ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ପୁଣି ଏକ ବଡ଼ ସରଗରମ ଦେଖିବାକୁ ମିଳିଛି, ଯାହାର ଚେର ଏବେ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଇକମାଣ୍ଡଙ୍କ ଦରବାରରେ ହାଜର ହୋଇଛନ୍ତି। ସେ ୧୦ ଜନପଥ ଯାଇ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି।
ଅନ୍ୟପଟେ, ରାଜ୍ୟର ପରବର୍ତ୍ତୀ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାରେ ଥିବା ଡି.କେ. ଶିବକୁମାର ମଧ୍ୟ ଖୁବଶୀଘ୍ର ହାଇକମାଣ୍ଡଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ସମ୍ଭାବନା ରହିଛି।
ଆଜି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ଲାଗିପାରେ। ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ (CLP) ବୈଠକରେ ତାଙ୍କ ନାମକୁ ମଞ୍ଜୁରୀ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହି ସମ୍ଭାବନା ଭିତରେ ଭାବୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସମର୍ଥକ ଓ ନେତାଙ୍କ ପ୍ରବଳ ଭିଡ଼ ଜମିବାରେ ଲାଗିଛି।
ବୈଠକର ମୁଖ୍ୟ ପ୍ରସଙ୍ଗ:
ହାଇକମାଣ୍ଡଙ୍କ ସହ ହେବାକୁ ଥିବା ଏହି ଆଲୋଚନାରେ କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ, ବରଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ:
. ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଗଠନ
. ର୍ଣ୍ଣାଟକ ପିସିସି (KPCC)ର ନୂଆ ସଭାପତି ଚୟନ (ବର୍ତ୍ତମାନ ଶିବକୁମାର ଏହି ପଦରେ ଅଛନ୍ତି)
. ସାଂଗଠନିକ ପୁନର୍ଗଠନ
ପ୍ରାୟ ୩ ବର୍ଷ ଧରି ଶାସନ ଗାଦିରେ ରହିବା ପରେ ଗତକାଲି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ଣ୍ଣାଟକ ରାଜନୀତିରେ ଏହି ନାଟକୀୟ ପରିବର୍ତ୍ତନ ଘଟିଥିଲା। ତେବେ ଆଜି କର୍ଣ୍ଣାଟକ ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଇସ୍ତଫା ପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହା ସହିତ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆହୁରି ତେଜିଯାଇଛି।

