spot_img
Home Blog Page 10

ଥମୁନି ଧାନବିକ୍ରି ଯନ୍ତ୍ରଣା, ବିକ୍ରି ପରେ ବି ଚାଷୀଙ୍କ ଆକାଉଣ୍ଟକୁ ଆସୁନି ଟଙ୍କା

ବଲାଙ୍ଗୀର : ଧାନ ବିକ୍ରିକରି ଧନ୍ଦି ହେଲେଣି ଚାଷୀ । କଟନୀ ଛଟନୀ, ମିଲରଙ୍କ ଦାଦାଗିରି । ଆରମ୍ଭରୁ ହିନସ୍ତା ଅନ୍ନଦାତା । ଧାନ ବିକ୍ରି ପରେ ବି ଖାତାକୁ ଆସୁନି ଟଙ୍କା । ବଲାଙ୍ଗୀର ଜିଲ୍ଲାରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଚାଷୀ ସରକାରଙ୍କ ବୋନସ ପାଇବାର ଦୂରର କଥା ଏକ ହଜାର ୧୯୦ ଜଣ ଚାଷୀ ବିକ୍ରି ଅର୍ଥ ପାଇ ନଥିବା ଅଭିଯୋଗ କରିଛନ୍ତି । ବ୍ୟାଙ୍କ କର୍ତ୍ତୁପକ୍ଷ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ବୁଝିବାକୁ କହୁଥିବା ବେଳେ ଯୋଗାଣ ଅଧିକାରୀ ବ୍ଯାଙ୍କରୁ ବୁଝିବାକୁ କହୁଛନ୍ତି । ସରକାର ଧାନ ବିକ୍ରି କରିବାର ୨୪ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଡିବ ବୋଲି କହିଛନ୍ତି । କିନ୍ତୁ ଧାନ ବିକ୍ରି କରିବାର ମାସେ ପରେ ବି ଅନେକ ଚାଷୀଙ୍କ ଟଙ୍କା ପଡିଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ I ଧାନ ବିକ୍ରି ଟଙ୍କା ହଡପ କରିବା ପାଇଁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି

ଖରିଫ ଧାନ ବିକ୍ରି ପାଇଁ ବଲାଙ୍ଗୀର ଜିଲ୍ଲାର ଏକ ଲକ୍ଷ, ୫ ହଜାର ୩୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ  I ଏକ ଲକ୍ଷ, ୩ହଜାର ୮୬୬ ଚାଷୀଙ୍କ ତାଲିକା ବାହାରିଥିଲା I ବିଭିନ୍ନ କାରଣ ଦର୍ଶାଅ ଅନେକ ଚାଷୀଙ୍କ ରେଜିଷ୍ଟ୍ରେସନ୍ ବାତିଲ କରାଯାଇଥିଲା I ଏପର୍ଯ୍ୟନ୍ତ ଏକ ଲକ୍ଷ, ଏକ ହଜାର ୫୬୫ ଜଣ ଚାଷୀଙ୍କ ଠାରୁ ୪୪ ଲକ୍ଷ, ୮୫ ହଜାର ୧୨୧ କୁଇଣ୍ଟାଲ ଧାନ ଜିଲ୍ଲା ଯୋଗାଣ ବିଭାଗ କିଣିଥିବା ବେଳେ ଆହୁରି ୫୩୫ ଜଣ ଚାଷିଙ୍କ ନିକଟକୁ ଏପର୍ଯ୍ୟନ୍ତ ଟୋକନ ଆସିନାହିଁ । ଅନ୍ୟପଟେ ଡାଟା ଏପଟ ସେପଟ କରାଯାଇ ଥିବାରୁ ସଠିକ ତଥ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମଧ୍ୟ ପ୍ରଦାନ କରିପାରୁ ନାହାନ୍ତି । ହଜାର ହଜାର ଚାଷିଙ୍କ ଧାନ ମଣ୍ଡିରେ ପଡିଥିବା ବେଳେ ଟାର୍ଗେଟ ପୂରଣ ଯୋଗୁ ଅନେକ ମଣ୍ଡିରେ ତାଲା ଝୁଲିଲାଣି I ସରକାର ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଧାନ କିଣାଯିବ ବୋଲି ଘୋଷଣା କରୁଛନ୍ତି । କିନ୍ତୁ ବାସ୍ତବରେ ଏହାର ଚିତ୍ର ଭିନ୍ନ ବୋଲି ଚାଷୀ ଅଭିଯୋଗ କରିଛନ୍ତି ।

