spot_img
Home Blog Page 1038

ବଜେଟରେ ବିଜେପି ଦେଖାଉଛି ରଙ୍ଗିଲା ସ୍ୱପ୍ନ, ବିଧାନସଭାରେ ବର୍ଷିଲେ ବିଜେଡି ଓ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ବଜେଟ ପରେ ବଜେଟ ଆଣୁଛନ୍ତି ରାଜ୍ୟ ସରକାର । ବଡ଼ ବଜେଟ ଆଣି ବାହା ବାହା ନେବାକୁ କରୁଛନ୍ତି ପ୍ରୟାସ । ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଣିଛନ୍ତି । କିନ୍ତୁ ପୂର୍ବ ବଜେଟର ମାତ୍ର ୫୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ବହୁ ବିଭାଗରେ ବଜେଟ ଅର୍ଥ ଖର୍ଚ୍ଚ ଅତି ନଗନ୍ୟ । ୯ ମାସ ହେବ ବଜେଟ ଅର୍ଥ ଗ୍ରାଉଣ୍ଡରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରୁନାହିଁ । ମୋହନ ସରକାର ପ୍ରଥମ ବଜେଟରେ ୪୩ ହଜାର କୋଟି ଋଣ ଓ ଦ୍ବିତୀୟ ବଜେଟରେ ୪୭ ହଜାର କୋଟି ଋଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଅର୍ଥ ପାଇବା ବଦଳରେ ଓଡ଼ିଶାକୁ ମିଳୁଛି କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ।

କେତେବେଳେ ଡିଜି ସମ୍ମିଳନୀ ତ କେତେବେଳେ ପ୍ରବାସୀ ଭାରତୀୟ ସମ୍ମିଳନୀ । ଆନ୍ଧ୍ର ଓ ବିହାରକୁ କେନ୍ଦ୍ର ବଜେଟରେ ସ୍ବତନ୍ତ୍ର ଅନୁଦାନ ମିଳୁଥିବା ବେଳେ ଓଡ଼ିଶାକୁ ଅଣଦେଖା କରାଯାଉଛି । ଏପରି ଲମ୍ବା ଅଭିଯୋଗ ଆଣି ବଜେଟ ଆଲୋଚନାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ଅମୃତ କାଳରେ ଓଡ଼ିଶା କଣ ପାଇଲା, ତାହା ଏବେ ଗୀତ ହୋଇ ବାଜିଲାଣି। ଅନ୍ୟପଟେ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ବଜେଟରେ ବିଜେପି ରଙ୍ଗିଲା ସ୍ୱପ୍ନ ଦେଖାଉଛି  । ବିଜେପି ବଜେଟ ଅର୍ଥ ଖର୍ଚ୍ଚ କରିପାରୁନି କି ଖର୍ଚ୍ଚ କରିବାର କୌଶଳ ବି ଶିଖୁନି। ପୂର୍ବ ସରକାର ଏକ ଅଭିଜ୍ଞ ସରକାର ଥିଲା  । ବଜେଟରେ ଯାହା ଅର୍ଥ ରଖୁଥିଲେ ତାହାକୁ ଖର୍ଚ୍ଚ କରାଯାଉଥିଲା। କିନ୍ତୁ ଏ ସରକାର କାହା କଥା ଶୁଣୁନଥିବା ଅଭିଯୋଗ କରିଛି ବିଜେଡି।

ସେପଟେ କଂଗ୍ରେସ କହିଛି, ମୋହନ ସରକାର ନିରାଶର ବଜେଟ ଆଣିଛନ୍ତି । ସୁଭଦ୍ରା ଟଙ୍କା ଦେଉଛନ୍ତି, କିନ୍ତୁ ମା’ମାନଙ୍କ କଥା ଶୁଣୁନାହାନ୍ତି। ଜୀବନ ଜୀବିକା ପାଇଁ ରାଜରାସ୍ତାରେ ଲଢେଇ କରୁଛନ୍ତି ମହିଳା। ବଜେଟରେ ନିଯୁକ୍ତି ଠାରୁ ଆରମ୍ଭ କରି ଲୋକଙ୍କ ସ୍ବାର୍ଥ ଉପରେ କୌଣସି ଦୃଷ୍ଟି ଦିଆଯାଇନାହିଁ । ବଜେଟ ଆଲୋଚନାରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିବା ପରେ ବିଜେପି କହିଛି ଆମେ ବିକାଶର ବଜେଟ ଆଣିଛୁ ।

 

ଚାଷୀ ପୋଷଣ ନା ଚାଷୀ ଶୋଷଣ, ଚାଷୀ ମାରଣର ନୂଆ ଫଣ୍ଡାରେ ଡବଲ ଇଞ୍ଜିନ ସରକାର

ନନ୍ଦିଘୋଷ ବ୍ୟୁରୋ : ସରକାରୀ ବିହନ ନେଇ ହତାଶ ଚାଷୀ । ସାମନାକୁ ଆସିଛି ରାଜ୍ୟ ବିହନ ନିଗମର ବଡ଼ କେଳେଙ୍କାରୀ । ପିଆଜ, ମେଥି ଓ ଲଙ୍କା ବିହନ ଗଜା ନ ହେବାରୁ ଗଞ୍ଜାମ ଜିଲ୍ଲାରେ ଚାଷୀ ମୁଣ୍ଡରେ ହାତ ଦେଇବସିଛନ୍ତି । ରାଷ୍ଟ୍ରାୟତ୍ତ ସଂସ୍ଥା କମ୍ ଟଙ୍କାରେ ଟେଣ୍ଡର ପକାଇଥିଲେ । ହେଲେ ରାଜ୍ୟ ବିହନ ନିଗମ କାହା ଚାପରେ ମଧ୍ୟପ୍ରଦେଶ ଭୋପାଳର ଏକ ଘରୋଇ ସଂସ୍ଥାରୁ ଅଧିକ ଦରରେ ବିହନ କିଣି ଚାଷୀଙ୍କୁ ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏ ନେଇ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ରାଜ୍ୟ ବିହନ ନିଗମରେ କୌଣସି ଅଧିକାରୀ ନାହାନ୍ତି କି ଅଧ୍ୟକ୍ଷ ଦାୟିତ୍ବରେ ଥିବା କୃଷି ବିଭାଗ ସଚିବଙ୍କୁ ଯୋଗାଯୋଗ କରାଗଲେ ବି କାର୍ଯ୍ୟବ୍ୟସ୍ତତା ଦର୍ଶାଇ ପଛଘୁଞ୍ଚା ଦେଉଛନ୍ତି । ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ଚାଷୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

୨୦୨୪-୨୫ ଖରିଫ ବର୍ଷରେ ରବି ଫସଲ ପାଇଁ ପିଆଜ, ଲଙ୍କା, ମେଥି ଓ ପନିପରିବା ବିହନର ମିନି କିଟ୍ ଯୋଗାଇବାକୁ ରାଜ୍ୟ ବିହନ ନିଗମ ଇ-ଟେଣ୍ଡର ଆହ୍ବାନ କଲା । ବିଭିନ୍ନ ପନିପରିବା ବିହନ କିଲୋ ୪୪୭ ଟଙ୍କାରେ ଯୋଗାଇବାକୁ ରାଷ୍ଟ୍ରାୟତ୍ତ ସଂସ୍ଥା ହିନ୍ଦୁସ୍ତାନ ଇନ୍ସେକ୍ଟିସାଇଡ୍ସ୍ ଲିମିଟେଡ୍ ଟେଣ୍ଡର ପକାଇଥିଲା । କିନ୍ତୁ ରାଜ୍ୟ ବିହନ ନିଗମର ବୈଷୟିକ କମିଟି ରାଷ୍ଟ୍ରାୟତ୍ତ ସଂସ୍ଥାକୁ ଛାଡ଼ି ଭୋପାଳର ଏକ ଘରୋଇ ସଂସ୍ଥାକୁ କିଲୋ ପିଛା ୫୬୦ ଟଙ୍କାରେ ଯୋଗାଇବାକୁ ଚୟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହେଲେ ସେ ମଞ୍ଜିରୁ ଗଛ ହେଉନାହିଁ ବୋଲି ଗଞ୍ଜାମର ଚାଷୀ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ, ପ୍ୟାକେଟ୍ ଉପରେ କମ୍ପାନୀର ନାଁ ନାହିଁ,d ଲଟ୍ ନମ୍ବର ନାହିଁ । କେବେ ପ୍ରସ୍ତୁତ ହୋଇଥିବା ପ୍ରାମାଣିକ ବିହନ ତାର କୌଣସି ସୂଚନା ନାହିଁ । କେବଳ ରାଜ୍ୟ କୃଷି ବିଭାଗ ସହିତ ରାଜ୍ୟ ବିହନ ନିଗମ ବିପ୍ପଣନ କରିଥିବା ନେଇ ସୂଚନା ରହିଛି । ଯାହାକୁ ନେଇ ବଡ଼ ଧରଣର ଘୋଟାଲା ହୋଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି । ଯଦି ଏହାର ତଦନ୍ତ ନ ହୁଏ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି । ଅନ୍ୟପଟେ ଏ ନେଇ ନନ୍ଦିଘୋଷ ଟିଭି ଖୋଳତାଡ଼ ପରେ ବିହନ ନିଗମର ବାବୁ ଧରାଛୁଆଁ ଦେଉନାହାନ୍ତି ।

