ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା

କଟକ: ଅପେକ୍ଷାର ଅନ୍ତ, ଉତ୍ସାହର ଆଗମନ । ମେଲିସାରିଛି ବାଣିଜ୍ୟ ପସରା । ସୋମବାରଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା । କିଲ୍ଲା ପଡିଆ ଓ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହୋଇଛି ମହାମେଳା । ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ମହାନଦୀ ପଠାର ତଳ ଓ ଉପର ବାଲିଯାତ୍ରା ପଡିଆରେ ୮ ଦିନ ଧରି ହେବ ଲୋକାରଣ୍ୟ । ସଂଧ୍ୟାରେ ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରାଯିବ । ବାଲିଯାତ୍ରାରେ ଏଥର ପ୍ରମୁଖ ଆକର୍ଷଣ ସାଜିବ ଗ୍ରାମୀଣ ପ୍ରତିଛବି ଓ ଫିସ୍ ଟନେଲ୍ । ଦୋଳି, ମୀନା ବଜାର ସାଙ୍ଗକୁ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ବି ଆକର୍ଷଣ ସାଜିବ । ୧୨୦୦ରୁ ଅଧିକ ଷ୍ଟଲ୍ ଖୋଲାଯିବାକୁ ଥିବାବେଳେ ଓରମାସର ୪୨୦ଟି ଷ୍ଟଲ ଏସଏଚଜି ମାଆମାନେ ଖୋଲୁଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ୪ଟି ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ରହିଛି  । ସବୁଦିନ ସକାଳେ ପଥୋତ୍ସବ ଆୟୋଜିତ ହେବ । ୨୫୦ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି ।ବଲିଉଡ୍ ସିଙ୍ଗର ଅନୁ ମଲିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ। ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସିସିଟିଭି  ଲଗାଯିବା ସହ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ନଜର ରଖିଛି ପୋଲିସ ।