ଆରମ୍ଭ ହେଲା ବାଲିଯାତ୍ରା ପାଇଁ ପ୍ଲଟ୍‌ ଆବଣ୍ଟନ ପଞ୍ଜିକରଣ

କଟକ: ନଭେମ୍ବର ୨୭ ତାରିଖରୁ କମ୍ପିବ ମହାନଦୀ ପଠା । ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଉପର ଓ ତଳ ବାଲିଯାତ୍ରା ପଡିଆରେ ପଡ଼ିବ ବିପଣୀ । ଏଥିପାଇଁ ସୋମବାରଠାରୁ ପୃଷ୍ଠପୋଷକଙ୍କ ପାଇଁ ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଆରମ୍ଭ ହୋଇଛି । ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଛୋଟ ବ୍ୟବସାୟୀଙ୍କ ପାଇଁ ପଞ୍ଜୀକରଣ ହେବ । ପରେ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସ ଠାରେ ହେବ ପ୍ଲଟ ନିଲାମୀ ।

ଓଡ଼ିଶାର ଐତିହ୍ୟକୁ ବଞ୍ଚାଇ ରଖିଛି ବାଲିଯାତ୍ରା । ସାଧବ ପୁଅଙ୍କ ପରମ୍ପରାକୁ ମନେ ପକାଇ ଚାଲେ ବିଶାଳ ବିପଣୀ । କଟକ ମହାନଦୀ ଉପର ଓ ତଳ ପଡ଼ିଆରେ ଅନୁଷ୍ଠିତ ହୁଏ ଯାତ୍ରା । ଚଳତବର୍ଷ ନଭେମ୍ବର ୨୭ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ଏଥିପାଇଁ ଆରମ୍ଭ ହୋଇଛି ପ୍ଲଟ ଆବଣ୍ଟନ ପଞ୍ଜୀକରଣ । ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପ୍ରିମିୟମ୍ ଓ ଗୋଲ୍ଡ ପୃଷ୍ଠପୋଷକମାନଙ୍କ ପାଇଁ ପଞ୍ଜୀକରଣ ହେବ । ପ୍ରିମିୟମ ପୃଷ୍ଠପୋଷକ ୫ ହଜାରରୁ ୧୦ ହଜାର ବର୍ଗ ଫୁଟର ପ୍ଲଟ ନେଇ ପାରିବେ । ଗୋଲ୍ଡ ପୃଷ୍ଠପୋଷକ ପାଇଁ ରହିଛି ୧ ହଜାରରୁ ୫ ହଜାର ବର୍ଗ ଫୁଟର ପ୍ଲଟ । ଏଥିପାଇଁ ବର୍ଗଫୁଟ ପିଛା ୧ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ପରେ ୪ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ସାଧାରଣ ବ୍ଯବସାୟୀଙ୍କ ପାଇଁ ପଞ୍ଜୀକରଣ ହେବ । ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ବାରବାଟୀ ପ୍ୟାଲେସରେ ଦିନ ୧୧ ଟାରୁ ୫ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପ୍ଲଟ ନିଲାମ ।

ଚଳିତବର୍ଷ ବ୍ଯବସାୟୀଙ୍କ ପାଇଁ ବର୍ଗଫୁଟ ପିଛା ପ୍ଲଟର ଦାମ ସର୍ବନିମ୍ନ ୫୦ ଟଙ୍କା ରଖାଯାଇଛି । ଜଣେ ବ୍ଯବସାୟୀ ସର୍ବାଧିକ ୩ ଟି ଏକ ହଜାର ବର୍ଗ ଫୁଟର ପ୍ଲଟ ନେଇ ପାରିବେ । ଅନ୍ୟ ପକ୍ଷରେ ଦୋଳି ଓ ଅନ୍ୟ ଖେଳ ଧରି ଆସୁଥିବା ବ୍ୟବସାୟୀଙ୍କ ପାଇଁ ପ୍ଲଟ ଦର ବର୍ଗଫୁଟ ପିଛା ୩୦ ଟଙ୍କା ରଖାଯାଇଛି । ସେମାନେ ନିଲାମ ପୂର୍ବରୁ ପଞ୍ଜିକରଣ ବେଳେ ୨୫ ହଜାର ଟଙ୍କା ଜମା କରିବେ । ଦୋଳି ଓ ଅନ୍ଯ ଖେଳ ବ୍ୟୀବସାୟୀଙ୍କ ପାଇଁ ୧୬ ଓ ୧୭ ତାରିଖରେ ହେବ ପ୍ଲଟ ନିଲାମ । ପଞ୍ଜିକରଣର ପ୍ରଥମ ଦିନରୁ ବାଲିଯାତ୍ରା ଷ୍ଟଲ ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଆଗ୍ରହ ଦେଖା ଦେଇଛି।