ପୂର୍ବ ଶତ୍ରୁତାକୁ ନେଇ ରାଉରକେଲା ସେକ୍ଟର ୬ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ

ରାଉରକେଲା  : ରକ୍ତରଞ୍ଜିତ ହେଲା ରଙ୍ଗର ପର୍ବ । ହୋଲିରେ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ରାଉରକେଲା ସେକ୍ଟର ୬ ଅଞ୍ଚଳରେ ଉତ୍ତେଜନା । ବିଧାୟକଙ୍କ ଘର ଆଗରେ ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ। ଅଞ୍ଚଳରେ ବ୍ଯାପକ ପୋଲିସ୍ ମୁତୟନ । ହୋଲିର ପର୍ବ ପାଇଁ ସବୁଠି ଉତ୍ସାହ ଥିବାବେଳେ ରାଉରକେଲା ସେକ୍ଟର ୬ ଅଞ୍ଚଳରେ ଦେଖାଦେଇଥିଲା ଉତ୍ତେଜନା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜାମଟୋଲି ବସ୍ତି ଓ ମହିମା ବସ୍ତିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଢେଲା ପଥର ମାଡ଼ରେ ଉଭୟ ଗୋଷ୍ଠୀର ୧୨ରୁ ଅଧିକ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇଟି ବାଇକ, ଦୁଇଟି କାର ଓ ଦୁଇଟି ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ଅଞ୍ଚଳରେ ଉତ୍ତେଜନା ଥିବାରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଦିନରେ ହୋଲି ଖେଳିବାବେଳେ ସାମାନ୍ୟ ବଚସା ହୋଇଥିଲା । ତେବେ ଏହା ଉଗ୍ରରୂପ ନେବା ପରେ ରାତିରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ରଘୁନାଥପାଲ୍ଲି ବିଜେପି ବିଧାୟକଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସେକ୍ଟର ଉଦିତନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ରେ ଜଣେ ଶିଶୁକନ୍ୟା ଗୁରୁତର ଆହତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି । ପ୍ରତିବାଦରେ ବିଧାୟକଙ୍କ ଘର ଆଗରେ ଆନ୍ଦୋଳନ କରିଛନ୍ତି ବସ୍ତି ବାସିନ୍ଦା । ଆକ୍ରମଣ ଓ ଗଣ୍ଡଗୋଳକାରିଙ୍କୁ ଗିରଫ କରିବା ପାଇଁ ବସ୍ତି ବାସିନ୍ଦା ଏସପିଙ୍କ ନିକଟରେ ଦାବି କରିଛନ୍ତି ।

କାଲିଠାରୁ ୟୁନିଟ ୩ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀ

ଭୁବନେଶ୍ୱର : ଦୋଷୀକୁ ଦଣ୍ଡ ଓ ପୀଡିତଙ୍କୁ ନ୍ୟାୟ । ନୂଆ ଆଇନରେ ତ୍ୱରିତ ହେଉଛି ଦଣ୍ଡବିଧାନ । ବାୟୋମାଟ୍ରିକ ଚିହ୍ନଟ ପ୍ରଣାଳୀରେ ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ । ନିଶା ମାଫିଆଙ୍କ ସମ୍ପତ୍ତି ବ୍ୟାଜାପ୍ତି ଉପରେ ଫୋକସ୍ ।ଭାରତ ସ୍ୱାଧୀନତା ପରେ ଅପରାଧିକ ଆଇନରେ ହୋଇଛି ବ୍ୟାପକ ପରିବର୍ତ୍ତନ। CRPC, IPC, ଏଭିଡ଼େନ୍ସ ଆକ୍ଟର ପରିବର୍ତ୍ତନ ପରେ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ନାଗରିକ ସଂହିତା । ପୂର୍ବରୁ ୫୧୧ ଟି ସେକ୍ସନ ଥିବା ବେଳେ ବର୍ତ୍ତମାନ ୩୫୮ ଟି ସେକ୍ସନ ରହିଛି । ୧୭୫ ଟି ସେକ୍ସନରେ ସଂଶୋଧନ କରାଯାଇଛି । କିନ୍ତୁ ଏହାର କାର୍ଯ୍ୟକାରୀତା ଓ ମହତ୍ତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ଶୁକ୍ରବାର ଠାରୁ ୟୁନିଟ ୩ ପ୍ରଦର୍ଶନ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ନ୍ୟାୟ ସଂହିତା ପ୍ରଦର୍ଶନୀ । ନ୍ୟାୟ ପ୍ରକ୍ରିୟାକୁ ତ୍ୱରିତ କରିବା, ପୀଡିତ ଓ ପୀଡିତାଙ୍କ ଅଧିକାରକୁ ପ୍ରାଧାନ୍ୟ, ତଦନ୍ତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ସହ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସମ୍ପର୍କରେ ଏହି ପ୍ରଦର୍ଶନୀରେ ଅବଗତ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହାର ଉଦଘାଟନ କରିବେ ।