ଆଳୁ ଦେଲାନି ପଶ୍ଚିମବଙ୍ଗ, ହଟହଟା ଓଡ଼ିଶା: ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗ ଆଳୁ ଦେଲାନି। ଆଳୁ ପାଇଁ ହଟହଟା ହେଲେ ଓଡ଼ିଶାବାସୀ। ଖାଲି ଗପରେ ସୀମିତ ରହିଲା ସରକାରଙ୍କ ପଦକ୍ଷେପ। ଆକାଶଛୁଆଁ ହେଲାଣି ପିଆଜ ଠାରୁ ଆରମ୍ଭ କରି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର। ସଠିକ ଭାବେ ଚାଷୀଙ୍କୁ ବିହନ ମିଳିଲାନି। ତା ସାଙ୍ଗକୁ ଉତ୍ପାଦିତ ଦ୍ରବ୍ୟର ହେଲା ଅଭାବୀ ବିକ୍ରି। ସବୁ ଜାଣି ବି ଚୁପ ବସିଛନ୍ତି ସରକାର। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବାରୁ ବିଜେପି ସରକାର ଉପରେ ବର୍ଷିଛି ଓଡ଼ିଶା ବ୍ୟବସାୟୀ ମହାସଂଘ। ଦରଦାମ ନିୟନ୍ତ୍ରଣ ଓ ଚାଷୀଙ୍କ ସାମଗ୍ରୀର ଅଭାବୀ ବିକ୍ରି ରୋକିବା ପାଇଁ ନାହିଁ ଆନ୍ତରିକତା। ଯେଉଁଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବା ବେଳେ, ଆଗକୁ ମଧ୍ୟ ଦରଦାମ ବୃଦ୍ଧି ଉତ୍କଟ ରୂପ ନେବ ବୋଲି ଚେତାଇ ଦେଇଛି ବ୍ୟବସାୟୀ ମହାସଂଘ। ପ୍ରତି ତିନି ମାସରେ ଥରେ ଦରଦାମ ନିୟନ୍ତ୍ରଣ ଓ ଚାଷ ଉତ୍ପାଦନ ବଢାଇବା ପାଇଁ ବୈଠକ କରିବାକୁ କହିଥିଲା ବିଜେପି ସରକାର। କିନ୍ତୁ ଏପର୍ଯ୍ୟନ୍ତ ତାହା ହେଲାଣି। ଏହା ସରକାରଙ୍କ ଆନ୍ତରିକତାର ଅଭାବ ବୋଲି କହି ସମାଲୋଚନା କରିଛି ବ୍ୟବସାୟୀ ମହାସଂଘ।

ସେପଟେ ଦରଦାମ ନିୟନ୍ତ୍ରଣରେ ବିଫଳତା ଓ ସରକାରଙ୍କ ମିଛ ପ୍ରତିଶୃତିକୁ ନେଇ ବିଜେପି ଉପରେ ବର୍ଷିଛି ଓଡ଼ିଶା ବିକାଶ ପରିଷଦ। ରାଜ୍ୟର ସମଗ୍ରୀକ ବିକାଶକୁ ନେଇ ସରକାର ବେପରୁଆ ମନୋଭାବ ପୋଷଣ କରିଛନ୍ତି। ଡବଲ ଇଞ୍ଜିନ ସରକାର ସବୁ କଥାକୁ ହାଲକା ଭାବେ ନେଉଛନ୍ତି। ଯାହାର ଫଳ ଭୋଗୁଛି ରାଜ୍ୟ। ଆଗକୁ ଜନତା ଏହାର ଦୃଢ଼ ଜବାବ ଦେବେ ବୋଲି ଚେତାବନୀ ଦେଇଛି ସଙ୍ଗଠନ। ଏସବୁ ପରେ ବି ଯୋଗାଣ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର ସମନ୍ୱୟ ବୈଠକ ହୋଇନି, ଆଗକୁ ହେବ।

