ନୀରଜ ବର୍ଛା ଫୋପାଡି ଭାରତକୁ ଦେଲେ ସ୍ୱର୍ଣ୍ଣ,ଏବେ ଦେଶ ଦେଉଛି ସୁନାପୁଅକୁ ଉପହାର

1 min read

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ପାଇଛି । ଆଉ ଏହା ସମ୍ଭବ ହୋଇଛି ନୀରଜ ଚୋପ୍ରାଙ୍କ ପାଇଁ । ନୀରଜଙ୍କ ସ୍ୱର୍ଣ୍ଣ ଭାରତକୁ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଛି । ଅନ୍ୟପକ୍ଷରେ ଦେଶ ନୀରଜଙ୍କୁ ପୁରସ୍କାର ଦେବାରେ କୃପଣତା ଦେଖାଉନାହିଁ । ହରିଆନା ତାଙ୍କୁ ୬ କୋଟି ଟଙ୍କା ସହିତ କ୍ଲାସ୍ ୱାନ୍ ସରକାରୀ ଚାକିରି ଦେବାକୁ ଘୋଷଣା କରିଥିବା ବେଳେ ପଞ୍ଜାବ ସରକାର ତାଙ୍କୁ ଦୁଇ କୋଟି ଟଙ୍କାର ନଗଦ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି । ଦୁଇ କୋଟି ଟଙ୍କା ଦେବାକୁ ଘୋଷଣା କରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କହିଛନ୍ତି ଯେ, ନୀରଜ ହରିଆନାର ପୁଅ କିନ୍ତୁ ପଂଜାବ ସହିତ ରହିଛି ତାଙ୍କର ସ୍ୱତନ୍ତ୍ର ସମ୍ପର୍କ । ଏମିତିରେ ଆମେ ତାଙ୍କୁ ସମ୍ମାନିତ କରି ଗର୍ବିତ ।
ପଞ୍ଜାବ ଯଦି ତାଙ୍କୁ ଦୁଇ କୋଟି ଟଙ୍କା ଦେଉଛି ତେବେ ମଣିପୁର ମଧ୍ୟ ପଛରେ ନାହିଁ । ମଣିପୁର କ୍ୟାବିନେଟ୍ ତାଙ୍କୁ ୧ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ସେପଟେ ଆଇପିଏଲ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ ନୀରଜଙ୍କୁ ଏକ କୋଟି ଟଙ୍କା ଦେବ ବୋଲି ଘୋଷଣ କରିଛି । ଏହା ସହିତ ନୀରଜଙ୍କୁ ସମ୍ମାନ ଜଣାଇ ସୁପରକିଙ୍ଗସ ୮୭୫୮ ସଂଖ୍ୟାରେ ଏକ ବିଶେଷ ଜର୍ସି ତିଆରି କରିବ ବୋଲି କହିଛି । ସୂଚନାଯୋଗ୍ୟ ଯେ, ନୀରଜ ଏହି ସଂଖ୍ୟା ଲିଖିତ ଜର୍ସି ପିନ୍ଧି ଟୋକିଓରେ ଦେଶର ଟେକ ରଖିଥିଲେ ।
ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ବିସିସିଆଇ ମଧ୍ୟ ନୀରଜଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ଏହା ସହିତ ମୀରାବାଇ, ରବି ଦହିୟାଙ୍କୁ ୫୦ ଲକ୍ଷ ଟଙ୍କା ଓ ସିନ୍ଧୁ ତଥା ବଜରଙ୍ଗ ପୁନିଆଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ବିସିସିଆଇ ଘୋଷଣା କରିଛି ।
ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟ ନୀରଜଙ୍କ ପାଇଁ ବିଶେଷ ପୁରସ୍କାର ଘୋଷଣା କରିଛି । ଇଣ୍ଡିଗୋ ନୀରଜଙ୍କୁ ବର୍ଷକ ପାଇଁ ଫ୍ରି ଏୟାର ଟିକେଟ୍ ଦେବାକୁ ଘୋଷଣା କରିଛି ।

ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନୀରଜଙ୍କୁ ଗୋଟିଏ ଲଗଜରି କାର ଦେବାକୁ ଘୋଷଣା କରିଛନ୍ତି । XUV700 କାର ମହିନ୍ଦ୍ରା ଚେୟାରମ୍ୟାନ୍ ଦିଅନ୍ତୁ ବୋଲି ଲେଖି ଜଣେ ଟ୍ୱିଟର ୟୁଜର ମହିନ୍ଦ୍ରାଙ୍କୁ ଟ୍ୟାଗ୍ କରିଥିଲେ । ଯାହାର ଉତ୍ତର ଦେଇ ଆନନ୍ଦ ଲେଖିଥିଲେ ଯେ, ହଁ ନିଶ୍ଚିତ ଭାବେ ଆମ ଗୋଲ୍ଡେନ ଆଥଲେଟଙ୍କୁ ଏକ ମହିନ୍ଦ୍ରା XUV700 କାର ଦେବା ବ୍ୟକ୍ତିଗତ ଭାବେ ମୋର ସୌଭଗ୍ୟ ଓ ସମ୍ମାନ ହେବ । ଏଭଳି ଲେଖି ଆନନ୍ଦ ମହିନ୍ଦ୍ରା ନିଜ କମ୍ପାନୀର ଡାଇରେକ୍ଟରଙ୍କୁ ଟ୍ୟାଗ୍ କରିଥିଲେ । ଆଉ ଲେଖିଥିଲେ ,ନୀରଜଙ୍କ ପାଇଁ ଗୋଟିଏ କାର ପ୍ରସ୍ତୁତ ରଖାଯାଉ ।
ଏଜୁକେସନ୍ ଆପ୍ ବାୟଜୁ ନୀରଜଙ୍କୁ ଦୁଇ କୋଟି ଟଙ୍କା ଦେବାକୁ ଘୋଷଣା କରିଛି । ବାୟଜୁ ବାକି ପଦକ ବିଜେତାଙ୍କୁ ଏକ-ଏକ କୋଟି ଦେବ ।
ବର୍ତ୍ତମାନ ପର୍ଯ୍ୟନ୍ତ ନୀରଜଙ୍କୁ ନ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଛି । ଆଗକୁ ଏହି ଧନରାଶି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ପଦକ ଜିତିବା ପରେ ନୀରଜ ଏହାକୁ ପୂର୍ବତନ ଆଥଲେଟ୍ ସ୍ୱର୍ଗୀୟ ମିଲଖା ସିଂଙ୍କୁ ସମର୍ପିତ କରିଥିଲେ ।

Leave a Reply