spot_img
Home Blog Page 1116

ସ୍କୁଲ ଶିକ୍ଷାରେ ଓଡ଼ିଶାର ଭଲ ପ୍ରଦର୍ଶନ, ଖୁସି ପ୍ରକାଶ କଲେ ନବୀନ

ଭୁବନେଶ୍ବର: 5T ରୂପାନ୍ତରଣ ଆଣିଲା ସ୍କୁଲ ଶିକ୍ଷାରେ ବିପ୍ଳବ । ଗ୍ରାମାଞ୍ଚଳରେ ସରକାରୀ ସ୍କୁଲ ଶିକ୍ଷାରେ ଓଡ଼ିଶାର ଆଖିଦୃଶିଆ ପ୍ରଦର୍ଶନ । ବାର୍ଷିକ ସ୍କୁଲ ଶିକ୍ଷା ରିପୋର୍ଟ-୨୦୨୪ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଟ୍ବିଟ କରି ଜଣାଇଛନ୍ତି ।

ଓଡ଼ିଶା ସ୍କୁଲସ୍ତରରେ ଭଲ ପ୍ରଦର୍ଶନ କରିଥିବାରୁ ନବୀନ ଖୁସି ଜାହିର କରିଛନ୍ତି । ଦେଶବ୍ଯାପୀ ଗ୍ରାମାଞ୍ଚଳରେ ପିଲାଙ୍କ ସ୍କୁଲ ଓ ଶିକ୍ଷା ଗ୍ରହଣ ନେଇ ସର୍ଭେ କରାଯାଇଥିଲା । ସରକାରୀ ସ୍କୁଲରେ ୬ରୁ ୧୪ ବର୍ଷ ବୟସର ପିଲା ଆଡମିଶନ କରିବାରେ ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି ଓଡି଼ଶା । ଯାହାର ପରିମାଣ ୮୮.୬ ପ୍ରତିଶତ ରହିଛି । ସେହିପରି ତୃତୀୟ ଶ୍ରେଣୀରେ ପଢିବାରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି ଓଡ଼ିଶା । ତେବେ ୯୫ ପ୍ରତିଶତରୁ ଅଧିକ ୪ ବର୍ଷର ଶିଶୁ ସ୍କୁଲରେ ନାମ ଲେଖାଇଛନ୍ତି । ଏସବୁ ସମ୍ଭବ ହୋଇପାରିଛି କେବଳ 5T ରୂପାନ୍ତରଣ ଯୋଗୁଁ ।

ଫେବୃଆରୀ ଏକରେ କେନ୍ଦ୍ର ବଜେଟ୍: ଉତ୍କର୍ଷ ଓଡିଶା କନକ୍ଲେଭ ଦ୍ବାରା ରାଜ୍ୟକୁ ଅଧିକ ଅନୁଦାନ ମିଳିବ କି ?

ଭୁବନେଶ୍ବର: ଆସନ୍ତା ୧ ତାରିଖରେ ଆସିବ କେନ୍ଦ୍ର ବଜେଟ୍ । ତେବେ ରାଜ୍ଯରେ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା ମେକଇନ ଓଡିଶା କନକ୍ଲେଭ ସରିବା ପରେ ବଜେଟରେ ରାଜ୍ଯକୁ ଅନୁଦାନର ପରିମାଣ କ’ଣ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଗତ ବର୍ଷ ମାନଙ୍କରେ ଓଡିଶା ପ୍ରତି ସବୁବେଳେ ବୈମାତୃକ ମନୋଭାବ ପୋଷଣ କରାଯାଉଥିଲା । ବର୍ତ୍ତମାନ ରାଜ୍ଯକୁ ବିଭିନ୍ନ କ୍ଷେତ୍ରରେ ଅଧିକ ଅନୁଦାନ ଆସିବା ଆଶା ରହିଛି ।

ଆସନ୍ତା ଫେବୃଆରୀ ୧ ତାରିଖରେ ଆସିବ କେନ୍ଦ୍ର ସାଧାରଣ ବଜେଟ । ଏହାକୁ ନେଇ ରାଜ୍ଯରେ ଆରମ୍ଭ ହୋଇଛି ଚର୍ଚ୍ଚା । ବଜେଟର ରୂପରେଖ କ’ଣ ହେବ ? ଓଡିଶା ଏଥିରୁ କ’ଣ ଲାଭ ପାଇବ ? ନା ଗତ ଥର ଭଳି ଏଥର ବି ଅବହେଳାର ଶିକାର ହେବ ? ରାଜ୍ଯରେ ବହୁ ଆଡମ୍ବରରେ ଆୟୋଜିତ ହୋଇଥିବା ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଲେଭ ଦ୍ବାରା ରାଜ୍ଯକୁ ଅଧିକ ଅନୁଦାନ ମିଳିବ କି ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଠିଛି ।

ତେବେ ଏହାରି ମଧ୍ୟରେ ରାଜ୍ଯର ଶିଳ୍ପୋଦ୍ଯୋଗୀମାନେ ଅନେକ ଆଶା ଆଂଶକା ପ୍ରକାଶ କରିଛନ୍ତି । ଏମଏସଏମଇ, କେମିକାଲ ଭଳି ଶିଳ୍ପ ପାଇଁ ଏଠାରେ ପର୍ଯ୍ଯାପ୍ତ ସୁଯୋଗ ରହିଥିବାରୁ ବଜେଟରେ ନୂଆ ଅର୍ଥ ବ୍ଯୟ ବରାଦ କରିବାକୁ ସେମାନେ ମତ ଦେଇଛନ୍ତି । ପୂର୍ବ ବର୍ଷ କିଛି ରାଜ୍ଯରେ ରାଜନୈତିକ ଇକୁଏସନ ପାଇଁ ଓଡିଶାକୁ ହତାଦର କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଚଳିତବର୍ଷ ଏହାର ପୁନରାବୃତ୍ତି କିଭଳି ନହେବ ସେନେଇ ଉଦ୍ଯମ ହେବା ଦରକାର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ଓଡିଶା ଲଗାତାର କେନ୍ଦ୍ରୀୟ ଅବହେଳାର ଶିକାର ହୋଇଆସୁଛି । ରାଜନୈତିକ କାରଣରୁ ରାଜ୍ଯ ତାର ହକ ପାଇ ପାରୁନାହିଁ । ପ୍ରାକୃତିକ ସମ୍ପଦରେ ଓଡିଶା ଭରପୂର ଥିଲେ ବି ନିବେଶକ ଏଠାରେ ନିବେଶ କରିବାକୁ ପସନ୍ଦ କରୁନାହାଁନ୍ତି । ତେଣୁ ଏବେ ଡବଲ ଇଂଜିନର ସରକାର ଆସିଥିବାରୁ କେନ୍ଦ୍ର ସରକାର ଆଉ ଠକି ପାରିବେ ନାହିଁ । ଓଡିଶାକୁ ତାର ପ୍ରାପ୍ଯ ପ୍ରଦାନ କରିବେ । ତେଣୁ ବିଳମ୍ବ ନକରି ତୁରନ୍ତ ଏକ ଆଦିବାସୀ ବିଶ୍ବବିଦ୍ଯାଳୟ ପ୍ରତିଷ୍ଠା କରିବାକୁ ଦାବି ଉଠିଛି । ସୁନ୍ଦରଗଡ କିମ୍ବା କୋରାପୁଟରେ ଏନେଇ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ଉତ୍କର୍ଷ ଓଡିଶା ମେକଇନ ଓଡିଶା କନକ୍ଲେଭରେ ପ୍ରସ୍ତାବ ଦିଆଯାଇଛି ।

ଗତ ଦୁଇ ଦଶନ୍ଧି ଧରି ଓଡିଶା ରାଜନୈତିକ କାରଣରୁ କେନ୍ଦ୍ରଠାରୁ ସହଯୋଗ ପାଇ ପାରୁନାହିଁ । ତେବେ ବର୍ତ୍ତମାନ ରାଜ୍ଯରେ ଡବଲ ଇଞ୍ଜିନ ସରକାର ଥିବାରୁ କେନ୍ଦ୍ରୀୟ ସହଯୋଗର ପରିମାଣ କେତେ ହେବ ତାହାକୁ ନେଇ ଲାଗି ରହିଛି ଉତ୍ସୁକତା ।

କାଲିଠୁ ବଜେଟ୍ ଅଧିବେଶନ: ଶାନ୍ତିଶୃଙ୍ଖଳାର ସହ ଗୃହ ପରିଚାଳନା ପାଇଁ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ବଜେଟ ଅଧିବେଶନ । ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୧ ତାରିଖରେ ୨୦୨୫-୨୬ କେନ୍ଦ୍ର ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ବି ଗୃହରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ୧୦ ମାର୍ଚ୍ଚରୁ ୪ ଏପ୍ରିଲ ଯାଏଁ ଚାଲିବ ।

ଫେବୃଆରୀ ୩ରୁ ୫ ଯାଏଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅଧ ଘଣ୍ଟା ଲାଗି ଏକ ସ୍ବତନ୍ତ୍ର ସିଟିଂ ବସିବ । ଆସନ୍ତା ଫେବୃଆରୀ ୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ଉତ୍ତର ରଖିବେ । ଚଳିତ ଅଧିବେଶନରେ ମୋଟ ୨୭ଟି ସିଟିଂ ଧାର୍ଯ୍ୟ କରାଯାଇଛି । ଗତ ସଂସଦ ଅଧିବେଶନରେ ଆଦାନୀ, ସମ୍ବିଧାନ ସୁରକ୍ଷା, ଚାଷୀ ସମସ୍ଯା ସମେତ ଅନ୍ଯାନ୍ଯ ବହୁ ପ୍ରସଙ୍ଗରେ ବିରୋଧୀଙ୍କ ନାରାବାଜି ଯୋଗୁଁ ଉଭୟ ଗୃହର କାର୍ଯ୍ଯ ଗୁରୁତର ପ୍ରଭାବିତ ହୋଇଥିଲା । ତେବେ ବଜେଟ ଅଧିବେଶନରେ କିପରି ଶାନ୍ତିଶୃଙ୍ଖଳାରେ ଗୃହ ସୁରୁଖୁରୁରେ ଚାଲିପାରିବ ସେଥିପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡିଥିଲେ ।

ଗୃହକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବା ଲାଗି ଆଜି ବସିଥିବା ସର୍ବଦଳୀୟ ବୈଠକରେ ହୋଇଛି ଆଲୋଚନା । ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତା କରିଥିବାବେଳେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଜେ.ପି. ନଡ୍ଡା, ଅର୍ଜୁନରାମ ମେଘୱାଲ ଓ ଏଲ. ମୁରୁଗାନଙ୍କ ସମେତ ଅନ୍ଯାନ୍ଯ ନେତା । ଏହାସହ କଂଗ୍ରେସର ଜୟରାମ ରମେଶ, କେ. ସୁରେଶ, ଗୌରବ ଗୋଗଇ, ଟିଏମସି ଏମପି ସୁଦୀପ ବନ୍ଦୋପାଧ୍ଯାୟ, ଡେରେକ ଓବ୍ରିୟେନ, ବିଜେଡିର ସସ୍ମିତ ପାତ୍ରଙ୍କ ସମେତ ଅନ୍ଯାନ୍ଯ ଦଳର ନେତା ସାମିଲ ହୋଇଥିଲେ । ସେହିପରି ଡିଏମକେର ଟିଆର ବାଲୁ, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଜେଏମଏମର ମହୁଆ ମାଝି ବି ବୈଠକରେ ଯୋଗ ଦେଇଥିଲେ ।