ଏବେ ଆଳୁ ଉତ୍ପାଦନ ସମୟ ହୋଇଥିବା ବେଳେ, ଅନ୍ୟ କିଛି ଅତ୍ୟାବଶ୍ୟକ ପନିପରିବା ଉତ୍ପାଦନ ହେଉଛି। ଯାହାର ଅଭାବୀ ବିକ୍ରି ମଧ୍ୟ ଚାଲିଛି। କିନ୍ତୁ ଏସବୁର ବ୍ୟାପକ ଉତ୍ପାଦନ କିମ୍ବା ସଂରକ୍ଷଣ ପାଇଁ କୌଣସି ଉଦ୍ୟମ ହେଉ ନାହିଁ। ଯେଉଁଥି ପାଇଁ ଚଳିତ ବର୍ଷ ମଧ୍ୟ ଆଳୁଠୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ସଙ୍କଟ ପୁଣିଥରେ ଦେଖାଦେବାର ସମ୍ଭାବନା ରହିଛି।

ଆକାଶରୁ ଖସୁଛି ବଜ୍ର, ୬ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

ନନ୍ଦିଘୋଷ ବ୍ୟୁରୋ : ସାବଧାନ ! ଆକାଶରୁ ଖସୁଛି ବଜ୍ର । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଡିବ ବଡ ପ୍ରଭାବ । ୨୪ ଘଣ୍ଟା ପର୍ଯ୍ୟନ୍ତ ୨୫ ଜିଲ୍ଲାକୁ ଆଲର୍ଟ । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଏବଂ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ । ୮ ଜିଲ୍ଲାରୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଜ୍ରପାତ ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲରୁ ଓଡ଼ିଶା ମଧ୍ୟ ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ପାଗ ବଦଳିବା ସହ ବଜ୍ରପାତ ଜାରି ରହିଛି । ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବଜ୍ରପାତକୁ ଦୃଷ୍ଟିରେ ରଖି ଏସ୍ଆରସି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଘଡଘଡି ସହ କୁଆପଥର ବୃଷ୍ଟି ନେଇ ଚେତାବନୀ ଦିଆଯାଇଛି । ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୨ ତାରିଖରେ ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜକୁ ବଜ୍ରପାତ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୨ ବର୍ଷ କୁନି ଭଉଣୀକୁ ବଞ୍ଚାଇଲା ୪ ବର୍ଷର ବଡ ଭଉଣୀ, ସଫଳ ହୋଇଛି ବୋନ୍ ମାରୋ ଟ୍ରାନ୍ସପ୍ଲାଣ୍ଟ

କଟକ : ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛି ଏସସିବି ହେମାଟୋଲୋଜି ବିଭାଗ | ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ୨ ବର୍ଷର ଶିଶୁ କନ୍ୟାର ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଝାଡ଼ଖଣ୍ଡ ଧାନବାଦର ଏହି ଶିଶୁ ରୋଗୀଙ୍କ ଶରୀରରେ ନିଜ ୪ ବର୍ଷର ବଡଭଉଣୀର ଶରୀରରୁ ଷ୍ଟେମ୍ ସେଲ୍ ନିଆଯାଇ ପ୍ରତିରୋପଣ କରାଯାଇଛି । ଦୁଇ ଭଉଣୀ ଏବେ ସୁସ୍ଥ ଥିବାବେଳେ, ଥାଲାସେମିଆ, ରକ୍ତ ଶିକୁଳି, ରକ୍ତ କର୍କଟରେ ଆକ୍ରାନ୍ତ ଶିଶୁଙ୍କ ପାଇଁ ଏହା ନୂଆ ଆଶା ସଂଚାର କରିଛି।

ଝାଡ଼ଖଣ୍ଡ ଧାନବାଦ ଅଂଚଳର ଏହି ଶିଶୁ କନ୍ୟା ରକ୍ତ କର୍କଟ ରୋଗରେ ପୀଡିତ ହୋଇଥିଲେ । ତାଙ୍କ ଚିକିତ୍ସା ବେଳେ ବଡ ଭଉଣୀ ଠାରୁ ଅସ୍ଥିମଜ୍ଜା ନିଆଯାଇ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏସସିବି ହେମାଟୋଲୋଜି ବିଭାଗର ୧୨ ଜଣିଆ ଡାକ୍ତରୀ ଟିମ ସଫଳତାର ସହ ଏଭଳି ଶିଶୁ କନ୍ୟାର ଅସ୍ଥିମଜ୍ଜା ପ୍ରତିରୋପଣ କରିଛନ୍ତି। ଯାହା ରାଜ୍ୟରେ ପ୍ରଥମ ଘଟଣା। ଗତ ଫେବ୍ରୁଆରୀ ୬ ତାରିଖରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିବା ବେଳେ ଦୁଇ ଶିଶୁ କନ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆଜି ସୁଦ୍ଧା ଏସ୍ସିବି ହେମାଟୋଲୋଜି ବିଭାଗରେ ୧୭୬ ଜଣଙ୍କଠାରେ ସଫଳତାର ସହ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଥିଲେ ବି ପ୍ରଥମ ଥର ଜଣେ ଶିଶୁର ଶରୀରରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଇଛି ।

