ବିଜେପି ସାଂସଦଙ୍କ ଖୋଲା ଧମକ, ମୁଣ୍ଡ କାଟି ଦେବି…

1 min read

କଳାହାଣ୍ଡି: ହଜମ ହେଉନି କି ପରାଜୟ ? ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଔଷଧ ବାଉଳାରେ ତାଟିଆ କାମୁଡୁଛି ବିଜେପି । ହତାଶ ବିଜେପି ନେତା ଟପୁଛନ୍ତି ଶାଳୀନତାର ସବୁ ସୀମା  । ଏମିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସିର ପ୍ରଥମ ବୈଠକରେ । ବୈଠକରେ ବିଜେପି ସାଂସଦ ବସନ୍ତ ପଣ୍ଡା ଖୁଲମଖୁଲା ଧମକପୂର୍ଣ୍ଣ ବ୍ୟବହାର ଚର୍ଚ୍ଚାର ବିଷୟ ପାଲଟିଛି ।

ବୈଠକରେ ଖୋଲାଖୋଲି ଧମକ ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । କହୁଛନ୍ତି, ‘ମୋ ଗୋଡ଼କୁ ଯିଏ କାଟିବା ଲାଗି ଚେଷ୍ଟା କରିବ, ମୁଁ ତା ମୁଣ୍ଡକୁ କାଟିଦେବି’ ।

ନବ ନିର୍ବାଚିତ ଅଧ୍ୟକ୍ଷ, କାଉନସିଲର ଏବଂ ଅନ୍ୟ ଅଧିକରୀଙ୍କ ଉପସ୍ଥିତିରେ ବସନ୍ତଙ୍କ ଏପରି ବ୍ୟବହାରକୁ ନେଇ ସମସ୍ତେ ତାଜୁବ । ଆଜିର ବୈଠକରେ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ୧୧ଜଣ କାଉନସିଲରଙ୍କ ସମେତ ମନ୍ତ୍ରୀ ପ୍ରତିନିଧି, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ସାଂସଦଙ୍କ ଏଭଳି ଆଚରଣକୁ ଦେଖି ଆଗାମୀ ବୈଠକ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ବିଜେଡି କାଉନସିଲର । ଅନ୍ୟପଟେ ଏପରି ଦୁର୍ବ୍ୟବହାର ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛନ୍ତି ।

୧୨ ୱାର୍ଡ ବିଶିଷ୍ଟ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ବିଜେପି ହାତେଇ ଥିବା ବେଳେ ୧୨ଟି କାଉନସିଲରରୁ ୧୦ଟି ବିଜୁ ଜନତା ଦଳ ହାତେଇଛି l ୨ଟି ଆସନ ବିଜେପି ଖାତାକୁ ଯାଇଛି । ବିଜୁ ଜନତା ଦଳ ହାତେଇଛି ଉପାଧ୍ୟକ୍ଷ ପଦ ।