୧୨୭ ନିର୍ମାଣ ଶ୍ରମିକ ଓ ତାଙ୍କ ପରିବାରକୁ ସହାୟତା ପ୍ରଦାନ

ଭୁବନେଶ୍ବର: ଭୁବନେଶ୍ବର ବ୍ଲକ, ଭୁବନେଶ୍ବର ମଧ୍ୟ ସମେତ ବାଲିଅନ୍ତା ଓ ବାଲିପାଟଣାର ୧୨୭ ଜଣ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ । ଏଥିରେ ୧୦ ଜଣଙ୍କୁ ୨ ଲକ୍ଷ ୧ ହଜାର ଟଙ୍କା ବ୍ୟୟରେ ଶିକ୍ଷା ସହାୟତା, ୩୪ ଜଣଙ୍କୁ ୧୫ ଲକ୍ଷ ୨୫ ହଜାର ବ୍ୟୟରେ ବିବାହ ସହାୟତା, ୬ ଜଣଙ୍କୁ ୬୦ହଜାର ଟଙ୍କା ବ୍ୟୟରେ ପ୍ରସୁତିକାଳୀନ ସହାୟତା, ୪୮ ପରିବାରକୁ ୯୪ ଲକ୍ଷ ବ୍ୟୟରେ ମୃତକଙ୍କ ନିକଟବର୍ତ୍ତୀ ଲୋକଙ୍କୁ ସହାୟତା ଓ ୨୯ ଜଣଙ୍କୁ ୧ ଲକ୍ଷ ୪୫ ହଜାର ବ୍ୟୟରେ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ରହିଛି । ସହାୟତା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ହିତାଧିକାରୀ ।

ଶିକ୍ଷାବୃତ୍ତି, ବିବାହ, ପ୍ରସୂତିକାଳୀନ, ସ୍ବାସ୍ଥ୍ୟ, ମୃତ୍ୟୁକାଳୀନ, ଅନ୍ତ୍ୟେଷ୍ଟିକ୍ରିୟା, ଦୁର୍ଘଟଣାଜନିତ ସହାୟତା । ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଏପରି କିଛି ସହାୟତା ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିସହ ନିର୍ମାଣ ଶ୍ରମିକ ପେନସନ୍ ଯୋଜନା, ଗ୍ରାମାଞ୍ଚଳ ନିର୍ମାଣ ଶ୍ରମିକଙ୍କ ପାଇଁ ନିର୍ମାଣ ଶ୍ରମିକ ପକ୍କାଘର, ସହରାଞ୍ଚଳରେ ପ୍ରବାସୀ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଆଶ୍ରୟ ଯୋଜନା, ସରକାରୀ ଶିକ୍ଷାନୁଷ୍ଠାନରେ ଆଇଟିଆଇ ଓ ପଲିଟେକନିକ୍ ଶିକ୍ଷା ପାଇଁ ନିର୍ମାଣ କୁସୁମ ନାଁରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି । ଏଥିରେ ରେକର୍ଡ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଆସନ୍ତା ମାର୍ଚ୍ଚ ଭିତରେ ଏକ ଲକ୍ଷ ନିର୍ମାଣ ଶ୍ରମିକ ଓ ତାଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ଟାର୍ଗେଟ ରଖିଛି ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ । ଏଥିପାଇଁ ୫୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯାଇଛି ।

ଗତବର୍ଷ ଏପ୍ରିଲ ପହିଲାରୁ ଆଜି ଯାଏଁ ସାରା ରାଜ୍ୟରେ ୭୯ ହଜାର ୨୬୮ ନିର୍ମାଣ ଶ୍ରମିକ ଓ ତାଙ୍କ ପରିବାର ଲୋକଙ୍କୁ ସହାୟତା ପ୍ରଦାନ କରାଯାଇଛି । ଯେଉଁଥିରେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ୪୦୬ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି । ସାରା ରାଜ୍ୟରେ ଏହି ସହାୟତା ପ୍ରଦାନ ମିଶନ ମୋଡରେ ଚାଲିଛି ।