ଏହି ପ୍ରଦର୍ଶନୀରେ ଗୃହ ମନ୍ତ୍ରଣାଳୟର ୧୦ ଟି ଥିମ ଭିତ୍ତିକ ଷ୍ଟଲ ନିର୍ମାଣ କରାଯାଇଛି । ଏଥିରେ ଅପରାଧ ଘଟଣାସ୍ଥଳ, ଜରୁରୀ ପ୍ରତିକ୍ରିୟା ବ୍ୟବସ୍ଥା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ ଲିଗାଲ ସମନ୍ୱୟ, ଅଭିଯୋଗ ପକ୍ଷ, ଫରେନସିକ୍ ବିଜ୍ଞାନ ସମନ୍ୱୟ, ଜିଲ୍ଲା ଅଦାଲତ, କାରାଗାର, ହାଇକୋର୍ଟ ସମ୍ବନ୍ଧିତ ଷ୍ଟଲ ରହିଛି । ଏହାଛଡା ପୋଲିସ ଆଧୁନିକ କରଣ, ମହିଳା ବିରୋଧୀ ଅପରାଧ ହ୍ରାସ, SOG ଓ ODRAF ର କ୍ୟାମ୍ପ ରହିଛି । ରାଜ୍ୟରେ ବଢୁଥିବା ସାଇବର ଅପରାଧ କୁ ରୋକିବା ପାଇଁ ନୂଆ ସାଇବର ଥାନା ଓ ମାଓ ମୁକ୍ତ ଓଡିଶା ଦିଗରେ ମୁଖ୍ୟ ଫୋକସ ରହିବ ବୋଲି ଗୁରୁତ୍ୱାରୋପ କରିଛନ୍ତି ପୋଲିସ ଡିଜି । ଆସନ୍ତା ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଏହି ପ୍ରଦର୍ଶନୀ ବୁଲିପାରିବେ । ଅପରାଧ କମାଇବା ସହ ସାଧାରଣ ଲୋକଙ୍କ ସହଭାଗିତାରେ କମ୍ୟୁନିଟି ପୋଲିସିଂ କୁ ବ୍ୟାପକ କରିବା କୁ ଫୋକସ ଦେଇଛନ୍ତି ଡିଜିପି ।

