ସ୍କୁଲରେ ହୋଇଥିବା ବିସ୍ଫୋରଣରେ ୨୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ଏକ ହାଇସ୍କୁଲ ତିନି ତିନିଟି ବିସ୍ଫୋରଣ । ପ୍ରାରମ୍ଭିକ ସୂଚନା ଅନୁସାରେ ବିସ୍ଫୋରଣରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଫଗାନ ସୁରକ୍ଷା ଓ ସ୍ବାସ୍ଥ୍ୟ ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି । ସଂଖ୍ୟାଲଘୁ ସିହା ହାଜରା ସଂପ୍ରଦାୟକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଥିବା କୁହାଯାଉଛି ।

 ବିସ୍ଫୋରଣ ପଛରେ କାହାର ହାତ ଅଛି, ତାହା ଏଯାଏ ଜଣାପଡିନାହିଁ । କିନ୍ତୁ ସୁନ୍ନୀବହୁଳ ଆଫଗାନିସ୍ତାନରେ ସଂଖ୍ୟାଲଘୁ ସିହା ସଂପ୍ରଦାୟ ଆକ୍ରମଣର ଶୀକାର ହୁଅନ୍ତି । ଗତବର୍ଷ ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟ ହଟିବା ପରେ ପ୍ରଥମ ଥର ପାଇଁ ଏଭଳି ବିସ୍ଫୋରଣ ହୋଇଛି । ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲେ ମଧ୍ୟ କିଛି ଅଞ୍ଚଳରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସକ୍ରିୟ ଅଛନ୍ତି ।

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଆଜି ସକାଳେ ସ୍କୁଲକୁ ଛାତ୍ରମାନେ ଆସୁଥିଲେ । ଶ୍ରେଣୀ ଆରମ୍ଭ ହେବା ସମୟ ପାଖେଇ ଆସୁଥିବାରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ସ୍କୁଲ ବାହାରେ ଥିଲେ । ଆଉ ଏହି ସମୟରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପରେ ଯେତେବେଳେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଉଥିଲା, ସେହି ସମୟରେ ଦ୍ଵିତୀୟ ବିସ୍ଫୋରଣ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି ।