spot_img
Home Blog Page 9

ମୁମ୍ବାଇ କୋଷ୍ଟାଲ ରୋଡରେ ଭୟଙ୍କର BMW ଦୁର୍ଘଟଣା, ୩ ମୃତ; ଜଣେ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇ କୋଷ୍ଟାଲ ରୋଡରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭରସାମ୍ୟ ହରାଇ ବ୍ରିଜ୍‌ରୁ ତଳକୁ ଖସିପଡ଼ିଲା ଦ୍ରୁତଗାମୀ BMW କାର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରବିବାର ଭୋର ପ୍ରାୟ ୫ଟା ସମୟରେ ଲୋଟସ୍ ଜେଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଅନୁସାରେ, କଳା ରଙ୍ଗର BMW କାରଟି ମେରିନ୍ ଡ୍ରାଇଭ୍‌ରୁ ହାଜି ଅଲି ଦିଗକୁ ଯାଉଥିବାବେଳେ ଅତ୍ୟଧିକ ବେଗ ଯୋଗୁଁ ଚାଳକ ନିୟନ୍ତ୍ରଣ ହରାଇଥିଲେ। କାରଟି ପ୍ରଥମେ କୋଷ୍ଟାଲ ରୋଡର ବାହ୍ୟ ପ୍ରାଚୀରରେ ଧକ୍କା ହୋଇ ପ୍ରାୟ ୭୫ ଫୁଟ୍ ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ କାରରେ ଥିବା ୪ ଜଣଙ୍କୁ ଉଦ୍ଧାର କରି ନାୟର ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ୧୭, ୧୯ ଓ ୨୧ ବର୍ଷ ବୟସର ବୋଲି ଜଣାପଡ଼ିଛି। ଘଟଣାର CCTV ଭିଜୁଆଲ୍‌ ମଧ୍ୟ ସାମ୍ନାକୁ ଆସିଛି। ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୁମ୍ବାଇର ପ୍ରାୟ ୧୦.୫୮ କିଲୋମିଟର ଲମ୍ବା କୋଷ୍ଟାଲ ରୋଡ୍‌ ମେରିନ୍ ଡ୍ରାଇଭ୍‌କୁ ୱର୍ଲି ଓ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ ଦିଗ ସହ ଯୋଡ଼ିଥାଏ।

୧୧ ଦଫା ଦାବି ନେଇ ୨୫ରେ ଭୁବନେଶ୍ୱର ଚାଲ, ବିଧାନସଭା ଘେରିବ AISF- AIYF

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଜନ୍ତରମନ୍ତର ଓ ଝାଡ଼ଖଣ୍ଡରେ ଯୁବ ଆନ୍ଦୋଳନ ପରେ ଏବେ ଓଡ଼ିଶାରେ ବିଶାଳ ଛାତ୍ର-ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି। ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ବିଶାଳ ରାଲି କରି ବିଧାନସଭା ଘେରାଉ କରିବାକୁ ଘୋଷଣା କରିଛି ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଫେଡେରେସନ୍ (AISF) ଓ ଅଲ୍ ଇଣ୍ଡିଆ ଯୁବ ଫେଡେରେସନ୍ (AIYF)। ‘ଯୁବ ଛାତ୍ର ଅଧିକାର ପାଇଁ ଭୁବନେଶ୍ୱର ଚାଲ’ ଅଭିଯାନ ଅଧୀନରେ ହେବାକୁ ଥିବା ଏହି ରାଲିରେ ହଜାର ହଜାର ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହେବେ ବୋଲି କହିଛନ୍ତି AISF ରାଜ୍ୟ ସଭାପତି ସଂଘମିତ୍ରା ଜେନା।

