ଭଲ ଫସଲ ପାଇଁ ଧରଣୀ ପୂଜା: ଆଦିବାସୀଙ୍କ ନିଆରା ପର୍ବ ‘ବିହନ ଯାତ୍ରା’

1 min read

କୋକସରା: ଆଦିବାସୀ ସମ୍ପ୍ରଦାୟଙ୍କ ଭିନ୍ନ ଏକ ପରମ୍ପରା ବିହନ ଯାତ୍ରା । ଏଥିରେ ମାଆ ଧରଣୀଙ୍କ କରାଯାଇଥାଏ ପୂଜା । ପ୍ରକୃତିରାଣୀଙ୍କୁ ପୂଜାର୍ଚ୍ଚନା କରି ଭଲ ଫସଲ ଅମଳ ପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକେ କରୁଛନ୍ତି ଗୁହାରୀ । ବଳି ଦେବା ସହ ଚାଷ ଆରମ୍ଭ ପୂର୍ବରୁ ଧାନକୁ ଧରଣୀ ରାଣୀଙ୍କ ନିକଟରେ ସମର୍ପି ଦେଇଥାନ୍ତି । ପରେ ତାକୁ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ଓ ଲୋକ ତାକୁ ଅକ୍ଷୟ ତୃତୀୟାରେ ନିଜ ନିଜ ବିଲରେ ବୁଣିଥାନ୍ତି । କଳାହାଣ୍ଡି କୋକସରା ବ୍ଲକ ଗୋତାମୁଣ୍ଡାରେ ପାଳନ ହେଉଥିବା ଏହି ସ୍ବତନ୍ତ୍ର ପୂଜାକୁ ନେଇ ଆସନ୍ତୁ ଜାଣିବା ।

ପ୍ରତିବର୍ଷ ଫାଲଗୁନ ମାସ ମଧୁ ଅମାବାସ୍ୟାରୁ ଆରମ୍ଭ ହୋଇଥାଏ ଏହି ପର୍ବ l ପ୍ରଥମ ଦିନ ଧରଣୀ ଦେବୀ ପୂଜକ ବା ଝାକର ଲୁଚି ରହି ପିତାବିହନ ଯାତ୍ରା କରିଥାନ୍ତି । ଦ୍ବିତୀୟ ଦିନ ଅର୍ଥାତ୍ ଚୈତ୍ର ପ୍ରତିପଦାରେ ବିହନ ଯାତ୍ରା ପାଳନ କରାଯାଇଥାଏ ।

ପୂର୍ବପୁରୁଷମାନେ ବର୍ଷକୁ ଥରେ ବର୍ଷା ଋତୁରେ ଖରିଫ ଧାନ ଚାଷ ପରେ ରବି ଫସଲ ଚାଷ କରୁଥିଲେ । ରବି ଫସଲ ଅମଳ ପରେ ହିନ୍ଦୁ ନବ ବର୍ଷର ଆରମ୍ଭ ପୂର୍ବରୁ ଭଲ ଫସଲ ପାଇଁ ଧରଣୀ ରାଣୀକୁ ପୂଜା କରିଥାନ୍ତି । ବଳି ଦେବା ସହ ପୁଣି ଚାଷ ଆରମ୍ଭ ପୂର୍ବରୁ ଧାନକୁ ଧରଣୀ ରାଣୀଙ୍କ ନିକଟରେ ସମର୍ପି ଦେଇଥାନ୍ତି । ପରେ ତାକୁ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ଓ ଏହାକୁ ଅକ୍ଷୟ ତୃତୀୟାରେ ନିଜ ନିଜ ବିଲରେ ବୁଣାଯାଇଥାଏ । ଏହି ପରମ୍ପରାକୁ ପୂର୍ବପୁରୁଷରୁ ପାଳନ କରିଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ ।

ବିହନ ଯାତ୍ରା କେବଳ କୋକସରା ବ୍ଲକ ଦଣ୍ଡ ପାଟ ଅଞ୍ଚଳର ପର୍ବ ନୁହେଁ ବରଂ ଏହାକୁ ସାରା ପଶ୍ଚିମ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଲୋକେ ପାଳନ କରିଥାନ୍ତି । ଏହି ପର୍ବରେ ଚାଷୀ, ଭୂମିହିନ ଚାଷୀ ସମସ୍ତେ ସାମିଲ ହୋଇଥାନ୍ତି । ଏହି ପର୍ବ ଚାଷୀଙ୍କ ମଧ୍ୟରେ ଏକତା ଓ ଭାଇଚାରାର ଏକ ପ୍ରତୀକ ମଧ୍ୟ ।