ପୁଟିନଙ୍କୁ ଚେତାବନୀ ଦେଲା ଆମେରିକା, ରାସାୟନିକ ଅସ୍ତ୍ରର ବ୍ୟବହାର ହେଲେ ଭୟଙ୍କର ହେବ ପରିଣାମ

କିଭ୍: ୧୭ ଦିନରେ ପହଞ୍ଚିଲା ୟୁକ୍ରେନ୍ ଓ ଋଷ ମଧ୍ୟରେ ଘମାଘୋଟ ଲଢ଼େଇ । ଲଗାତର ଭାବେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ଋଷ । ରାଜଧାନୀ କିଭ୍ ଦଖଲ ପାଇଁ ଫାଇନାଲ ତୟାରି କରିଛି ଋଷ । ଆଜି ଓଡ଼େଶାରେ ଘନ ଘନ ଗୁଳି ମାଡ କରିଛି ଋଷ ସେନା । ସେପଟେ ୟୁକ୍ରେନ ଯୁଦ୍ଧରେ ଯଦି ଋଷ ରାସାୟନିକ ଅସ୍ତ୍ରର ବ୍ୟବହାର କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଏହା ସହ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମସ୍କୋ ବିରୋଧରେ ଓ୍ୱାଶିଂଟନ ଅବତୀର୍ଣ୍ଣ ହେବ ନାହିଁ । ଯଦି ଋଷ ବିରୋଧରେ ନାଟୋ ସିଧାସଳଖ ଯୁଦ୍ଧକୁ ଓହ୍ଲାଏ ତେବେ ତୃତୀୟ ବିଶ୍ବଯୁଦ୍ଧ ଅନିବାର୍ଯ୍ୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ହ୍ବାଇଟ ହାଉସରେ ବାଇଡେନ କହିଛନ୍ତି, ୟୁରୋପରେ ସହଯୋଗୀ ରାଷ୍ଟ୍ର ସହ ନାଟୋ ଏକାଠି ହୋଇଛି ଏବଂ ଯୁଦ୍ଧ ପରିପ୍ରେକ୍ଷୀରେ ନିର୍ଭୁଲ ବାର୍ତ୍ତା ଦିଆଯାଉଛି । ଆମେରିକା ନେତୃତ୍ବରେ ନାଟୋ ସୀମାର ପ୍ରତି ଇଞ୍ଚ ମାଟିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବ । ୟୁକ୍ରେନରେ ଋଷ ବିରୋଧରେ ନାଟୋ ଯୁଦ୍ଧ କରିବ ନାହିଁ । ୩୦ ରାଷ୍ଟ୍ରକୁ ନେଇ ଗଠିତ ନାଟୋର ଉଦ୍ଦେଶ୍ୟ ହେଉଛି ଏହାର ସଦସ୍ୟ ରାଷ୍ଟ୍ରର ସ୍ବାଧୀନତା ଓ ନିରାପତ୍ତାକୁ ସୁରକ୍ଷା କରିବା । ରାଜନୈତିକ ଓ ସାମରିକ ଉପାୟରେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ନିରାପତ୍ତାକୁ ଗ୍ୟାରେଣ୍ଟି ଦେବା ଏହାର ଉଦ୍ଦେଶ୍ୟ ବୋଲି କହିଛନ୍ତି ବାଇଡେନ ।

ବାଇଡେନ ଆହୁରି କହିଛନ୍ତି, ୟୁକ୍ରେନରେ କଦାପି ଋଷର ବିଜୟ ଘଟିବ ନାହିଁ । ନାଟୋକୁ ଦୁର୍ବଳ କରିବା ତଥା ଭାଙ୍ଗିବା ଲାଗି ଉଦ୍ୟମ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଫଳ ହୋଇଛନ୍ତି । ଏହା ସହ ଯୁଦ୍ଧ ବିନା ୟୁକ୍ରେନ ଉପରେ ଅଧିକାର ସାବ୍ୟସ୍ତ କରିବା ଉଦ୍ୟମରେ ବି ପୁଟିନ ବିଫଳ ହୋଇଛନ୍ତି । ୟୁକ୍ରେନବାସୀଙ୍କ ଲାଗି ଆମେରିକାବାସୀ ଠିଆ ହୋଇଛନ୍ତି ଏବଂ ସ୍ୱେଚ୍ଛାଚାରୀ ଶାସକଙ୍କ ଏକଛତ୍ର ଶାସନକୁ ଆମେରିକା ସୁଯୋଗ ଦେବ ନାହିଁ । ଏହାର ମୁକାବିଲା ତଥା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଲାଗି ଗଣତନ୍ତ୍ର ଜାଗତିଆର ରହିଛି ବୋଲି ସେ କହିଛନ୍ତି । ଋଷକୁ ପ୍ରଦତ୍ତ ସବୁଠାରୁ ପସନ୍ଦଯୋଗ୍ୟ ରାଷ୍ଟ୍ର ବା ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରିବା ଲାଗି ଆମେରିକା କଂଗ୍ରେସକୁ କହିବେ ବୋଲି ସୂଚନା ଦେଇଛନ୍ତି ବାଇଡେନ । ଯୁଦ୍ଧରେ ସାମିଲ ହୋଇ ନଥିଲେ ବି ୟୁକ୍ରେନକୁ ଆମେରିକା କୋଟି କୋଟି ଟଙ୍କା ମୂଲ୍ୟର ବିମାନ ଓ ଟ୍ୟାଙ୍କ ବିଧ୍ବଂସୀ ଅସ୍ତ୍ରଶସ୍ତ୍ର ପଠାଉଛି । ଏହା ସହ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନରେ ମଧ୍ୟ ଆମେରିକା ପ୍ରମୁଖ ଭୂମିକା ନେଉଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।