ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରୀ 1ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିବେ 2026-27 ବଜେଟ । ବଡ଼କଥା ହେଉଛି ଭାରତ ଇତିହାସରେ ଦ୍ବିତୀୟ ଥର ଲାଗି ରବିବାର ଦିନ ବଜେଟ ଆଗତ ହେବ । ବିଗତ 1999 ଫେବ୍ରୁଆରୀ 28 ରବିବାର ହୋଇଥିଲେ ବି ବଜେଟ ଆଗତ କରିଥିଲେ ତତକାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ।ବଜେଟ ଉପସ୍ଥାପନ ହେବାକୁ ଯାଉଥିବାରୁ ଷ୍ଟକ ମାର୍କେଟ ବି ଖୋଲା ରହିବ । ଏନେଇ ସ୍ବତନ୍ତ୍ର ଟ୍ରେଡିଂ ସେସନ ଲାଗି ଘୋଷଣା କରିଛନ୍ତି ବିଏସଇ ଓ ଏନଏସଇ । ଏହି ସେସନରେ ନିବେଶକମାନେ କେନ୍ଦ୍ର ବଜେଟ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିପାରିବେ ।
ତେବେ ପ୍ରଶ୍ନ ଉଠୁଛି କାହିଁକି ବଜେଟ ଆଗତ ଲାଗି ଫେବ୍ରୁଆରୀ 1କୁ ସ୍ଥିରୀକୃତ କରାଗଲା l ଏପ୍ରିଲ 1 ନୁଆ ଆର୍ଥିକ ବର୍ଷ ଆରମ୍ଭ ହେଉଥାଏ l ତା ପୂର୍ବରୁ ଆର୍ଥିକ ବ୍ୟବସ୍ଥାକୁ ସୁଗମ କରିବା ଲାଗି ଯଥେଷ୍ଟ ସମୟ ମିଳିଥାଏ l ପୂର୍ବରୁ ଫେବ୍ରୁଆରୀର ଶେଷ ଦିବସରେ ବଜେଟ ଆଗତ ହେଉଥିଲା l ମାତ୍ର 2017ରୁ ଫେବ୍ରୁଆରୀ 1ରେ ବଜେଟ ଆଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ସେହିବର୍ଷ ଫେବ୍ରୂଆରୀ 1ରେ ବଜେଟ ଆଗତ କରିଥିଲେ ଅରୁଣ ଜେଟଲି l ଏକ ନିର୍ଦ୍ଦିଷ୍ଟ ତାରିଖରେ ବଜେଟ ଆଗତ ହେଲେ ଆର୍ଥିକ ବ୍ୟବସ୍ଥା ସୁସଂହତ ହୋଇପାରିବ ବୋଲି ଧରାଯାଇଥିଲା l ନୂଆ ନୀତିକୁ କାର୍ଯ୍ୟକାରୀ କରିବା, ନୂଆ ଆର୍ଥିକ ବର୍ଷ ଲାଗି ପ୍ରସ୍ତୁତ ହେବା ସକାଶେ ଅଧିକ ସମୟ ପାଇବା ଲାଗି ଫେବ୍ରୁଆରୀ 1କୁ ସ୍ଥିର କରାଯାଇଥିଲା l ପୂର୍ବରୁ ଫେବ୍ରୁଆରୀ ଶେଷ ଦିନରେ ବଜେଟ ଆଗତ କରିବା ହେତୁ ଅନେକ ପ୍ରକ୍ରିୟାର ବିଳମ୍ବ ଘଟୁଥିଲା l ଫଳରେ ଅନେକ ନୀତି ସଂକ୍ରାନ୍ତ ନିଷ୍ପତ୍ତିର ବିଳମ୍ବ ଘଟୁଥିଲା l 1999 ଯାଏ ଫେବ୍ରୁଆରୀ ଶେଷ ଦିବସରେ ଅପରାହ୍ଣ 5ଟାରେ ବଜେଟ ଆଗତ ହେଉଥିଲା l 1999ରେ ପ୍ରଥମ ଥର ଲାଗି ବଜେଟକୁ ଦିନ 11ଟାରେ ଉପସ୍ଥାପନ କରାଯାଇଥିଲା l ବିଶେଷ କରି ମିଡିଆ କଭରେଜ ଓ ସର୍ବସାଧରଣଙ୍କ ଜ୍ଞାତ ଲାଗି ସମୟରେ ପରିବର୍ତ୍ତନ କରାଯାଇଥିଲା l