ଗର୍ଜିବ ବିଜେଡି

ସେପଟେ ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ଯା ପ୍ରଦାନ, ମୁଦ୍ରାସ୍ଫୀତି ଓ ଦରବୃଦ୍ଧି, ଉତ୍କଟ ବେକାରୀ, ଚାଷୀଙ୍କୁ ଏମଏସପି ଦୁଇଗୁଣ କରିବା, ପୋଲାଭରମ ଓ ମହାନଦୀ ବିବାଦ, କୋଇଲା ରୟାଲଟି, ଗ୍ରୀନ ଟାକ୍ସ, ଜାତୀୟ ରାଜପଥ, ସମ୍ବଲପୁର-କୋରାପୁଟ-ବାଲେଶ୍ବରରେ ପୂର୍ଣ୍ଣକାଳୀନ ଏମସ ହସ୍ପିଟାଲ ପ୍ରତିଷ୍ଠା, ଆଦିବାସୀ ବିକାଶ ଆଦି ପ୍ରସଙ୍ଗ ସଂସଦରେ ଉଠିବ ବୋଲି କହିଛି ବିଜେଡି । ଏହାସହ ହୋ, ମୁଣ୍ଡାରି, ଭୂମିଜ ଓ କୁଇ ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସ୍ଥାନୀତ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ରେଳବାଇ ଆଦି ପ୍ରସଙ୍ଗରେ ବି ଦଳୀୟ ସାଂସଦ ଜୋରଦାର ସ୍ବର ଉତ୍ତୋଳନ କରିବ ବୋଲି କହିଛି ବିଜେଡି ।

ଓଡ଼ିଶା ପାଇଁ କ’ଣ ରହିବ ?

ବଜେଟର ପେଡ଼ି ଖୋଲିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ବିଜେଟରେ ଓଡ଼ିଶା ପାଇଁ କ’ଣ ରହିଛି ତାହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆକଳନ ଆରମ୍ଭ କରିଛନ୍ତି । ସ୍ବତନ୍ତ୍ର ରାଜ୍ୟପାହ୍ୟା, ସ୍ବତନ୍ତ୍ର ଆର୍ଥିକ ଅନୁଦାନ, ରେଳବାଇ କ୍ଷେତ୍ରରେ ଓଡ଼ିଶା କ’ଣ ପାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି । କେନ୍ଦ୍ରର ବଜେଟ ପେଡ଼ିରେ ଓଡ଼ିଶାର ହକ ମିଳବ ନାଁ ପୁଣି ଓଡ଼ିଶା ନିରାଶ ହେବ ତାହାକୁ ନେଇ ନେତାଏ ମତାମତ ରଖିଛନ୍ତି ।

ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ସବୁ କ୍ଷେତ୍ରରେ ଡବଲ ଲାଭ ମିଳିବା ଦରକାର ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । ସେହିପରି ପୋଲାଭରମ, ମହାନଦୀ ସହ କୋଇଲା ରୟାଲିଟି ସଂଶୋଧନ ପରି ଦୀର୍ଘଦିନର ସମସ୍ୟାର ସମାଧାନ ବାଟ ବାହାରିବା ଦରକାର । କଂଗ୍ରେସ କହିଛି ବିଜେପି ସରକାରର ବଜେଟ ଲୋକଙ୍କ ପାଇଁ ହେବା ଆବଶ୍ୟକ । ଦରଦାମ କେମିତି ନିୟମନ୍ତ୍ରଣକୁ ଆସିବ ତାହା ଉପରେ କେନ୍ଦ୍ର ସରକାର ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦରକାର ।

ସିପିଆଇ ନେତା ରାମକୃଷ୍ଣ ପଣ୍ଡା କହିଛନ୍ତି, କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଦେଶର ଅର୍ଥନୀତି ଭୁଷୁଡ଼ି ପଡ଼ିଛି । ଦରଦାମ ନିୟନ୍ତ୍ରଣ ବାହାରକୁ ଯିବା ସହ ନିଯୁକ୍ତି ସାତସପନ ହୋଇଛି । ଅନ୍ୟପଟେ ରାଜସ୍ବ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ବଜେଟରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପ୍ରତିଫଳିତ ହେବ । ସମସ୍ତେ ଅପେକ୍ଷା କରନ୍ତୁ ।

‘ଆମ ଗାଁ ଆମ ବିକାଶ’ର ନାଁ ବଦଳିବା ପରେ ଜେତିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: ପୁଣି ଯୋଜନାକୁ ନେଇ ମୁହାଁମୁହିଁ ଶାସକ ଓ ବିରୋଧୀ । ବିଜେଡି ସରକାର ସମୟରେ ‘ଆମ ଗାଁ ଓ ଆମ ବିକାଶ’ ଯୋଜନାର ନାଁ ପରିବର୍ତ୍ତନ କରି ବିଜେପି କରିଛି ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ । ଏଥିପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି ହେବା ପରେ ବିଜେପିକୁ ଘେରିଛନ୍ତି ବିରୋଧୀ । ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ନବୀନଙ୍କ ଲୋକପ୍ରିୟ ଯୋଜନାର କେବଳ ନାଁ ପରିବର୍ତ୍ତନ କରୁଛି ବିଜେପି । ଅନ୍ୟପଟେ କଂଗ୍ରେସ କହିଛି ବିଜେପି କର୍ମୀଙ୍କ ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା କରାଯାଇଛି । ୭ ମାସରେ ବିଜେପି କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରି ବିକଶିତ କରିଛି ।

