ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ : ଆଜି ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ।ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ । ସଂଧ୍ଯା ସମୟରେ ବନକଲାଗି ନେଇ ଦର୍ଶନ ବନ୍ଦ ରହୁଥିବାରୁ ଦିନବେଳା ଭକ୍ତଙ୍କ ପ୍ରବଳ ସମାଗମ ସମ୍ଭାବନା ରହିଛି।