spot_img

Latest Posts

ରାଜ୍ୟକୁ ଅନୁଦାନ କମିଲା ହେଲେ ଶ୍ରମିକଙ୍କ ପାଇଁ ହାତ ଖୋଲିଲେ କେନ୍ଦ୍ର ସରକାର

କରୋନା ମହାମାରୀ ପ୍ରଭାବରେ ଅର୍ଥନୀତି ନିମ୍ନଗାମୀ ହେଉଛି । କେନ୍ଦ୍ରୀୟ ରାଜସ୍ୱ ପ୍ରଭାବିତ ହୋଇଛି । ଏଣୁ ବାଧ୍ୟ ହୋଇ କେନ୍ଦ୍ର ସରକାର ମାପିଚୁପି ରାଜ୍ୟକୁ କେନ୍ଦ୍ରୀୟ ସହାୟତା ଦେଉଛି । ତେବେ ପ୍ରାୟ ସମସ୍ତ ଯୋଜନା ବାବଦକୁ ରାଜ୍ୟକୁ ମିଳୁଥିବା ଅର୍ଥ କମିଥିବା ବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ ରୋଜଗାର ଆଇନ୍‍ (ଏମ୍‍ଜିନରେଗା) ଏବଂ ଗରିବ ରୋଜଗାର କଲ୍ୟାଣ ଅଭିଯାନ (ଜିକେଆରଏ) ଭଳି ରୋଜଗାର ଭିତ୍ତିକ ଯୋଜନାର ଅର୍ଥକୁ କାଟଛାଟ ନକରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି ।

ଏପ୍ରିଲ ଓ ମଇ ମାସରେ କେନ୍ଦ୍ର ସରକାର ଠିକଣା ଭାବେ ଅର୍ଥ ଯୋଗାଉଥିଲା । ଜୁନ ମାସରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଆହୁରି ଅର୍ଥ କାଟ ହୋଇପାରେ ବୋଲି ଅନୁମାନ ହେଉଛି । ଅନ୍ୟପକ୍ଷରେ ଏମ୍‍ଜିନରେଗା ଯୋଜନାକୁ ନେଇ ସରକାର ନିଜର ସ୍ପଷ୍ଟ ଆଭିମୁଖ୍ୟ ରଖି ସାରିଛନ୍ତି  । ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ଗୋଷ୍ଠୀ ହେଲେ ଶ୍ରମିକ । ଏଣୁ ଶ୍ରମିକଙ୍କ ବାବଦକୁ ହେଉଥିବା ବ୍ୟୟବରାଦ କମିବା ବଦଳରେ ବଢିବା ନେଇ କେନ୍ଦ୍ର ସରକାର କହିଛନ୍ତି ।

ତେବେ ଏବେ ପ୍ରବାସୀ ଶ୍ରମିକମାନେ ଅଣସଙ୍ଗଠିତ କାର୍ଯ୍ୟକ୍ଷେତ୍ର ଛାଡି ଏବେ ନିଜ ନିଜ ରାଜ୍ୟକୁ ଫେରି ସାରିଛନ୍ତି । ତେଣୁ ସେମାନେ ମଧ୍ୟ ଏମ୍‍ଜିନରେଗା ଯୋଜନାରେ ସାମିଲ ହେବା ଆବଶ୍ୟକ । କେନ୍ଦ୍ର ସରକାର ସେମାନଙ୍କ ଉଦ୍ଦେଶ୍ୟରେ ଅଗ୍ରୀଣ ୫ଶହ କୋଟି ଟଙ୍କା ଖର୍ଚ୍ଚ କରିବା ସବୁ ରାଜ୍ୟକୁ ଅନୁମତି ଦେଇଛନ୍ତି । ରାଜ୍ୟ ସରକାରଗୁଡିକ ଏହି ଅର୍ଥକୁ ଆଗୁଆ ଭାବେ ଶ୍ରମିକଙ୍କ କାମ ଦେବା କ୍ଷେତ୍ରରେ ନିୟୋଜନ କରିପାରିବେ ।

ସେହିଭଳି ପ୍ରବାସୀଙ୍କ କ୍ଷେତ୍ରରେ ସରକାରଙ୍କ ଉଚ୍ଚାରଣ ଓ ଆଚରଣ ମଧ୍ୟରେ ସାମଞ୍ଜସ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷର ଏମ୍‍ଜିନରେଗା ବାବଦକୁ ବ୍ୟୟ ବରାଦ ପ୍ରଥମେ ୬୧ ହଜାର ୫ଶହ କୋଟି ଟଙ୍କା ରହିଥିଲା ଏବେ ଏହାକୁ ବଢାଇ ୧ଲକ୍ଷ ୧ହଜାର ୫ଶହ କୋଟି କରାଯାଇଛି । ଯୋଜନାରେ ସର୍ବମୋଟ୍ ୪୦ହଜାର କୋଟି ବୃଦ୍ଧି ପାଇଥିବା ହେତୁ ଓଡିଶାକୁ ଚଳିତ ବର୍ଷ ୨ହଜାର କୋଟି ଅଧିକ ମିଳିବ ।  ଅନୁରୂପ ଭାବେ ରୋଜଗାର ଭିତ୍ତିକ କେନ୍ଦ୍ରୀୟ ଯୋଜନା (ଜିକେଆରଏ) ମଧ୍ୟ ଅର୍ଥାଭାବ ଯୋଗୁଁ ପ୍ରଭାବିତ ହେବନାହିଁ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ସଚିବ ନଗେନ୍ଦ୍ର ନାଥ ସିହ୍ନା ସ୍ପଷ୍ଟ କରିଛନ୍ତି ଯେ ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦିଆଯିବ । ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ବଲାଙ୍ଗିର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଏହି ତାଲିକାରେ ରହିଛି ।

Latest Posts

Don't Miss