୨୪ ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଭିନ୍ନ ଲୋକପ୍ରିୟ ଯୋଜନା କରାଯାଇଥିଲା । ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ଯୋଜନାକୁ ଗ୍ରାଉଣ୍ଡରେ ସଫଳ ରୂପାୟନ କରିଥିଲା ପୂର୍ବ ସରକାର । ଏହାରି ଭିତରେ ୭ ମାସର ବିଜେପି ସରକାର କେବଳ ନବୀନଙ୍କ ଯୋଜନାର ନାଁ ପରିବର୍ତ୍ତନ କରି ନୂଆ ନାଁ ଦେଉଛି । ବିଜେଡି ସରକାର ସମୟର ଆମ ଗାଁ, ଆମ ବିକାଶ ଯୋଜନାକୁ ସେତେବେଳେ କେନ୍ଦ୍ର ସରକାର ଓ ଜାତିସଂଘ ପୁରସ୍କାର ଦେଇଥିଲେ । ଏହି ଯୋଜନାକୁ ଏବେ ନୂଆ ନାଁ ଦେଇ ବିଜେପି ସରକାର ବିକଶିତ ଗାଁ, ବିକଶିତ ଓଡ଼ିଶା କରିଛି ବୋଲି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ତେଣୁ ରଙ୍ଗ ବଦଳାଇବା ଓ ନାଁ ପରିବର୍ତ୍ତନ କରିବା ବିଜେପି ସରକାର ବନ୍ଦ କରି କିଛି ନୂଆ ଯୋଜନା କରୁ । ବାରମ୍ବାର ପୂର୍ବ ସରକାର, ପୂର୍ବ ସରକାର ନଘୋଷି ବିଜେପି କିଛି ନୂଆ ଯୋଜନା କରି ଏହାକୁ ସଫଳ କରିବାକୁ ପରାମର୍ଶ ଦେଇଛନ୍ତି ବଦ୍ରି ।

ଅନ୍ୟପଟେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବୃଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ମାର୍ଗଦର୍ଶିକା ଅନୁସାରେ ୫ ବର୍ଷିଆ ଯୋଜନାର ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ଗାଁର ବିକାଶକୁ ତ୍ବରାନ୍ବିତ କରିବାକୁ ବିଜେପି ସରକାର ଗୁରୁତ୍ବ ଦେଇଥିବା ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି ।

ତେବେ ବିଜେପି ୭ ମାସ ଧରି ରଙ୍ଗ ଓ ନାଁ ବଦଳାଇବାରେ ଏକ୍ସପର୍ଟ ହୋଇଛି । ବିକଶିତ ଗାଁ, ବିକଶିତ ଓଡ଼ିଶା ବିଜେପି କର୍ମୀଙ୍କ ପାଇଁ ସରକାର କରିଥିବା କଂଗ୍ରେସ ବିଧାୟକ ନୀଳମାଧବ ହିକକା କହିଛନ୍ତି ।

୨୪ ବର୍ଷରେ ନବୀନ ଓଡ଼ିଶାବାସୀଙ୍କ ପାଇଁ ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନା କରି ଏହାକୁ ସଫଳ ରୂପାୟନ କରିଥିଲେ । ସରକାର ବଦଳିବା ପରେ ବିଜେପି ନବୀନଙ୍କ ଯୋଜନାର ନାଁ ପରିବର୍ତ୍ତନ କରି ନୂଆ ନାଁ ଦେଇ ବାହାବା ସାଉଁଟିବାକୁ ଉଦ୍ଯମ କରୁଛି । ବିଜେପିର ଏପରି ଆଭିମୁଖ୍ୟକୁ କଡ଼ା ସମାଲୋଚନା ସତ୍ତ୍ବେ ସରକାର କିନ୍ତୁ ବେଫିକର ।

ନବୀନଙ୍କ ଉଦ୍ୟମ ହେଲା ସଫଳ: ବାସୁଦେବପୁର ଏୟାର ଷ୍ଟ୍ରିପରେ ଉଡ଼ିଲା ବିମାନ

ଭଦ୍ରକ: ବାସୁଦେବପୁରରୁ ଉଡିବ ବିମାନ । ଯୋଗାଯୋଗର ସର୍ବଶ୍ରେଷ୍ଠ ମାଧ୍ୟମ ବିମାନ ସେବା ପାଇବେ ସ୍ଥାନୀୟ ବାସିନ୍ଦା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଆରମ୍ଭ ହୋଇଥିବା ଉଦ୍ୟମ ଆଜି ଫଳପ୍ରଦ ହୋଇଛି । ଆଦାନୀର ବାଲିମୁଣ୍ଡାର ଠାରେ ନିର୍ମାଣ ହୋଇଥିବା ଏୟାର ଷ୍ଟ୍ରିପରୁ ଆଜି ପ୍ରାଥମିକ ଭାବେ ପରୀକ୍ଷଣ କରାଯାଇଛି । ଭୁବନେଶ୍ବରରୁ ଉଡ଼ିଥିବା ବିମାନ ଏୟାର ଷ୍ଟ୍ରପର ରନୱେର ଲାଗିଛି ।

ଆଦାନୀର ଉପସଭାପତି ମହେନ୍ଦ୍ର ମେକୱାନା ଜାହାଜରୁ ଏଆର ଷ୍ଟ୍ରିପରରେ ଓହ୍ଲାଇଥିଲେ । ପରେ ଆଦାନୀ କମ୍ପାନୀ ପକ୍ଷରୁ ଉପସଭାପତି ମେକୱାନକୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଏେ । ପ୍ରଥମ କରି ଏଆର ଷ୍ଟ୍ରିପର ଉଡ଼ାଜାହାଜ ଅବତରଣ ଖବର ପାଇ ଦେଖଣାହାରୀଙ୍କ ଭିଡ ଜମିଥିଲା ।

ଏୟାର ଷ୍ଟ୍ରିପ ପାଇଁ ପୂର୍ବ ସରକାରଙ୍କୁ କମ୍ପାନୀ ମାଗିଥିଲେ ୫୧୦ ଏକର ଜାଗା । ପ୍ରଥମ ପର୍ଯ୍ଯାୟରେ ଯୋଗାଇ ଦିଆଯାଇଛି ୩୧୯ ଏକର ଜାଗା । ୨୦୧୫ ମସିହାରୁ ଆରମ୍ଭ ହୋଇ ଥିଲା ପ୍ରସ୍ଥାବିତ ଏୟାର ଷ୍ଟ୍ରିପ । ଆଜି ଭୁବନେଶ୍ବରରୁ ଆସିଥିବା ବିମାନ ରନୱେର ପରୀକ୍ଷଣ କରାଯାଇଥିଲା । ଉପସ୍ଥିତ ଥିଲେ ଆଦାନୀ କମ୍ପାନୀର ବରିଷ୍ଠ କର୍ମକର୍ତ୍ତା ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ଯୋଗାଯୋଗ ସୁଗମ ହେବା ସହ ଶିଳ୍ପ ନଗରୀ ଗଢି ଉଠିବାରେ ସହଜ ହେବ ବୋଲି ବାସୁଦେବପୁର ପୂର୍ବତନ ବିଧାୟକ କହିଛନ୍ତି ।

