spot_img

Latest Posts

ରାସ୍ତା ସାରା ମୃତ୍ୟୁର ଶିଡ଼ି

ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ଖୋଲିଦେଲା ରାସ୍ତା ଦୁର୍ନୀତିର ଗୁମର । ୪ ମାସ ଗଲାନି ୧୦ କୋଟି ଟଙ୍କାର ରାସ୍ତା । ମରଣଯନ୍ତା ପାଲଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ୍ତ ବିଭାଗ ରାସ୍ତା । ଖୋଳା ଠାରୁ ରଗଡାପାଟିଆ ୪ କିମି ରାସ୍ତା ପାଇଁ ୨୦୨୨ ମସିହାରେ ୧୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଗତ ମାର୍ଚ୍ଚ ମାସରେ କାମ ଶେଷ ହୋଇଛି । ହେଲେ ଅଧିକାଂଶ ରାସ୍ତା କଡ଼ରେ ମାଟି କି ମୋରମ ପଡ଼ିନି । ଅନେକ ସ୍ଥାନରେ ରାସ୍ତା ଦବିବା ସହ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଗତ ମାସ ୯ ତାରିଖରେ ଏକ ତେଲ ବୋଝେଇ ଟ୍ୟାଙ୍କର ରାସ୍ତା ତଳକୁ ଓଲଟି ପଡ଼ିଥିଲା । ପିଚୁ ଦବି ଯିବାରୁ ଟ୍ୟାଙ୍କର ଓଲଟି ପଡ଼ିଥିବା କୁହାଯାଉଛି । ଏପରି ଭୟଙ୍କର ଘଟଣା ବାରମ୍ବାର ଘଟୁଛି ।…

ରାସ୍ତାଟି ବିଶ୍ୱ ପ୍ରସିଦ୍ଧ ଭିତରକନିକାକୁ ସଂଯୋଗ କରୁଛି । ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଏହି ରାସ୍ତା ଦେଇ ଭିତରକନିକାକୁ ଯାଇଥାନ୍ତି । ମାତ୍ର ରାସ୍ତାର ଦୁରାବସ୍ଥା ପାଇଁ ଭିତରକନିକାକୁ ଆସିବାକୁ ପର୍ଯ୍ୟଟକ ଭୟ କଲେଣି । ରାସ୍ତା ନିର୍ମାଣ ସମୟରେ ରାସ୍ତା କଡ଼ରୁ ପଙ୍କ ମାଟି ଉଠାଇ କାର୍ଯ୍ୟ କରାଯାଇଥିଲା । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିଲେ । ଯାହା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି । ସ୍ଥାନୀୟ ଲୋକେ ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ନିମ୍ନମାନର କାମ ହୋଇଥିବା ସ୍ଵୀକାର କରିଛନ୍ତି ଜିଲ୍ଲାପାଳ ।…

ଗମନାଗମନ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଓ ଠିକା ସଂସ୍ଥା ପାଇଁ ଦୀର୍ଘ ମିଆଦି ଯୋଜନା ଭୁଶୁଡ଼ି ପଡୁଛି । ସରକାର କେବେ ଘଟଣାର ତଦନ୍ତ କରୁଛନ୍ତି ? କେବେ ଦୋଷୀ ମାନଙ୍କ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ ? ତାହା ଦେଖିବାକୁ ବାକି ରହିଲା ।

Latest Posts

Don't Miss