୧୧ ଦଫା ଦାବି ନେଇ ଏହି ଆନ୍ଦୋଳନ ହେବ। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ନୂଆ ପୁସ୍ତକ ଯୋଗାଣ, ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା, ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା, NEP 2020 ପ୍ରତ୍ୟାହାର, NTA ରଦ୍ଦ ଓ NEET ଉଚ୍ଛେଦ, ଉନ୍ନତ ହଷ୍ଟେଲ ସୁବିଧା ସହ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଆଦି ଦାବି ରହିଛି। ଦାବିଗୁଡ଼ିକ ଉପରେ ସରକାର ଶୀଘ୍ର ବିଚାର ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି AISF ପକ୍ଷରୁ କୁହାଯାଇଛି। ସରକାର, ବିଧାୟକ ଓ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରାଯିବ ବୋଲି ମଧ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ବନ୍ୟା-ନିଅଣ୍ଟିଆ ବର୍ଷାରେ ଦୁଇ ଚିତ୍ର: ଉପକୂଳରେ ଜଳପ୍ରଳୟ, ଦକ୍ଷିଣରେ ଜଳଭଣ୍ଡାର ଖାଲି

ନନ୍ଦିଘୋଷ ବ୍ୟୁରୋ : ଗ୍ଲୋବାଲ ୱାର୍ମିଂ ଯୋଗୁଁ ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ସୁପର ଏଲ୍‌ନିନୋର ପ୍ରଭାବ। ଉପକୂଳ ଓଡ଼ିଶାରେ ଲଗାତାର ବନ୍ୟା ଯୋଗୁଁ ୧୦ ଜିଲ୍ଲାରେ ଜଳପ୍ରଳୟ। ପଛକୁ ପଛ ବନ୍ୟା ସ୍ଥିତି। ହେଲେ ଦକ୍ଷିଣ ଓଡ଼ିଶାରେ ଚିତ୍ର ଓଲଟା। ମାଲକାନାଗିରି, କୋରାପୁଟ ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ଯୋଗୁଁ ଜଳଭଣ୍ଡାର ଖାଲି। ଏହାର ପ୍ରଭାବରେ ବାଧାପ୍ରାପ୍ତ ହୋଇଛି ଜଳ ବିଦ୍ୟୁତ ଉତ୍ପାଦନ। ଅନୁଗୁଳର ରେଙ୍ଗାଲି ୨୫୦ ମେଗାୱାଟ୍ ପ୍ରକଳ୍ପରୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ମାଲକାନାଗିରି ଜିଲ୍ଲା ବାଲିମେଳାରେ ଥିବା ୫୧୦ ମେଗାୱାଟ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ଅପର କୋଲାବ ୩୨୦ ମେଗାୱାଟ୍ ଓ କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ୬୦୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ଏପରିକି ହୀରାକୁଦର ୨୮୮ ମେଗାୱାଟ୍ ପ୍ରକଳ୍ପରୁ ମଧ୍ୟ ବିଜୁଳି ଉତ୍ପାଦନ ବନ୍ଦ ରହିଛି। ଜଳ ଅଭାବ ଯୋଗୁଁ ଏହି ସବୁ ପ୍ରକଳ୍ପରେ ଉତ୍ପାଦନ ପ୍ରଭାବିତ ହୋଇଛି। ଗ୍ଲୋବାଲ ୱାର୍ମିଂ, ଜଳବାୟୁ ପରିବର୍ତ୍ତନ ଓ ପରିବେଶରେ ଅସନ୍ତୁଳନ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଗକୁ ମଧ୍ୟ ଏହି ସମସ୍ୟା ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ଏକମାତ୍ର ସମାଧାନ ହେଉଛି ବର୍ଷା ଦିନେ ଜଳ ସଂରକ୍ଷଣ କରି ରଖିବା। ଭୂତଳ ଜଳ ଉପରେ ନିୟନ୍ତ୍ରଣ ସହ ବର୍ଷାଜଳ ଅମଳ ପ୍ରକଳ୍ପକୁ ବାଧ୍ୟତାମୂଳକ କରାଯିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ, ବିଶେଷକରି ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନଥିବା ବେଳେ ସରକାରଙ୍କ ପକ୍ଷରୁ ରିଲିଫ୍ ପ୍ୟାକେଜ୍ ଦିଆଯାଉଛି। ହେଲେ ଦକ୍ଷିଣ ଓଡ଼ିଶାରେ ଜଳ ଅଭାବ ମଧ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଜଳଭଣ୍ଡାରରେ ପାଣି ନଥିବାରୁ ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ବର୍ଷା ଦିନେ ଅତିରିକ୍ତ ଜଳ ସମୁଦ୍ରକୁ ବହିଯାଉଥିବାରୁ ଏହାକୁ ସଂରକ୍ଷଣ କରିବା ନେଇ ଯୋଜନା କରାଯାଉଛି। ଏନେଇ ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ନଦୀର ଉତ୍ପତ୍ତିସ୍ଥଳରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଜମି ରହିଥିବା ପଟୁମାଟି ଓ ବାଲିକୁ କାଢ଼ି ଜଳ ପ୍ରବାହକୁ ବ୍ୟାପକ କରାଯିବ। ଏହା ସହ ନଦୀ କୂଳେ କୂଳେ ଜଳଭଣ୍ଡାର ନିର୍ମାଣ କରାଯାଇ ଖରାଦିନ ପାଇଁ ପାଣି ସଂରକ୍ଷଣ କରିବାକୁ ଉଦ୍ୟମ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ବହି ମିଳିଲାନି, ୨୨ ସୁଦ୍ଧା ମନ୍ତ୍ରୀଙ୍କ ଇସ୍ତଫା ଦାବି; ବିଜେଡିର ଆନ୍ଦୋଳନ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଦିନ ଗଡ଼ି ଚାଲିଛି। ହେଲେ ଏଯାଏଁ ସଂଶୋଧିତ ପୁସ୍ତକ ପାଉନାହାନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ। ଆଉ କିଛି ଦିନ ପରେ ସେମାନେ ଷାଣ୍ମାସିକ ପରୀକ୍ଷା ଦେବେ। ଏହାପରେ ଆସିବ ପୂଜା ଛୁଟି। ଏଭଳି ସମୟରେ ପିଲାଙ୍କ ହାତରେ ପ୍ରଶ୍ନପତ୍ର ରହିବା କଥା, ହେଲେ ଏଯାଏଁ ସେମାନେ ବହି ପାଇନାହାନ୍ତି। ସଂଶୋଧିତ ବହି ନମିଳିବାକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି ବିଜୁ ଜନତା ଦଳ। ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ, ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେଲେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ଯୁବ ଓ ଛାତ୍ର ବିଜେଡି ନିଷ୍ପତ୍ତି ନେଇଛି। ଏଥିରେ ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ମଧ୍ୟ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବହିରେ ୧୬୭୮ରୁ ଅଧିକ ତ୍ରୁଟି ଧରାପଡ଼ିବା ପରଠାରୁ ସରକାରଙ୍କୁ ବିରୋଧୀ ଓ ବିଭିନ୍ନ ସଂଗଠନ ଘେରିଛନ୍ତି। କେତେବେଳେ ଜାତୀୟ ଶିକ୍ଷା ନୀତି-୨୦୨୦ର ଆଳ କରାଯାଉଛି, ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ସଂଶୋଧିତ ପୁସ୍ତକ ବିଷୟରେ କହୁଛନ୍ତି। ଏହାପରେ ସଂଶୋଧିତ ବହିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସସପେନ୍ସ ଜାରି ରଖିଥିବା ବିଜେଡି ଅଭିଯୋଗ କରିଛି।

ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଷଡ଼ଯନ୍ତ୍ର କଥା କହିଥିଲେ ମଧ୍ୟ ଷଡ଼ଯନ୍ତ୍ରକାରୀଙ୍କ ନାଁ କହିନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ସିବିଆଇ ତଦନ୍ତ ପରିବର୍ତ୍ତେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଛି ଏବଂ ବଡ଼ ଅଧିକାରୀମାନେ ଖସିଯାଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ୨୨ ତାରିଖ ସୁଦ୍ଧା ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଅହୋରାତ୍ର ଧାରଣା ଏବଂ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି। ବହିରେ ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ମୁହଁ ଖୋଲିଛନ୍ତି ବୋଲି ବିଜେଡି କହିଛି। ତାଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇଥିଲା। ଏଥର ମଧ୍ୟ ଅଭିଭାବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ବିଜେଡି ଆହ୍ୱାନ ଦେଇଛି।

