ପାକିସ୍ତାନ ଗଣମାଧ୍ୟମରେ ଦାବି, ପାକିସ୍ତାନକୁ ବାଦ୍ ଦେଇ ଭାରତ ୫ ଏସୀୟ ଦେଶକୁ ନେଇ କରିପାରେ ଟୁର୍ଣ୍ଣାମେଣ୍ଟ

ଇସଲାମବାଦ: ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଦ୍ଦ ହୋଇପାରେ । ଏହି କଥା ପାକିସ୍ତାନ କ୍ରିକେଟ ବୋର୍ଡ ଉଦ୍ଦେଶ୍ୟରେ ପାକିସ୍ତାନ ମିଡିଆ ଦାବି କରିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏସିଆ କପ୍ ରଦ୍ଦ ହେବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପାଞ୍ଚ ଦେଶକୁ ନେଇ ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିବା ନେଇ ଯୋଜନା କରିଛି । ଏଥିରେ ପାକିସ୍ତାନକୁ ଛାଡ଼ି ଏସିଆର ଅନ୍ୟ ସମସ୍ତ ଟିମ୍ ଭାଗ ନେଇପାରେ । ଏସିଆ କପ୍ ରଦ୍ଦ ହେବା ନେଇ ଖବର ଆସିବା ପରେ ପାକିସ୍ତାନ କ୍ରକେଟ କଣ୍ଟ୍ରୋଲ ବୋର୍ଡର ଜଣେ ଅଧିକାରୀ ଏହାକୁ ଗୁଜବ ବୋଲି କହିଛନ୍ତି ।

ସେ କହିଛନ୍ତି ଏହା ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ । ଆଇସିସିର କ୍ୟାଲେଣ୍ଡରରେ ୨୦୨୩ରେ ହେବାକୁ ଥିବା ଏସିଆ କପର ଆୟୋଜନ ପାକିସ୍ତାନ କରିବାକୁ ଯାଉଛି । କ୍ୟାଲେଣ୍ଡର ଜାରି ହେବା କ୍ଷଣି ବିସିସିଆଇ ଏହା ସ୍ପଷ୍ଟ କରିଦେଇଥିଲା ଯେ ଭାରତୀୟ ଟିମ୍ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ । ବିସିସିଆଇ ଏସିଆ କପ୍ କୌଣସି ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ପାଇଁ କହିଥିଲା, କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ତାହା ମାନିନଥିଲା, କାରଣ ନିଜର ବିଗିଡ଼ିଥିବା ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ପାଇଁ ତାକୁ ଏସିଆ କପରୁ ଅନେକ ଆଶା ରହିଛି ।

ଅବଶ୍ୟ ପାକିସ୍ତାନ ଟୁର୍ଣ୍ଣାମେଣ୍ଟକୁ ହାଇବ୍ରିଡ ମଡେଲରେ କରାଇବାର ପ୍ରସ୍ତାବ ମଧ୍ୟ ଦେଇଛି । ଏହା ଅନୁଯାୟୀ ଭାରତର ମ୍ୟାଚ୍ ବାହାରେ କରାଯିବ ଏବଂ ବାକି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ହେବ । ଭାରତ ଯଦି ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ମଧ୍ୟ ପାକିସ୍ତାନ ବାହାରେ ହେବ । ଏହା ଉପରେ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ବୟାନ ଦିଆଯାଇନାହିଁ । ମଝିରେ ଖବର ଆସିଥିଲା ଯେ, ବାଂଲାଦେଶ ଏବଂ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ହାଇବ୍ରିଡ ମଡେଲରକୁ ବିରୋଧ କରିଥିଲେ । ସେମାନେ କହିଥିଲେ ଯେ ଏପରି ହେବାଦ୍ୱାରା ଟୁର୍ଣ୍ଣାମେଣ୍ଟର ଖର୍ଚ୍ଚ ବଢିବ ଏବଂ ରେଭେନ୍ୟୁରେ ତାଙ୍କର ସେୟାର ମଧ୍ୟ କମିଯିବ ।

ନିକଟରେ ବିସିସିଆଇ ସଚିବ ଏବଂ ଏସିଆ କ୍ରିକେଟ କାଉନ୍ସିଲର ଅଧ୍ୟକ୍ଷ ଜୟ ଶାହ କହିଥିଲେ ଯେ ଏସିଆ କପରେ ଟିମ ଇଣ୍ଡିଆର ମ୍ୟାଚ ପାକିସ୍ତାନ ବଦଳରେ ଅନ୍ୟ ଦେଶରେ କରାଇବାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଅନ୍ୟ ଦେଶଠୁ ମଧ୍ୟ ସେମାନଙ୍କ ପିଡବ୍ୟାକ୍ ନିଆଯାଉଛି । ସେହି ଫିଡବ୍ୟାକ୍ ଆଧାରରେ ହିଁ ଆଗାମୀ ନିଷ୍ପତ୍ତି ନିଆଯିବ । ସୂଚନାଥାଉକି, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଶେଷଥର ପାଇଁ ୨୦୧୩ରେ ଭାରତରେ ହୋଇଥିଲା ।