spot_img

Latest Posts

ପ୍ରସ୍ତୁତ ପୋଲିଂ ପାର୍ଟି, ପ୍ରସ୍ତୁତ ପ୍ରଶାସନ: କାଲି ଭୋଟ ଦେବ ନୂଆପଡ଼ା

ଭୋଟ ଦେବ ନୂଆପଡ଼ା। ଭୋଟର ବାଛିବେ ନୂଆପଡ଼ାର ନୂଆ ବିଧାୟକ। ରାତି ପାହିଲେ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନ ପାଇଁ ଇଭିଏମରେ ଭୋଟ ଗ୍ରହଣ। ପ୍ରସ୍ତୁତ ପୋଲିଂ ପାର୍ଟି। ପ୍ରସ୍ତୁତ ପ୍ରଶାସନ। ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ ଭୋଟଗ୍ରହଣ। ନୂଆପଡ଼ା ବ୍ଲକ, କୋମନା ବ୍ଲକ, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ଏନଏସିରେ ହେବ ମତଦାନ। ସୁନାବେଡ଼ା ଅଞ୍ଚଳ ମାଓ ଅଧ୍ୟୁଷିତ ହୋଇଥିବାରୁ ସେଠାରେ ଥିବା ୮ଟି ବୁଥରେ ଅପରାହ୍ନ ୪ଟା ଯାଏ ହେବ ଭୋଟଗ୍ରହଣ। ନୂୁଆପଡ଼ା ଉପନିର୍ବାଚନରେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ମୋଟ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରୁ ପୁରୁଷ ଭୋଟରଙ୍କ ସଂଖ୍ଯା ୧ ଲକ୍ଷ ୨୪ ହଜାର ୫୪୪ ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୯୩୨। ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ରହିଛି ୨୧। ମୋଟ ବୁଥ ସଂଖ୍ଯା ୩୫୮। ସେଥିରୁ ୫୮ଟି ବୁଥ ସମ୍ବେଦନଶୀଳ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ବୁଥ ପାଇଁ ଇଭିଏମର ୭୨୦ଟି ବାଲଟ ୟୁନିଟ, ୭୨୦ଟି କଣ୍ଟ୍ରୋଲ ୟୁନିଟ ଏବଂ ୭୨୦ଟି ଭି.ଭି.ପାଟ ଉପଲବ୍ଧ କରାଯାଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଗତମାସ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ନାମାଙ୍କନ ଓ ପ୍ରାର୍ଥୀ ପ୍ରତ୍ୟାହାର ପରେ ନିର୍ବାଚନ ରଣାଙ୍ଗନରେ ମୋଟ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରମୁଖ ଦଳ ଭିତରେ ବିଜୁ ଜନତା ଦଳରୁରୁ ସ୍ହେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀଯ କଂଗ୍ରେସରୁ ଘାସିରାମ ମାଝୀ, ଭାରତୀୟ ଜନତା ପାର୍ଟିରୁ ଜୟ ଢୋଲକିଆ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ବାଧୀନ ପ୍ରାର୍ଥୀ ସେମାନଙ୍କ ଭାଗ୍ଯ ପରୀକ୍ଷା କରୁଛନ୍ତି।

ଏହି ଉପନିର୍ବାଚନ ସୁପରିଚାଳନା ପାଇଁ ମୋଟ ୧୫୮୪ ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଭିତରୁ ୧୫୫୨ଜଣ ପୁରୁଷ ପୋଲିଂ କର୍ମଚାରୀ ହୋଇଥିବାବେଳେ ମହିଳା ପୋଲିଂ କର୍ମଚାରୀଙ୍କ ସଂଖ୍ଯା ୩୨। ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ ୬ଟି ଶଖୀ ବୁଥ। ପ୍ରତ୍ୟେକ ଶଖୀ ବୁଥରେ ଲାଲ କାର୍ପେଟ ପକାଯାଇଛି। ଏହାସହିତ ପ୍ରତ୍ଯେକ ବୁଥରେ ଭୋଟରଙ୍କ ସୁବିଧା ପାଇଁ ପିଇବା ପାଣିର ବ୍ୟବସ୍ଥା। ଖରାରୁ ରକ୍ଷା ଦେବା ପାଇଁ ସାମିଆନା କରାଯାଇଛି। ସମ୍ବେଦନଶୀଳ ବୁଥଗୁଡ଼ିକରେ ମୁକ୍ତ ଓ ଅବାଧ ଭୋଟଗ୍ରହଣ ପାଇଁ ୱେବକାଷ୍ଟିଂ ଓ ଭିଡିଓଗ୍ରାଫି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବାର ଘଣ୍ଟାକ ପୂର୍ବରୁ ଅର୍ଥାତ ସକାଳ ୬ଟାରେ ଇଭିଏମ ଓ ଭି.ଭି.ପାଟରେ ମକ ପୋଲିଂ କରାଯିବ। ମକ ପୋଲିଂ ପରେ ସକାଳ ୭ଟାରୁ ହେବ ଭୋଟ ଗ୍ରହଣ। ମୋଟ ବୁଥ ଭିତରୁ ସିଲଟପାଣି ବୁଥରେ ସର୍ବାଧିକ ୧୧୨୪ ଜଣ ଭୋଟର ଥିବାବେଳେ ଅନୁପଗଡ଼ ବୁଥରେ ସବୁଠାରୁ କମ ୧୮୬ଜଣ ମତଦାତା ରହିଛନ୍ତି। ସୁନାବେଡ଼ା ଅଭୟାରଣ୍ୟର ୮ଟି ବୁଥରେ ପୋଲିଂ କର୍ମଚାରୀଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଇ ଦିଆଯାଇଛି। ସେଗୁଡ଼ିକ ହେଲା ବୁଥ ନମ୍ବର ୩୨୦, ୩୨୧, ୩୨୨, ୩୨୪, ୩୨୫, ୩୨୬, ୩୨୭ ଓ ୩୨୮ ନମ୍ବର ବୁଥ। ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Latest Posts

Don't Miss