ଖାଉଟି ଭୋଗୁଛନ୍ତି ଯନ୍ତ୍ରଣା: ଦରଦାମ କମାଇବାକୁ ସରକାରଙ୍କ ନାହିଁ ଆନ୍ତରିକତା

ଭୁବନେଶ୍ବର: ଶାସନକୁ ଆସିବା ପରଠାରୁ ରାଜ୍ୟ ବିଜେପି ସରକାର ଖାଲି କଥା କହୁଛନ୍ତି, କାମ କିନ୍ତୁ ଶୂନ । ପାଇକାରୀ ବଜାରରେ ଦର କମିଲେ ମଧ୍ୟ ଖୁଚୁରା ବଜାରରେ ମନଇଚ୍ଛା ଦରରେ ଗ୍ରାହକଙ୍କୁ ଶୋଷଣ ଚାଲିଛି । କୃଷିଭିତ୍ତିକ ଶିଳ୍ପ କଥା କୁହାଯାଉଛି, କିନ୍ତୁ ଆଜି କୃଷକ କାନ୍ଦୁଛି । ରାଜ୍ୟର ସମସ୍ତ ବର୍ଗ ଆଜି ହତାଶ ହୋଇଯାଇଥିବା ଅଭିଯୋଗ ହୋଇଛି । ୮ ମାସ ସରକାର ହେଲାଣି ଆଉ କେବେ ଏସବୁରେ ବିରାମ ଲାଗିବ ବୋଲି ପ୍ରଶ୍ନ କରିବା ସହ ସବୁ ବର୍ଗ ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ।

ଜୀଅନ୍ତା ଅବସ୍ଥାରେ ନର୍କ ଯନ୍ତ୍ରଣା । ହୁ ହୁ ବଢୁଛି ଅତ୍ଯାବଶ୍ଯକ ସାମଗ୍ରୀର ଦର । ଏହା ରାଜ୍ୟ ବିଜେପି ସରକାରର ବିଶେଷ ଅବଦାନ । ୮ ମାସ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ କମିବ କ’ଣ ବଢି ବଢି ଚାଲିଛି । ପାଇକାରୀ ଦର କମି ଥିଲେ ବି ଖୁଚୁରା ଦର କମୁନି । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ରାଜ୍ୟ ବ୍ୟବସାୟୀ ମହାସଂଘ ।

ଗ୍ରାହକଙ୍କ ସ୍ୱାର୍ଥ ପାଇଁ ସରକାର କିଛି ବି ପଦକ୍ଷେପକୁ ନେଉନାହାନ୍ତି । କେବଳ ଅନ୍ୟକୁ ଦୋଷ ଦେଇ ଖସି ଯିବାକୁ ଚାହୁଁଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ନୂଆ ସରକାର ଆସିବା ବେଳେ ବିଭିନ୍ନ ବିଭାଗର ସମନ୍ୱୟ ବୈଠକ କରିବା ସହ ୩ ମାସରେ ଥରେ ସବୁ ଷ୍ଟେକ ହୋଲଡ଼ରଙ୍କ ସହ ବୈଠକ କରିବାକୁ କହିଥିଲେ । କିନ୍ତୁ ୮ ମାସ ବିତି ଯାଇଥିଲେ ମଧ୍ୟ କୌଣସି ବୈଠକ ହେଲା ନାହିଁ । ଏବେ ପୁଣି ବଜେଟ ପ୍ରସ୍ତୁତି ଓ ଉତ୍କର୍ଷ ଓଡ଼ିଶାରେ ମଧ୍ୟ କୃଷି କ୍ଷେତ୍ରକୁ ସମୃଦ୍ଧ କରିବା କଥା କହୁଛନ୍ତି । ତେଣୁ ତୁରନ୍ତ ଖାଉଟି ଓ ଚାଷୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛି ସଂଘ ।

୫ ବର୍ଷର ସରକାରରେ ୮ ମାସ ଅର୍ଥାତ ୨୦ ପ୍ରତିଶତ ସମୟ ଚାଲି ଯାଇଥିଲେ ବି ପଦକ୍ଷେପ ନିଆଯାଉ ନଥିବାରୁ ବର୍ଷିଛି କୃଷକ ମଜଦୂର ମହାସଂଘ । କେବଳ ଉତ୍କର୍ଷ ଓଡ଼ିଶାରେ ଅର୍ଥ ଖର୍ଚ୍ଚ କରି ଶିଳ୍ପପତିଙ୍କୁ ମାଲେମାଲ କରିବାକୁ ଚେଷ୍ଟା କରାଯାଉଛି । ହେଲେ କୃଷି ଉତ୍ପାଦନ ବୃଦ୍ଧି କିମ୍ବା କୌଣସି କୃଷି ଶିଳ୍ପ ଭିତ୍ତିକ ଭିତ୍ତିଭୂମି ପାଇଁ କୌଣସି ଉଦ୍ୟମ ଆରମ୍ଭ ହେଲାଣି କି ବୋଲି ପ୍ରଶ୍ନ କରିଛି ମହାସଂଘ । ଏହାସହ ମହାସଂଗ୍ରାମ ପାଇଁ ସଜବାଜ ଆରମ୍ଭ ହେଲାଣି ବୋଲି କହିଛି କୃଷକ ମହାସଂଘ । ନୀତି ନିର୍ଦ୍ଧାରଣ ଓ ସବୁ କ୍ଷେତ୍ରରେ ରାଜ୍ୟ ସରକାର କେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାରୁ ଏଭଳି ଅବସ୍ଥା ହେଉଛି । ତେଣୁ ଏ ଦିଗରେ ରାଜ୍ୟ ସରକାର କେନ୍ଦ୍ରକୁ ସ୍ବାଧୀନତା ମାଗନ୍ତୁ ବୋଲି ଦାବି କରିଛି ସିଟିଜେନସ ଫୋରମ ।

