ଦୂତାବାସ ପୂର୍ବତନ ରାଷ୍ଟ୍ରପତି ଗନିଙ୍କ ଫଟୋ କାଢି ଫୋପାଡି ଦେଲା, କହିଲା ସାଲେହ ଆମ ରାଷ୍ଟ୍ରପତି

ଦୁସାଁବେ (ତାଜିକସ୍ତାନ) : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସି ସାରିଥିବା ବେଳେ ପୁରୁଣା ସରକାରର ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସମ୍ବିଧାନ ଅନୁସାରେ ନିଜକୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ଯାହାର ପ୍ରଭାବ ଏବେ ଦେଶ ବାହାରେ ଦେଖିବାକୁ ମିଳିଛି । ତାଜିକସ୍ତାନ ସ୍ଥିତ ଆଫଗାନ ଦୂତାବାସ ପୂର୍ବତନ ରାଷ୍ଟ୍ରପତି ଅଶରଫ ଗନିଙ୍କ ଫଟୋକୁ କାଢି ଫୋପାଡି ଦେଇଛି । ଦୂତାବାସ କର୍ମଚାରୀ ଗନିଙ୍କ ଫଟୋ ସ୍ଥାନରେ ସାଲେହଙ୍କ ଫଟୋ ଲଗାଇଛନ୍ତି । ଏହା ସହିତ ସାଲେହଙ୍କ ଫଟୋ ପାଖରେ ପଞ୍ଜଶିରର ବାଘ ଭାବେ ପରିଚିତ କମାଣ୍ଡର ଅହମଦ ଶାହ ମସୁଦଙ୍କ ଫଟୋକୁ ଦୂତାବାସ ଲଗାଇଛି । ତାଜିକସ୍ତାନ ତାଜିକଙ୍କ ଦେଶ ହୋଇଥିବା ବେଳେ ସାଲେହ ତାଜିକ ମୂଳର । ଦୂତାବାସର ଏଭଳି କାମ ତାଲିବାନକୁ କ୍ଷୁବ୍ଧ କରିବା ପକ୍କା ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ସାଲେହ ନର୍ଦ୍ଦନ ଆଲାଏନ୍ସ ଭଳି ଆଫଗାନିସ୍ତାନୀ ନାଗରିକଙ୍କୁ ତାଲିବାନ ବିରୋଧରେ ଛିଡା ହେବାକୁ ଆହ୍ୱାନ କରିଛନ୍ତି । ସାଲେହ ସମ୍ବିଧାନର ସେହି ନିୟମ ଅନୁସାରେ ନିଜକୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି ଯାହା ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି,ଦେଶରୁ ପଳାୟନ କିମ୍ବା ମୃତ୍ୟୁ ଭଳି ପରିସ୍ଥିତିରେ ଉପରାଷ୍ଟ୍ରପତି ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ହେବେ । ସାଲେହ କହିଛନ୍ତି ଯେ, ସେ ବର୍ତ୍ତମାନ ଦେଶ ଭିତରେ ଅଛନ୍ତି ଓ ସମସ୍ତ ତାଲିବାନ ବିରୋଧୀ ନେତାଙ୍କ ସମ୍ପର୍କରେ ଅଛନ୍ତି ।

ଅମରୁଲ୍ଲା ସାଲେହ କିଏ ?
ପିଲା ବେଳେ ଅନାଥ ହୋଇଥିବା ସାଲେହ ଗରିଲ୍ଲା କମାଣ୍ଡର ମାସୁଦଙ୍କ ସହିତ ସୋଭିଏତ ଋଷ ବିରୋଧରେ ଯୁଦ୍ଧ ଲଢିଥିଲେ । ଏହା ପରେ ସେ ଆଫଗାନିସ୍ତାନ ସରକାର ପାଇଁ କାମ କରିଥିଲେ । ହମିଦ କାର୍ଜାଇ ସରକାର ଅମଳରେ ସେ ଦେଶର ଗୁଇନ୍ଦା ବିଭାଗର ମୁଖ୍ୟ ଥିଲେ । ୨୦୦୧ରେ ଆମେରିକା ଉପରେ ଅଲକାଏଦା ଆକ୍ରମଣ ପରେ ସେ ଆମରିକା ଗୁଇନ୍ଦା ଏଜେନ୍ସି ସିଆଇଏ ସମ୍ପର୍କରେ ଆସିଥିଲେ । ଆମେରିକାର ଆଫଗାନିସ୍ତାନ ଆକ୍ରମଣ କାଳରେ ସେ ତାଲିବାନ ବିରୋଧରେ ଲଢିଥିଲେ ।

Leave a Reply