spot_img

Latest Posts

ଭାରତ ଆସିବାକୁ ମିଳିଲାନି ଅନୁମତି: ଓହରିଗଲା ପାକିସ୍ତାନ୍ !

ନନ୍ଦିଘୋଷ ବ୍ୟୁରୋ: ଫଛକୁ ହଟିଲା ପାକିସ୍ତାନ୍ । ଅନୁମତି ନମିଳିବାରୁ ଭାରତ ଆସିବାକୁ ମନା କଲା ! ପାକିସ୍ତାନର ପଛଘୁଞ୍ଚା ପରେ ବାଂଲାଦେଶକୁ ମିଳିଲା ଚାନ୍ସ ।  ଭାରତ ଗସ୍ତ ପାଇଁ ଆବଶ୍ୟକ ସରକାରୀ ଅନୁମତି ପାଇବାରେ ବିଫଳ ହେବା ପରେ ପାକିସ୍ତାନ ଆନୁଷ୍ଠାନିକ ଭାବେ ‘ପୁରୁଷ ଏସୀୟ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬’ରୁ ଓହରି ଯାଇଛି । ଫଳରେ ଛଅଟି ଦଳ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶକୁ ସାମିଲ କରାଯାଇଛି । ଏହି ଛଅ ଦଳ ବିଶିଷ୍ଟ ପ୍ରତିଯୋଗିତାରେ ଭାରତ, ବାଂଲାଦେଶ, ମାଲେସିଆ, ଜାପାନ, ଦକ୍ଷିଣ କୋରିଆ ଏବଂ ଚୀନ ସାମିଲ ଅଛନ୍ତି । ଆସନ୍ତା ଅକ୍ଟୋବର ୨୭ ରୁ ନଭେମ୍ବର ୫ଯାଏଁ ଏସିଆନ୍ ହକି ଚାମ୍ପିଅନସିପ୍ ପଞ୍ଜାବର ଜଲନ୍ଧର ଏବଂ ମୋହାଲିରେ ଅନୁଷ୍ଠିତ ହେବ। ପାକିସ୍ତାନ ହକି ଫେଡେରେସନ୍ କହିଛି ଯେ ସେମାନଙ୍କ ଅଂଶଗ୍ରହଣ ସମ୍ପୂର୍ଣ୍ଣ ଭାବେ ସରକାରଙ୍କଠାରୁ ମିଳିବାକୁ ଥିବା ଆନୁଷ୍ଠାନିକ ନିର୍ଦ୍ଦେଶ ଏବଂ ସୁରକ୍ଷା ଅନୁମତି ଉପରେ ନିର୍ଭର କରୁଥିଲା, ଯାହା ଶେଷରେ ମିଳିପାରି ନଥିଲା। ପ୍ରତିଯୋଗିତାରୁ ଓହରିବା ପୂର୍ବରୁ ପାକିସ୍ତାନ ଏସୀୟ ହକି ଫେଡେରେସନ୍ ଏବଂ ହକି ଇଣ୍ଡିଆ ନିକଟରେ ପାକିସ୍ତାନର ମ୍ୟାଚ୍ କିମ୍ବା ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଏକ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଅନୁରୋଧ କରିଥିଲା, କିନ୍ତୁ ସେହି ଅନୁରୋଧକୁ ଗ୍ରହଣ କରାଯାଇ ନଥିଲା।

ତେବେ ଜଳନ୍ଧରର ଅଲମ୍ପିଆନ୍ ସୁରଜିତ ସିଂହ ହକି ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପରେ ଭାରତ ବାଂଲାଦେଶ ବିପକ୍ଷରେ ଓପନିଂ ମ୍ୟାଚ୍ ଆରମ୍ଭ କରିବ । ଯାହାପରେ ଆୟୋଜକ ଦଳ ଅକ୍ଟୋବର ୨୯ରେ ଚୀନ୍, ଅକ୍ଟୋବର ୩୦ରେ ଜାପାନ୍, ନଭେମ୍ବର ୧ରେ ମାଲେସିଆ ଏବଂ ନଭେମ୍ବର ୨ରେ ଦକ୍ଷିଣ କୋରିଆ ସହ ମୁକାବିଲା କରିବ । ଭାରତର ସମସ୍ତ ପାଞ୍ଚଟି ଲିଗ୍ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଖେଳାଯିବ । ଦଳଗୁଡିକ ଏକକ-ରାଉଣ୍ଡ ରବିନ୍ ଫର୍ମାଟରେ ପ୍ରତିଦ୍ବନ୍ଦ୍ବିତା କରିବେ ଏବଂ ପ୍ରତ୍ୟେକ ପାଞ୍ଚଟି ମ୍ୟାଚ୍ ଖେଳିବେ । ସେଥିରୁ ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଯିବେ । ଯାହାପରେ ଟୁର୍ଣ୍ଣାମେଣ୍ଟଟି ମୋହାଲିର ଅଲିମ୍ପିଆନ୍ ବଲବୀର ସିଂହ ସିନିୟର ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମକୁ ସ୍ଥାନାନ୍ତରିତ ହେବ, ଯେଉଁଠାରେ ନଭେମ୍ବର ୪ରେ ସେମିଫାଇନାଲ ଅନୁଷ୍ଠିତ ହେବ ।  ସେହିଭଳି ବ୍ରୋଞ୍ଜ ପଦକ ମ୍ୟାଚ୍ ଏବଂ ଫାଇନାଲ ନଭେମ୍ବର ୫ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

Latest Posts

Don't Miss