ନା ସାଧାରଣ ଗ୍ରାହକ, ନା କୃଷକ ନା ବ୍ୟବସାୟୀ, କେହି ବି ଏବେ ସନ୍ତୁଷ୍ଟ ନ ଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ବି କୌଣସି ପ୍ରସଙ୍ଗ ସମାଧାନ କରିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁ ନଥିବା ଅଭିଯୋଗ ହୋଇଛି ।

ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ‘ସମର୍ଥ’ରେ ନିର୍ଯାତନା ମାମଲାରେ ଆଉ ଦୁଇ ଜଣ ଗିରଫ

ସମ୍ବଲପୁର: ମାନସିକ ଅନଗ୍ରସର ଥଇଥାନ କେନ୍ଦ୍ର ସମର୍ଥରେ ନିର୍ଯାତନା ମାମଲାରେ ଆଉ ଦୁଇ ଜଣକୁ ବାନ୍ଧିଲା ସମ୍ବଲପୁର ପୋଲିସ । ନିଜ ଆଡୁ ମାମଲାର ରୁଜୁ କରି ଘଟଣାର ତଦନ୍ତ କରିଛି ପୋଲିସ୍ । ଅନ୍ତେବାସୀଙ୍କୁ ଶାରୀରିକ, ମାନସିକ ନିର୍ଯାତନା ସହ ଆସିଛି ଦୁଷ୍କର୍ମ ପରି ସାଂଘାତିକ ଅଭିଯୋଗ । ମାମଲାରେ ମୋଟ ୪ ଜଣଙ୍କୁ ଗିରଫ କରିଯାଇଥିବାବେଳେ ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ କରାଯିବ ବୋଲି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ।

ଖୋଲୁଛି ସମର୍ଥ ପଛର କଳା କାହାଣୀ । ମାନସିକ ଅନଗ୍ରସଙ୍କୁ ମିଳୁଥିଲା ଅକଥନୀୟ ନିର୍ଯାତନା । ଶାରୀରିକ ମାନସିକ ନିର୍ଯାତନା ସହ ଦୁଷ୍କର୍ମ ଅଭିଯୋଗ । ଏବେ ଦୁଇ ଜଣ ଗିରଫ ହୋଇଥିବା ବେଳେ ପୂର୍ବରୁ ସଂସ୍ଥାର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଏବଂ ସହାୟିକା ଗିରଫ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କଲାଣି ପୋଲିସ୍ । ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା । ଘଟଣାରେ ଦୁଷ୍କର୍ମ ନେଇ ଗୁରୁତର ଅଭିଯୋଗ ହୋଇଥିବାବେଳେ ମେଡିକାଲ ରିପୋର୍ଟ ଆସିଲେ ସତ୍ଯତା ଜଣାପଡିବ ବୋଲି ସେ କହିଛନ୍ତି ।

ନିର୍ଯାତନାର ସବୁ ସୀମା ଡେଇଁ ପଶୁ ପାଲଟି ଯାଇଥିଲେ ଥଇଥାନ କେନ୍ଦ୍ରର ମାଲିକ । ନାତ, ଗୋଇଠା, ବାଡ଼ିରେ ନିସ୍ତୁକ ପିଟିବା ସହ ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ସ୍ଥାନରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଥିଲା । ଧନୁପାଲି ଥାନା ନେତାଜୀ ନଗରଠାରେ ଥିବା ଏହି କେନ୍ଦ୍ରର ଭିଡିଓ ପଦାକୁ ଆସିବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା । ଏପରିକି ଏହି ନିର୍ଯାତନା ଯୋଗୁଁ ୫ ଜଣଙ୍କ ମୃତ୍ଯୁ ହୋଇଥିବା ମଧ୍ଯ ଅଭିଯୋଗ ହୋଇଛି । ତେଣୁ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ୍ । ଶୀଘ୍ର ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ।

ସିସିଟିଭି ଫୁଟେଜ ଆଧାରରେ ଗିରଫ ହୋଇଥିବା ଦୁଇ ବ୍ଯକ୍ତି ସଂସ୍ଥାକୁ ଆସି ଅନ୍ତେବାସୀଙ୍କୁ ମାଡ଼ ମାରିଥିଲେ । ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

କମ୍ପ୍ରମାଇଜ କଲେ ମଣ୍ଡିରେ ଉଠୁଛି ଚାଷୀଙ୍କ ଧାନ, ନହେଲେ…

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦାବାଲିରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା । ଧାନ ବିକ୍ରି ପାଇଁ ମିଲ୍ ଆଗରେ ଶହ ଶହ ଗାଡ଼ିର ଲମ୍ବା ଲାଇନ । ଯିଏ ଯେତେ କମ୍ପ୍ରମାଇଜ କରିପାରିଲା, ସେ ସେତେ ଆଗରେ ଧାନ ବିକ୍ରି କରିପାରିଲା । ଆଉ ଯିଏ ସରକାରୀ ନିୟମକୁ ଅଡ଼ି ବସିଲା, ଧାନ ବିକ୍ରି କରିବା ତା ପାଇଁ ସ୍ୱପ୍ନ ପାଲଟି ଯାଉଛି । ଆଉ କଟନି ଛଟନି କଥା ନକହିଲେ ଭଲ । ଯୋଗାଣ ମନ୍ତ୍ରୀ କହୁଛନ୍ତି ଯେଉଁ ମଣ୍ଡିରେ କଟନି ଛଟନି ହେଉଛି, ତା’ହାର ତାଲିକା ଦେଲେ କାର୍ଯ୍ୟାନୁଷ୍ଠାନ ହେବ । ହେଲେ ଏଠାରେ ଯୋଗାଣ ମନ୍ତ୍ରୀଙ୍କ ବୟାନ ପ୍ରହସନ ପାଲଟି ଥିବା ଅଭିଯୋଗ ହେଉଛି ।