ବୋକାରୋ, ଭିଲାଇ ପରେ ଗତବର୍ଷ ଜୁଲାଇ ମାସରେ ଝାଡ଼ଖଣ୍ଡ ଧାନବାଦର ସାରୁଖ ଅନ୍ସାରି ତାଙ୍କ ୨ବର୍ଷର ଝିଅର ଚିକିତ୍ସା ପାଇଁ ଜାମ୍ସେଦ୍ପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ହିଁ ତାଙ୍କର ଜଟିଳ ରକ୍ତ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଡାକ୍ତର ତାଙ୍କୁ ଅସ୍ଥିମଜ୍ଜା ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ । ତେବେ ସେଠାରେ ଏହି ଚିକିତ୍ସା ଉପଲବ୍ଧ ନଥିବାରୁ ତାଙ୍କୁ ଅନ୍ୟତ୍ର ଯିବାକୁ କୁହା ଯାଇଥିଲା । ଚିକିତ୍ସା ପାଇଁ ୩୦ରୁ ୪୦ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଏତେ ବ୍ୟୟବହୁଳ ଚିକିତ୍ସା ପାଇଁ ପରିବାର ପାଖରେ ଅର୍ଥ ବାଧକ ସାଜିଥିଲା । ଶେଷରେ ବିଭିନ୍ନ ସୂତ୍ରରୁ ସୂଚନା ପାଇ ପରିବାର ଲୋକେ ଝିଅକୁ ଧରି କଟକ ବଡ଼ଡାକ୍ତରଖାନା ପହଞ୍ଚିଥିଲେ। ଏସସିବିରେ ଜାନୁଆରୀ ୭ ତାରିଖରେ ୨ବର୍ଷର ଶିଶୁକୁ ଭର୍ତ୍ତି କରାଯାଇ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଗତ ୬ ତାରିଖରେ ନିଜ ୪ ବର୍ଷର ବଡ଼ ଭଉଣୀର ଷ୍ଟେମ ସେଲ ନିଆଯାଇ ବୋନ ମାରୋ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା। ନିଜ ଝିଅର ଜୀବନ ବଞ୍ଚିଯାଇ ଥିବାରୁ ପରିବାର ଲୋକେ ଏସସିବି କର୍ତ୍ତୃପକ୍ଷ ଓ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପାଓ୍ୱାରଲିପ୍ଟଙ୍ଗ କରିବା ବେଳେ ଚାଲିଗଲା ନ୍ୟାସନାଲ ଗୋଲ୍ଡ ମେଡାଲିଷ୍ଟ ଭାରୋତ୍ତୋଳକଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ : ଜିମରେ ପାଓ୍ୱାରଲିପ୍ଟିଙ୍ଗ ନେଲା ଭାର ଉତ୍ତୋଳକଙ୍କ ଜୀବନ । ୨୭୦କେଜିର ରର୍ଡ ପଡିପଡି ବେକ ଭାଙ୍ଗିଯିବାରୁ ମହିଳା ପାଓ୍ୱାରଲିପ୍ଟିରଙ୍କ ମୃତ୍ୟୁ ଘଟିଛି । ନିକଟରେ ରାଜସ୍ଥାନର ବିକାନେର ଜିଲ୍ଲାରେ ଜଣେ କନିଷ୍ଠ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଭାରତ୍ତୋଳନକାରୀଙ୍କ ମୃତ୍ୟୁ ହୋଇଛି । ଜିମରେ ସେ ଅଭ୍ୟାସ କରୁଥିବା ବେଳେ ଏହି ଘଟଣା ଘଟିଛି। ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା କହିଛି ପୁଲିସ। ମୃତ ପାଓ୍ୱାରଲିପ୍ଟିର ହେଉଛନ୍ତି ୧୭ବର୍ଷୀୟ ୟସ୍ତିକା ଆଚାର୍ଯ୍ୟ ।

