ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର: ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରିଛି ବିଜେଡି । ମୋଟ ୬୨ଟି ଜନଜାତି ରହିଛନ୍ତି । ୨୦୧୧ଜନଗଣନା ଅନୁଯାୟୀ ହୋ ଭାଷାରେ ପଶ୍ଚିମ ସିଂଭୂମରେ ମୋଟ ୨୫ ଲକ୍ଷରୁ ଅଧିକ ଲୋକ ରହିଥିବାବେଳେ ଓଡ଼ିଶାରେ ୧୪ ଲକ୍ଷରୁ ଅଧିକ ରହିଛନ୍ତି । ସେମାନଙ୍କର ପାଠପଢା ପାଇଁ ରାଜ୍ୟ ସରକାର ୧୬୦ରୁ ଅଧିକ ସ୍କୁଲ ଓ ୩୦୦ରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ଆଦିବାସୀଙ୍କ ପୁରାତନ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ନେଇ ଓଡ଼ିଶାର ବିଜେପି ସାଂସଦଙ୍କର ତିଳେମାତ୍ର ଦରଦ ନାହିଁ ।

ଓଡ଼ିଶାରେ ୩ ଲକ୍ଷରୁ ଅଧିକ ଭୁମିଜ ଭାଷାଭାଷୀ ଅଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଲିପି ରହିଛି । ୭୫ ଲକ୍ଷ ଲୋକ ଏହି ଭାଷା କୁହନ୍ତି । ଏଣୁ ଏହି ଭାଷା ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଜରୁରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଏନେଇ ଦାବି କରିଛନ୍ତି । ସଂସଦର ଆଗାମୀ ଅଧିବେଶନରେ ଏହା ଗୃହୀତ ହେବା ଜରୁରୀ ବୋଲି ବିଜେଡି କହିଛି । ଏସବୁ କଥିତଭାଷା ଅଷ୍ଟମ ଅନୁଛେଦରେ ସାମିଲ ହେଲେ ଭାଷା ବଞ୍ଚିବ । ଆଦିବାସୀଙ୍କ ପରିଚୟ ସେମାନଙ୍କ ନିଜ ଭାଷା । ଆଦିବାସୀଙ୍କ ଭାଷା ସହିତ ଓଡ଼ିଆ ଭାଷାକୁ ପିଲାଙ୍କ ମଧ୍ୟରେ ସ୍ପଷ୍ଟ ଉଚ୍ଚାରଣ କରିବାରେ ସୁବିଧା କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁଭାଷୀ ଶିକ୍ଷକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।