ମହାନଦୀ ବିବାଦ ଶୀଘ୍ର ସମାଧାନ ହେବ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ କିଛି ବିବାଦ ନାହିଁ। ଯାହା ସମସ୍ୟା ଅଛି, ତାହା ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ। ଓଡ଼ିଶା-ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ଅନ୍ତଃ-ରାଜ୍ୟ ନଦୀ ଜଳ ବିବାଦର ସମାଧାନ ଶୀଘ୍ର ହେବ। ଉଭୟ ରାଜ୍ୟ କେନ୍ଦ୍ରୀୟ ଜଳ ଆୟୋଗରେ ଆପୋଷ ସମାଧାନ ପାଇଁ ସହମତ ହୋଇଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଓ ଅଧିକାରୀସ୍ତରୀୟ ବୈଠକ ସରିଛି। କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଅନ୍ୟ ରାଜ୍ୟର ନଦୀ ଜଳ ବିବାଦକୁ ଯେପରି ସମାଧାନ କରିଛନ୍ତି, ଓଡ଼ିଶା-ଛତିଶଗଡ଼ ମଧ୍ୟରେ ସେପରି ସମାଧାନ ହେବ। ଦୁଇ ଦିନିଆ ସପରିବାର ଓଡ଼ିଶା ଗସ୍ତରେ ଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଘଣ୍ଟାଏ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମହାନଦୀ ବିବାଦର ସମାଧାନ ଶୀଘ୍ର ହେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିବା ପରେ ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡ଼ି ପ୍ରତିକ୍ରିୟା ରଖିଛନ୍ତି। ଦୀପାବଳି ପୂର୍ବରୁ ସମାଧାନ ହେବ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ନିର୍ଦ୍ଦିଷ୍ଟ ଭାବେ କେବେ ସମାଧାନ ହେବ, ତାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀ କୁହନ୍ତୁ ବୋଲି ଦାବି କରିଛନ୍ତି ଦୁଇ ଦଳ। ଏହି ପ୍ରସଙ୍ଗରେ ମହାନଦୀ ବଞ୍ଚାଅ ଅଭିଯାନ ଛତିଶଗଡ଼ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛି। ବନ୍ୟା ବେଳେ କଲମା ବ୍ୟାରେଜର ସବୁ ଗେଟ ନ ଖୋଲିବାକୁ ମହାନଦୀ ବଞ୍ଚାଅ ଅଭିଯାନ ଅନୁରୋଧ କରିଥିଲେ ବି ଛତିଶଗଡ଼ ଏହା ମାନିନଥିଲା। ଏପରିକି ଅଦାଲତରେ ଭ୍ରମାତ୍ମକ ତଥ୍ୟ ଦେଇ ଓଡ଼ିଶାର ସ୍ବାର୍ଥକୁ ଆଘାତ ପହଞ୍ଚାଇବାକୁ ଛତିଶଗଡ଼ ଉଦ୍ୟମ କରୁଛି। କାହା ସ୍ବାର୍ଥରେ ଛତିଶଗଡ଼ ଏତେ ସବୁ ବ୍ୟାରେଜ କରିଛି ବୋଲି ଅଭିଯାନର ଆବାହକ ସୁଦର୍ଶନ ଦାସ ପ୍ରଶ୍ନ କରିଛନ୍ତି।

କୋରାପୁଟର ପ୍ରକୃତି, ଜୀବନ ଓ ସଂଘର୍ଷର କାହାଣୀ; ଦର୍ଶକଙ୍କ ମନ ଜିଣୁଛି ‘ମାଳିପୁଟ ମେଲୋଡିସ୍’

