ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଜଣାଇଥିଲା ।

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି  ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜଗଦୀପଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତ ୬ ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ଏନଡିଏ ପ୍ରାର୍ଥୀ ଧନଖଡ଼ । ଜଗଦୀପ ଧନଖଡ଼ ୫୨୮ ଭୋଟ ପାଇଥିବାବେଳେ ଆଲଭା ପାଇଥିଲେ ୧୮୨ ଭୋଟ୍ ।

ଧନଖଡ଼ ପାଇଥିବା ଭୋଟ ହାର ରହିଥିଲା ୭୪.୩୬ ପ୍ରତିଶତ । ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ ଧନଖଡ଼ । ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ଭୋଟ ଦେଇଥିବାବେଳେ ୧୫ ଭୋଟ ନାକଚ ହୋଇଥିଲା । ଭୋଟ ହାର ଥିଲା ୯୨.୯୪ ପ୍ରତିଶତ । ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି  ।