ସରିଆସିଲାଣି ଟାର୍ଗେଟ, ତଥାପି ମଣ୍ଡିରୁ ଉଠୁନି ଧାନ

କେନ୍ଦ୍ରାପଡ଼ା : ଖରିଫ ଯାଇ ରବି ହେଲାଣି । ଏଯାଏଁ ସରୁନି ଖରିଫ ଧାନ କିଣା । ମଣ୍ଡିରେ ଗଦା ହୋଇରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା । ମିଲର୍ସ ଓ ପ୍ୟାକ୍ସ ସଂପାଦକଙ୍କ ମନମାନି ଯୋଗୁଁ ପେଷି ହେଉଛନ୍ତି ଚାଷୀ । କେନ୍ଦ୍ରାପଡ଼ା ଜିଲ୍ଲାରେ ଚରମ ସୀମାରେ ପହଞ୍ଚିଛି ମଣ୍ଡି ସମସ୍ୟା । ଡେରାବିଶ ବ୍ଲକ ରଘୁଦେଇପୁର ସମବାୟ ସମିତି ଅଧୀନରେ ଥିବା ଅନେକ ଚାଷୀଙ୍କ ଟୋକନ ଲାପ୍ସ ହୋଇଗଲାଣି । ତଥାପି ସେମାନେ ଧାନ ବିକ୍ରି କରିପାରୁନାହାନ୍ତି । ଆଜି ଆସ କାଲି ଆସ କହି ଖୋଦ ପ୍ୟାକ୍ସ ସଂପାଦକ ଚାଷୀଙ୍କୁ ଫେରାଇ ଦେଉଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଜାନୁଆରୀ ୯ ତାରିଖରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ମଣ୍ଡି ଉଦଘାଟନ କରାଯାଇଥିଲା । ଧାନ ବିକ୍ରି କରିବା ପାଇଁ ୫୨ ହଜାର ଚାଷୀ ପଞ୍ଜୀକରଣ କରିଥିଲେ । ଧାନ କିଣାକୁ ସରୁଖୁରୁରେ ସାରିବା ପାଇଁ ଯୋଗାଣ ବିଭାଗ, ସମବାୟ ବିଭାଗକୁ ଦାୟିତ୍ଵ ଦିଆଯାଇଥିଲା । ହେଲେ ଏଯାଏଁ ମାତ୍ର ୨୯ ହଜାର ଚାଷୀଙ୍କ ଧାନ କିଣା ସରିଛି । ଏଠି ପ୍ରଶ୍ନ ଉଠୁଛି- ସରକାରଙ୍କ ପକ୍ଷରୁ ଆଉ ଟାର୍ଗେଟ ଆସିବ ତ ?  ନା ମଣ୍ଡିରେ ସେମିତି ପଡ଼ିରହିଥିବ ଧାନ ? ଯାହାକୁ ନେଇ ସନ୍ଦିହାନ ଅବସ୍ଥାରେ ଚାଷୀ । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ କ୍ଵିଣ୍ଟାଲ ଧାନ କିଣା ସରିଲାଣି ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଗ୍ରୀଷ୍ମ ପୂର୍ବରୁ ଆରମ୍ଭ ହେଲାଣି ଜଳକଷ୍ଟ, ପାଣି ଟୋପାଏ ପାଇଁ ଘାଣ୍ଟି ହେଲେଣି ଲୋକେ

ଆସିକା : ଖରା ପୂର୍ବରୁ ଆରମ୍ଭ ହେଲାଣି ଜଳକଷ୍ଟ । ହାଣ୍ଡି, ଟପ୍ ଧରି ଧାଇଁଲେଣି ମହିଳା । ଭରସା ସାଜିଛି ଝରଣା ପାଣି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସାବା ପଞ୍ଚାୟତର ଅଶୋକପଲ୍ଲୀ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା । ଗାଁରେ ୨୦ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ରହିଛି ଦୁଇଟି ମାତ୍ର ନଳକୂପ । ସେଥିରୁ ଗୋଟିଏ ଅଚଳ ହୋଇ ପଡିଛି । ଅନ୍ୟଟିରୁ କଳଙ୍କି ଯୁକ୍ତ ପାଣି ବାହାରୁଛି । ଯେଉଁ ଓଭରହେଡ ପାଣି ଟାଙ୍କି ରହିଛି ସେଥିରୁ ଆବଶ୍ୟକୀୟ ପାଣି ମିଳୁନାହିଁ । ବାଧ୍ୟ ହୋଇ ଲୋକେ ଗାଁ ଠାରୁ ବହୂ ଦୂରରେ ଥିବା ଝରଣାରୁ ପାଣି ଆଣି ଚଳୁଛନ୍ତି ।

ଅଶୋକପଲ୍ଲୀ ଗାଁରେ ଲାଗିରହିଥିବା ପାନୀୟ ଜଳ ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନଙ୍କୁ ଜଣାଇଲେଣି । ହେଲେ କେହି ଦୃଷ୍ଟି ଦେଉନାହାନ୍ତି । ବାଧ୍ୟ ହୋଇ ଝରଣାର ଦୂଷିତ ପାଣି ପିଇ ଲୋକେ ଅନେକ ସମୟରେ ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଆଗକୁ ଅଧିକ ଖରା ହେଲେ ଝରଣା ପାଣି ବି କମିଯିବ । ଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି । ନଚେତ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଲେଣି ଲୋକେ । କେବେ ଅଶୋକପଲ୍ଲୀ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ ? କେବେ ଲୋକେ ବିଶୁଦ୍ଧ ପାଣି ପାଇବେ ? ନା ଝରଣା ପାଣି ହିଁ ସେମିତି ମେଣ୍ଟାଉଥିବ ଶୋଷ ? ଏହାର ଉତ୍ତର କିଏ ଦେବ ?

