ଚୋର ଧରାଇବାରେ ସାହାଯ୍ୟ କର, ୧୦ ହଜାର ଟଙ୍କା ପୁରସ୍କାର ନିଅ

ଭୁବନେଶ୍ବର: ଚୋରି ଧରିବା ପାଇଁ କମିାନରେଟ୍ ପୋଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ । ଚୋର ଧରାଇ ଦେଲେ କମିଶନରେଟ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ ।

ଡିସିପି ପ୍ରତୀକ ସିଂ ଏନେଇ ଦେଇଛନ୍ତି ସୂଚନା । ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ମରାଯାଇଛି ୱାଣ୍ଟେଡ୍ ଲୁଟେରାଙ୍କ ପୋଷ୍ଟର । ପାଖାପାଖି ୧୦୦ ଜାଗାରେ ଏଭଳି ପୋଷ୍ଟର ମାରିଛି ପୋଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, ବିଗତ ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ୍ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା ବୁଲାଇଥିଲେ କଳା କନା । ହେଲେ ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି । ଏହି ଚୋର, ଲୁଟେରାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ଚୋର ଧରାପଡ଼ିଲେ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କା ନଗଦ ପୁରସ୍କାର । କମିଶନରେଟ ପୋଲିସର  ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।