ଜାମ୍ମୁ କାଶ୍ମୀର: ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏକଘରିକିଆ ହେବାରେ ଲାଗିଛି। କୌଣସି ଦେଶ ତାକୁ ସମର୍ଥନ କରୁ ନାହାନ୍ତି। ଏପରିକି ବିଶ୍ଵର ମୁସଲିମ ଦେଶ ମଧ୍ୟ ସମର୍ଥନ କରୁ ନାହାନ୍ତି। ଏପଟେ ଭାରତ ପ୍ରତି ବଢ଼ିବାରେ ଲାଗିଛି ସମର୍ଥନ। ଆମେରିକାର ଖୋଲାଖୋଲି ସମର୍ଥନ କରିଛି। ଆମେରିକାର ଗୁଇନ୍ଦା ମୁଖ୍ୟ ତୁଲସୀ ଗୋବାର୍ଡ କହିଛନ୍ତି, ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଆମେ ଭାରତକୁ ପୁରା ସମର୍ଥନ କରୁଛୁ। ଭାରତ ଯେଉଁ ପଦକ୍ଷେପ ନେବ, ଆମେ ତା ପଛରେ ଛିଡ଼ା ହେବୁ। ଆହୁରି ଅନେକ ଦେଶ ମଧ୍ୟ ସମର୍ଥନ କରୁଛନ୍ତି। ଆଗରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟି ପରିସ୍ଥିତି ସଂପର୍କରେ ଅବଗତ କରାଇଥିଲେ। କୂଟନୈତିକ କ୍ଷେତ୍ରରେ ସାରା ବିଶ୍ଵରେ ଭାରତ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ସେପଟେ ଏକଘରିକିଆ ହୋଇଛି ପାକିସ୍ତାନ।
ଦଲାଲଙ୍କ ନଜରରେ କୋମଳମତି, ପୂର୍ବ ଶତ୍ରୁତା, ପ୍ରେମ ଓ ଅଙ୍ଗତସ୍କରୀ ମୁଖ୍ୟ କାରଣ
ନନ୍ଦିଘୋଷ ବ୍ୟୁରୋ: ଦଲାଲଙ୍କ ନଜରରେ କୋମଳମତି ଶିଶୁ । ପୂର୍ବ ଶତ୍ରୁତା ଓ ଟଙ୍କା ପାଇଁ ବାଜିରେ ଲାଗୁଛି ଛୁଆଙ୍କ ଜୀବନ । କୋର୍ଟର ଗାଇଡଲାଇନ ଓ ପୋଲିସ ର ଏସଓପି କଡାକଡି ପାଇଁ ଦାବି । ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତର ଭାବେ ନେବାକୁ ଡିଜିପିଙ୍କ ନିର୍ଦ୍ଦେଶ । ଏପ୍ରିଲ ମାସ ୧୩ ତାରିଖ । ବିଳମ୍ବିତ ରାତିରେ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ପରେ ପରେ ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ନେଇ ମଞ୍ଚେଶ୍ୱର ଥାନାରେ ଏତଲା ପରେ ଏହି ଟ୍ରେଣ୍ଡ ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା । ଚାଇଲ୍ଡ ଟ୍ରାଫିକିଂ ରୋକିବା ପାଇଁ ଟେକନିକାଲ ସପୋର୍ଟ ଏଜେନ୍ସି ପକ୍ଷରୁ ତିଆରି ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା କୁ କଡାକଡି ପାଳନ ପାଇଁ ଜିଲ୍ଲା ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ପିଲା ନିଖୋଜ ହେଲେ ତୁରନ୍ତ ମିସିଂ ଚାଇଲ୍ଡ ପୋର୍ଟାଲରେ ପଞ୍ଜିକୃତ କରିବା ସହ ତଦନ୍ତକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶିଶୁ ନିଖୋଜ ହେଲେ ଅଧଘଣ୍ଟା ଭିତରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋଜିବା ସହ ସମସ୍ତ ଥାନାକୁ ଫଟୋ ପଠାଯିବ । ଜନଗହଳିପୂର୍ଣ ସ୍ଥାନରେ ପ୍ରଚାର କରାଯିବ । କିନ୍ତୁ ଏସବୁରେ ବ୍ୟତିକ୍ରମ ଯୋଗୁଁ ପିଲା ଚୋରି ରାଜ୍ୟରେ ବଢୁଥିବା କହିଛନ୍ତି ବିଶେଷଜ୍ଞ । ଗତ ବିଧାନସଭା ଅଧିବେଶନରେ ବାରବାଟୀ କଟକ ବିଧାୟକ ସୋଫିଆ ଫିରଦୌସ, ବିଗତ ୮ ମାସରେ କେତେ ଲୋକ ନିଖୋଜ ନେଇ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ତଥ୍ୟ ମୁତାବକ ୨୦୨୪ ଜୁନ ୧ ରୁ ୨୦୨୫ ଫେବ୍ରୁଆରୀ ୨୮ ମଧ୍ୟରେ ୨୦ ହଜାର ୬୦ ଜଣ ନିଖୋଜ ହୋଇଥିବା ବେଳେ ସେଥିରୁ ଅଧିକାଂଶ ହେଉଛନ୍ତି ଶିଶୁ । ଆର୍ଥିକ ଅନାଟନ, ଶିକ୍ଷା ଦୀକ୍ଷାର ଅଭାବ, ଦାଦନ ପାଇଁ ମଧ୍ୟ ବାପା ମାଆଙ୍କ ଜାଣତରେ ପିଲା ବିକ୍ରି ହେଉଥିବା କହିଛନ୍ତି ରୁଚିକା ଚାଇଲ୍ଡଲାଇନ ନିର୍ଦ୍ଦେଶକ ।
NCRB ର ତଥ୍ୟ ମୁତାବକ ୨୦୨୦ ରେ ୩ ହଜାର ୯୧୫ ଶିଶୁ ଅପହରଣ ହୋଇଥିବା ବେଳେ ୨୦୨୧ ରେ ୫ ହଜାର ୧୯୨ ଓ ୨୦୨୨ ରେ ତୁଳନାତ୍ମକ ଭାବେ ଏହା ୪.୩ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସବୁ ମହଲରୁ ଉଦବେଗ ପ୍ରକାଶ ପାଇଛି ।
ଓଡିଶାରେ ଥିବା ୧୨ ପାକିସ୍ତାନୀ ତୁରନ୍ତ ଭାରତ ଛାଡ : ରାଜ୍ୟ ସରକାର
ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୧୨ ପାକିସ୍ତାନୀ । ଦୀର୍ଘକାଳୀନ ଭିସାରେ ଓଡ଼ିଶାରେ ୧୨ ପାକିସ୍ଥାନୀ ଅଛନ୍ତି ବୋଲି ଗୃହ ବିଭାଗ ସୂଚନା ଦେଇଛି । ସେମାନଙ୍କୁ ଭାରତ ଛାଡ ନୋଟିସ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ବଲାଙ୍ଗୀର. ସମ୍ବଲପୁର. ରାଉରକେଲା ଓ ଝାରସୁଗୁଡ଼ାରେ ପାକିସ୍ତାନୀ ଥିବା କୁହାଯାଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ଭାରତ ଛାଡିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପାକିସ୍ତାନୀମାନଙ୍କୁ ଦିଆଯାଇଥିବା ଭିସା ରଦ୍ଦ କରିଛି ଭାରତ । ସାଧାରଣ ଭିସା ଆସନ୍ତା ୨୭ ଯାଏ ବୈଧ ରହିବ । କେବଳ ମେଡିକାଲ ଭିସା ଆସନ୍ତା ୨୯ ଯାଏ ବଳବତ୍ତର ରହିବ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ରହିଛି।
ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିପାତ
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ସେନାର ଏନକାଉଣ୍ଟର। ସର୍ଚ୍ଚ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଲସ୍କର ଆତଙ୍କବାଦୀ ଅଲତାଫ ଲାଲି ନିପାତ ହୋଇଥିବା ଜଣାପଡିଛି। ସେନାର ଗୁଳିରେ ଟଳି ପଡିଛି ଆତଙ୍କବାଦୀ ଅଲତାଫ। ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଆହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ପ୍ରଥମେ ଯବାନଙ୍କ ଉପରେ ଗୁଳି ଚଳାଇଥିଲେ ଆତଙ୍କୀ । ଗୁଳି ଚଳାଇବା ପରେ ଚାଲିଥିଲା ଜବରଦସ୍ତ ଫାୟାରିଂ। ବାନ୍ଦିପୋରା କୁଲନାର ବାଜିପୋରା ଜଙ୍ଗଲରେ ଏବେବି ଗୁଳିବିନିମୟ ଜାରି ରହିଛି। ଆତଙ୍କୀଙ୍କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସେନା।
ବ୍ଲକ୍ ବିଜେଡି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ : ବ୍ଲକ୍ ବିଜେଡି ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ । ପ୍ରତିବାଦରେ ଦଶରଥପୁର ଥାନାରେ ବିଜେଡି ସମର୍ଥକଙ୍କ ହୋ ହାଲ୍ଲା । ଗତକାଲି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି ସନ୍ଧ୍ୟା ସମୟରେ ଘରକୁ ଫେରୁଥିଲେ । ଏହି ସମୟରେ କାଟିଆ ଛକ ଠାରେ ରାଜେଶ ମହାନ୍ତି ଏବଂ ଭରତ ମହାନ୍ତି ତାଙ୍କୁ ଅଟକାଇ ଥିଲେ । ଅଜୟଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ବେକରୁ ସୁନା ଚେନ ଓ ୧୫ ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରିବାରୁ ନିକଟରେ ଲୁଚି ରହିଥିବା ଗୌରାଙ୍ଗ ମହାନ୍ତି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଅଜୟ ପାଟି କରିବାରୁ ସ୍ଥାନୀୟ ଲୋକମାନେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଦଶରଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟରେ ଅଜୟ ଚିକିତ୍ସା କରିବା ପରେ ଦଶରଥପୁର ଥାନାରେ ଅଭିଯୋଗ କରିଛନ୍ତି । ଖବର ଜଣାପଡିବା ପରେ ଶତାଧିକ ବିଜେଡି ସମର୍ଥକ ଦଶରଥପୁର ଥାନାରେ ପହଁଚି ପ୍ରବଳ ହୋ -ହଲ୍ଲା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ଜଣାଇଛନ୍ତି ।
ପହଲଗାଓଁ ଆକ୍ରମଣ ଘଟଣା : ଦିଲ୍ଲୀ ବ୍ୟବସାୟୀ ସଂଘ ପକ୍ଷରୁ ବଜାର ବନ୍ଦ ଘୋଷଣା
ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କାଶ୍ମୀର ପହଲଗାଓଁରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ପ୍ରତିବାଦ କରି ଦିଲ୍ଲୀ ବ୍ୟବସାୟୀ ସଂଘର ବନ୍ଦ ଘୋଷଣା । ଶୁକ୍ରବାର ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଦିଲ୍ଲୀର ବଜାର ବନ୍ଦ ଘୋଷଣା କରାଯାଇଛି । ଏହି ଘଟଣାକୁ ନେଇ ଦେଶବ୍ୟାପି ବିରୋଧ ଏବଂ ପ୍ରତିବାଦ କରାଯାଉଛି ଏବଂ ନାଗରିକ ମାନେ ଏହାକୁ ଘୋର ନିନ୍ଦା ମଧ୍ୟ କରୁଛନ୍ତି ।
ଅନ୍ୟପକ୍ଷେ ଦିଲ୍ଲୀ ଟ୍ରେଡ ୟୁନିୟନ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଯାହାକୁ ସମସ୍ତ ବ୍ୟବସାୟୀ ସଂଗଠନ ସମର୍ଥନ ଜାଣାଇ ବଜାର ବନ୍ଦ ରଖିବାର ନିର୍ଣ୍ଣୟ ନେଇଛନ୍ତି । ଯାହା ଫଳରେ ୯୦୦ରୁ ଅଧିକ ଦୋକନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଛି । ଏଥିସହିତ କଳା ବ୍ୟାଚ୍ ପିନ୍ଦି ବ୍ୟବସାୟୀ ମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ବିରୋଧ କରିଛନ୍ତି । ସଂଘ ପକ୍ଷରୁ ଶନିବାର ସକାଳ ୮ରୁ ୧୦ଟା ପର୍ଯ୍ୟନ୍ତ ବଜାର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ବ୍ୟବସାୟୀଙ୍କୁ ଏହି ବନ୍ଦ ପାଳନକୁ ସମର୍ଥନ କରିବାକୁ ଅପିଲ୍ ମଧ୍ୟ କରିଛନ୍ତି ।
ପାକ୍ ଉପପ୍ରଧାନମନ୍ତ୍ରୀ ଇଶାକ ଦରଙ୍କ ବିଚିତ୍ର ବୟାନ; ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଦର୍ଶାଇଲେ
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ହମଲାରେ ସାମିଲ ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ଦର୍ଶାଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଇଶାକ ଦର୍ । ପହଲଗାଓଁ ଘଟଣାରେ ପାକିସ୍ତାନର ସମ୍ପୃକ୍ତି ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ବୈଦେଶିକ ମନ୍ତ୍ରୀଙ୍କ ବୟାନ ସନ୍ଦେହକୁ ଅଧିକ ଘନୀଭୂତ କରିଛି । ଦୁଇ ଦେଶ ମଧ୍ୟରେ ଭିସା, ସିନ୍ଧୁ ଜଳ, କୂଟନୀତିଜ୍ଞ ଆଦି କ୍ଷେତ୍ରରେ ବିବାଦ ଜାରି ରହିଥିବାବେଳେ ତାଙ୍କ ବୟାନ ଅଧିକ ବିବାଦ ସୃଷ୍ଟି କରିଛି । ପାକିସ୍ତାନର ୨୪ କୋଟି ଲୋକ ପାଣି ଚାହାଁନ୍ତି । ସିନ୍ଧୁ ଜଳ ଚୁକ୍ତି ବାତିଲ ନାମରେ ଭାରତ ପାଣି ବନ୍ଦ କରିପାରିବ ନାହିଁ ବୋଲି ସେ ଧମକ ଦେଇଛନ୍ତି । ଭାରତ ଯଦି ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି ।