ନନ୍ଦିଘୋଷ ବ୍ୟୁରୋ : ‘ମାଳିପୁଟ ମେଲୋଡିସ୍’ । କାହାଣୀରେ ଭରି ରହିଛି କୋରାପୁଟର ପ୍ରକୃତି, ଜୀବନ ଓ ସଂଘର୍ଷର ଜୀବନ୍ତ ଛବି । ଏହାକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ମୁକ୍ତିଲାଭ ପରେ ସବୁଠି ଉତ୍ସବ ଓ ଉତ୍ସାହ । ପ୍ରଥମଥର ପାଇଁ ଜୟପୁରରେ ଏହି ଚଳଚ୍ଚିତ୍ରର ପ୍ରିମିୟର ହୋଇଥିବା ବେଳେ ଏଥିରେ ଚଳଚ୍ଚିତ୍ରର କଳାକାର, କାରିଗର, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସହରର ଅନେକ ବ୍ୟକ୍ତି ଯୋଗଦେଇଥିଲେ । କୋରାପୁଟର ଗାଁଗୁଡ଼ିକର ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଅଭିନୟ ପ୍ରତିଭାକୁ ନେଇ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି । କୌସ୍ତଭ ଡ୍ରିମ୍ ୱାର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ‘ୟୁ/ଏ’ ପ୍ରମାଣପତ୍ର ହାସଲ କରିଛି । ଗୋଆରେ ଅନୁଷ୍ଠିତ ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୫ର ଇଣ୍ଡିଆନ୍ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ମନୋନୀତ ହୋଇ ଏହା ପ୍ରଦର୍ଶିତ ହୋଇଥିଲା । ଏଥିସହ ଭାରତ ଓ ବିଦେଶର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବ ଓ ପୁରସ୍କାର ପ୍ରତିଯୋଗିତାରେ ମଧ୍ୟ ଏହା ମନୋନୀତ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଚଳଚ୍ଚିତ୍ରର ଗୀତ, ସଙ୍ଗୀତ, କାହାଣୀ, ସଂଳାପ, ଚିତ୍ରନାଟ୍ୟ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଛି । ଆଜି ପ୍ରିମିୟର ସୋ’ ଦେଖିବାକୁ ସିନେମା ହଲ୍‌ରେ ପ୍ରବଳ ଭିଡ଼ ଲାଗିଥିଲା । ମଞ୍ଚ କଳାକାର ଓ ଗ୍ରାମାଞ୍ଚଳର ପ୍ରତିଭାବାନ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଚଳଚ୍ଚିତ୍ରର ଗୀତ, ସଙ୍ଗୀତ, କାହାଣୀ, ସଂଳାପ, ଚିତ୍ରନାଟ୍ୟ ଓ କଳାକାରଙ୍କ ଜୀବନ୍ତ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ଉଚ୍ଚକୋଟୀର ବୋଲି ଦର୍ଶକମାନେ ମତ ଦେଇଥିଲେ । କୋରାପୁଟ ଜିଲ୍ଲାରେ ରହୁଥିବା ଲୋକଙ୍କ ପାରିବାରିକ ଜୀବନକୁ ନେଇ ତିନୋଟି କଥାବସ୍ତୁକୁ ଆଧାର କରି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି । ଏହାର ସମସ୍ତ ସୁଟିଂ ମଧ୍ୟ କୋରାପୁଟରେ ହୋଇଛି । ଚଳଚ୍ଚିତ୍ରଟି ସମଗ୍ର ରାଜ୍ୟରେ ମୁକ୍ତିଲାଭ କରିଛି । ଏହା ପୂର୍ବରୁ ବିଭିନ୍ନ ସମୟରେ ଚଳଚ୍ଚିତ୍ରଟି ପ୍ରଶଂସା ସାଉଁଟିଥିବା ବେଳେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି ।

