ବିବାହ ଶୋଭାଯାତ୍ରା ବେଳେ ମାଡ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥର କୁଡ଼ିଆ ଘାଟି ଷଠୀଘର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବରାଯାତ୍ରୀଙ୍କୁ ଦଳି ଦେଲା ଟ୍ରକ୍‌ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟ ମାନପୁର ଗାଁରୁ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍ ଦ୍ରୁତବେଗରେ ଆସି ଟ୍ରକ୍‌ ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ମୃତକମାନେ ମାନପୁର ଗାଁର ଜିତ୍ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତି ମୁଣ୍ଡା ଓ ଷଠୀଘରର ଅମିତ ପାତ୍ର ଏବଂ କେଉଟସାହିର ବାପୁନ ଦେହୁରୀ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଫ୍ଲାଏ ଓଭର ନିର୍ମାଣ ହେଉନଥିବାରୁ ଦୁର୍ଘଟଣା ଘଟୁଛି । ଏହାର ପ୍ରତିବାଦରେ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକ ।