ନନ୍ଦିଘୋଷ ବ୍ୟୁରୋ: ୫ ବର୍ଷ ପରେ ରେପୋ ରେଟ୍ ୦.୨୫ ପ୍ରତିଶତ ହ୍ରାସ କଲା RBI । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିଛି । ରେପୋ ରେଟରେ ଏହି ହ୍ରାସ ୨୫ ବେସିସ୍ ପଏଣ୍ଟ କରାଯାଇଛି । ରେପୋ ରେଟ ୬ ଦଶମିକ ୫୦ରୁ ୬ ଦଶମିକ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି । ରେପୋ ରେଟରେ ଏହି ହ୍ରାସ ୫ ବର୍ଷ ପରେ କରାଯାଇଛି । ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୦ ମସିହାରେ ରେପୋ ରେଟ ହ୍ରାସ କରିଥିଲା । କିନ୍ତୁ ଏହା ପରେ ଏହାକୁ ଧୀରେ ଧୀରେ ୬ ଦଶମକ ୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଶେଷ ଥର ପାଇଁ ଫେବୃଆରୀ ୨୦୨୩ରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା । ରେପୋ ରେଟ୍ ହ୍ରାସ ପରେ ଋଣର EMI ହ୍ରାସ ପାଇବ। ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା କହିଛନ୍ତି ଆରବିଆର ଗଭର୍ଣ୍ଣର । ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି। ଫେଡେରାଲ ରିଜର୍ଭ ବ୍ୟାଙ୍କ ଅନେକ ଥର ରେପୋ ରେଟ୍ ହ୍ରାସ କରିଛି । ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି। ଭାରତୀୟ ଟଙ୍କା ଏବେ ଚାପରେ ଅଛି। ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି।
ଅଭିନେତା ସୋନୁ ସୁଦଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ଲୁଧିଆନା କୋର୍ଟ
ନନ୍ଦିଘୋଷ ବ୍ୟୁରୋ: ସମସ୍ୟାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଗିରଫ ହୋଇପାରନ୍ତି ସୋନୁ ସୁଦ୍ । ପଞ୍ଜାବ ଲୁଧିଆନା କୋର୍ଟ ସୋନୁଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଠକେଇ ଅଭିଯୋଗରେ ଲୁଧିଆନା କୋର୍ଟ ଏହି ଗିରଫ ପରୱାନା ଜାରି କରିଛନ୍ତି ।
କୁହାଯାଉଛି ଲୁଧିଆନା କୋର୍ଟ ୧୦ ଲକ୍ଷ ଟଙ୍କାର ଏକ ଠକେଇ ମାମଲାରେ ପଚରାଉଚରା ପାଇଁ ପୂର୍ବରୁ ସୋନୁଙ୍କ ସମନ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ କି କୋର୍ଟରେ ମଧ୍ୟ ହାଜର ହୋଇନଥିଲେ । ଯେଉଁଥିପାଇଁ ଏବେ ଲୁଧିଆନା କୋର୍ଟ ସୋନୁଙ୍କ ନାଁରେ ଗିରଫ ପରୱାନା ଜାରି କରିଛନ୍ତି।
କୋର୍ଟ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, “ସୋନୁ ସୁଦଙ୍କୁ ସମନ କିମ୍ବା ୱାରେଣ୍ଟ ପ୍ରଦାନ କରାଯାଇଛି କିନ୍ତୁ ସେ କୋର୍ଟରେ ହାଜର ହୋଇନାହାଁନ୍ତି। ସୋନୁ ସୁଦଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଉଛି” ।
ଫେବୃଆରୀ ଆରମ୍ଭରୁ ଅସମ୍ଭାଳ ତାତି, ଆଗକୁ ବର୍ଷିବ ନିଆଁ
ନନ୍ଦିଘୋଷ ବ୍ୟୁରୋ: ମାଘ ଆରମ୍ଭରୁ ତାତି କଲାଣି ନୟାନ୍ତ । ସକାଳ ୭ଟା ପର୍ଯ୍ୟନ୍ତ କୁହୁଡିର ଆସ୍ତରଣ ପରେ ସୂର୍ଯ୍ୟଙ୍କ ପ୍ରଖର କୀରଣ କଲାଣି ଅସ୍ତବ୍ୟସ୍ତ । ରାଜ୍ୟର ୧୦ ସହରରେ ତାତି ୩୫ ଡିଗ୍ରି ସେଲସିୟସ୍ ଟପିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି। ଆଇଏମଡିର ଆକଳନ ଅନୁସାରେ ଫେବୃଆରୀ ମାସରେ ଓଡିଶାର ତାତି ସ୍ବାଭାବିକ ଠାରୁ ଅଧିକ ରହିବ । ସେପଟେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତି ୨୧ ବର୍ଷର ରେକର୍ଡ ଭାଙ୍ଗିଛି । ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ଟାଇଁ ଟାଇଁ ଖରା ଅନୁଭୁତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତାପମାତ୍ରା ବୃଦ୍ଧି ସହ କାଲି ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୁତ ହେବ । ଆଜି କଟକ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ଘନ କୁହୁଡ଼ି ଦେଖାଯିବ ବୋଲି ପୂର୍ବାନୁମାନ କରାଯାଇଛି ।ଏନେଇ ଏହି ସମସ୍ତ ଜିଲ୍ଲାରେ ଭୋରରୁ ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।
ଆଜି ଭୁବନେଶ୍ବର ପହଞ୍ଚିବେ ଦୁଇ ଦଳର ଖେଳାଳି, କମିଶନରେଟ୍ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ବର: ଓଡ଼ିଶାକୁ ଚଢିଲାଣି କ୍ରିକେଟ ଫିଭର । ସୁପର ସଣ୍ଡେରେ ସୁପର ସୋ । ଆଜି ଭୁବନେଶ୍ବର ଆସିବ ଟିମ ଇଣ୍ଡିଆ। ମେନ ଇନ୍ ବ୍ଲ୍ୟୁ କୁ ଭବ୍ୟ ସ୍ବାଗତ ଜଣାଇବ ଓଡ଼ିଶା। ତା ପୂର୍ବରୁ ସରିଛି ବାରବାଟୀ ମ୍ୟାଚ ପାଇଁ କାରକେଡ୍ ରିହରର୍ସାଲ । ଗତକାଲି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରରୁ କଟକ ଷ୍ଟାଡିୟମରେ ପହଞ୍ଚିଲା ଅଭ୍ୟାସ କାରକେଡ୍ । ଦୁଇ ଦଳର ଖେଳାଳିଙ୍କ ପାଇଁ ଦୁଇଟି ବସ ଏହି କାରକେଡରେ ରହିଛି । ଦୁଇ ଡିସିପିଙ୍କ ଉପସ୍ଥିତିରେ ଏହି ଅଭ୍ୟାସ କରାଯାଇଥିଲା । ବିମାନ ବନ୍ଦରରୁ ହୋଟେଲ, ହୋଟେଲରୁ ବାରବାଟୀ ଷ୍ଟାଡିୟମରେ କିଭଳି କଡ଼ା ସୁରକ୍ଷା ବଳୟରେ ଖେଳାଳି ପହଞ୍ଚିବେ ସେନେଇ କାରକେଡ୍ ରହିରର୍ସାଲ କରାଯାଇଛି ।
ତା ସହ ଖେଳାଳି କଣ ଖାଇବେ କିଭଳି ହୋଟେଲରେ ରହିବେ ସେନେଇ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । କ୍ରିକେଟ ଖେଳାଳିଙ୍କୁ ପରଷା ଯିବ ଓଡିଆ ଖାଦ୍ୟ । ମିଲେଟରୁ ପ୍ରସ୍ତୁତ ମଣ୍ଡା ସହ ଛେନା ପୋଡ଼ । ଦେଶୀ ଚିକେନ ସାଙ୍ଗକୁ ମାଛ ବେସର । ସକାଳ ଜଳଖିଆ ପାଇଁ ସ୍ପେଶାଲ ଆଇଟମ୍ । ହୋଟେଲ ମେ-ଫେୟାରରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଖାଇବା ମେନ୍ୟୁରେ ମିଲେଟରୁ ପ୍ରସ୍ତୁତ ଆଇଟମକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଡାଇଟିସିଆନଙ୍କ ଡାଇଟ ଚାର୍ଟ ଅନୁସାରେ ଖେଳାଳିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ। ଖାସ କରି ଦୁଇ ଦେଶର ଖେଳାଳି ମାନଙ୍କ ପାଇଁ କନିକାରେ ଖାଣ୍ଟି ଓଡିଆ ବ୍ଯଞ୍ଜନ ପ୍ରସ୍ତୁତ କରାଯାଇଛି। ସ୍ନାକ୍ସ, ଲଞ୍ଚ ଓ ଡିନରରେ ଓଡ଼ିଶାର ଖାଦ୍ୟ କସାଂ ପାତ୍ରରେ ପରସା ଯିବ । ଜଳଖିଆରେ ଛତୁ, ପନିର ପକୋଡା ସହିତ ଭେଜରେ ସ୍ନାକ୍ସ ରହିବ। ଲଞ୍ଚ ଓ ଡିନରରେ ପଖାଳ, ଦେଶୀ ଚିକେନ ସହ ବିଭିନ୍ନ ପ୍ରକାର ମାଛ ତରକାରୀ, ସାଧା ବେସର, ଡାଲମା ଇତ୍ୟାଦି ବ୍ୟଞ୍ଜନ ରହିଛି । ଦୁଇ ଦେଶର ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫ ଏବଂ ବିସିସିଆଇର କର୍ମକର୍ତ୍ତାଙ୍କ ପାଇଁ ହୋଟେଲରେ ମୋଟ୍ ୯୬ଟି ରୁମ୍ ବୁକ୍ କରାଯାଇଛି। ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅତିଥି ମାନଙ୍କ ପାଇଁ ବୁକକିଂ ବନ୍ଦ ରହିବ ।
ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ, ନୂଆ ଆୟକର ବିଲକୁ ମିଳିପାରେ ମଞ୍ଜୁରୀ
ନନ୍ଦିଘୋଷ ବ୍ୟୁରୋ: ଆଜି ବସିପାରେ କେନ୍ଦ୍ର କ୍ୟାବିନେଟ ବୈଠକ। ଏହି ବୈଠକରେ ଗୃହୀତ ହୋଇପାରେ ନୂଆ ଆୟକର ବିଲ୍। ୨୦୨୫-୨୬ କେନ୍ଦ୍ର ବଜେଟ ଆଗତ ବେଳେ ଏହି ବିଷୟ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶରେ ବ୍ୟାପକ କର ସଂସ୍କାର ନିମନ୍ତେ ଏହି ବିଲ୍ ଉଦ୍ଦିଷ୍ଟ। ଏହା ସହ ପ୍ରସ୍ତାବିତ ପ୍ରତ୍ୟେକ୍ଷ କର ବ୍ୟବସ୍ଥାରେ ବର୍ତ୍ତମାନର କର ବ୍ୟବସ୍ଥାକୁ ସାମଗ୍ରିକ ଭାବେ ପରିବର୍ତ୍ତନ କରିବା ଲାଗି ଏହି ବିଲ ଉଦ୍ଦିଷ୍ଟ। ଯଦି କେନ୍ଦ୍ର କ୍ୟାବିନେଟରେ ଏହି ବିଲ୍ ଗୃହୀତ ହେଲା ତେବେ ତାହାକୁ ଚଳିତ ଅଧିବେଶନରେ ଲୋକସଭାରେ ଆଗତ ହେବ। ଦେଶରେ କର ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ଲାଗି କେନ୍ଦ୍ର ସରକାର ଏହି ବିଲ୍ ଜରିଆରେ ପଦକ୍ଷେପ ନେବେ। ଏହା ସହ କର ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଲାଗି ଚାଲିଥିବା ପ୍ରକ୍ରିୟାରେ ଏହି ବିଲ୍ ସହାୟକ ହେବ । ଅଧିକ ଆଲୋଚନା ଓ ରହିଥିବା ବ୍ୟବସ୍ଥାଗୁଡିକ ସମ୍ପର୍କରେ ଅଧିକ ପର୍ଯ୍ୟାଲୋଚନା ଲାଗି ଏହି ବିଲକୁ ଏକ ଷ୍ଟାଣ୍ଡିଂ କମିଟିକୁ ପଠାଯିବା ସମ୍ଭାବନା ରହିଛି । ଏହି ବିଲରେ କୌଣସି ନୂଆ କର ବ୍ୟବସ୍ଥା ରହିନାହିଁ । କେବଳ କର ନିୟମକୁ ସରଳୀକରଣ ଲାଗି ଏହା ଉଦ୍ଦିଷ୍ଟ । କରଦାତାଙ୍କ ମଧ୍ଯରେ ଥିବା ଦ୍ବନ୍ଦ୍ବ ଦୂର ଲାଗି ବିଲରେ ବ୍ୟବସ୍ଥା ରହିଛି । ଏହା ସହ କର ବ୍ୟବସ୍ଥା ମଧ୍ୟରେ କରଦାତାଙ୍କୁ ଅଧିକ ସହାୟତା ଦେବା ଲାଗି ସରକାର ଆଗ୍ରହୀ ଥିବାରୁ ଏହି ବିଲରେ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