ଯେଉଁ ମଣ୍ଡିରେ କଟନି ଛଟନି ହେଉଛି ତା’ର ଲିଷ୍ଟ ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହୁଛନ୍ତି । ଚାନ୍ଦବାଲି ବ୍ଲକରେ ମୋଟ ୨୬ଟି ମଣ୍ଡିରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ହେଲେ ବାତ୍ୟା ଦାନାର ଦ୍ୱାହି ଦେଇ ପ୍ରଶାସନର ଇଙ୍ଗିତରେ ସବୁଠି ୮ରୁ ୧୨ କେଜି ପର୍ଯ୍ୟନ୍ତ ଧାନ କଟାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି । ବିରୋଧ କଲେ, ମେସିନରେ ପକାଇ ୨୦ କେଜିରୁ ଅଧିକ ଧାନ କଟାଯିବାର ଚାଷୀକୁ ଧମକ ଦିଆଯାଉଛି । ଫଳରେ ବାଧ୍ୟ ହୋଇ ମୁଣ୍ଡ ନୂଆଁଉଛନ୍ତି ଚାଷୀ । ମିଲର ଆଉ ଆଫିସର ଫାଇଦାରେ ରହୁଥିବା ବେଳେ ସରକାରଙ୍କ ଘୋଷଣା ପ୍ରହସନ ପାଲଟିଛି ।

ମଣ୍ଡିରେ ସରକାରଙ୍କ ଧାନ କିଣା ଟାର୍ଗେଟ ଅଧା ହୋଇନି । ମିଲରଙ୍କ ମାନମାନି ଯୋଗୁଁ ପ୍ରତି ମଣ୍ଡିରେ ପଡ଼ି ରହିଛି ଶହ ଶହ କ୍ଵିଣ୍ଟାଲ ଧାନ । କିଛି ମଣ୍ଡିକୁ ମିଲର ଗନି ବ୍ୟାଗ ଯୋଗାଇ ପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ଟୋକନ କଟିଯିବା ଭୟରେ ଚାଷୀ ବାଧ୍ୟ ହୋଇ ଚଢ଼ା ଦରରେ ବାହାରୁ ଗନି ବ୍ୟାଗ କିଣି ଧାନ ମଣ୍ଡିକୁ ନେଉଛନ୍ତି । ସେପଟେ ନିଜ ଖର୍ଚ୍ଚରେ ମିଲ ନିକଟରେ ଗାଡ଼ି ପହଞ୍ଚାଇ ଦେଲେ ଜରି ବ୍ୟାଗ ଗ୍ରହଣ କରାଯାଉଛି । ଫଳରେ ମିଲରଙ୍କ ଗାଡ଼ି ଖର୍ଚ୍ଚ ବଞ୍ଚିବା ସହ ଗନି ବ୍ୟାଗ ଖର୍ଚ୍ଚ ମଧ୍ୟ ବଞ୍ଚିଯାଉଛି । ଏଥିରୁ ମୁନାଫା ନେଉଛନ୍ତି ମିଲର ଓ ଅଫିସର । ମାତ୍ର ଧାନ ମିଲ୍ ଆଗରେ ୩ରୁ ୪ ଦିନ ଗାଡ଼ିରେ ଧାନ ଲଦି ଅପେକ୍ଷା କରିବା ଯୋଗୁଁ ତଣ୍ଡ ଗଣୁଛି ଚାଷୀ ।

କେବଳ ଭାଷଣରେ ସୀମିତ ରହିଛି ସରକାରଙ୍କ ଚାଷୀଙ୍କ ପ୍ରତି ଦରଦ, ବାସ୍ତବ ସ୍ଥିତି କିନ୍ତୁ ପୂରା ଅଲଗା । ଚାଷୀମାନେ ଭୟରେ ଅଛନ୍ତି । ମିଲର ଓ ଅସାଧୁ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଚାନ୍ଦବାଲି ବିଧାୟକ ।

ଧାନ କିଣା ଆରମ୍ଭରୁ ଚାଲିଛି କଟନି ଛଟନି । ଚାଷୀ ମଧ୍ୟ ଅଭିଯୋଗ କରି ଆସୁଛନ୍ତି । ସେପଟେ ମନ୍ତ୍ରୀ କହୁଛନ୍ତି ଦୃଢ଼ କାର୍ଯ୍ଯାନୁଷ୍ଠାନ ହେବ । ତେବେ ମନ୍ତ୍ରୀଙ୍କ କଥା କେବେ କାମରେ ପରିଣତ ହେଉଛି, ଚାଷୀଙ୍କୁ ସୁବିଧା ମିଳୁଛି, ତାହାକୁ ଦେଖିବାକୁ ରହିଲା ।

ସଂଖ୍ୟା ଗରିଷ୍ଠତା ଥାଇ ବି ବିଜେପିକୁ ଅଟକାଇ ପାରିଲେନି ଆପ୍-କଂଗ୍ରେସ, ଚଣ୍ଡିଗଡ଼ରେ ଫୁଟିଲା ପଦ୍ମ

