ଭୁବନେଶ୍ବର : ଜାରି ରହିଛି ଇଣ୍ଡିଗୋ ବିଭ୍ରାଟ। ୬ ଶହରୁ ଅଧିକ ଫ୍ଲାଇଟ ବାତିଲ କରାଯାଇଛି। କେବଳ ଦିଲ୍ଲୀରୁ ୫ଶହ ଫ୍ଲାଇଟ ବାତିଲ ହୋଇଛି। ମୁମ୍ଵାଇ, ଦିଲ୍ଲୀ, ବେଙ୍ଗଳୁରୁ, ହାଇଦ୍ରାବାଦ, କୋଲକାତାରେ ଗୁରୁତର ଭାବେ ପ୍ରଭାବିତ ଏହାର ଅପରେସନ। ହଜାର ହଜାର ଯାତ୍ରୀ ହଇରାଣ ହୋଇଛନ୍ତି। ଏୟାରପୋର୍ଟରେ ସେମାନେ ଫସି ରହିଛନ୍ତି। ଏହି ବିଭ୍ରାଟ ପାଇଁ ଡିଜିସିଏ ପକ୍ଷରୁ ଇଣ୍ଡିଗୋ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଭ୍ରାଟ ପାଇଁ ଇଣ୍ଡିଗୋ ସ୍ଵୀକାର କରିଛି ଯେ, କମ୍ପାନୀର ଅପରେସନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ କମ୍ପାନୀ ପକ୍ଷରୁ କ୍ଷମାପ୍ରାର୍ଥନା କରାଯାଇଛି। ଟେକ୍ନିକାଲ ତ୍ରୁଟି, କର୍ମଚାରୀଙ୍କ ସମୟରେ ପରିବର୍ତ୍ତନ, ପାଇଲଟଙ୍କ ଅଭାବ, ପ୍ରତିକୂଳ ପାଗ ପରିସ୍ଥିତି, ଭିଡ଼ ଏବଂ ଅପଡେଟ୍ କର୍ମଚାରୀଙ୍କ ରୋଷ୍ଟର ନିୟମରେ ପରିବର୍ତ୍ତନ ଯୋଗୁଁ ଏହି ସମସ୍ୟା ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହାକୁ ସ୍ଵାଭାବିକ କରିବାକୁ ଉଦ୍ୟମ ଚାଲିଥିବା ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ସମାଧାନ ଲାଗି ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହୋଇଥିଲା।କେନ୍ଦ୍ର ମନ୍ତ୍ରୀ ନିଜେ ସମୀକ୍ଷା କରିଛନ୍ତି। ସେପଟେ ବିମାନ ଯାତ୍ରୀଙ୍କ ସୁବିଧା ପାଇଁ FDTL-CAR କୃ ନିୟମ କୋହଳ କରିବାକୁ ଡିଜିସିଏକୁ ଅନୁରୋଧ କରିଛି ଇଣ୍ଡିଗୋ। ଭୁବନେଶ୍ଵର ବିମାନ ବନ୍ଦରରେ ମଧ୍ୟ ଦେଖା ଦେଇଛି ବିଭ୍ରାଟ।

