ନିଆଳି: କଟକ ନିଆଳି ଚିତ୍ତରଞ୍ଜନ ସେବା ସଦନରେ ଅଭାବନୀୟ ଘଟଣା। ପୁରୁଷ କର୍ମଚାରୀଙ୍କ ଛୁରାମାଡ଼ରେ ମହିଳା କର୍ମଚାରୀ ଆହତ। ଅଭିଯୁକ୍ତକୁ ପୋଲିସର ହସ୍ତାନ୍ତର କଲେ ସେବାସଦନ କର୍ତ୍ତୃପକ୍ଷ। ଆହତ ମହିଳା କର୍ମଚାରୀଙ୍କ ଚାଲିଛି ଚିକିତ୍ସା। ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।
ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ: ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ
କଟକ: ଆଜିଠାରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ରାଜ୍ୟରେ ଏଥର ୫ ଲକ୍ଷ ୨୦ ହଜାର ପରୀକ୍ଷାର୍ଥୀ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଇଥିବା ବେଳେ ୫୧ ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଛି। ପ୍ରାୟ ୧୨ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ କାମରେ ନିୟୋଜିତ ହୋଇଛନ୍ତି। ମୂଲ୍ୟାୟନ ଏକ ଗୁରୁତ୍ୱପୂର୍ଣ୍ଣ କାମ ହୋଇଥିବାରୁ ଏହାକୁ ଦାୟିତ୍ବ ର ସହ ସମ୍ପାଦନ କରିବାକୁ ଲକ୍ଷ୍ଯ ରଖିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।
ପୁଅ ଆଗରେ ଚାଲିଗଲା ବାପାର ଜୀବନ: ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ
ଘଟଗାଁ: ପୁଅ ଆଗରେ ଚାଲିଗଲା ବାପାର ଜୀବନ। କେନ୍ଦୁଝର ଘଟଗାଁ ଥାନା ଅନ୍ତର୍ଗତ ଦେହୁରୀପଡା ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଦେହୁରୀପଡା ଗ୍ରାମର କେଦାର ନାଏକ। ଅମୃତ କେଦାର ପୁଅ ସହ ରାସ୍ତାରେ ଚାଲି ଚାଲି ଆସୁଥିବା ସମୟରେ ପଛ ପଟୁ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଚଳାଇଛି।
ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଫାଶୀ କାଠ ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ଗଜପତି ମହାରାଜା
ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଫାଶୀ କାଠ ଦାନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଜପତି ମହାରାଜା ସମ୍ବର୍ଦ୍ଧିତ କରିଛନ୍ତି । ୨୦୨୩-୨୪ ବର୍ଷ ରଥ ନିର୍ମାଣ ପାଇଁ ପ୍ରାୟ ୮୦ ଜଣଙ୍କୁ ସମ୍ମାନିତ କରାଯାଇଛି। ଅନୁଗୁଳ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଆଦି ଅଞ୍ଚଳରୁ ଫାଶୀ କାଠ ଦାନ କରିଥିଲେ କିଛି ବ୍ୟକ୍ତି । ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଫଟୋଚିତ୍ର, ଶୁଖିଲା ଭୋଗ ଓ ମାନପତ୍ର ଦିଆଯାଇ ସମସ୍ତଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଆଗାମୀ ରଥଯାତ୍ରା ପାଇଁ ଫାଶୀ କାଠ ଦାନ କରିବାକୁ ଥିବା ବ୍ୟକ୍ତି ମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି। ଇଛୁକ ବ୍ୟକ୍ତି ମାନେ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଫାଶୀ କାଠ ଦାନ କରିପାରିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ସେଇଭଳି ରଥକାଠ ଅଭାବ ପୁରଣ ପାଇଁ ୧୦୬ ଟି ବନ ପ୍ରକଳ୍ପ ସୃଷ୍ଟି କରାଯାଇଛି ।ବିଗତ ଅନେକ ବର୍ଷ ହେବ ବିଭିନ୍ନ ସମୟରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଫାଶୀ କାଠ ଅଭାବ ଦେଖିବାକୁ ମିଳୁଥିବା ବେଳେ ବିଭିନ୍ନ ସମୟରେ ଦାତାମାନେ ନିଜ ବାରି, ବଗିଚା ବା ଜମିରେ ଲାଗି ଥିବା ଫାଶୀ କାଠକୁ ଦାନ କରି ମହାପ୍ରଭୁଙ୍କ ସେବା କରିବାର ସୌଭାଗ୍ୟ ପାଉଛନ୍ତି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି।