ଚଣ୍ଡିଗଡ଼: ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜି ମାରିଲା ବିଜେପି । ସଂଖ୍ୟା ଗରିଷ୍ଠତା ଥାଇ ବି ବିଜେପି ବିଜୟକୁ ରୋକି ପାରିଲାନି ଆପ-କଂଗ୍ରେସ ମେଣ୍ଟ । ମେୟର ପାଇଁ ୧୯ ଭୋଟ ଆବଶ୍ୟକ ଥିବା ବେଳେ ବିଜେପି ପାଖରେ ୧୬ କାଉନସିଲର ଥିଲେ । ତଥାପି ଆପ ଓ କଂଗ୍ରେସରୁ ତିନିଟି କ୍ରସ୍ ଭୋଟିଂ ହୋଇଥିଲା । ଯାହା ଫଳରେ ବିଜେପି ମେୟର ପ୍ରାର୍ଥୀ ହରପ୍ରୀତ କୌର ବାବଲା ୧୯ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ମେୟର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆପ୍ ପ୍ରାର୍ଥୀ ପ୍ରେମଲତାଙ୍କ ସପକ୍ଷରେ ୧୭ଟି ଭୋଟ୍ ପଡିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆପ୍ ଓ କଂଗ୍ରେସ ମେଣ୍ଟ ପାଖରେ ସଂଖ୍ୟା ଗରିଷ୍ଠ କାଉନସିଲର ଥିଲେ । ଏହାସହ ଚଣ୍ଡିଗଡ଼ ଆପ୍ ସାଂସଦଙ୍କ ଭୋଟ ମଧ୍ୟ ତାଙ୍କ ସପକ୍ଷରେ ଥିଲା । ଏହା ପରେ ବି ମେଣ୍ଟ ଦଳ ନିଜ କାଉନସିଲରମାନଙ୍କୁ ହାତରେ ରଖି ପାରି ନଥିଲା । ଗୁପ୍ତ ପ୍ରଣାଳୀରେ ଭୋଟିଂ ହୋଇଥିବାରୁ କେଉଁ କାଉନସିଲର କ୍ରସ ଭୋଟ୍ କରିଛନ୍ତି ତାହା ମଧ୍ୟ ଜାଣି ହେବ ନାହିଁ ।

ତଥ୍ୟ ମୁତାବକ, ଆପ୍ ପାଖରେ ୧୩ କାଉନସିଲର ଥିବା ବେଳେ କଂଗ୍ରେସ ପାଖରେ ୬ କାଉନସିଲର ଅଛନ୍ତି । ଏହାସହ ଚଣ୍ଡିଗଡ଼ ସାଂସଦ ମନୀଷ ତିୱାରୀ ମଧ୍ୟ ଭୋଟ ଦେଇଥିଲେ । ଭୋଟିଂ ପୂର୍ବରୁ ଏକ ରିସୋର୍ଟରେ ସମସ୍ତ ୧୯ ଜଣ କାଉନସିଲରଙ୍କୁ ରଖାଯାଇଥିଲା । ଏହାପରେ ମଧ୍ୟ ଆପ ଓ କଂଗ୍ରେସ ମେଣ୍ଟର ରଣନୀତି ଫେଲ ମାରିଛି ।

ନିର୍ବାଚନ ଆରମ୍ଭ ହେବା ପରେ ପ୍ରଥମେ ମନୀଷ ତିୱାରୀ ଭୋଟ ଦେଇଥିଲେ । ପରେ ଅନ୍ଯମାନେ ଭୋଟ ଦେଇଥିଲେ । ହେଲେ ଆରମ୍ଭରୁ କିଛି ସମୟ ପାଇଁ କାଉନସିଲରଙ୍କ ମଧ୍ଯ ବାଲଟକୁ ନେଇ ବିବାଦ ମଧ୍ଯ ଦେଖା ଦେଇଥିଲା । ଆପ କାଉନସିଲର ଯଶବିନ୍ଦର କୌର ତାଙ୍କ ବାଲଟରେ ଡଟ ଚିହ୍ନ ଥିବା ଦେଖାଇ ଦ୍ବିତୀୟ ବାଲଟ ନେବାରୁ ବିବାଦ ତେଜିଥିଲା ।

ଚଣ୍ଡୀଗଡ଼ କାଉନସିଲରେ ମୋଟ ସଦସ୍ଯ ସଂଖ୍ଯା ୩୫ ଥିବାବେଳେ ସ୍ଥାନୀୟ ସାଂସଦଙ୍କୁ ଭୋଟ ଦେବାକୁ ଅନୁମତି ରହିଛି । ଅର୍ଥାତ ୩୬ ଭୋଟକୁ ନେଇ ମତଦାନ କରାଯାଇଛି । ବିଜେପିର ୧୬ ସଦସ୍ଯ ଥାଇ ମଧ୍ଯ ତିନିଟି କ୍ରସ ଭୋଟିଂ ବଳରେ ମ୍ଯାଜିକ ନମ୍ବର ଉପରେ ରହି ମେୟର ପଦ ହାତେଇ ନେବାକୁ ସକ୍ଷମ ହୋଇଛି ଦଳ ।

ଫେବୃଆରୀ ୧୫ ତାରିଖ ଯାଏଁ ବଢ଼ିଲା ଇ-କେଓ୍ବାଇସି ଅପଡେଟ ଅବଧି

ଭୁବନେଶ୍ବର: ରାସନ କାର୍ଡ ପାଇଁ ଇ-କେଓ୍ବାଇସିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଇ-କେଓ୍ବାଇସି ଅପଡେଟ୍ ଅବଧି ଥିବା ବେଳେ ଏହାକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଇ-କେଓ୍ବାଇସି ଅପଡେଟ୍ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏବେ ଏବେ ଜାନୁଆରୀ ୩୧ ନୁହେଁ, ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ରାସନ କାର୍ଡ ପାଇଁ ଇ-କେଓ୍ବାଇସି କରି ହେବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୯ ଲକ୍ଷ ହିତାଧିକାରୀ ଇ-କେୱାଇସି ଅପଡେଟ କରି ନାହାନ୍ତି । ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ ଇ-କେୱାଇସି ଅପଡେଟ୍ କରିଛନ୍ତି । ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ ଇ-କେୱାଇସି ଅପଡେଟ କରିଛନ୍ତି । ଜାନୁଆରୀ ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପଡେଟ୍ କରି ନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କାର୍ଡରେ ଅଯୋଗ୍ୟ ଓ ମୃତ ବ୍ୟକ୍ତି ଥିବାରୁ ଇ-କେୱାଇସି କରିବାକୁ ବହୁ ହିତାଧିକାରୀ ଆସୁ ନଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି ।