ସଂସଦ ଭବନ ବାହାରେ ଜେପିସି ଗଠନ ଦାବିରେ ବିରୋଧୀଙ୍କ ମାନବ ଶୃଙ୍ଖଳ

1 min read

ନୂଆଦିଲ୍ଲୀ : ଆଜି ବି ସଂସଦରେ ହଙ୍ଗାମା । ଆରମ୍ଭରୁ ଆଦାନୀ ପ୍ରସଙ୍ଗରେ ତାତିଲା ଗୃହ । ବିଜେପି- ଆଦାନୀ ଭାଇ ଭାଇ ନାରାରେ କମ୍ପିଲା ପାର୍ଲାମେଣ୍ଟ । ଜେପିସି ଗଠନ ଦାବିରେ ବିରୋଧୀ ସାଂସଦଙ୍କ ହଲ୍ଲାବୋଲ ପରେ ଉଭୟ ଗୃହକୁ ମୁଲତବି କରି ଦିଆଯାଇଛି । ଯୁଗ୍ମ ସଂସଦୀୟ କମିଟି ଗଠନ ଦାବିରେ ସଂସଦ ଭବନ ବାହାରେ ବିରୋଧୀ ସାଂସଦମାନେ ମାନବ ଶୃଙ୍ଖଳ ଗଠନ କରିଛନ୍ତି ।

ନାରାବାଜି ହଟ୍ଟଗୋଳ ଭିତରେ ବିଦେଶ ଗସ୍ତରୁ ଫେରିବା ପରେ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲଣ୍ଡନରେ ଭାରତ ବିରୋଧୀ ମନ୍ତବ୍ୟ ଦୋଇନାହିଁ ଓ ଯଦି ଅନୁମତି ମିଳେ ସମାନ ବୟାନ ସଂସଦରେ ମଧ୍ୟ ରଖିବି ବୋଲି ରାହୁଲ ଗଣମାଧ୍ୟମକୁ କହିଛନ୍ତି ।

ସେପଟେ ଉଭୟ ଗୃହକାର୍ଯ୍ୟ ସ୍ଥଗିତ ହେବାକୁ ନେଇ ଶାସକ ଦଳ ବା ଭାରତୀୟ ଜନତା ପାର୍ଟିକୁ ଦାୟୀ କରିଛି କଂଗ୍ରେସ । ଗୃହରେ ଚର୍ଚ୍ଚା, ଆଲୋଚନା ଚାହୁଁନି ବିଜେପି । ଜାଣିଶୁଣି ଶାସକ ଦଳର ସାଂସଦ ଗୃହ ଚଲାଇ ଦେଉନାହାନ୍ତି ବୋଲି କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି ।