ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଆମେରିକାର ଆଣବିକ ସାମର୍ଥ୍ୟସମ୍ପନ୍ନ ମିସାଇଲ ପରୀକ୍ଷଣ। ମିନଟମ୍ୟାନ-୩ ଅନ୍ତର୍ଦେଶୀ ବାଲିଷ୍ଟିକ ମିସାଇଲର ପରୀକ୍ଷଣ କରିଛି ଆମେରିକା। ହିରୋସିମାରେ ୧୯୪୫ରେ ପକାଯାଇଥିବା ବୋମାଠାରୁ ଏହା ବହୁ ଅଧିକ ଶକ୍ତିଶାଳୀ ଏବଂ ୨୦ ଗୁଣ ଅଧିକ ଯୁଦ୍ଧାସ୍ତ୍ର ପରିବହନ କରିବାର କ୍ଷମତା ହାସଲ କରିଛି। କାଲିଫର୍ଣ୍ଣିଆର ବଣ୍ଡେନଗର୍ଗ ସ୍ପେସ ଫୋର୍ସ ବେସରୁ ମିନଟମ୍ୟାନ -୩ ଆଇସିବିଏମକୁ ପରୀକ୍ଷଣ ଖରିଛି ଆମେରିକା। ଏନେଇ ସୂଚନା ଦେଇଛି ଆମେରିକା ସ୍ପେସ ଫୋର୍ସ। ଏହି କ୍ଷେପଣାସ୍ତ୍ରର ବେଗ ଘଣ୍ଟାପ୍ରତି ୧୫ ହଜାର ମାଇଲ ବେଗ ଗତି କରିପାରିବାର କ୍ଷମତା ହାସଲ କରିଛି। କିଛି ମିନଟ ଭିତରେ ଏହା ବିଶ୍ବର ଯେ କୌଣସି ସ୍ଥାନକୁ ହିଟ୍ କରିବାର କ୍ଷମତା ହାସଲ କରିଛି।
ଦ୍ଵିତୀୟ ସେମିଫାଇନାଲରେ ଇଣ୍ଡିଆ-ଇଂଲଣ୍ଡ ଟକ୍କର
ନନ୍ଦିଘୋଷ ବ୍ୟୁରୋ ; ଆଜି T-20 ବିଶ୍ଵକପ୍ ର ଦ୍ଵିତୀୟ ସେମିଫାଇନାଲରେ ଇଣ୍ଡିଆ-ଇଂଲଣ୍ଡ ଟକ୍କର। ମୁମ୍ଵାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବେ ଏହି ମ୍ୟାଚ। T-20 ବିଶ୍ଵକପ୍ ଇତିହାସରେ ଭାରତ ଷଷ୍ଠ ଥର ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଆଜିର ମ୍ୟାଚର ଓପନର୍ ଯୋଡ଼ି କିଏ ହେବ, ତାକୁ ନେଇ ଦ୍ଵନ୍ଦ୍ଵ ଲାଗି ରହିଛି। ସଂଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଓପନ କରିବା ନେଇ ସନ୍ଦେହ ରହିଚି। ଏହି ମ୍ୟାଚରେ ବ୍ଯାଟିଂ ଅର୍ଡର ପରିବର୍ତ୍ତନ ନେଇ ଆକଳନ କରାଯାଉଛି। ଅନ୍ଯ ପକ୍ଷରେ ଇଂଲଣ୍ଡ ଦଳ ବେଶ ଭଲ ଫର୍ମରେ ଥିବାରୁ ମୁକାବିଲା ଜୋରଦାର ହେବ। ଏହି ଦୁଇ ଟିମ୍ ମଧ୍ୟରୁ ଯିଏ ଆଜି ଜିତିବ, ସେ ଟାଇଟଲ ପାଇଁ ନ୍ଯୁଜିଲାଣ୍ଡ ସହିତ ଖେଳିବ। ୮ ତାରିଖରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ଯାଚ ଖେଳାଯିବ।
ନେପାଳରେ ଆଜି ସାଧାରଣ ନିର୍ବାଚନ, କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ
ନନ୍ଦିଘୋଷ ବ୍ୟୁରୋ ; ନେପାଳରେ ଆଜି ସାଧାରଣ ନିର୍ବାଚନ। ନୂଆ ସରକାର ଲାଗି କଡ଼ା ସୁରକ୍ଷାରେ ଚାଲିଛି ଭୋଟିଂ। ଜେନ ଜେଡ ଆନ୍ଦୋଳନ ପରେ ଏହା ହେଉଛି ପ୍ରଥମ ନିର୍ବାଚନ। ନେପାଳୀ କଂଗ୍ରେସ ନେତା ଶେର ବାହାଦୂର ଦେଉବା, କମ୍ୟୁନିଷ୍ଟ ପାର୍ଟି ସିପିଏନ-ୟୁଏମଏଲ ନେତା କେ.ପି. ଶର୍ମା ଓଲି ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର) ନେତା ପୁଷ୍ପ କମଲ ଦହଲଙ୍କ ହୋଇଛି ଅଗ୍ନିପରୀକ୍ଷା। ଏହା ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି ନେତା ରବି ଲାମଚିହାନେଙ୍କ ଲାଗି ବି ଏହା ଅଗ୍ନିପରୀକ୍ଷା ହୋଇଛି। ଚଳିତ ନିର୍ବାଚନକୁ ନିରପେକ୍ଷ କରିବା ଲାଗି ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି। ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦେଇଛନ୍ତି ଗୃହମନ୍ତ୍ରୀ ଓମ ପ୍ରକାଶ ଆରିଆଲ ଓ କାମଚଳା ନିର୍ବାଚନ କମିଶନର ରାମ ପ୍ରସାଦ ଭଣ୍ଡାରୀ। ଗତବର୍ଷ ସେପ୍ଟେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ୭୩ ବର୍ଷ ବୟସ୍କା କାର୍କି। କେ.ପି. ଶର୍ମା ଓଲି ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଦେଶରେ ଦେଖାଦେଇଥିଲା ଅଚଳାବସ୍ଥା। ଦେଶରେ ଦୁର୍ନୀତି ଓ ସୋସିଆଲ ମିଡିଆ ନିଷିଦ୍ଧ ପରେ ଆରମ୍ଭ ହୋଇଥିଲା ଜେନ ଜେଡ ଆଦୋଳନ। ଗତବର୍ଷ ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିଲା ଜେନ ଜେଡ ଆନ୍ଦୋଳନ। ପରଦିନ ଇସ୍ତଫା ଦେଇଥିଲେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେ.ପି ଶର୍ମା ଓଲି। ସେପ୍ଟେମ୍ବର ୧୦ରେ ସୁଶୀଳା କାର୍କି ହୋଇଥିଲେ ନୂଆ କାମଚଳା ପ୍ରଧାନମନ୍ତ୍ରୀ। ଫେସବୁକ, ଇନଷ୍ଟାଗ୍ରାମ, ମେସେଞ୍ଜର, ୟୁଟ୍ୟୁବ, ହ୍ବାଟସଆପ, ଏକ୍ସ, ଲିଙ୍କଡଇନ, ସ୍ନାପଚାଟ, ରେଡିଟ ଆଦି ବ୍ୟାନ କରାଯିବା ପ୍ରତିବାଦରେ ଦେଶରେ ଦେଖାଦେଇଥିଲା ଆନ୍ଦୋଳନ।
ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ
ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ। ୧୯୧୬ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ ବିଜୁ ବାବୁ। ସାରା ରାଜ୍ୟ ମନେ ପକାଉଛି ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଅବଦାନ। ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ଧୁମଧାମରେ ପାଳନ କରାଯାଉଛି ବିଜୁ ଜୟନ୍ତୀ। ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବହୁ ନେତା। ଭୁବନେଶ୍ବର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏବର୍ଷର ଥିମ୍ ରହିଛି ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସାଙ୍ଗକୁ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। କେବଳ ଆଧୁନିକ ଓଡ଼ିଶା ଗଠନ ନୁହେଁ, ଦେଶର ରାଜନୀତି ଓ ଦେଶ ପ୍ରତି ତାଙ୍କର ବହୁତ ଅବଦାନ ରହିଛି। ସେ ସ୍ଵାଧୀନତା ସଂଗ୍ରାମରେ ବି ଝାସ ଦେଇଥିଲେ। କେବଳ ଏତିକି ନୁହେଁ, ପ୍ରଥମ ପାଇଲଟ ଭାବେ କାଶ୍ମୀରରେ ବିମାନ ଲ୍ୟାଣ୍ଡିଂ କରାଇଥିଲେ। ଅନୁପ୍ରବେଶକାରୀଙ୍କୁ ଅଟକାଇବାରେ ବିଜୁ ପଟ୍ଟନାୟକଙ୍କର ଅବଦାନ ଥିଲା ଗୁରୁତ୍ବପୂର୍ଣ୍ଣ। ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ବି ବିଜୁ ବାବୁଙ୍କ ଅବଦାନ କିଛି କମ୍ ନୁହେଁ। ଓଡ଼ିଶାକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରି ପାରିଥିବା ବିଜୁ ପଟ୍ଟନାୟକଙ୍କ ମରଶରୀରରେ ତିନୋଟି ଦେଶର ଜାତୀୟ ପତାକା ରଖାଯାଇଥିଲା। ଯାହା ଆଜି ବି ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି । ଖାଲି ସେତିକି ନୁହେଁ, ବିଜୁ ବାବୁ ଜଣେ ବିଶ୍ବସ୍ତରୀୟ ନେତା ଥିଲେ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜଭୁତ୍ କରିବାରେ ବିଜୁ ବାବୁଙ୍କ ଅବଦାନ ସ୍ମରଣୀୟ। ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ବିୟୋଗ ହୋଇଥିଲା।
ସମ୍ବଲପୁର ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଳିବ ସ୍ଥାୟୀ ଜମି
ସମ୍ବଲପୁର ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ମିଳିବ ସ୍ଥାୟୀ ଜମି l ଜିଏମୟୁ ବିଶ୍ବ ବିଦ୍ୟାଳୟ ପଛପଟେ ଥିବା ୪.୨ ଏକର ଜମି କୁ କରାଯାଇଛି ଚିହ୍ନଟ । ଏହି ଚି଼ହ୍ନଟ ଜମି ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ହସ୍ତାନ୍ତର କରାଯିବ l ଏନେଇ ସରକାରୀ ସ୍ତରରରେ ସମସ୍ତ ପ୍ରସ୍ତୁତି ସରିଛି l ଏନେଇ ଜିଲ୍ଲାପାଳ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଛି । ବର୍ତ୍ତମାନ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଜିଏମୟୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଶ୍ରେଣୀ ଗୃହରେ ଚାଲିଛି l ଯାହାକୁ ନେଇ ବହୁ ସମସ୍ୟା ଦେଖା ଦେଉଛି l ତେବେ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ହସ୍ତାନ୍ତର ପରେ ପ୍ରଶାସନିକ କାର୍ଯ୍ୟଳୟ, ଶ୍ରେଣୀ ଗୃହ,ଲାଇବ୍ରେରୀ, ପରୀକ୍ଷାଗାର ,ପାର୍କି ସହ ଅନ୍ୟାନ୍ୟ କୋଠା ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଛି l…
ଜିଏମ କଲେଜ ୧୯୪୪ ମସିହାରେ ସମ୍ବଲପୁର କଲେଜ ନାଁରେ ସ୍ଥାପନ ହୋଇଥଲା l ପରେ ଏହାକୁ ସ୍ୱଭାବ କବି ଗଙ୍ଗାଧର ମେହେର ନାମରେ ନାମିତ କରାଯାଇଥିଲା l ୧୯୯୮ ରେ ଜିଏମ ଜୁନିଅର କଲେଜର ମାନ୍ୟତା ପାଇଥିଲା l ପରେ ରାଜ୍ୟ ସରକାର ଏହାକୁ ୨୦୧୫ ରେ ଜିଏମୟୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦେଇଥିଲେ l ବର୍ତ୍ତମାନ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା,ବାଣିଜ୍ୟ ଓ ବିଜ୍ଞାନରେ ୨୫୦୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି l ତାଙ୍କୁ ଶିକ୍ଷା ଦେବା ପାଇଁ ୩୬ ଟି ଶ୍ରେଣୀ ଗୃହ ଆବଶ୍ୟକ ରହିଥିବା ବେଳେ ବର୍ତ୍ତମାନ ଜିଏମୟୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ୧୧ଟି ଶ୍ରେଣୀ ଗୃହରେ ପାଠପଢା ଚାଲିଛି l ଦୀର୍ଘ ୨୮ ବର୍ଷର ଦାବି ପରେ ଏବେ କଲେଜକୁ ଜମି ମିଳିସାରିଛି । ଏବେ ଜିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ହସ୍ତାନ୍ତର ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ପୋଖରୀ ଭିତରେ ବିଦ୍ୟୁତ ଖୁଣ୍ଟ, ବିପଦ ସଙ୍କୁଳ ଭାବେ ପାଣିକୁ ବ୍ୟବହାର କରୁଛନ୍ତି ବସ୍ତିବାସିନ୍ଦା
ବ୍ରହ୍ମପୁର : ପୋଖରୀ ଭିତରେ ବିଦ୍ୟୁତ ପୋଲ । ବିପଦ ସଙ୍କୁଳ ଭାବେ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ବସ୍ତିବାସିନ୍ଦା । କେତେ ବେଳେ ବି ଅଘଟଣ ଘଟିଲେ ଯାଇପାରେ ଅନେକ ଜୀବନ । ବ୍ରହ୍ମପୁର ୩୭ ନମ୍ବର ଓ୍ବାର୍ଡରେ ଥିବା ଏହି ପୋଖରୀ ବିପଦପୂର୍ଣ୍ଣ ଭାବେ ରହିଛି । ବିଦ୍ୟୁତ ପୋଲ ସଟ ସର୍କିଟ କିମ୍ବା ବିଦ୍ୟୁତ ତାର ଛିଣ୍ଡି ପୋଖରୀ ପାଣିରେ ପଡିଲେ ବଡ଼ ଅଘଟଣ ଘଟିବାର ସମ୍ଭାବନା ରହିଛି । ତୁରନ୍ତ ପୋଖରୀ ମଧ୍ୟରେ ଥିବା ବିଦ୍ୟୁତ ପୋଲକୁ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ସେପଟେ ବିଇଏମସି ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିଛନ୍ତି ସ୍ଥାନୀୟ କର୍ପୋରେଟର । ପୋଖରୀ ଭିତରୁ କେବେ ହଟିବ ବିଦ୍ୟୁତ ପୋଲ ବୋଲି ପ୍ରଶ୍ନ କରିଛନ୍ତି । ସପ୍ତାହକ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ ଦିଆଯାଇଛି ।
ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଇଏମସିର ସାଧାରଣ ବୈଠକରେ ବିଭିନ୍ନ ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟକୁ ନେଇ ଆଲୋଚନା ହୋଇଥିଲା । ସହରର ୩୭ ନମ୍ବର ଓ୍ବାର୍ଡ଼ର ଗୌଡ଼ବନ୍ଧ ସାହିରେ ପୋଖରୀ ଭିତରେ ଥିବା ବିଦ୍ୟୁତ ଖୁଣ୍ଟ ଉପରେ ହୋଇଥିଲା ଆଲୋଚନା । ବିପଦକୁ ନିମନ୍ତ୍ରଣ କରି ଥିବା ଏହି ବିଦ୍ୟୁତ୍ ପୋଲକୁ ତୁରନ୍ତ ସ୍ଥାନାନ୍ତର ପାଇଁ ମେୟର ଓ କମିଶନରଙ୍କ ଦୃଷ୍ଟିଗୋଚର କରିଥିଲେ ସ୍ଥାନୀୟ କର୍ପୋରେଟର । ବିଦ୍ୟୁତ୍ ପୋଲକୁ ସ୍ଥାନାନ୍ତର ପାଇଁ ବିଇଏମସି ଟଙ୍କା ପୈଠ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଟାଟା ପାଓ୍ବାରର ବରିଷ୍ଠ ଅଧିକାରୀ । ଏଭଳି ଅଜବ ଯୁକ୍ତିକୁ ନାପସନ୍ଦ କରିଛନ୍ତି ବିଇଏମସି କତୃପକ୍ଷ । ଟିପିଏସଓଡିଏଲ ର ଖାମଖିଆଲ ନୀତି ଯୋଗୁ ଅସୁବିଧା ଭୋଗୁଛନ୍ତି ଲୋକେ । ସମସ୍ୟାର ସମାଧାନ କେବେ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର।
ସ୍କୁଲ ପାଚେରୀ ନିର୍ମାଣରେ ମହା ଘୋଟାଲା, ଦିଆଯାଉନି ଉପଯୁକ୍ତ ପରିମାଣର ରଡ ଓ ସିମେଣ୍ଟ…
ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଗହୀରପାଟୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ପାଚେରୀ ପୂର୍ତ୍ତ ବିଭାଗ ଅଧୀନରେ ଚାଲୁ ରହିଛି । ହେଲେ ଠିକାଦାରଙ୍କ ମୁନାଫାଖୋର ମନୋଭାବ ଯୋଗୁଁ ଅତି ନିମ୍ନମାନର ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ପରିମାଣର ସିମେଣ୍ଟ ଓ ଲୁହାଛଡ଼ ଦିଆଯାଉନଥିବା ବେଳେ ସଠିକ୍ ଭାବେ ପିଲର କରାଯାଉନାହିଁ । ଏଥିସହିତ କାମ ସରିବା ପରେ ମଧ୍ୟ ପାଣି ଦିଆଯାଉନାହିଁ । ଠିକା ସଂସ୍ଥା ଅଧିକ ଲାଭ ଆଶାରେ ଏଭଳି କାର୍ଯ୍ୟ କରୁଥିବା କୁହାଯାଉଛି । ସ୍ଥାନୀୟ ଲୋକେ ଏହାକୁ ବିରୋଧ କଲେ ଠିକାଦାର ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି । ତେଣୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
କେବଳ ନିମ୍ନମାନର ନିର୍ମାଣ କାର୍ଯ୍ୟ ନୁହେଁ, ଏଠାରେ ପ୍ରକଳ୍ପ ବିବରଣୀ ବା ସୂଚନାଫଳକ ମଧ୍ୟ ନାହିଁ। ପୂର୍ତ୍ତ ବିଭାଗର ପାଣିକୋଇଲି ଡିଭିଜନ ଅଧିନରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ବିଭାଗୀୟ ଯନ୍ତ୍ରୀ ଏଠାକୁ ଆସୁନାହାନ୍ତି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁଁ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ଏପରି ନିମ୍ନମାନର କାର୍ଯ୍ୟ କରୁଥିବା ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ତଥା ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସରକାରଙ୍କ ପକ୍ଷରୁ ସ୍କୁଲ ପାଚେରୀ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ହୋଇଛି । ହେଲେ ଠିକାଦାରଙ୍କ ମୁନାଫାଖୋର ମନଭାବ ଯୋଗୁଁ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି । ସରକାରଙ୍କ ପକ୍ଷରୁ ଏହାର ତଦନ୍ତ କରାଯିବା ଜରୁରୀ ହୋଇପଡ଼ିଛି ।
ଅବହେଳିତ ଅବସ୍ଥାରେ ପ୍ରାଣୀ ସହାୟକ କେନ୍ଦ୍ର, ନାହାନ୍ତି ଉପଯୁକ୍ତ ଡାକ୍ତର କି କର୍ମଚାରୀ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଆଜି ବି ଗ୍ରାମଞ୍ଚଳରେ ଗାଇ, ମଇଁଷି ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ କରିଥାନ୍ତି । ଅଣ୍ଡା, ମାଂସ, କ୍ଷୀର ଆଦି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି । ହେଲେ ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକ ଅବହେଳିତ ଅବସ୍ଥାରେ ରହିଥିବାରୁ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଶୁ ପକ୍ଷୀ ମାନଙ୍କୁ ନା ମିଳୁଛି ଉତ୍ତମ ଚିକିତ୍ସା ସେବା ନା ମିଳୁଛି ଔଷଧ । ଫଳରେ ଗୃହପାଳିତ ପଶୁ ପକ୍ଷୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଦିନ ଥିଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ହରେକୃଷ୍ଣପୁର ପ୍ରାଣୀ ସହାୟକ କେନ୍ଦ୍ର ଉପରେ ଲୁଣିବାହାଲ, ଶାମ୍ପୂଚ, ବୀରନରସିଂହପୁର ଭଳି ତିନୋଟି ପଞ୍ଚୟତର ହଜାର ହଜାର ଚାଷୀ ନିର୍ଭର କରୁଥିଲେ । କିନ୍ତୁ କିଛି ବର୍ଷ ଠିକଠାକ ଚାଲିବା ପରେ ବର୍ତମାନ ସହାୟକ କେନ୍ଦ୍ର ଅସହାୟ ହୋଇପଡିଛି । ଏହିଭଳି ଜିଲ୍ଲାର ଅନ୍ୟ ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ପ୍ରାଣୀ ସହାୟକ କର୍ମଚାରୀ ୩୭ ଜଣଙ୍କ ଆବଶ୍ୟକତା ଥିବା ବେଳେ ବର୍ତମାନ ୧୯ ଜଣ ସହାୟକ କର୍ମଚାରୀ ରହିଛନ୍ତି । ଏନେଇ ବୌଦ୍ଧ ସିଡିଭିଓ କହିଛନ୍ତି, ଆମେ ଏଲଆଇଙ୍କ ସମେତ ଗୋ ମିତ୍ର, ପ୍ରାଣୀ ମିତ୍ରଙ୍କୁ ନେଇ ଗ୍ରାମାଞ୍ଚଳରେ ଉତ୍ତମ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛୁ । ଗୋଟିଏ ପଟେ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ଯୋଜନା କରୁଛନ୍ତି । ଅନ୍ୟପଟେ ବୈଦ୍ଧ ଜିଲ୍ଲାରେ ଜିଲ୍ଲାର ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପ୍ରାଣୀ ସହାୟକ କେନ୍ଦ୍ର ଗୁଡିକର ପୁନଃରୁଦ୍ଧାର ସହ ଆବଶ୍ୟକ ଡାକ୍ତର ନିଯୁକ୍ତି କରାଗଲେ ଚାଷୀଙ୍କ ଉନ୍ନତି ହୋଇପାରିବ।
ସରକାରୀ ଯୋଜନାରୁ ବଞ୍ଚିତ ଡଙ୍ଗରିଆ କନ୍ଧ, ମିଳୁନି ସ୍ବାସ୍ଥ୍ୟ, ଶିକ୍ଷା ସହ ଗମନାଗମନ ସୁବିଧା
ରାୟଗଡା : ଗଲା ଦୁଇ ଦଶନ୍ଧୀ ଧରି ଲାଲ ସଂଗଠନରୁ ମୁକୁଳି ପାରିନଥିଲା ରାୟଗଡାର ନିୟମଗିରି ଅଞ୍ଚଳ । ମାଓ ଭୟରେ ଏଠି ସରକାରୀ ଅଧିକାରୀଙ୍କ ପାଦ ପଡୁନଥିଲା । ଏବେ ପ୍ରାୟ ମାଓ ମୁକ୍ତ ହୋଇଛି ନିୟମଗିରି ଅଞ୍ଚଳ । ତଥାପି ଅନ୍ଧାରରେ ରହୁଛନ୍ତି ଏହି ଆଦିମ ଜନଜାତି । ପିଡିଏସ ଚାଉଳ ପାଇବା ପାଇଁ ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି । ଗାଁକୁ ପକ୍କା ରାସ୍ତା ନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ନଥିବା ବେଳେ ଅନେକ ଶିଶୁ ସ୍କୁଲକୁ ଯିବା ପରିବର୍ତ୍ତେ ଘରେ ରହିଛନ୍ତି । ଦଶନ୍ଧୀ ଦଶନ୍ଧୀ ଧରି ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଆଦିମ ଜନଜାତି ଏବେ ଜିଲ୍ଲାପାଳଙ୍କୁ ନିଜର ଦାବି ଜଣାଇଛନ୍ତି ।…
ଗତ ଏକ ଦଶନ୍ଧୀ ଧରି ନିୟମଗିରି ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ବିକାଶ ବାଟ ହୁଡିବା ସହ ଅନୁଦାନକୁ ବିଭିନ୍ନ ଉପାୟରେ ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି । ପାହାଡରେ ଚାଷ ହେଉଥିବା ଦ୍ରବ୍ୟର ବଜାରୀକରଣ ହେଇପାରୁନଥିବା ବେଳେ ଲୋକମାନେ ଶୋଷଣର ଶିକାର ହେଉଛନ୍ତି । ତେଣୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପରି ରୋଜଗାରର ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ନିଜର ଦାବି ଜଣାଇଛନ୍ତି । ଲୋକମାନଙ୍କ ସମସ୍ୟା ଶୁଣିବା ସହ ଦାବି ଶୀଘ୍ର ପୂରଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି । ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଓପେଲିପ ମାଧ୍ୟମରେ ନିୟମଗିରି ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଥାପି ଅନେକ ଡଙ୍ଗରିଆ ଜନଜାତି ବିକାଶର ସ୍ବାଦ ଚାଖି ପାରିନାହାନ୍ତି । ଏବେ ପ୍ରଶାସନର ଦ୍ବାରସ୍ଥ ହେବା ପରେ ନିୟମଗିରି ଅଞ୍ଚଳବାସୀ କେତେ ସ୍ବାବଲମ୍ବୀ ହେଇପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
ଟ୍ରେନରେ ସିଟ୍ ନମିଳିବାରୁ ବନ୍ଧୁକ ଦେଖାଇଲେ , ଥାନାରେ ମାମଲା ରୁଜୁ…
ନନ୍ଦିଘୋଷ ବ୍ୟୁରୋ : ଆନ୍ଧ୍ର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୟେଲାହାଙ୍କାରୁ କାଚେଗୁଡ଼ା ଯାଉଥିବା ଏକ ଏକ୍ସପ୍ରେସ୍ ଟ୍ରେନର ଜେନେରାଲ କୋଚରେ ଦୁଇଜଣ ଯାତ୍ରୀ ସିଟ୍ ପାଇଁ ଝଗଡ଼ା କରିଥିଲେ। ଝଗଡ଼ା ବଢ଼ିବା ପରେ, ଜଣେ ଯାତ୍ରୀ ବନ୍ଧୁକ ବାହାର କରି ଜେନେରାଲ କୋଚରେ ଥିବା ଯାତ୍ରୀମାନଙ୍କୁ ଧମକ ଦେଇଥିଲେ, ଯାହା ସେମାନଙ୍କୁ ଭୟଭୀତ କରିଥିଲା। ଅନ୍ୟ ଜଣେ ଯାତ୍ରୀ ଦୂରରୁ ଝଗଡ଼ାର ଫଟୋ ଉଠାଇ ହ୍ୱାଟ୍ସଆପ୍ ମାଧ୍ୟମରେ ଜିଆରପି ଏବଂ ଆରପିଏଫ୍ ପୋଲିସରେ ଅଭିଯୋଗ କରିଥିଲେ। ଯେତେବେଳେ ଟ୍ରେନଟି ଅନନ୍ତପୁର ଜିଲ୍ଲାର ଗୁଣ୍ଟାକାଲ ରେଳ ଡିଭିଜନରେ ପହଞ୍ଚିଲା, ପୋଲିସ ଟ୍ରେନକୁ ଅଟକାଇ ବନ୍ଧୁକ ଦେଖାଇ ଧମକ ଦେଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା।
ପୋଲିସ ବନ୍ଧୁକଧାରୀଙ୍କୁ କର୍ଣ୍ଣାଟକର ଅବସରପ୍ରାପ୍ତ CRPF କନଷ୍ଟେବଳ ମନୋହର ବୋଲି ଚିହ୍ନଟ କରିଛି। ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିବା ଦୁଇ ଯାତ୍ରୀଙ୍କ ମଧ୍ୟରେ ସିଟ୍ ପାଇଁ ଯୁକ୍ତିତର୍କ ହୋଇଥିଲା। ପରିସ୍ଥିତି ଏପରି ବିପର୍ଯ୍ୟସ୍ତ ହୋଇଗଲା ଯେ ଜଣେ ଯାତ୍ରୀ ବନ୍ଧୁକ ବାହାର କରି ଜଣେ ସହଯାତ୍ରୀଙ୍କୁ ଧମକ ଦେଇଥିଲେ। ହଠାତ୍ ସମସ୍ତ ଯାତ୍ରୀ ଭୟଭୀତ ହୋଇଗଲେ। ଦୂରରୁ ଝଗଡ଼ା ଦେଖୁଥିବା ଜଣେ ଯାତ୍ରୀ ବନ୍ଧୁକଧାରୀଙ୍କ ଫଟୋ ଉଠାଇ ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ଜାଣିବାକୁ ପାଇଛି ଯେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପାଖରେ ଏକ ଲାଇସେନ୍ସପ୍ରାପ୍ତ ପିସ୍ତଲ ଥିଲା। ତଥାପି, ସିଟ୍ ପାଇଁ ଝଗଡ଼ା ସମୟରେ ସେ ବନ୍ଧୁକ ଦେଖାଇ ସାଥୀ ଯାତ୍ରୀମାନଙ୍କୁ ଧମକ ଦେଇଥିବା ଘଟଣାକୁ ରେଳବାଇ ପୋଲିସ ଗମ୍ଭୀରତାର ସହ ନେଇଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।
ପୋଲିସ ଏକ ସାର୍ବଜନୀନ ସ୍ଥାନରେ ଲାଇସେନ୍ସପ୍ରାପ୍ତ ଅସ୍ତ୍ର ଦେଖାଇ ବନ୍ଧୁକ ଦେଖାଇ ଧମକ ଦେବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଫଟୋ କିଏ ଉଠାଇଛି ଏବଂ ରେଳବାଇ ପୋଲିସରେ ଅଭିଯୋଗ କରିଛି ତାହା ମଧ୍ୟ ସେମାନେ ତଦନ୍ତ କରୁଛନ୍ତି।

