spot_img

Latest Posts

ପୁରୀରେ BRICS ସମ୍ମିଳନୀ: ପ୍ରତିନିଧିଙ୍କୁ ସ୍ୱାଗତ କଲେ ନବୀନ…

ଭୁବନେଶ୍ୱର: ପୁରୀରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ‘ବ୍ରିକ୍ସ ଡିସାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗୃପ ମିଟିଂ’କୁ ପ୍ରଶଂସା କରିଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆନ୍ତର୍ଜାତୀୟ ସମ୍ମିଳନୀ ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଥିବାରୁ ଜଣେ ଓଡ଼ିଆ ହିସାବରେ ସେ ବେଶ୍ ଗର୍ବିତ ବୋଲି ପ୍ରକାଶ କରିଛନ୍ତି।

ମହାବାତ୍ୟା ପରଠାରୁ ବଦଳିଛି ଓଡ଼ିଶାର ଚେହେରା:
ଏହି ଅବସରରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷମତାକୁ ମନେ ପକାଇ ନବୀନ କହିଛନ୍ତି ଯେ, ୧୯୯୯ ମସିହାର ମହାବାତ୍ୟା ପରଠାରୁ ଓଡ଼ିଶା ଅନେକ କିଛି ଶିଖିଛି। ଭୟାବହ ସମୟ ପରଠାରୁ ଓଡ଼ିଶା ଅତ୍ୟନ୍ତ ସାହସ ଓ ଦୃଢ଼ ମନୋବଳ ସହିତ ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି। ରାଜ୍ୟର ଏହି ସଫଳତା ପଛରେ ମାତ୍ର ଗୋଟିଏ ମନ୍ତ୍ର ରହିଛି, ତାହା ହେଉଛି “ପ୍ରତ୍ୟେକ ଜୀବନ ହେଉଛି ମୂଲ୍ୟବାନ” ।

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ବିଶ୍ୱପ୍ରସିଦ୍ଧ ‘ଜିରୋ କାଜୁଆଲିଟି ମଡେଲ’ (Zero Casualty Model) ମୂଳରେ ରହିଛି ସୁଦୃଢ଼ ଭିତ୍ତିଭୂମି ଏବଂ ଗୋଷ୍ଠୀଗତ ପ୍ରସ୍ତୁତି। ଦିନେ ଓଡ଼ିଶାକୁ କେବଳ ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ଦେଖାଯାଉଥିଲା, ହେଲେ ଆଜି ଆମର ପ୍ରସ୍ତୁତି ଯୋଗୁଁ ଓଡ଼ିଶା ସାରା ବିଶ୍ଵରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଆଲୋକ ବର୍ତ୍ତିକା ସଦୃଶ ଭାବେ ଉଭା ହୋଇଛି।

ଏହି ମେଗା ସମ୍ମିଳନୀରେ ଯୋଗ ଦେଇଥିବା BRICS ସମୂହର ସମସ୍ତ ବିଦେଶୀ ଓ ଦେଶୀ ପ୍ରତିନିଧିମାନଙ୍କୁ ଓଡ଼ିଶା ମାଟିକୁ ସ୍ଵାଗତ ଜଣାଇଛନ୍ତି ବିରୋଧୀ ଦଳ ନେତା। ଏହାସହ ଆଗାମୀ ଦିନରେ ଏକ ସୁରକ୍ଷିତ ଏବଂ ବିପର୍ଯ୍ୟୟ ସହନଶୀଳ ବିଶ୍ଵ ଗଠନ ଦିଗରେ ଏକାଠି ହୋଇ କାମ କରିବାକୁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି।

Latest Posts

Don't Miss