ନନ୍ଦିଘୋଷ ବ୍ୟୁରୋ : ଇରାନ ଉପରେ ଆମେରିକାର ଆକ୍ରମଣ । ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଚାଲିଥିବାବେଳେ ଆକ୍ରମଣ । ଇରାନ ଅଧୀନସ୍ଥ କେସମ ଦ୍ବୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ। ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି ସତ୍ୟ। ତେହରାନ ସହ ଚୁକ୍ତି ହୋଇପାରେ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିବା ପରେ ପରେ ହୋଇଛି ହମଲା। ହର୍ମୁଜ ପ୍ରଣାଳୀ ସଂଲଗ୍ନ ଅଞ୍ଚଳରେ ରହିଛି କେସମ ଦ୍ବୀପ। ଏହି ହମଲା ପରେ ପରେ ହର୍ମୁଜ ପୁଣି ଅଶାନ୍ତ ବଳୟକୁ ଠେଲି ହୋଇଯାଇଛି। ଖୁବ୍ ଶୀଘ୍ର ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। କେସମ ଦ୍ବୀପର ସୁଜା ସହର ନିକଟରେ ଆମେରିକାର ମିସାଇଲ ହମଲା ହୋଇଛି। ହମଲା ପରେ କ୍ଷୟକ୍ଷତିର ଆକଳନ କରୁଛନ୍ତି ଇରାନ କର୍ତ୍ତୃପକ୍ଷ। ପାରସ୍ୟ ଉପସାଗରରେ କେସମ ହେଉଛି ସବୁଠାରୁ ବଡ଼ ଦ୍ବୀପ। ହର୍ମୁଜ ପ୍ରଣାଳୀର ପ୍ରବେଶ ପଥ ବି କେସମ। ବିଶ୍ବରୁ ସବୁଠାରୁ ଷ୍ଟ୍ରାଟେଜିକାଲ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ହେଉଛି କେସମ। ଏହି ଦ୍ବୀପ ଦେଇ ବିଶ୍ବର ଏକ ପଞ୍ଚମାଂଶ ତୈଳ ଯୋଗାଣ ହୋଇଥାଏ। ଏହି ଦ୍ବୀପରେ ବି ରହିଛି ଇରାନର ବହୁ ସାମରିକ ଦୃଷ୍ଟିରୁ ପ୍ରମୁଖ ସ୍ଥଳ। ଆମେରିକାର ଏହି ହମଲାକୁ ସମାଲୋଚନା କରିଛନ୍ତି ଇରାନ ସରକାର।