ପୋଲିସର ସୂଚନା ଅନୁଯାୟୀ, ଜୁନିଅର ନ୍ୟାସନାଲ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପାୱାରଲିଫ୍ଟର ୟସ୍ତିକାଙ୍କ ମୃତ୍ୟୁ ହୋଇଛି । ଅଭ୍ୟାସ ସମୟରେ ତାଙ୍କ ବେକରେ ୨୭୦ କିଲୋଗ୍ରାମ ରଡ୍ ପଡ଼ିଯିବାରୁ ତାଙ୍କର ବେକ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ତୁରନ୍ତ ଆଚାର୍ଯ୍ୟଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କୁହାଯାଉଛି ଯେ, ପ୍ରଶିକ୍ଷକ ଯେତେବେଳେ ଯସ୍ତିକାଙ୍କୁ ଜିମ୍‌ରେ ୨୭୦କେଜିର ରଡ୍ ଉଠାଇବାକୁ ସାହାଯ୍ୟ କରୁଥିଲେ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରଶିକ୍ଷକ ମଧ୍ୟ ସାମାନ୍ୟ ଆଘାତ ପାଇଥିଲେ। ତେବେ ପରିବାର ପକ୍ଷରୁ ଏ ଘଟଣାକୁ ନେଇ କୌଣସି ମାମଲା ରୁଜୁ କରାଯାଇନଥିଲା ବେଳେ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ । ମୁମ୍ବାଇର ଗୋରେଗାଓଁ ପୋଲିସକୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଏକ ଇମେଲ ମିଳିଥିଲା, ଯେଉଁଥିରେ ଶିବସେନା ମୁଖ୍ୟଙ୍କ କାରକୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା। ଧମକପୂର୍ଣ୍ଣ ଇମେଲ ଗୋରେଗାଓଁ ଏବଂ ଜେଜେ ମାର୍ଗ ପୋଲିସ ଷ୍ଟେଶନ ଏବଂ ମନ୍ତ୍ରଣାଳୟକୁ ପଠାଯାଇଥିଲା।

ଇମେଲ ପାଇବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସତର୍କ ହୋଇ ଯାଇଛନ୍ତି। କ୍ରାଇମବ୍ରାଞ୍ଚ ସମେତ ସମସ୍ତ ଏଜେନ୍ସି ତଦନ୍ତରେ ନିୟୋଜିତ ଅଛନ୍ତି। ଧମକ ପରେ, ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀମାନେ ଧମକ ପଠାଇବା ପାଇଁ ବ୍ୟବହୃତ ଇମେଲ ଆଇଡିର IP ଠିକଣାକୁ ଟ୍ରେସ କରୁଛନ୍ତି।

ସେପଟେ ଶିନ୍ଦେଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଅଧିକାରୀମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ରାଜନୈତିକ ନେତାମାନଙ୍କୁ ଧମକପୂର୍ଣ୍ଣ କଲ ଏବଂ ଇମେଲ ମିଳିବା ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ, ଜାନୁଆରୀ ୨୦୨୫ରେ, ହିତେଶ ପ୍ରକାଶ ଧେଣ୍ଡେ ନାମକ ଜଣେ ୨୪ ବର୍ଷୀୟ ଯୁବକ ସୋସିଆଲ ମିଡିଆରେ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦେଇଥିଲେ ।

ଏହି ଘଟଣା ପରେ, ଥାଣେର ଶ୍ରୀନଗର ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରାଯାଇଥିଲା ଯେଉଁଥିରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହି ମାମଲାରେ, ଥାନେ ଡିସିପି ପ୍ରଶାନ୍ତ କଦମ କହିଛନ୍ତି, ‘ଅଭିଯୁକ୍ତ ଜଣକ ତାଙ୍କ ବନ୍ଧୁଙ୍କ ମୋବାଇଲ ଫୋନ ବ୍ୟବହାର କରି ଇନଷ୍ଟାଗ୍ରାମରେ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିରୋଧରେ ଏକ ଧମକପୂର୍ଣ୍ଣ ଭିଡିଓ ପୋଷ୍ଟ କରିଥିଲେ।’ ଏହାକୁ ନେଇ ଶ୍ରୀନଗରରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି।

ସାରା ଦେଶରେ ‘ଛାୱା’ କ୍ରେଜ୍: ଏହି ୨ ରାଜ୍ୟରେ ଛାୱା ଉପରୁ ଟ୍ୟାକ୍ସ ଫ୍ରି

ମୁମ୍ୱାଇ: ଭିକ୍କି କୌଶଲ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ପିଲ୍ମ ‘ଛାୱା’ ବକ୍ସ ଅଫିସରେ ଧମାଲ କରୁଛି । ଏହି ଐତିହାସିକ ଫିଲ୍ମର କ୍ରେଜ୍ ସାରା ଦେଶରେ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଫିଲ୍ମ ଛାୱା ଉପରୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି ହୋଇଛି। ଅନ୍ୟପଟେ ୨ ରାଜ୍ୟରେ ଛାୱା ଉପରୁ ଟ୍ୟାକ୍ସ ଫ୍ରି କରାଯାଇଛି ।