କମ୍ପୁଛି ବାରବାଟୀ, ଆରମ୍ଭ ହେଲା ଓଡ଼ିଶା ଟି-୨୦ ଲିଗ୍

ନନ୍ଦିଘୋଷ ବ୍ୟୁରୋ : କମ୍ପୁଛି ବାରବାଟୀ। କ୍ରୀଡ଼ାପ୍ରେମୀଙ୍କ ଭିଡ଼ରେ ଫୁଲ୍ ଗ୍ୟାଲେରି। ଆରମ୍ଭ ହୋଇଛି ଓଡ଼ିଶା ଟି-୨୦ ଲିଗ୍। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଏବଂ ଭାରତ ମସଲା ପ୍ରାୟୋଜିତ ଓଡ଼ିଶା ଟି-୨୦ ଲିଗ୍‌ର ଉଦ୍‌ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେଉଛି। ସମ୍ପୂର୍ଣ୍ଣ ଆଇପିଏଲ୍ ଢାଞ୍ଚାରେ ଆୟୋଜିତ ଏହି ଲିଗ୍‌ର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ସୁରେଶ ରୈନା ଓ ଦେବାଶିଷ ମହାନ୍ତି ବ୍ରାଣ୍ଡ ଆମ୍ବାସଡର୍ ଭାବେ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ। ଏହାପରେ କଟକ ପାନ୍ଥର୍ସ ଓ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ। ଓସିଏର ଆଶା, ଏହି ଟୁର୍ଣ୍ଣାମେଣ୍ଟ ଯୁବ କ୍ରିକେଟର୍‌ମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ।

ଓଡ଼ିଶା ଟି-୨୦ ଲିଗ୍‌ରେ କଟକ ପାନ୍ଥର୍ସ, ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, ସମ୍ବଲପୁର ୱାରିୟର୍ସ, କେନ୍ଦୁଝର ମାଇନ୍ସ ଓ ରାଉରକେଲା ସୁପରଷ୍ଟାର୍ସ ଭଳି ୬ଟି ଟିମ୍ ମଧ୍ୟରେ ଆସନ୍ତା ୧୦ ଦିନ ଧରି କଡ଼ା ଟକ୍କର ହେବ। ଏଥିରେ ଓଡ଼ିଶାର ରଣଜୀ ଖେଳାଳିଙ୍କ ସହ ୨୩ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଖେଳାଳିମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଜାତୀୟସ୍ତରରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାର ସୁଯୋଗ ପାଇପାରନ୍ତି।

ଟ୍ରାଫିକ୍ ଜାମ୍‌ରେ ଅସ୍ତବ୍ୟସ୍ତ ରାଜଧାନୀ, ଦୁର୍ଗାପୂଜା ପୂର୍ବରୁ ବଢ଼ିଲା ଚିନ୍ତା

ନନ୍ଦିଘୋଷ ବ୍ୟୁରୋ : ବେହାଲ ହେଲାଣି ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା। ଚକା ଗଡ଼ିବା କାଠିକର ପାଠ ହୋଇପଡ଼ିଛି। ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ମିଳୁଛି ଯମ ଯନ୍ତ୍ରଣା। ସେପଟେ ଫାଇନ୍ ଆଦାୟରେ ବ୍ୟସ୍ତ ଟ୍ରାଫିକ୍ ପୋଲିସ। ରାଜଧାନୀରେ ଟ୍ରାଫିକ୍ ଜାମ୍ ସ୍ଥିତି ଲୋକଙ୍କୁ ନାକେଦମ କରୁଛି। ଏ ହେଉଛି ଗତକାଲି ପଳାଶୁଣି ଛକର ଦୃଶ୍ୟ। ନାହିଁ ନଥିବା ସମସ୍ୟାରେ ଫସିଥିଲେ ଲୋକେ। ସହରର ମୁଖ୍ୟ ରାସ୍ତାଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ସବୁଠି ଗାଡ଼ିର ଲମ୍ବା ଲାଇନ୍। ରାଜମହଲରୁ ବାଣୀବିହାର, ରସୁଲଗଡ଼ରୁ କଳ୍ପନା, ଜୟଦେବବିହାରରୁ ପଟିଆ—ଯେଉଁଆଡ଼େ ଦେଖିଲେ ଚାରିଆଡ଼େ ଗାଡ଼ିର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଗାଡ଼ି ଆଗକୁ ଗଡ଼ିବା କାଠିକର ପାଠ ହୋଇପଡ଼ିଛି। କୌଣସି ପର୍ବପର୍ବାଣୀ ପୂର୍ବରୁ ରାଜଧାନୀରେ ଏଭଳି ଟ୍ରାଫିକ୍ ଜାମ୍ ଯୋଗୁଁ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ଜାମ୍ ଯୋଗୁଁ ସାଧାରଣ ଲୋକଙ୍କ ସହ ଆମ୍ବୁଲାନ୍ସ, ଦମକଳ ଓ ପୋଲିସ ଭ୍ୟାନ୍ ଭଳି ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଛି।

