ବିରୋଧୀ ଏକତାକୁ ଝଟକା; ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ସମର୍ଥନ ନଦେଲେ ବୈଠକକୁ ବହିଷ୍କାର କରିବ ଏଏପି

ନୂଆଦିଲ୍ଲୀ: ବିଜେପି ବିରୋଧରେ ଲୋକସଭା ନିର୍ବାଚନରେ ଏକଜୁଟ ହେବାପାଇଁ ପ୍ରୟାସରେ ଲାଗିଥିବା ବିରୋଧୀ ଦଳଗୁଡ଼ିକର ବୈଠକ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ପାଟନାରେ ଡକାଇଛନ୍ତି । ହେଲେ ଏହାର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟି (ଏଏପି) ଏକ ସର୍ତ୍ତ ରଖି ବହିଷ୍କାର ଧମକ ଦେଇଛି । ସର୍ବପ୍ରଥମେ ଅଧ୍ୟାଦେଶ ଉପରେ ଚର୍ଚ୍ଚା ଚାହୁଁଥିବା ଏଏପି କହିଛି ଯେ ଯଦି କାଲି ସୁଦ୍ଧା କଂଗ୍ରେସ ଦଳ ଅଧ୍ୟାଦେଶ ପ୍ରସଙ୍ଗରେ ସମର୍ଥନର ଘୋଷଣା ନକରେ ତେବେ ସେ ବୈଠକର ବହିସ୍କାର କରିବ । ଏଏପିରର ଜଣେ ସୂତ୍ର କହିଛନ୍ତି ଆପ୍ ଦଳ ତାର ଆଭିମୁଖ୍ୟ ବିରୋଧୀ ଦଳଗୁଡ଼ିକ ସାମ୍ନାରେ ସ୍ପଷ୍ଟ କରିଛି ।

ଯଦି କଂଗ୍ରେସ ରାଜ୍ୟସଭାରେ ଅଧ୍ୟାଦେଶ ଉପରେ ସମର୍ଥନ କରିବାର ଆଶ୍ୱାସନା ନଦିଏ ତେବେ ବିରୋଧୀଙ୍କ ବୈଠକକୁ ବହିଷ୍କାର କରାଯିବ । ସେହିପରି କଂଗ୍ରେସ ସହ ସମ୍ବନ୍ଧିତ ଜଣେ ସୂତ୍ର କହିଛନ୍ତି ଯେ ବିରୋଧୀଙ୍କ ବୈଠକରେ ଅଧ୍ୟାଦେଶ ପ୍ରସଙ୍ଗ ହିଁ ନାହିଁ, ବରଂ ବିଜେପିକୁ ହରାଇବା ଉପରେ ଚର୍ଚ୍ଚା ହେବ । ଏହା ପୂର୍ବରୁ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ ବିରୋଧୀ ନେତାଙ୍କୁ ଚିଠି ଲେଖି ଏହି ଦାବି ରଖିଥିଲେ ଯେ ବୈଠକରେ ସର୍ବପ୍ରଥମେ ଦିଲ୍ଲୀକୁ ନେଇ ଅଣାଯାଇଥିବା କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ଚର୍ଚ୍ଚା ହେଉ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେଜରିୱାଲ କହିଥିଲେ ଯେ ପାଟନା ବୈଠକରେ ସବୁ ଦଳ କଂଗ୍ରେସକୁ ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ କହିବା ଆବଶ୍ୟକ ।

କେଜରିୱାଲ ଅଧ୍ୟାଦେଶକୁ ଆଇନ ରୂପ ଦେବା ପାଇଁ ମୌସୁମୀ ଅଧିବେଶନରେ ସମ୍ଭାବିତ ବିଲକୁ ରାଜ୍ୟସଭାରେ ରୋକିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ତମାତ ବିରୋଧୀଦଳ ନେତାଙ୍କୁ ଭେଟି ସମର୍ଥନ ଲୋଡ଼ିଛନ୍ତି । କେଜରିୱାଲ ମଇ ମାସ ଶେଷ ଭାଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ସୁଦ୍ଧା ନା ଭେଟଘାଟର ସମୟ ଦେଇଛି ନା ଅଧ୍ୟାଦେଶ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଏପରି ସ୍ଥିତିରେ ଯଦି ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ କୁ କଂଗ୍ରେସ ସମର୍ଥନ ନଦିଏ ତେବେ ଦଳ ବିରୋଧୀ ଏକତାରୁ ଅଲଗା ହେବାର ଆଶଙ୍କା ଅଧିକ ଦେଖା ଦେଇଛି ।