କୋଲ୍ଡ ଷ୍ଟୋର ନଥିବାରୁ ସମସ୍ୟା, ଅଭାବୀ ବିକ୍ରିର ଶିକାର ଚାଷୀ…

ଆନନ୍ଦପୁର : ଟମାଟୋ ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ଅଭାବୀ ବିକ୍ରିର ଶିକାର ଚାଷୀ । କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଘଷିପୁରା ବ୍ଲକରେ କୋଲ୍ଡ ଷ୍ଟୋର ନଥିବାରୁ ଉପୁଜିଛି ସମସ୍ୟା ।  ଆନନ୍ଦପୁର ଓ ଘଷିପୁରା ବ୍ଲକର ୪୦ରୁ ଉର୍ଦ୍ଧ୍ଵ ଗାଁରେ ଚାଷୀ ଟମାଟୋ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ଏଠାରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ଟମାଟୋ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଥାଏ । ହେଲେ ଦୁଃଖର ବିଷୟ ଏଠାରେ ଶୀତଳଭଣ୍ଡାର ଟିଏ ନଥିବାରୁ ସମସ୍ୟା ଭୋଗୁଛନ୍ତି ଚାଷୀ ।

ଧାର କରଜ କରି ଚାଷୀ ଏକର ଏକର ଜମିରେ ଟମାଟୋ ଚାଷ କରିଥିଲେ । ହେଲେ ବର୍ତ୍ତମାନ ବଜାରରେ ବିଲାତି ଦର କମିଯିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । କେମିତି ଋଣ ପରିଶୋଧ କରିବେ ? କେମିତି ପରିବାର ପ୍ରତିପୋଷଣ କରିବେ ? ତାକୁ ନେଇ ଚିନ୍ତାରେ । ଅନ୍ୟପଟେ ଅଭାବୀ ବିକ୍ରିର ଶିକାର ହୋଇଥିବା ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହୋଇଛି । ଚାଷୀଙ୍କୁ କେବେ କ୍ଷତିପୂରଣ ଯୋଗାଇ ଦିଆଯାଉଛି ତାକୁ ହିଁ ଅପେକ୍ଷା ।

କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଭଞ୍ଜନଗର : ଗଞ୍ଜାମ ଭଞ୍ଜନଗରରେ ଅଭାବନୀୟ ଘଟଣା । କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ । ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । କାମ ସାରି ବାଇକରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇ ଲହୁଲୁହାଣ କରିଥିଲା ଅଭିଯୁକ୍ତ ଦିଲ୍ଲୀପ ଜେନା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ଜଣକ କୋର୍ଟରେ ଆତ୍ମସମର୍ପଣ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଜଣାପଡିଛି ।ପୋଲିସ୍ ଘଟଣାର ଅଧିକ ତଦନ୍ତ କରୁଛି ।.

ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ନନ୍ଦିଘୋଷ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ଧରଣର ହଲଚଲ। ରାଜ୍ୟସଭା ଯିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ସେ ଦଳବଳ ଧରି ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ପାଟନାସ୍ଥିତ ନୀତୀଶଙ୍କ ବାସଭବନ ଆଗରେ ହଙ୍ଗାମା ଦେଖାଦେଇଛି । ସମର୍ଥକମାନେ ନୀତୀଶଙ୍କ ନିଷ୍ପତ୍ତିର କଡ଼ା ପ୍ରତିବାଦ କରିଛନ୍ତି । କାହିଁକି ନୀତୀଶ ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟସଭା ଯାଉଛନ୍ତି ବୋଲି ହଙ୍ଗାମା କରିଛନ୍ତି ସମର୍ଥକ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିର ହେବା ସମ୍ଭାବନା ଥିବାରୁ ଏହାକୁ ସେମାନେ ଗ୍ରହଣ କରିପାରିନାହାଁନ୍ତି ।

ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ବର

ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନ। ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର ଓ କମନ କ୍ୟାଣ୍ଡିଡେଟ ଡ. ଦତ୍ତେଶ୍ବର ହୋତା ଦାଖଲ କଲେ ପ୍ରାର୍ଥିପତ୍ର। ସଂତୃପ୍ତ ୨ ସେଟ ଓ ଦତ୍ତେଶ୍ବର ୩ ସେଟ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଉଭୟ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଦୁଇ ପ୍ରାର୍ଥୀ ନିର୍ବାଚନରେ ନିଶ୍ଚିତ ବିଜୟ ହେବେ ବୋଲି ଦୃଢ଼ ଆଶା ପ୍ରକାଶ କରିଛନ୍ତି ।

ସେପଟେ ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସିପିଏମ ସମ୍ପାଦକ ସୁରେଶ ପାଣିଗ୍ରାହୀ। ଭକ୍ତ କହିଛନ୍ତି- ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଜୟନ୍ତୀ। ବିଜୁ ବାବୁ ଭାରତୀୟ ରାଜନୀତିରେ ନୂଆ ଦିଗ ଦେଇ ଆସିଥିଲେ। ସବୁବେଳେ ନୂଆ ଉଦାହରଣ ସୃଷ୍ଟି କରିଥଲେ। ତାଙ୍କ ଲିଗାସୀକୁ ୨୪ ବର୍ଷ ଧରି ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାରେ ଶାସନ ଭାର ଗ୍ରହଣ କରି ନୂଆ ଉଦାହରଣ ସୃଷ୍ଟି କରିଥିଲେ।  ଉଭୟ ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷବାଦରେ ବିଶ୍ବାସ ରଖନ୍ତି। ଯେଉଁଥିପାଇଁ ଏହି ରାଜ୍ୟସଭା ନିର୍ବାଚନରେ ନବୀନ ବାବୁଙ୍କ କମନ ପ୍ରାର୍ଥୀ ପ୍ରସ୍ତାବରେ ଏଆଇସିସି ତତକ୍ଷଣାତ ମୋହର ମାରିଥିଲା। ଆମର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି ଏବଂ ନିଶ୍ଚିତ ଚତୁର୍ଥ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଡାକ୍ତର ଦତ୍ତେଶ୍ବର ହୋତା ବିଜୟୀ ହେବେ। ସେହିପରି ଉଚ୍ଚକୋଟୀର ଡାକ୍ତର, ପଶ୍ଚିମ ଓଡ଼ିଶାର ଦକ୍ଷ ଡାକ୍ତର ପ୍ରଥମ କରି ରାଜ୍ୟରେ କିଡନୀ ଅପରେସନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି। ଏଭଳି ଜଣେ ଦକ୍ଷ ବ୍ୟକ୍ତି ରାଜ୍ୟସଭା ଗଲେ ଓଡ଼ିଶାର ଅଶେଷ ଉନ୍ନତି ସାଧିତ ହେବ।

ସେହିପରି ସିପିଏମ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି ସାରା ଦେଶରେ ଧର୍ମନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନକୁ ସମର୍ଥନ କରିଛି ସିପିଏମ। ସିପିଏମର ଜଣେ ବିଧାୟକ ଅଛନ୍ତି। ୧୬ ତାରିଖ ଭୋଟ ଦିନ କମନ ପ୍ରାର୍ଥୀ ଦତ୍ତେଶ୍ବରଙ୍କୁ ନିଜର ଭୋଟଦାନ କରିବେ।

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା

ଚମ୍ପୁଆ : ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ବନାଯୋଡି ଗାଁ ନିକଟରେ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦର ରେଞ୍ଜ ବନାଯୋଡି ଗାଁକୁ ଖାଦ୍ୟ ଅନ୍ୱେଷଣ ପାଇଁ ଆସିଥିବା ତିନୋଟି ଦନ୍ତା ମଧ୍ୟରୁ ଗୋଟିଏ ଦନ୍ତା ଏକ କୂଅରେ ଖସି ପଡିଥିଲା। ସ୍ଥାନୀୟ ବାସିନ୍ଦାଙ୍କ ନିକଟରୁ ଖବର ପାଇ ବନ ବିଭାଗ କର୍ମଚାରୀ ପହଁଞ୍ଚି ଅନେକ ପରିଶ୍ରମ ପରେ ତାକୁ ଉଦ୍ଧାର କରିଛନ୍ତି। କୂଅଟି ଅଣଓସାରିଆ ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।