ଏଭଳି ସ୍ଥିତି କମିସନରେଟ୍ ପୋଲିସର ଟ୍ରାଫିକ୍ ପରିଚାଳନାରେ ଅବ୍ୟବସ୍ଥା, ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଅପରାଗତାକୁ ପଦାରେ ପକାଇଛି ବୋଲି ଅଭିଯୋଗ ହେଉଛି। ପୂର୍ବରୁ କୌଣସି ପର୍ବପର୍ବାଣୀ ଥିଲେ ଜାମ୍‌କୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଥିଲା। ବିଭିନ୍ନ ସମୟରେ ଜରୁରୀକାଳୀନ ସ୍ଥିତିରେ ଲୋକଙ୍କୁ ସଚେତନ କରିବା ପାଇଁ ସ୍ମାର୍ଟ ସିଟିରେ ବଡ଼ ବଡ଼ ଡିସ୍‌ପ୍ଲେ ଲଗାଯାଇଥିଲା। ପ୍ରଚାର ପ୍ରସାର ପାଇଁ ଟ୍ରାଫିକ୍ ଛକଗୁଡ଼ିକରେ ଅଡିଓ ବ୍ୟବସ୍ଥା ମଧ୍ୟ ରହିଥିଲା। ହେଲେ ଏହି ସବୁ ସେବା ଏବେ ଏକପ୍ରକାର ଠପ୍ ହୋଇଯାଇଛି।  ଅନ୍ୟପଟେ ବିଭିନ୍ନ ସ୍ଥାନରେ ରାସ୍ତାକାମ ଚାଲୁଥିବାରୁ ଏଭଳି ଜାମ୍‌ରୁ କିଭଳି ମୁକ୍ତି ମିଳିବ, ସେନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି ପୋଲିସ କମିଶନର। ସେପଟେ ଆଗକୁ ଦୁର୍ଗାପୂଜା। ପରିସ୍ଥିତି ଅଣାୟତ ହେବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ।

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ନନ୍ଦିଘୋଷ ବ୍ୟୁରୋ : ବିଦ୍ୟାଳୟରେ ବିଦ୍ୟୁତ କାଟ । ଅନ୍ଧାରରେ ପିଲାଙ୍କ ଭବିଷ୍ୟତ। ନବରଙ୍ଗପୁର ଜିଲ୍ଲାର ଅନେକ ସରକାରୀ ବିଦ୍ୟାଳୟରେ ନାହିଁ କରେଣ୍ଟ । ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ହନ୍ତସନ୍ତ ଛାତ୍ରଛାତ୍ରୀ । ଜଳୁନି ଲାଇଟ, ବୁଲୁନି ଫ୍ୟାନ, ଟ୍ୟାପରୁ ଆସୁନି ପାଣି । ଅନ୍ଧାର ଓ ଗୁଳୁଗୁଳିରେ ଶ୍ରେଣୀଗୃହରେ ପାଠ ପଢ଼ୁଛନ୍ତି ପିଲା। ଜିଲ୍ଲାର ବିଭିନ୍ନ ଆଶ୍ରମ ବିଦ୍ୟାଳୟ, କନ୍ୟାଶ୍ରମ ଓ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟ । କେତେକ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନ୍ଧାରରେ ରାତି କାଟିଥିବା ଅଭିଯୋଗ ହୋଇଛି। କେବଳ ପାଠପଢ଼ା ନୁହେଁ, ବିଦ୍ୟୁତ ନଥିବାରୁ ପାନୀୟ ଜଳ, ପରିମଳ ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ସେହିପରି ଉମରକୋଟ ବ୍ଲକର ବେହେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ଚିନ୍ତାଜନକ। ବିଦ୍ୟୁତ ନଥିବାରୁ ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଛାତ୍ରଛାତ୍ରୀ। ବ୍ଲକର ଅଧିକାଂଶ ସ୍କୁଲରେ ସମାନ ସମସ୍ୟା ଥିବା ଅଭିଯୋଗ ହୋଇଛି। ବକେୟା ବିଲ୍ ପୈଠ ହୋଇନଥିବାରୁ ବିଦ୍ୟୁତ କାଟି ଦିଆଯାଇଛି। ଏକାଧିକ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ କଟିବା ପରେ ଶିକ୍ଷାନୁଷ୍ଠାନରେ ବିଦ୍ୟୁତ ଯୋଗାଣ ଓ ବକେୟା ବିଲ୍ ପ୍ରସଙ୍ଗରେ ସମନ୍ୱୟର ଅଭାବକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ବକେୟା ବିଲ ପୈଠ ନକରିବା ଯାଏଁ ପୁନଃ ସଂଯୋଗ ଦିଆଯିବ ନାହିଁ ବୋଲି ଉମରକୋଟ ଉପଖଣ୍ଡ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି।

ଶୁଣିଲାନି ପ୍ରଶାସନ। ଚାଷ ଜମିକୁ ଜଳସେଚନ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ : ଶୁଣିଲାନି ପ୍ରଶାସନ। ଚାଷ ଜମିକୁ ଜଳସେଚନ ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ନିଜସ୍ବ ଉଦ୍ୟମରେ କେନାଲ କାନ୍ଥ ତିଆରି କରୁଛନ୍ତି ଗ୍ରାମବାସୀ। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଗାଁ ନିକଟ ପାହାଡ଼ରେ ରହିଛି ଜାଡୁର୍ ଝରଣା। ଏହି ଝରଣା ପାଣିକୁ କେନାଲ ମାଧ୍ୟମରେ ଚାଷଜମିକୁ ଜଳସେଚନ ପାଇଁ ଦୀର୍ଘଦିନରୁ ଦାବି କରିଆସୁଥିଲେ ଗ୍ରାମବାସୀ । ଏଥିପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଫଳ ଶୂନ ।ଫଳରେ ବାଧ୍ୟ ହୋଇ ଗାଁ ଲୋକେ ଏକାଠି ହୋଇ ଶ୍ରମଦାନ କରିବା ସହ ନିଜସ୍ବ ଅର୍ଥରେ କେନାଲ କାନ୍ଥ ତିଆରି କରୁଛନ୍ତି। ବାଲି ଓ ସିମେଣ୍ଟରେ କାନ୍ଥ ନିର୍ମାଣ କରୁଛନ୍ତି। ଗ୍ରାମବାସୀଙ୍କ ଉଦ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଫୁଟ ଲମ୍ବର କାନ୍ଥ ନିର୍ମାଣ ହୋଇସାରିଛି। ସେପଟେ ବର୍ଷାର ଅଭାବ ଦେଖାଦେଇଥିବାରୁ ଚାଷଜମିର ଅବସ୍ଥା ଚିନ୍ତାଜନକ ହୋଇପଡ଼ିଛି। ଅନେକ ଜମି ଫାଟିଯାଇଥିବା ବେଳେ ଫସଲର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯାଇଛି। ଆଉ କିଛିଦିନ ମଧ୍ୟରେ ଜମିକୁ ପାଣି ନମିଳିଲେ ଚାଷୀଙ୍କ ପରିଶ୍ରମ ଓ ଖର୍ଚ୍ଚ ବ୍ୟର୍ଥ ଯିବାର ଆଶଙ୍କା ରହିଛି। ଏଭଳି ସମୟରେ ଗ୍ରାମବାସୀ ନିଜ ଉଦ୍ୟମରେ କେନାଲ କାନ୍ଥ ନିର୍ମାଣ କରି ଝରଣା ପାଣିକୁ ଚାଷଜମିକୁ ନେବାର ପ୍ରୟାସ କରିଛନ୍ତି ।