ପଦମପୁରବାସୀଙ୍କ ନିକଟରେ ଭୁଲ ତଥ୍ୟ ରଖୁଛି ବିଜେପି: ବିଜେଡି

ପଦମପୁର: ପଦମପୁରବାସୀଙ୍କ ନିକଟରେ ଭୁଲ ତଥ୍ୟ ରଖୁଛି ବିଜେପି । କିଛି କିହିବା ପୂର୍ବରୁ ତଥ୍ୟର ଅନୁସନ୍ଧାନ କରୁନାହାଁନ୍ତି । ଅପରାଧ ଓ ଋଣ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ । ତଥ୍ୟକୁ ବିକୃତ କରି ଲୋକଙ୍କ ସାମ୍ନାରେ ରଖାଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ କଥା ଶୁଣି ପଦମପୁରବାସୀ କହୁଛନ୍ତି `ଗୋଦରୀ ଲୋ ତୋ ଗୋଡ଼କୁ ଅନା’ । ଓଡ଼ିଶା ଋଣଭାରରେ ବୁଡ଼ିଗଲାଣି କହିଥିଲେ କେନ୍ଦ୍ରମନ୍ତ୍ରୀ । ସେମାନେ ଜାଣିନାହଁନ୍ତି କି ବିକାଶ କାର୍ଯ୍ୟ ପାଇଁ ରାଜ୍ୟ ଓ ଦେଶମାନେ ଋଣ ଆଣିଥାନ୍ତି । ଭାରତ ସରକାରଙ୍କ ଋଣ ପରିମାଣ କେତେ ଓ ମୁଣ୍ଡ ପିଛା କେତେ ପଡ଼ିଲା, ସେ ପ୍ରଶ୍ନର ଉତ୍ତର ଦେଇ ପାରିବେ କି ମନ୍ତ୍ରୀମାନେ । ଋଣ ପରିଚାଳାନାରେ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଭଲ ବୋଲି ଆରବିଆଇ କହିଛି ।

ଓଡ଼ିଶାରେ ନାରୀ ନିର୍ଯାତନ କଥା କହିବା ପୂର୍ବରୁ ବିଜେପି ଶାସିତ ରାଜ୍ୟ କଥା ଚିନ୍ତା କରନ୍ତୁ ବୋଲି ପ୍ରସନ୍ନ ପରାମର୍ଶ ଦେଇଛନ୍ତି । ବିଜେପି ଶାସିତ ରାଜ୍ୟ ଗୁଡ଼ିକରେ ନାରୀ ନିର୍ଯାତନା ଅଧିକ ରହିଛି । ଓଡ଼ିଶା ସରକାର ମହିଳାଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ଅନେକ ପଦକ୍ଷେପ ନେଉଛନ୍ତି । କେବଳ ସେତିକି ନୁହେଁ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରସନ୍ନ । ଧାନ କିଣା ବାବଦକୁ ୯ ହଜାର କୋଟି ଟଙ୍କା କେନ୍ଦ୍ର ପାଖରେ ପଡ଼ିଛି । ସତ୍ୟକୁ ମିଥ୍ୟା ରୂପରେ ଦର୍ଶାଇ ଲୋକଙ୍କ ଆଗରେ ରଖାଯାଉଛି । ପଦମପୁରବାସୀଙ୍କୁ ଭକୁଆ ବନାଇବାକୁ ବିଜେପି ଯେଉଁ ଉଦ୍ୟମ କରୁଛି ତାହା ସଫଳ ହେବନି ବୋଲି ପ୍ରସନ୍ନ କହିଛନ୍ତି । ହୀରା ଉପରେ ଟିକସ ହ୍ରାସ ହେଲେ ମୁଡ଼ି ଓ ଚୂଡ଼ା ଉପରେ ଟିକସ ବୃଦ୍ଧି । ଗରିବର କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି କେନ୍ଦ୍ର ସରକାର । ସେହିପରି ବରଗଡ଼, ନୂଆପଡ଼ା ରେଳ ପ୍ରକଳ୍ପ ପାଇଁ ବଜେଟରେ କେତେ ଟଙ୍କା ମଞ୍ଜୁରୀ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ ।