ବିଜେଡି ନେତାଙ୍କ ବିଜେପି ପ୍ରୀତି ଅଭିଯୋଗ: ପ୍ରବଳ ବିରୋଧର ସମ୍ମୁଖୀନ ହେଲେ ପୂର୍ବତନ ବିଧାୟକ ରଘୁନାଥ

ଚିଲିକା: ବିଜେଡିରେ ଥାଇ ବିଜେପି ପ୍ରୀତି ଅଭିଯୋଗ। ଚିଲିକାରେ ଘର ଢିଙ୍କି କୁମ୍ଭୀର ସାଜିଛନ୍ତି ପୂର୍ବତନ ବିଧାୟକ ରଘୁନାଥ ସାହୁ । ବିଜେଡିରେ ଥାଇ ମଧ୍ୟ ଦଳୀୟ ପ୍ରାର୍ଥୀ ଓ ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ କରୁଛନ୍ତି ପ୍ରଚାର । ଏହାକୁ ନେଇ ଚିଲିକା ନିର୍ବାଚନ ମଣ୍ଡଳୀର କୁମାରାଙ୍ଗ ପଞ୍ଚାୟତରେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି ରଘୁ ସାହୁ ।

ବିଜେପି ସମର୍ଥିତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ସେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଏପରିକି ପଞ୍ଚାୟତ ଗସ୍ତ ପୂର୍ବରୁ ରଘୁ ସାହୁ ବିଜେପି କର୍ମୀଙ୍କୁ ଆଗୁଆ ଖବର ଦେଇଥିବା ଅଭିଯୋଗ ହୋଇଛି । ରଘୁ ସାହୁ ବିଜେପି କର୍ମୀଙ୍କୁ ସହଯୋଗର ପ୍ରତିଶ୍ରୁତି ସହ ଆଗୁଆ ସୂଚନା ଦେଇ କୁମାରାଙ୍ଗ ପଞ୍ଚାୟତକୁ ଆସିଥିବା ବେଳେ ଗୋବିନ୍ଦପୁର ଗାଁରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ।

ରଘୁ ସାହୁ ବିଜେପି ସହ ଭିତିରି ସାଲିସ କରିଥିବା ଅଭିଯୋଗ ହୋଇଛି । ଗତ ନିର୍ବାଚନରେ ସେ ବିଜେଡିରୁ ପ୍ରାର୍ଥୀ ହୋଇନଥିବାରୁ ପଞ୍ଚାୟତ ନିର୍ବାଚନରେ ରାଗ ଶୁଝାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଜେଡି ନେତା । ରଘୁ ସାହୁଙ୍କ ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୋବିନ୍ଦପୁର ଗାଁରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ବାଲୁଗାଁ ଏସଡିପିଓ ଏବଂ ବାଣପୁର ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଆୟତ୍ତ କରିଛନ୍ତି। ସେପଟେ ଏତେ ବିରୋଧ ପରେ ବି ରଘୁ ସାହୁ କହୁଛନ୍ତି, ତାଙ୍କୁ କାହିଁକି ବିରୋଧ କରାଗଲା ସେ ଜାଣିନାହାନ୍ତି ।

Leave a Reply