ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ: ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର:  ଲଘୁଚାପର ରୂପ ନେଲା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଘନୀଭୂତ ହେବା ପରେ ଏହା ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା କାଲି ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି ଏବଂ ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଗଞ୍ଜାମ, ପୁରୀ, କଟକ, ଖୋର୍ଦ୍ଧା, କନ୍ଧମାଳ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ  ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ ତାରିଖରେ କନ୍ଧମାଳ, ବୌଦ୍ଧ, ପୁରୀ, କଳାହାଣ୍ଡି ଏବଂ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପର ପ୍ରଭାବ ୧୮ ତାରିଖ ପର୍ଯ୍ୟନ୍ତ ରହିବ । ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ରହିବ । ସମୁଦ୍ର ଅଶାନ୍ତ ରହିବା କାରଣରୁ ୧୭ ଏବଂ ୧୮ ତାରିଖରେ ମତ୍ସଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଥିବାରୁ ଏବେ ବି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରାଜ୍ୟରେ ୭୬୧.୮ ମିଲିମିଟର ବର୍ଷା ରେକର୍ଡ ହେବା କଥା । କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୩୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ ୨୯ ପ୍ରତିଶତ କମ୍ । ରାଜ୍ୟର ୨୫ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ଯାଜପୁରରେ ସର୍ବନିମ୍ନ ୫୪ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଭଦ୍ରକରେ ୫୨, ବଲାଙ୍ଗିରରେ ୪୨, କେନ୍ଦୁଝର, ଝାରସୁଗୁଡା ରେ ସ୍ବାଭାବିକ ଠାରୁ ୪୧ ପ୍ରତିଶତ ଏବଂଅନୁଗୁଳ ସ୍ୱାଭାବିକ ଠାରୁ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି  ।

ଏଥିସହିତ ପଢ଼ନ୍ତୁ: ଏମ୍‌ସିଏଲ୍‌ ଆଣୁଛି ତାଳଚେର ବାସୀଙ୍କ ପାଇଁ ବିପଦ: ଖନନ ପରେ କରାଯାଉନି ବାଲି ଭର୍ତ୍ତି, ବଢ଼ିଲା ଭୂକମ୍ପ ଭୟ

Leave a Reply