ବର୍ଷକର ହିସାବ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

1 min read

ଭୁବନେଶ୍ୱର: ବର୍ଷକର ହିସାବ ଦେଲେ ସାଂସଦ। ବିଜେଡି ସାଂସଦ ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ବର୍ଷକର ରିପୋର୍ଟ କାର୍ଡ ବଖାଣିଛନ୍ତି। ୨୦୧୯ ଜୁଲାଇ ୪ରୁ ବିଜେଡି ସାଂସଦ ଭାବେ ଶପଥ ଗ୍ରହଣ କରିବା ପରଠୁ ଆଜି ପର୍ଯ୍ୟନ୍ତ ସେ ତାଙ୍କର ଅନୁଭୂତି ଓ କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି। ଗତବର୍ଷ କୋରନା ମହାମାରୀରେ ପ୍ରବାସୀ ଶ୍ରମିକ ମାନଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଯୋଗଦାନ କରିଥିଲେ ବୋଲି କହିଛନ୍ତି ଅମର। ୨୦୨୧ ଜୁଲାଇ ୩ ତାରିଖରେ ସାଂସଦଙ୍କ ଦୁଇ ବର୍ଷ ପୂର୍ତ୍ତି ଥିଲା। ଚଳିତ ବର୍ଷର ଏପ୍ରିଲ ୧୫ ରୁ ଜୁନ ୧୫ ଭିତରେ କୋଭିଡ ରୋଗୀଙ୍କ ସେବା ଓ ଚିକିତ୍ସା ନେଇ କରିଥିବା ଉଦ୍ୟମକୁ ରିପୋର୍ଟ କାର୍ଡ ଜରିଆରେ ସେ ଜଣାଇଛନ୍ତି।

ସାଂସଦ ଏହି ଅବସରରେ ଗୋଟିଏ ପୁସ୍ତିକା ପ୍ରକାଶ କରି କହିଛନ୍ତି ସଂସଦରେ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ଅନେକ ଦାବି ଇଉଠାଇଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ଅନୁଦାନ, ୨୦୧୮-୧୯ ବର୍ଷର ୪୫୬ କୋଟି ଟଙ୍କାର ଜିଏସଟି ବକେୟା ତାଙ୍କ ଉଦ୍ୟମ ଯୋଗୁ କେନ୍ଦ୍ର ସରକାର ଦେଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି। ସେହିପରି ଧାନ କିଣା ବାବଦ ଅର୍ଥ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିଥିଲେ। ତାଙ୍କ ଉଦ୍ୟମରେ ୨୮୫ କୋଟି ଟଙ୍କା କେନ୍ଦ୍ର ସରକାର ରାଜ୍ୟକୁ ଦେଇଛନ୍ତି। ଏହି ବର୍ଷକ ଭିତରେ ୨୬୫ ଟି ବିତର୍କରେ ସେ ଭାଗ ନେଇଛନ୍ତି।

ରାଜ୍ୟ ସ୍ୱାର୍ଥ ସମ୍ବଳିତ ଦାବି ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁଯାୟୀ ସେ ଦାବି ଉପସ୍ଥାପନ କରିଛନ୍ତି। ତିନିଟି କୃଷି ବିଲକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସେ ଦୃଢ଼ ଦାବି ରଖିଥିଲେ। ବୟନ ଶିଳ୍ପ କ୍ଷେତ୍ରରେ ବୁଣାକାର ମାନଙ୍କ ସମସ୍ୟା ନେଇ ସେ ସଂସଦରେ ଦାବି ଉପସ୍ଥାପନ କରିଥିଲେ ବୋଲି କହିଛନ୍ତି। ରାଜ୍ୟର ଉପଲବ୍ଧି ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ୧୫୦ଟି ଆର୍ଟିକିଲ ଲେଖିଥିଲେ। ଆସନ୍ତା ଦିନରେ ଏହାକୁ ନେଇ ଏକ ସଙ୍କଳନ ପ୍ରକାଶ ପାଇବ। ଓଡ଼ିଶାକୁ ବିଶ୍ଵ ଦରବାରରେ ଭାରତ ମାନଚିତ୍ରରେ କିପରି ଏକ ସ୍ୱତନ୍ତ୍ର ପରିଚୟ ପାଇବ ସେ ନେଇ ସେ ଉଦ୍ୟମ କରିବେ ବୋଲି କହିଛନ୍ତି।

Leave a Reply