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛାୱା’କୁ ମଧ୍ୟପ୍ରଦେଶ ଏବଂ ଗୋଆରେ ଟ୍ୟାକ୍ସ ଫ୍ରି କରାଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳୁଛି । ସେହିପରି ଗୋଆ ସରକାର ମଧ୍ୟ ରାଜ୍ୟରେ ଛାୱା ଫିଲ୍ମ ଉପରୁ ଟ୍ୟାକ୍ସ ଫ୍ରି କରିବାକୁ ଘୋଷଣା କରିଛନ୍ତି।

ସିନେମାରେ ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୁପୂତ୍ର ବୀର ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ଅତି ଉଚ୍ଚକୋଟିର ଭାବେ ପରିବେଷଣ କରାଯାଇଛି ଯେ ଯିଏ ବି ସିନେମା ଦେଖୁଛନ୍ତି ପ୍ରଶଂସା ନକରି ରହିପାରୁନାହାନ୍ତି । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଭିକ୍କି କୌଶଲ ନଜର ଆସିଥିବା ବେଳେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିଛନ୍ତି ।

ଶିକ୍ଷକଙ୍କୁ ମିଳୁନି ଦରମା, ଛୁଟି ନେଇ ଲାଗୁଛନ୍ତି ମୂଲ

ବଲାଙ୍ଗୀର : ଶିକ୍ଷକଙ୍କୁ ମିଳୁନି ଦରମା । ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ। ନୂଆ ସରକାର ଆସିବା ପରେ ଠିକ୍ ସମୟରେ ଦରମା ପାଇବାରୁ ବଞ୍ଚିତ ହେଉଛନ୍ତି ଶିକ୍ଷକ  । ୩ ମାସ ହେଲା ଦରମା ମିଳିନି ବୋଲି ଛୁଟି ନେଇ ଶ୍ରମିକ ସାଜିଛନ୍ତି ଜଣେ ଶିକ୍ଷକ । ହାତରେ ଚକଖଡି ବଦଳରେ ବିଲରେ କୋଦାଳ ଧରି ଦିନ ମଜୁରିଆ ଭାବେ କାମ କରୁଛନ୍ତି ବଲାଙ୍ଗୀର ପୁଇଁତଳା ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ  । ଗାଁର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ବିଲରେ ମୂଲ ଲାଗିଛନ୍ତି । ତାଙ୍କୁ ୩ଶହ ଟଙ୍କା ମଜୁରି ମଧ୍ଯ ମିଳିଛି  । ବଲାଙ୍ଗୀର ବାନ୍ଧନବାହାଲ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ଏବେ ଦିନ ମଜୁରିଆ ପଲଟିଛନ୍ତି  । ଜନ୍ମରୁ ସେ ଶାରୀରିକ ଅକ୍ଷମ ମଧ୍ୟ ।

ଗତକାଲି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଦିନ ମଜୁରିଆ କାମ କରିବାକୁ ଛୁଟି ମାଗିଥିଲେ  । ଆଜି ଛୁଟି ନେଇ ଶ୍ରମିକ ସାଜିଛନ୍ତି  । ମାଲିକ ପାଖରେ କାମ କରୁଛନ୍ତି  । ତିନି ମାସ ହେଲା ଦରମା ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ଶେଷରେ ଶିକ୍ଷକତାରୁ ଛୁଟି ନେଇ ମୂଲ ଲାଗୁଛନ୍ତି ଶିକ୍ଷକ  । ଆଜି ସକାଳ ୯ଟାରୁ ଗାଁର ଚାଷୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ବିଲରେ କାମ କରି ୩ଶହ ଟଙ୍କା ରୋଜଗାର କରିଛନ୍ତି  । ଯେତେଦିନ ପର୍ଯ୍ୟନ୍ତ ଦରମା ନମିଳିବ ସେ ଛୁଟି ନେଇ ମୂଲ ଲାଗିବେ ବୋଲି କହିଛନ୍ତି  ।

ବିଇଓଙ୍କ ମନମୁଖୀ କାର୍ଯ୍ୟପାଇଁ ତିନି ମାସ ହେଲା ଦରମା ବନ୍ଦ ହୋଇଥିବା ଅଭିଯୋଗ କରିଛନ୍ତି  । ଗୁହାରି ପାଇଁ ଯାଇଥିଲେ କିନ୍ତୁ BEO ଲୋକନାଥ ସୁନା ଧମକଚମକ ଦେବା ସହ ଦରମା ମିଳିବନି ବୋଲି କହିବାରୁ ପରିବାର ଚଳାଇବା ପାଇଁ ଛୁଟି ନେଇ ଶ୍ରମିକ ହେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି  । ଦରମା ନମିଳିବାରୁ ପରିବାରର ଆର୍ଥିକ ସ୍ଥିତି ବିଗିଡିବା ଫଳରେ ସେ ଏପରି ନିଷ୍ପତ୍ତି ଗ୍ରହଣ କରିଥିବା କହିଛନ୍ତି  । ତେବେ ପୁଇଁତଳା ବ୍ଲକରେ ଏକ୍ସ କ୍ୟାଡର୍, ଗଣଶିକ୍ଷକ, କନିଷ୍ଠ ଶିକ୍ଷକ ଓ ଶିକ୍ଷା ସହାୟକ ମାନେ ପାଖାପାଖି ୩ ରୁ ୫ ମାସ ହେବ ଦରମା ପାଇନାହାନ୍ତି ବୋଲି ଖୋଦ୍ ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି  ।

୨୦୨୫ ଇଦ୍ ରେ ବଡ ପରଦାରେ ରିଲିଜ ହେବ ‘ସିକନ୍ଦର’

ମୁମ୍ୱାଇ: ବଲିଉଡର ଭାଇଜାନ୍ ସଲମାନ ଖାନ। ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି । ସଲମାନ ଖାନ ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି । ସଲମାନଙ୍କ ଫିଲ୍ମ ‘ସିକନ୍ଦର’ର ଟ୍ରେଲର ରିଲିଜ୍ ହୋଇସାରିଛି। ଏହାକୁ ଫ୍ୟାନ୍ସମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ବଡ ବଜେଟର ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ଏଆର ମୁରୁଗୋଡୋସ। କହିରଖୁ ଯେ, 2025 ଇଦ ଅବସରରେ ଏହି ଫିଲ୍ମ ବଡ ପରଦାରେ ରିଲିଜ ହେବ। ଭାଇଜାନଙ୍କ ଏହି ଫିଲ୍ମ ତାଙ୍କ କ୍ୟାରିଅରର ସବୁଠୁ ବଡ ଫିଲ୍ମ ହୋଇପାରେ ବୋଲି ଚର୍ଚ୍ଚା ଯୋର ଧରିଛି ।

ଅନ୍ୟ ପକ୍ଷରେ ଏହି ଫିଲ୍ମର ସବୁକିଛି ତଥ୍ୟକୁ ଗୋପନୀୟ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି ସିକନ୍ଦର ଫିଲ୍ମର ମେକର୍ସ । ଗୋଟେ ଦିନ ଭିତରେ ଫିଲ୍ମଟି ୱାର୍ଲଡ ୱାଇଡ ୫୦ ମିଲିୟନ ଭିୟୁ କ୍ରସ କରିସାରିଛି । ଏହା ସହିତ ଫିଲ୍ମର ଏନିମେସନ , ଭିଏଫଏକ୍ସ , ବିଜ୍ଏମ ବହୁତ୍ ଖାସ୍ ରହିଛି। ଫିଲ୍ମରେ ସଲମାନଙ୍କ ଟସନ ଲୁକ ପୁଣିଥରେ ଦେଖିବାକୁ ପାଇବେ ସିନେ ପ୍ରେମୀ। ସାଜିଦ ନାଡିୟାଡୱାଲା ପ୍ରଯୋଜିତ ଏହି ଫିଲ୍ମକୁ ଏବେଠୁ ବ୍ଲକ ବଷ୍ଟରର ମାନ୍ୟତା ମିଳିସାରିଲାନି । ଦେଖିବାକୁ ବାକି ରହିଲା ଯେ ଫିଲ୍ମଟି ବଡ ପରଦାରେ କେତେ କଲେକ୍ସନ କରୁଛି ।

ନିକଟରେ ବଡ ପରଦାରେ ପୁଷ୍ପା ପାର୍ଟ୨ କଲେକ୍ସନ ରେକର୍ଡ ସବୁ ବ୍ରେକ କରିଛି କୁହାଯାଉଛି ଯେ ଭାଇଜାନଙ୍କ ଏହି ଫିଲ୍ମ ହିନ୍ଦୀ ଜଗତର ସବୁ ରେକର୍ଡ ବ୍ରେକ କରିପାରେ । ଫ୍ୟାନ୍ସମାନେ ଏନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।