କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିନଥିଲେ ଯଦି ହାଇକୋର୍ଟରୁ ଜାମିନ କ’ଣ ପାଇଁ?

1 min read

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ସେ ଯେଉଁ ତଥ୍ୟ ରଖିଛନ୍ତି ତାହା ଡାହା ମିଛି ବୋଲି କହିଛନ୍ତି ବିଜେଡି ନେତା ଦେବାଶିଷ ମାରାଣ୍ଡି । ଯଦି ଉକ୍ତ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଆହତ କରିନଥିଲେ ତେବେ ସେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସେ କରିଥିବା କାର୍ଯ୍ୟ ପାଇଁ ଜାମିନ କାହିଁକି ପାଇଛନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ଶ୍ରୀ ମାରାଣ୍ଡି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ମଧ୍ୟ କହିଛନ୍ତି ଯେ ଉକ୍ତ ସରକାରୀ କର୍ମଚାରୀ ନିଜ ହାତକୁ ନିଜେ ଭାଙ୍ଗିଛନ୍ତି । ଯାହା ରାଜେନୖତିକ ଏବଂ ନୈତିକତା ଦୃଷ୍ଟିରୁ ଅତ୍ୟନ୍ତ ନିମ୍ନସ୍ତରର କଥା ବୋଲି ଶ୍ରୀ ମାରାଣ୍ଡି କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଅଧିକାରୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଉପ-ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଆହତ ହୋଇଥିଲେ । ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ଆକ୍ରମଣ କରି ହାତ ଭାଙ୍ଗିବା ସହିତ ବିଶ୍ୱେଶ୍ୱର ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ବାରିପଦା ସ୍ଥିତ ବିଜେପି ପାର୍ଟି ଅଫିସକୁ ଏମପି ଲାଡ୍ ସମ୍ପର୍କିତ ଫାଇଲ୍ ଧରି ଆସିବା ପାଇଁ କହିଥିଲେ । କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ପାର୍ଟି ଅଫିସକୁ ଯାଇପାରିବେନି ବୋଲି ଦୁଇ ଅଧିକାରୀ କହିଥିଲେ । କିନ୍ତୁ ଏହାପରେ ଦିଲ୍ଲୀ ଅଫିସରୁ ଫୋନ୍ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମନ୍ତ୍ରୀଙ୍କ ପିଏ ଫୋନ କରି ଫାଇଲ ନନେଇ କେବଳ ଆଲୋଚନା ପାଇଁ ଆସିବାକୁ କହିଥିଲେ। ତେଣୁ ଏହି ଦୁଇ ଅଧିକାରୀ ପାର୍ଟି ଅଫିସକୁ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ପାର୍ଟି ଅଫିସ୍‌ରେ ପହଞ୍ଚିବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ମନ୍ତ୍ରୀ ପ୍ରଥମେ ଲୁହା ରଡରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପରେ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।

ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ଏବଂ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଜାମିନ ମଧ୍ୟ ମଞ୍ଜୁର ହୋଇଥିଲା ।

Leave a Reply