୂଚନା ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ କଡାକଡି ଚେକିଙ୍ଗ୍ ଚାଲିଛି। ଏହି ସମୟରେ ବିଧାୟକଙ୍କ ପୁଅ ଏବଂ ତାଙ୍କ ସାଥି ରଙ୍ଗ୍ ରୁଟ୍ ରେ ସ୍ପିଡରେ ବୁଲେଟ୍ ଚଲାଇ ଆସୁଥିଲେ। ଏହାସହ ବୁଲେଟରେ ବିକଟାଳ ଶବ୍ଦର ସାଇଲେନ୍ସର ଲଗେଇଥିଲେ। ଏହା ଦେଖି ପୋଲିସ ତାଙ୍କୁ ଅଟକାଇଥିଲା। ପୋଲିସ ଉଭୟଙ୍କୁ ଲାଇସେନ୍ସ ଏବଂ ଆରସି ମାଗିଥିଲା । ସେତେବେଳେ ସେ କହିଥିଲେ ତାଙ୍କ ବାପା ଜଣେ ବିଧାୟକ, ତାଙ୍କର ଚାଲଣ କେମିତି କଟିବ କହି ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ। ବିଧାୟକଙ୍କ କଥା ଏସଏଚଓଙ୍କ ସହ କରାଇଥିଲେ । ପୋଲିସ ଉପରେ ବର୍ଷିଥିଲେ ବିଧାୟକ ଅମାନତୁଲା ଖାନ୍। ଏହାପରେ ସେଠାରେ ବୁଲେଟ୍ ଥୋଇ ଚମ୍ପଟ ମାରିଥିଲେ ବିଧାୟକଙ୍କ ପୁଅ ଏବଂ ତାଙ୍କ ସାଥି ।

 

ଆସନ୍ତା ୨୮ରେ ବିଜେଡିର ସଂସଦୀୟ ଦଳ ବୈଠକ, ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ରଣନୀତି

ଭୁବନେଶ୍ୱର: ଆସନ୍ତା ୨୮ରେ ବସିବ ବିଜେଡିର ସଂସଦୀୟ ଦଳ ବୈଠକ। ସଂସଦର ବଜେଟ ଅଧିବେଶନ ପୂର୍ବରୁ ବିଜେଡିର ଏହି ବୈଠକ ବସିବ। ଏଥିରେ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ବଜେଟ ଅଧିବେଶନ ପାଇଁ ଦଳ ପ୍ରସ୍ତୁତ କରିବ ରଣନୀତି। ୭ ରାଜ୍ୟସଭା ସାଂସଦଙ୍କୁ ନବୀନ ଦେବେ ଗୁରୁମନ୍ତ୍ର ।

ସଂସଦରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଜେଡି ସାଂସଦମାନେ ଉତଥାପନ କରିବେ, ସେ ସଂପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏକ ଦେଶ ଏକ ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ଦେଶ ଏକ ନିର୍ବାଚନ ସଂପର୍କିତ ଜେପିସିର ସଦସ୍ୟ ଅଛନ୍ତି ସାଂସଦ ମାନସ ମଙ୍ଗରାଜ ।

ଛତିଶଗଡ଼ ନକ୍ସଲ ଏନକାଉଣ୍ଟରରେ ନିହତ ନକ୍ସଲଙ୍କ ମଧ୍ୟରେ ଅଛନ୍ତି କଟକ ନିଆଳିର ଜଣେ ବ୍ୟକ୍ତି

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲଙ୍କ ମଧ୍ୟରେ କଟକ ନିଆଳି ଅଞ୍ଚଳର ଜଣେ ବ୍ୟକ୍ତି ଥିବାର ସୂଚନା ମିଳିଛି। ସେ ହେଲେ ବାଉରୀ ବନ୍ଧୁ ସେଠୀ ଓରଫ ବଣ୍ଟି । କଟକ ଜିଲ୍ଲା ନିଆଳି ଥାନା କୁଳଶ୍ରୀ ଗ୍ରାମର ବାଉରୀ ବନ୍ଧୁଙ୍କ ଘର। ଗ୍ରାଜୁଏସନ ପରେ ସେ ମାଓ ସଂଗଠନରେ ସାମିଲ ହୋଇଥିଲେ । ୧୦ ବର୍ଷ ତଳେ ଜଣେ ମହିଳା ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ପରେ ବାଉରୀ ବନ୍ଧୁ ସମ୍ପର୍କରେ ଖୁଲାସା କରିଥିଲା । ସେ ସମୟରେ ଘୁମୁସର ଡିଭିଜନ ବାଉରୀଙ୍କ ଅଧୀନରେ ଥିଲା ।

ବାଉରୀ ନିର୍ଦ୍ଦେଶରେ ପ୍ରାୟ ୫ଜଣ ଡ଼ଙ୍ଗରିଆ କନ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଜୁନିଅର ସବ୍ୟସାଚୀ କୁହାଯାଉଥିବା ବାଉରୀ ବନ୍ଧୁ କଟକ ଜିଲ୍ଲା ନିଆଳୀ ଥାନା ଏରଞ୍ଚ ପଞ୍ଚାୟତ କୁଳଶ୍ରୀ ଗ୍ରାମର ହୋଇଥିବା ବେଳେ ତାଙ୍କ ମୃତ ଦେହ ଗ୍ରହଣ କରିବାକୁ ତାଙ୍କ ପରିବାର ଲୋକେ ମନା କରିଥିବା ନିଆଳି ପୋଲିସ କହିଛି।